1. ଅନ୍ୟାନ୍ୟ

କ'ଣ ଏହି ଚିତଉ ପିଠା ? ଯାହା ଚିତାଲାଗି ଅମାବାସ୍ୟା ଦିନ ପ୍ରସ୍ତୁତ ହୋଇଥାଏ

ଚିତଉ ଓଡ଼ିଶାରେ ତିଆରି ହେଉଥିବା ପ୍ରସିଦ୍ଧ ପିଠା ଯାହା ପ୍ରତିବର୍ଷ ଚିତଉ ଅମାବାସ୍ୟା ଦିନ ଘରେ ଘରେ ପ୍ରସ୍ତୁତ ହୋଇଥାଏ । ଏହା ଶ୍ରାବଣ ମାସରେ ପାଳିତ ହେଉଥିବା ଓଡ଼ିଆ ଗଣପର୍ବ ଚିତାଲାଗି ଅମାବାସ୍ୟାରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଭୋଗ ଭାବେ ଲାଗି ହୋଇଥାଏ l

Tanushree Mahapatra
Tanushree Mahapatra
A special delicacy known as Chitau Pitha , image source - twitter

A special delicacy known as Chitau Pitha , image source - twitter

ଚିତଉ ଓଡ଼ିଶାରେ ତିଆରି ହେଉଥିବା ପ୍ରସିଦ୍ଧ ପିଠା ଯାହା ପ୍ରତିବର୍ଷ ଚିତଉ ଅମାବାସ୍ୟା ଦିନ ଘରେ ଘରେ ପ୍ରସ୍ତୁତ ହୋଇଥାଏ । ଏହା ଶ୍ରାବଣ ମାସରେ ପାଳିତ ହେଉଥିବା ଓଡ଼ିଆ ଗଣପର୍ବ ଚିତାଲାଗି ଅମାବାସ୍ୟାରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଭୋଗ ଭାବେ ଲାଗି ହୋଇଥାଏ l ଓଡ଼ିଶାର ଚାଷୀ ଲୋକ ଏହି ଦିନ ନିଜ ଧାନ କିଆରୀରେ ଚିତଉ ପିଠା ପୋତିଥାନ୍ତି କାରଣ ଏହି ଦିନ ଗେଣ୍ଡାମାନଙ୍କୁ ପିଠା ଖାଇବାକୁ ଦେଲେ ସେମାନେ ଚାଷ ଜମିରେ କାହାକୁ କାମୁଡ଼ନ୍ତି ନାହିଁ ବୋଲି ବିଶ୍ୱାସ ରହିଛି ।

ଏଥିପାଇଁ ପ୍ରଥମେ ଘରେ ଅରୁଆ ଚାଉଳକୁ ପରିସ୍କାର ଭାବେ ଧୋଇ ସେଥିରେ ନଡିଆ ମିଶାଇ ଶିଳରେ ବଟାଯାଇଥାଏ । ବଟା ଟି କାଠ ଚୁଲି ପଲମରେ ପ୍ରସ୍ତୁତ ହୁଏ ଯାହାକୁ ଚିତଉ ପିଠା କୁହାଯାଇଥାଏ । କିଛି କିଛି ଲୋକ ପିଠାରେ ନଡିଆ ଗୁଡ ଏବଂ ଛେନାର ପୁର ମଧ୍ୟ ଦେଇ ପ୍ରସ୍ତୁତ କରିଥାନ୍ତି । 

ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଏବଂ ଗଇଁଠା ଆଦି ପିଠା ଅର୍ପଣ କରାଯାଇଥାଏ । ଏହି ପ୍ରଥା ଶବର ପରମ୍ପରାରୁ ଆସିଛି ବୋଲି ବିଶ୍ୱାସ ରହିଛି ଲୋକଙ୍କର । ଏହି ପରମ୍ପରା ଅନୁଯାୟୀ ଏଥିରେ ଚିତଉ ପିଠା କରି ଜୀବଜନ୍ତୁମାନଙ୍କୁ ଖୁଆଇ ସନ୍ତୁଷ୍ଟ କରିବାର ପ୍ରଥା ରହିଛି । ସେଥି ପାଇଁ "ଗେଣ୍ଡେଇକଟା ଓଷା" ନାମରେ ମଧ୍ୟ ଏହା ବେଶ ଜଣାଶୁଣା । ବାଲେଶ୍ୱର, ମୟୁରଭଞ୍ଜ ଓ କେଉଁଝର ଆଦି ଅଞ୍ଚଳରେ ଏହି ପର୍ବକୁ "ଗେଣ୍ଡାକଟା ଅମାବାସ୍ୟା" ବୋଲି କୁହାଯାଏ । 

ଏହା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆଦିବାସୀମାନଙ୍କ ମଧ୍ୟରେ ଜନ୍ତୁଆଦିଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ମଧ୍ୟ ପାଳିତ ପର୍ଵରୁ ଗୋଟିଏ । ସାଧାରଣତଃ ଚାଷୀମାନେ ବର୍ଷା ଋତୁରେ ଧାନ ଫସଲ କରିବା ସମୟରେ, ବିଲରେ ଗେଣ୍ଡା ଯୋଗୁଁ ଗୋଡ଼ କାଟି ହୋଇ କ୍ଷତି ହୋଇଥାଏ l ଏହି ସମସ୍ୟାକୁ ଏଡ଼େଇବା ନିମନ୍ତେ ଚିତଉ ପିଠାକୁ ସାରୁ ପତ୍ରରେ ରଖି ଗେଣ୍ଡାମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଚାଷ ଜମିରେ ଭସା ଯାଇଥାଏ l

ତେବେ ଚିତଉ ପିଠା କରିବା ପାଇଁ ଆବଶ୍ୟକ ଉପକରଣ:-

– ନୂଆ ବାସନା ଅରୁଆ ଚାଉଳ 

–  ନଡ଼ିଆ ୧ଟା 

– ସାମାନ୍ୟ ଲୁଣ 

– ତେଲ ବା ଘିଅ

ପ୍ରଥମେ ଚାଉଳକୁ ଧୋଇ ପରିଷ୍କାର କରି ୩/୪ ଘଣ୍ଟା ପାଣିରେ ବତୁରାଇ ଦିଅନ୍ତୁ । ନଡ଼ିଆକୁ କୋରି ଚାଉଳ ସହ ମିଶାଇ ଚିକ୍କଣ କରି ବାଟିଦିଅନ୍ତୁ । ଆଣ ଟିକେ ବହଳିଆ କରନ୍ତୁ ତେବେ ସରୁ ଚକୁଳି ଆଣଠାରୁ କରାଯାଇପାରିବ । ମାଟିରେ ପ୍ରସ୍ତୁତ ତାୱା ବା କରେଇ ଗ୍ୟାରେ ବସାଇ ଗରମ କରି ସେଥିରେ ସାମାନ୍ୟ ତେଲ ଘସିଦିଅନ୍ତୁ । ଏକ କପ୍ ଆଣ ସେ କରେଇରେ ଢ଼ାଳି ସଙ୍ଗେ ସଙ୍ଗେ ଏକ ନିବୁଜ ଢାଙ୍କୁଣି ଘୋଡ଼ାଇ ଦିଅନ୍ତୁ । ସେଇ ଢାଙ୍କୁଣି ଚାରିପଟେ ଲୁଗା  ଖଣ୍ଡେ ଘେରାଇ ଦିଅନ୍ତୁ । ବାଷ୍ଫରେ ପ୍ରସ୍ତୁତ ହେବା ପାଇଁ କିଛି ସମୟ ଛାଡି ଦିଅନ୍ତୁ । ଚିତଉ ପିଠା ଟାଣ ଲାଗିଲେ ବା ନ ଫୁଲିଲେ ସେଇ ଆଣରେ କପେ କ୍ଷୀର ମିଶାଇ ଦିଅନ୍ତୁ , ଚିତଉ ନରମ ହୋଇ ମୁଲାୟମ ଲାଗେ ଖାଇବା ପାଇଁ । ଏହିପରି ଭାବେ ପ୍ରସ୍ତୁତ କରନ୍ତୁ ଚିତଉ ପିଠା l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments