ମାଟି ହେଉଛି ଆମର ମା' । ମାଟି ରୁ ହିଁ ଜୀବ ଜଗତର ସୃଷ୍ଟି ଓ ବିଲୟ ଘଟିଥାଏ ଏହାକୁ ଯିବ ଜଗତର ଖାଦ୍ୟର ଗ୍ରନ୍ଥାଘର ବୋଲି କୁହାଯାଏ । ଯାହାଦ୍ୱାରା ହିଁ ମନୁଷ୍ୟର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରାଯାଇଥାଏ ।
ପ୍ରତି ବର୍ଷ ଡିସେମ୍ବର ମାସ ୫ (December 5) ତାରିଖକୁ ବିଶ୍ୱ ମୃତ୍ତିକା ଦିବସ ରୂପେ ପାଳନ କରାଯାଏ । ମୃତ୍ତିକା ସରଂକ୍ଷଣ ନେଇ ବିଶ୍ୱ ବ୍ୟାପି ସତର୍କତା ସୃଷ୍ଟି କରିବା ହେଉଛି ଏହି ଦିବସ ପାଳନର ମୂଳ ଲକ୍ଷ । ୨୦୦୨ ମସିହାରେ ଅନ୍ତରାଷ୍ଟ୍ରୀୟ ମୃତ୍ତିକା ବିଜ୍ଞାନ ସଂଘ ଡିସେମ୍ବର ୫ ତାରିଖକୁ ବିଶ୍ୱ ମୃତ୍ତିକା ଦିବସ ଭାବେ ପାଳନ କରିବାକୁ ସୁପାରିଶ କରାଯାଇଥିଲା ।
ମୃତ୍ତିକା ଏକ ପ୍ରାକୃତିକ ବସ୍ତୁ । ଏହା ପୃଥିବୀ ପୃଷ୍ଠରେ ଚତୁର୍ଦ୍ଦିଗରେ ବ୍ୟାପ୍ତ । ପ୍ରତ୍ୟେକ ଜୀବଜନ୍ତୁ ଓ ବୃକ୍ଷଲତା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଖାଦ୍ୟ ଓ ଆଶ୍ରୟ ପାଇଁ ମୃତ୍ତିକା ଉପରେ ନିର୍ଭରଶୀଳ । ‘ମା’ ଭଳି ଏହା ସମଗ୍ର ଜୀବଜଗତକୁ କୋଳରେ ଆଶ୍ରୟ ଦେଇଛି । ତେଣୁ ଏହାର ଅନ୍ୟ ନାମ ‘ମାଟି’ । କେଉଁଠି ଏହି ମୃତ୍ତିକା ବୃକ୍ଷଲତା ଶୂନ୍ୟ ଟାଙ୍ଗର ବା ମରୁଭୁମି ହୋଇ ପଡିରହିଛି ତ ଆଉ କେଉଁଠି ଏହା ଉପରେ ସବୁଜ ଘନ ବନାନି, ତୃଣଭୂମି ବା ଫସଲ ବଢି ଉଠିଛି । ଗଛଲତା ବଢିବା ପାଇଁ ଏହା ହେଉଛି ଏକ ପ୍ରାକୃତିକ ଆଧାର । ଗଛ ବଢିବା ପାଇଁ ଆବଶ୍ୟକ ଜଳ ଓ ଖାଦ୍ୟ ଉପାଦାନ ଏହା ଯୋଗାଇଥାଏ । ମନୁଷ୍ୟ ସମାଜ ପାଇଁ ଆବଶ୍ୟକ ଜଳ ଓ ଖାଦ୍ୟ ଉପାଦାନ ଏହା ଯୋଗାଇଥାଏ ।
କୃଷି ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ, ମାଟିର ଉର୍ବରତା ବୃଦ୍ଧି ପାଇଁ ସ୍ୱଦେଶୀ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗକୁ ଗୁରୁତ୍ବ ଦିଆଯିବା ଦରକାର । ଏହି ଅବସରରେ ବିଭିନ୍ନ ଜୈବିକ ଦ୍ରବ୍ୟ ଯଥା- ଜିଆ ଖତ,ଗୋବର ଖତ, କମ୍ପୋଷ୍ଟ ଆଦିର ବ୍ୟବହାର ଫଳରେ କିପରିମାଟିର ଜଳଧାରଣ କ୍ଷମତା ବୃଦ୍ଧି ହୋଇଥାଏ ସେ ବିଷୟରେ ଗୁରୁତ୍ବ ଦେବା ନିହାତି ଆବଶ୍ୟକ । ସେହିପରି ସବୁଜ ସାର ଯୋଗାଉଥିବା ଗଛ କିପରି ମାଟିର ଗଠନକୁ ଉନ୍ନତି କରେ, ଫସଲର ଅଦଳ ବଦଳ ଫଳରେ କିପରି ରୋଗ ପୋକ କମିବା ସହିତ ମାଟିର ଭୌତିକ, ରାସାୟନିକ ଏବଂ ଜୈବିକ ଗୁଣ ସୁରକ୍ଷିତ ରହି ଫସଲ ଉତ୍ପାଦନକୁ ନିଶ୍ଚିତ ରୂପେ ବୃଦ୍ଧି କରିଥାଏ ସେ ବିଷୟରେ ମଧ୍ୟ ଗୁରୁତ୍ବ ଦେବା ନିହାତି ଆବଶ୍ୟକ ।
କହିବାକୁ ଗଲେ, ମନୁଷ୍ୟର ମୌଳିକ ଆବଶ୍ୟକତା ଯେପରିକି ଖାଦ୍ୟ , କପଡ଼ା, ବାସଗୃହ ଓ ଚିକିତ୍ସା ଆଦିର ପ୍ରଧାନ ଉତ୍ସ ଭାବେ ମଧ୍ୟ ଧରାଯାଏ । ତେଣୁ କରି ହିଁ ମାଟିର ସରଂକ୍ଷଣ ନିହାତି ଆବଶ୍ୟକ । ନଚେତ ଜୀବ ଜଗତର ଭବିଷ୍ୟତ ଅନ୍ଧକାର ମୟ ହୋଇଯିବ ଏଥିରେ ସନ୍ଦେହ ନାହିଁ ।
ମାଟି ସମସ୍ତ ଜୀବଜଗତ ଓ ଉଦ୍ଭିଦ ଜଗତର ପ୍ରାଣସତ୍ତାର ଆଧାର । ସଠିକ୍ ଯତ୍ନ ନନେଲେ ଏହା ଶୀଘ୍ର ନଷ୍ଟ ହୋଇଯାଏ ଏବଂ ଚାଷକାର୍ଯ୍ୟ ପାଇଁ ଅନୁପଯୋଗୀ ହୋଇଯାଏ । ବୈଜ୍ଞାନିକମାନଙ୍କ ଆକଳନ ଅନୁଯାୟୀ ୧ ଇଞ୍ଚ ମାଟି ସୃଷ୍ଟି ହେବା ପାଇଁ ପ୍ରାୟ ୧ ହଜାର ବର୍ଷ ଲାଗିଥାଏ । ତେଣୁ, ମାଟିର ସୁସ୍ଥତା କିପରି ବଜାୟ ରହିବ ସେଥିନିମନ୍ତେ ସମସ୍ତଙ୍କୁ ସଚେତନା ରହିବା ଆବଶ୍ୟକ ।