
Good news for mission shakti woman employee
ରାଜ୍ୟର ସମସ୍ତ ମହିଳାଙ୍କୁ ସଶକ୍ତିକରଣ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସ କରି ଆସିଛନ୍ତି । ପ୍ରତି ସମୟରେ ରାଜ୍ୟ ସରକାର ମହିଳାଙ୍କୁ ଅଗ୍ରାଧିକାର ଦେଇଛନ୍ତି l ଆଜି ମହିଳା ରୋଜଗାରକ୍ଷମ ହୋଇପାରିଛନ୍ତି l ମହିଳାଙ୍କ ଜୀବନ ଧାରଣର ବିକାଶ ପାଇଁ ଅନେକ ନୂଆ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ଫଳରେ ଆଜି ରାଜ୍ୟର ୭୦ ଲକ୍ଷରୁ ଅଧିକ ମହିଳା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ତେବେ ମିଶନ ଶକ୍ତି ମାଧ୍ୟମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଅନେକ ସୁବିଧା ପ୍ରଦାନ କରାଯାଇଛି ରାଜ୍ୟରେ ।
୩ ଟି ବଡ଼ ଉପହାର :-
ତେବେ ଏହା ମଧ୍ୟର ଗତକାଲି ମିଶନ ଶକ୍ତି ମାଆମାନଙ୍କୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ୩ଟି ବଡ଼ ଉପହାର । ପ୍ରଥମତଃ, ମିଶନ ଶକ୍ତି ସଦସ୍ୟମାନଙ୍କୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ ଏବଂ ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ କରାଯିବ ମହିଳାଙ୍କର । ଦ୍ବିତୀୟତଃ, ୭୩୦ କୋଟି ଟଙ୍କାର ୟୁନିଫର୍ମ ଓ ବ୍ଲେଜର ସହାୟତା ପ୍ରଦାନ । ତୃତୀୟରେ, ୫ ବର୍ଷରେ ରାଜ୍ୟରେ ୫ ହଜାର ମିଶନ ବଜାର ଖୋଲାଯିବ ମହିଳାଙ୍କ ପାଇଁ । ଏହି ଅବଧି ମଧ୍ୟରେ ପ୍ରାୟତଃ ୭୫ ହଜାର କୋଟିର ଋଣ ଯୋଗାଇ ଦିଆଯିବ ମହିଳାଙ୍କୁ । ଏକ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମହିଳାଙ୍କ ପ୍ରଦାନ କରାଯିବାକୁ ଥିବା ୩ଟି ମୁଖ୍ୟ ଘୋଷଣା କରିଛନ୍ତି ।
ମିଶନ ଶକ୍ତି ବଜାର:-
ଗତକାଲି ମୁଖ୍ୟମନ୍ତ୍ରୀ ମହିଳାଙ୍କ ପାଇଁ ଭୁବନେଶ୍ବରରେ ଉଦଘାଟିତ କରିଛନ୍ତି ମିଶନ ଶକ୍ତି ବଜାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଜାରକୁ ଉଦଘାଟନ କରିଛନ୍ତି । ମାଆଙ୍କ ଉଦ୍ଯୋଗୀ ଆଶାକୁ ଆହୁରି ମଜଭୁତ କରିବା ନିମନ୍ତେ ମିଶନ ଶକ୍ତି ବଜାର ଖୋଲାଯାଇଛି । ଏହା ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ବାରା ପରିଚାଳିତ କରାଯାଉଛି । ବଜାରକୁ ଲୋକାର୍ପଣ କରିବା ପରେ ସମସ୍ତ ସ୍ଥାନ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ ।
ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ମୌଳିକ ଉତ୍ପାଦ କିପରି ବଜାର ସୃଷ୍ଟି କରିବ ସେଥିପାଇଁ ବିକ୍ରିବଟା ନିମନ୍ତେ ମିଶନ ଶକ୍ତି ବିଭାଗ ୧୦ ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମାଣ କରାଯାଇଛି ଏହି ବଜାର । ଏହାର ପରିଚାଳନା ଦାୟିତ୍ବ ଖୋର୍ଦ୍ଧା ମାତୃଶକ୍ତି ଫାର୍ମର୍ସ ପ୍ରଡ୍ୟୁସ୍ କମ୍ପାନୀ ଲିମିଟେଡକୁ ପ୍ରଦାନ କରାଯାଇଛି ।
ଲୋକଙ୍କ ପାଇଁ ଏହି ବଜାର ସକାଳ ୧୦ଟାରୁ ଖୋଲାଯିବ ଏବଂ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ଏହା । ଏହି ବଜାରରେ ଲୋକେ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଝାଡ଼ୁଠାରୁ ପାଟଶାଢ଼ୀ, ବେତରେ ପ୍ରସ୍ତୁତ ହୋଇଥିବା ସୋଫା, ସବାଇ ଘାସରେ ନିର୍ମିତ ହୋଇଥିବା ବିଭିନ୍ନ ସାମଗ୍ରୀ, ମାଟିର ବାସନ, ଡୋକରା ସାମଗ୍ରୀ, ଘରକରଣା ବିଭିନ୍ନ ଜିନିଷ, ମିଲେଟ୍ସ୍ ବା ମାଣ୍ଡିଆ ଉତ୍ପାଦ, ସୁନ୍ଦର ସୁନ୍ଦର ପଟ୍ଟଚିତ୍ର, ଘରୋଇ ସାଜସଜ୍ଜା ପେଣ୍ଟିଂ, କନ୍ଧମାଳ ଉତ୍ପାଦ ହଳଦି, ବିଭିନ୍ନ ପ୍ରକାର ମାଣ୍ଡିଆ, କୋରାପୁଟର ଉତ୍ପାଦିତ କଫି , ମହୁ ଉତ୍ପାଦ , ସମେତ ପ୍ରାୟ ପ୍ରାୟ ୨୮ ପ୍ରକାର ର ଉତ୍ପାଦ କିଣିବାର ସୁବିଧା ପାଇ ପାରିବେ । ସେହିପରି ୩୦ଟି ଜିଲ୍ଲାରେ ମାଆମାନେ ପ୍ରସ୍ତୁତ କରୁଥିବା ହାତ ତିଆରି ସାମଗ୍ରୀ ଏହି ବଜାର ଦ୍ୱାରା ୩୬୫ ଦିନ ମିଳିବ ବୋଲି ସୂଚନା ଦିଆଯାଇଛି । ଏବେ କିପରି ବଜାର ସୁବିଧା ଦେଇ ମାଆଙ୍କ ଉତ୍ପାଦ ବିଦେଶରେ ପହଞ୍ଚି ପାରିବ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହା ହେଉଛି ଏହି ବଳିଷ୍ଠ ପଦକ୍ଷେପ ।
Share your comments