News

ବଢୁଛି ତାତି : ୨ ଦିନ ଆକାଶରୁ ବର୍ଷିବ ନିଆଁ, ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟ ବଢୁଛି ତାତି । ଟିଟିଲାଗଡ଼ରେ ରବିବାର ୩୮ ଡିଗ୍ରୀ ଛୁଇଁଛି । ଆଗକୁ ଆହୁରି ବଢିବ । ୩ ରୁ ୪ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା ।

14 March, 2022 10:03 AM IST By: Sudesna Nayak

ରାଜ୍ୟ ବଢୁଛି ତାତି । ଟିଟିଲାଗଡ଼ରେ ରବିବାର ୩୮ ଡିଗ୍ରୀ ଛୁଇଁଛି । ଆଗକୁ ଆହୁରି ବଢିବ । ୩ ରୁ ୪ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

ସୂଚନା ଅନୁଯାୟୀ, ଆସନ୍ତା ୧୬ ଓ ୧୭ ତାରିଖରେ ରାଜ୍ୟର ୬ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି । ଏହି ଦୁଇଦିନ ତାତି (Heat wave) ୪୦ ଡିଗ୍ରୀ ଛୁଇଁବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD) ପୂର୍ବାନୁମାନ କରିଛି ।

୧୬ ତାରିଖରେ ବଲାଙ୍ଗୀର ଜିଲ୍ଲା, ସୋନପୁର ଜିଲ୍ଲା ଓ ବୌଦ୍ଧ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ସେହିପରି ୧୭ ତାରିଖରେ ବଲାଙ୍ଗୀର ଜିଲ୍ଲା, ସୋନପୁର ଜିଲ୍ଲା, ବୌଦ୍ଧ ଜିଲ୍ଲା, ଅନୁଗୁଳ ଜିଲ୍ଲା, ନୟାଗଡ଼ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ (Heat wave) ହେବ ବୋଲି କେନ୍ଦ୍ର ଆକଳନ (IMD) କରିଛି । ୟେଲୋ ୱାର୍ଣ୍ଣିଂ (yellow warning)ବି ଜାରି କରିଛି । ଯାହାକୁ ନେଇ ଉପରୋକ୍ତ ୬ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ହିଁ ସତର୍କ ସୂଚନା ଜାରି କରି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ (ଏସ୍‌ଆର୍‌ସି) ।

କହିବାକୁ ଗଲେ, ରବିବାର ରାଜ୍ୟର ୧୬ଟି ସହରର ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ଉପରେ ରହିଥିଲା । ଟିଟିଲାଗଡ଼ର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ଛୁଇଁଥିଲା । ସେହିପରି ବଲାଙ୍ଗୀରର ୩୭.୮ ଡିଗ୍ରୀ ସେଲସିୟସ୍‌, ଝାରସୁଗୁଡ଼ାରେ ୩୭.୩ ଡିଗ୍ରୀ ସେଲସିୟସ୍‌, ଅନୁଗୁଳରେ ୩୭.୧ ଡିଗ୍ରୀ ସେଲସିୟସ୍‌ ରହିଥିଲା ।

ସେହିପର ସମ୍ବଲପୁରରେ ୩୬.୯ଡିଗ୍ରୀ ସେଲସିୟସ୍‌ ଓ ରାଜଧାନୀ ଭୁବନେଶ୍ୱର (BHUBANESWAR) ରେ ୩୬.୬ଡିଗ୍ରୀ ସେଲସିୟସ୍‌ ସମେତ ରାଜ୍ୟ ୧୨ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଥିଲା ।

ପ୍ରକାଶ ଥାଉ କି, ଦୁଇ ଦିନ ପରେ ପାଗ ଆହୁରି ବଦଳିବ । କେତେକ ଜିଲ୍ଲାରେ ଦିନର ତାପମାତ୍ର ତିନିରୁ ଚାରି ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର (IMD) ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି । ରାଜ୍ୟକୁ ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ଶୁଷ୍କ ଓ ଉତ୍ତପ୍ତ ବାୟୁ ପ୍ରବେଶ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଦିନବେଳା ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।୧୬ ତାରିଖ ଓ ୧୭ ତାରିଖରେ କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ (Heat wave) ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ଆକଳନ କରି କହିଛନ୍ତି ।

ଆସନ୍ତା ୫ଦିନ ରାଜ୍ୟରେ ଟାଣ ଖରା, ବଢିବନି ତାପମାତ୍ରା

ଆସନ୍ତା ସପ୍ତାହ ବେଳକୁ ଆହୁରି ବଢିବ ତାତି ; ୧୪ ରୁ ନିଆଁବର୍ଷା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)