1. କୃଷି ଖବର

ବିଶ୍ବ ପରିବେଶ ଦିବସ: ମଣିଷ ପାଇଁ ଅଭିଷାପ ପାଲଟିଛି ପ୍ରକୃତି ଆଖିର ଲୁହ

ଆଜି ସମ୍ପୂର୍ଣ୍ଣ ପରିବେଶ ବିଷମୟ । ସବୁକିଛି ପ୍ରଦୂଷିତ । ପ୍ରଦୂଷଣ,ଜନସଂଖ୍ୟା ବୃଦ୍ଧି ,ଜଙ୍ଗଲକ୍ଷୟ, ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ୍ ୱାର୍ମିଙ୍ଗ୍ ହିଁ ଏହାର ମୂଳ କାରଣ ଦାୟୀ । ବାୟୁ ପ୍ରଦୂଷଣରେ ଭାରତ ଆଜି ବହୁ ଆଗରେ । ଜଳବାୟୁ ପରିବର୍ତ୍ତନ, ଖାଦ୍ୟ ସଙ୍କଟ, ଆଉ ଗ୍ଲୋବାଲ ଓ୍ବାର୍ମିଂ ଆଜି ମଣିଷ ସମାଜ ଆଗରେ ଏକ ଆହ୍ବାନ ପାଲଟିଛି ।

Shuvanshu Kar
Shuvanshu Kar
World Environment Day 2022: Mother Earth is crying

World Environment Day 2022: Mother Earth is crying

ଉତ୍କଳ-କମଳା ବିଳାସ-ଦୀର୍ଘିକା,
ମରାଳ ମାଳିନୀ ନୀଳାମ୍ବୁ ଚିଲିକା,
ଉତ୍କଳର ତୁହି ଚାରୁ ଅଳଙ୍କାର
ଉତ୍କଳ-ଭୁବନେ ଶୋଭାର ଭଣ୍ଡାର;

ପରିବେଶର କଥା ଆସିଲେ ମନର କାନଭାସରେ ଆଙ୍କି ହୋଇଯାଏ କବି ଗଙ୍ଗାଧର ମେହେରଙ୍କ କବିତାରେ ରୂପ ପାଇଥିବା ପ୍ରକୃତି ରାଣୀର ନୃତ୍ୟରତ ଛବି । ଭାଷା ସାହିତ୍ୟର ଯ଼ୁଗଦ୍ରଷ୍ଟା ରଙ୍ଗାଜୀବ ଗଙ୍ଗାଧରଙ୍କ ପ୍ରତିଟି କାବ୍ୟ ଓ କବିତାରେ ପ୍ରକୃତିର ବର୍ଣ୍ଣନା ଆଉ ଉତ୍କର୍ଷତା ଦେଖିବାକୁ ମିଳେ । ପରିବେଶପ୍ରତି ସକାରାତ୍ମକ ଜନ ଜାଗ୍ରତି ସୃଷ୍ଟି କରିବା ଏହି ସବୁ କବିତାର ମୂଳ ଉଦ୍ଦେଶ୍ୟ ରହିଛି ।

ପୃଥିବୀ ଆମକୁ ଜନ୍ମ ଦେଇଛି । ତାରି ପାଣି ପବନରେ ଗଢା ଆମ ଜୀବନ । ମାଟି ଆମର ମା । ମାଟି ପ୍ରାଣ । ଗଛ ଲତା ଆମ ନିଶ୍ବାସ ଆଉ ପ୍ରଶ୍ବାସ । ପ୍ରକୃତିର କୋଳରେ ମୁଣ୍ଡଜାକି ଟିକିଏ ଶୋଇଗଲେ ଚୀର ଶାନ୍ତି ଲାଭ କରୁ । ପ୍ରକୃତି ହେଉଛି ସ୍ରଷ୍ଟାଙ୍କ ସୃଷ୍ଟି । ସୃଷ୍ଟିକର୍ତ୍ତା ନିଜ ସୁକୋମଳ କରସ୍ପର୍ଶ ଦେଇ ଗଢିଥିଲେ ପ୍ରକୃତିକୁ । କାହିଁ କେତେ ଯ଼ୁଗରୁ, କେତେ କାଳରୁ । ତାରି କୋଳରେ ଆମେ ଯେ କେତେ ଡେଉଁ, କୁଦୁ, ନାଚୁ, ତାହା ବେହିସାବ । ତଥାପି ସବୁତକ ଯନ୍ତ୍ରଣାକୁ ଅନାୟାସରେ ସହିଚାଲିଛି ଏ ପ୍ରକୃତି । ଆଉ ମଣିଷକୁ ପ୍ରତି ମୁହୁର୍ତ୍ତରେ ଦେଇଚାଲିଛି ତାର ନୈସର୍ଗିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାର ସୁଯୋଗ । ହେଲେ ପ୍ରତିବଦଳରେ ଆମେ କୁଢ କୁଢ ଆବର୍ଜନାରେ ତାର ସୁନ୍ଦରତା ନଷ୍ଟ କରିଛୁ । ବିଶାକ୍ତ ଧୂଆଁରେ ତାକୁ ଅଣନିଶ୍ବାସୀ କରିଚାଲିଛୁ । ଟାଙ୍ଗିଆ ଚୋଟରେ ତାଙ୍କୁ କ୍ଷତବିକ୍ଷତ କରିବାକୁ ପଛାଇ ନାହୁଁ । ହେଲେ ଏହାର ପରିଣାମରେ ଯେ କେତେ ଭୟାବହ ହେବ ତାହା ଆଜି ଆମେ ବୁଝି ପାରୁନାହୁଁ ।

ମାଟି, ଜଳ, ବାୟୁ ସବୁକିଛି ଆଜି ବିଶାକ୍ତ । ନିଶ୍ବାସ ଟିକକ ପାଇଁ ବି ପାଇଁ ନା ଅଛି ବିଶୁଦ୍ଧ ବାୟୁ ନା ଅଛି ଶୋଷ ମେଣ୍ଚାଇବା ପାଇଁ ବିଶୁଦ୍ଧ ପାନୀୟଜଳ । ଆଜି ସମ୍ପୂର୍ଣ୍ଣ ପରିବେଶ ବିଷମୟ । ସବୁକିଛି ପ୍ରଦୂଷିତ । ପ୍ରଦୂଷଣ,ଜନସଂଖ୍ୟା ବୃଦ୍ଧି ,ଜଙ୍ଗଲକ୍ଷୟ, ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ୍ ୱାର୍ମିଙ୍ଗ୍ ହିଁ ଏହାର ମୂଳ କାରଣ ଦାୟୀ । ବାୟୁ ପ୍ରଦୂଷଣରେ ଭାରତ ଆଜି ବହୁ ଆଗରେ । ଜଳବାୟୁ ପରିବର୍ତ୍ତନ, ଖାଦ୍ୟ ସଙ୍କଟ, ଆଉ ଗ୍ଲୋବାଲ ଓ୍ବାର୍ମିଂ ଆଜି ମଣିଷ ସମାଜ ଆଗରେ ଏକ ଆହ୍ବାନ ପାଲଟିଛି ।

ପ୍ରକୃତିକୁ ଧ୍ବଂଶଆଭିମୁଖୀ ଆଧୁନିକରଣ ଆବଶ୍ୟକତା

ଯେଉଁ ପ୍ରକୃତିର କୋଳରେ ଆମ ଜନ୍ମ ନେଇ ବଡ ହେଲେ, ତାରି ଘରକୁ ନଷ୍ଟ କରି ଆମେ ସିମେଣ୍ଟ, ଇଟାର ଘର ତୋଳୁଛେ । ପ୍ରକୃତିର ବଡ ଆବଦାନ ହେଉଛି ଜଙ୍ଗଲ । ହେଲେ ସହର ବସାଇବା ନିଶାରେ କଟା ଚାଲିଛି ଶହ ଶହ ହେକ୍ଟର ଗଛ । ଯାହା ଫଳରେ ଜଙ୍ଗଲ କମୁଛି । ବିଗୁଡୁଛି ପରିବେଶ ସନ୍ତୁଳନ । ଜଙ୍ଗଲ ନଷ୍ଟ କାରଣରୁ କେବଳ ଗଛ ନୁହେଁ, ବିଭିନ୍ନ ପ୍ରଜାତିର ପ୍ରାଣୀ, ସରୀସୃପ, ପକ୍ଷୀମାନଙ୍କର ସତ୍ତା ହଜିଯାଉଛି ।

ଜଳବାୟୁ ପରିବର୍ତ୍ତନ ଏକ ଆହ୍ବାନ

ପରିବେଶ ନଷ୍ଟ କାରଣରୁ ଜଳବାୟୁରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି । ଋତୁଚକ୍ରରେ ଅନିୟମିତତା ସାଙ୍ଗକୁ ଅସହ୍ୟ ତାତି, ଥଣ୍ଡା ଭଳି ଅସ୍ବଭାବିକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ନଦୀ ଜଳ ଶୁଖିଯାଉଛି । ବିଳମ୍ବିତ ବର୍ଷା ଚାଷୀଙ୍କ ଚିନ୍ତା ବଢାଉଛି । ଓଡିଶଆରେ ମଧ୍ୟ ଦାନା ବାନ୍ଧୁଛି ଜଳବାୟୁ ପରିବର୍ତ୍ତନର ସଙ୍କଟ । ଜୈବ ବିବିଧତାର ପ୍ରାଚୁର୍ଯ୍ୟରେ ଭରା ଓଡିଶାରେ ପରିବେଶର ଉଦବେଗଜନକ ପରିସ୍ଥିତି ସୃଷ୍ଟି ହେଉଛି । ସୁନ୍ଦରବନର ସୁନ୍ଦରତା ଲୋପ ପାଇବାକୁ ବସିଲାଣି ।

ଲିଭୁନି ଜଙ୍ଗଲ ନିଆଁ

ଦେଶର ବଡ ବଡ ଜଙ୍ଗଲ ଅନେକ ସମୟରେ ନିଆଁରେ ଜଳୁଛି । ମନୁଷ୍ୟକୃତ ଏହି ନିଆଁର ଆଁ ଲକ୍ଷ ଲକ୍ଷ ଗଛ ଓ ପଶୁପକ୍ଷୀଙ୍କୁ ଗ୍ରାସ କରିଚାଲିଛି । ଏକ ରିପୋର୍ଟ ଅନୁଯାୟୀ 2019ସୁଦ୍ଧ ଆମ ରାଜ୍ୟ ଓଡିଶାରେ ୫ହଜାର ୩୩୨ ଜଙ୍ଗଲ ନିଆଁ ରେକର୍ଡ ହୋଇଥିଲା । କୋଟି କୋଟି ଟଙ୍କାର ବନ୍ୟ ସମ୍ପତ୍ତି ନଷ୍ଟ ହୋଇଛି । ଆମର ଦାୟିତ୍ୱହୀନତା ଓ ଖାମଖିଆଲିପଣ ହିଁ ଏହି କ୍ଷୟକ୍ଷତିର କାରଣକୁ ବୟାନ କରୁଛି ।

ବଢୁଛି ଗ୍ଲୋବାଲ ଓ୍ବାର୍ମିଂ

ଦିନକୁ ଦିନ ଗ୍ଲୋବାଲ ଓ୍ବାର୍ମିଂ ଜୀବଜଗତ ପାଇଁ ଚିନ୍ତାର କାରଣ ପାଲଟିଛି । ପରିବେଶରେ କ୍ରମାଗତ ଗ୍ରୀନ ହାଉସ ଗ୍ୟାସର ସ୍ତର ବୃଦ୍ଧି ପାଉଛି । ଗଛ କାଟିବା, ଜଳ, ବାୟୁ, ମୃତ୍ତିକା ପ୍ରଦୂଷଣ ହିଁ ଗ୍ଲୋବାଲ ଓ୍ବାର୍ମିଂର କାରଣ । ଉଦ୍ୟୋଗୀକରଣ ଯୋଗୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ମାତ୍ରା ବଢୁଛି, ଯାହା ତାପମାତ୍ରା ବୃଦ୍ଧିର ବଡ କାରଣ କୁହାଯାଇପାରେ ।

ପରିବେଶ ଓ ପ୍ରକୃତି ବିନା ଯେ ଜୀବଜଗତର ପରିକଳ୍ପନା କରାଯାଇନପାରେ, ଏହା ଆମକୁ ବୁଝିବାକୁ ପଡିବ । ପ୍ରକୃତିକୁ ନଷ୍ଟ କଲେ ମଣିଷ ଦିନେ ତାର ଅସ୍ତିତ୍ବ ହରାଇବସିବ । ଆଧୁନିକତାକୁ ନେଇ ଗର୍ବ କରୁଥିବା ମଣିଷକୁ ବିପର୍ଯ୍ୟରୁ ଅନେକ ଶିକ୍ଷାଲାଭ କରିବାକୁପଡିବ, ନଚେତ ସୁଖର ଦିନଗୁଡିକ ଅତୀତର ଆବେଗପୂର୍ଣ୍ଣ ସ୍ମୃତି ହୋଇ ରହିଯିବ, ଏଥିରେ ସନ୍ଦେହ ନାହିଁ ।

Share your comments