ଏବେ ଠାରୁ ହିଁ ଖରା କଲବଲ କଲାଣି । ଆସନ୍ତା ସପ୍ତାହ ବେଳକୁ ତତେଇବ ତାତି । ତାତିରେ ସନ୍ତୁଳି ହୋଇଯିବେ ରାଜଧାନୀବାସୀ । ଆସନ୍ତା ୧୪ ରୁ ୧୯ ତାରିଖ ଯାଏଁ ଆକାଶରୁ ନିଆଁ ବର୍ଷିବା ଭଳି ଖରା ହେବ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ଖରାଟିଆ ପାଗ ହେବା ସହିତ ତାପମାତ୍ରା ମଧ୍ଯ ବଢ଼ିବ । ଆଭ୍ୟନ୍ତରୀଣ ଦକ୍ଷିଣ ସବୁଠୁ ଉତ୍ତପ୍ତ ହେବ । ପାରଦ ୪୦-୪୧ ଡିଗ୍ରୀ ସେଲସିୟସ୍ ରହିବ । ଏମିତି ପୂର୍ବାନୁମାନ କରିଛି ବିଦେଶୀ ପାଣିପାଗ ସଂସ୍ଥା ଆକ୍ୟୁୱେଦର ।
କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ପଶୁପାଳକ ଆକଳନ କରି କହିଛନ୍ତି ଯେ, ୧୧ ତାରିଖ ଓ ୧୨ ତାରିଖରେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୮.୫ ଡିଗ୍ରୀ ସେଲସିୟସ୍, ଅନୁଗୁଳ ଜିଲ୍ଲା, ତାଳଚେର, ସୋନପୁର, ଭବାନୀପାଟଣା, ଟିଟିଲାଗଡ଼, କାଲିମେଳାରେ ୩୯ ଡିଗ୍ରୀ ସେଲସିୟସ୍ରୁ ଅଧିକ ଏବଂ ଝାରସୁଗୁଡ଼ାରେ ୩୭.୫ ଡିଗ୍ରୀ ସେଲସିୟସ, ଚାନ୍ଦବାଲିରେ ୩୭ ଡିଗ୍ରୀ ସେଲସିୟସ୍ ହୋଇପାରେ । ହୁଏତ କେତେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଛୁଇଁପାରେ ।
ଏହି ପୂର୍ବାନୁମାନ ଅନୁଯାୟୀ, ୧୪ ତାରିଖ ବେଳକୁ ଭୁବନେଶ୍ୱର (Bhubaneswar) ତାପମାତ୍ରା ୪୦ ଡିଗ୍ରୀ ଛୁଇଁଯିବ । ୧୫ ତାରିଖରେ ଆଉ ୧ ଡିଗ୍ରୀ ବଢ଼ି ୪୧ ଡିଗ୍ରୀ ସେଲସିୟସ୍ ପାର୍ କରିବ । ୧୮ ତାରିଖ ଯାଏଁ ୪୧ ଡିଗ୍ରୀ ଲେଖାଏଁ ରହିବ । ୧୯ ତାରିଖରେ ସାମାନ୍ୟ କମି ୪୦ ଡିଗ୍ରୀ ହେବ । ଏହାପରେ ସପ୍ତାହେ ପର୍ଯ୍ୟନ୍ତ ପାରଦ ୩୭ ଡିଗ୍ରୀ ପାଖାପାଖି ରହିବ ।
ପ୍ରକାଶ ଥାଉ ଯେ, ୧୨ ତାରିଖ ବେଳକୁ ବାଷ୍ପୀକରଣର ଦ୍ରୁତ ବୃଦ୍ଧି ହେତୁ ଫସଲରେ ଜଳସେଚନର ଆବଶ୍ୟକତା ପ୍ରାୟ ୬୦ ପ୍ରତିଶତ ବଢିବ । ତେଣୁ ପନିପରିବା ଓ ରବି ଫସଲ ଆବଶ୍ୟକ ମତେ ଜଳସେଚନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।