ଦେଶରେ ଦିନକୁ ଦିନ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ନିକଟରେ ପ୍ରଥମେ ପନିପରିବାର ଦର ବୃଦ୍ଧି ପାଇଥିଲା , ଏହାର କିଛି ଦିନ ପରେ ପରେ ମସଲାର ଦରରେ ମଧ୍ୟ ଲଗାତାର ବୃଦ୍ଧି ପାଇଥିଲା । କିନ୍ତୁ ବର୍ତ୍ତମାନ ମସଲା ପରେ ଡାଲିଜାତୀୟ ଶସ୍ୟର ମୂଲ୍ୟ ବୃଦ୍ଧି ହୋଇଛି ଯାହାକି ନେଇ ଖାଉଟିଙ୍କ ମଧ୍ୟରେ ଆସନ୍ତି ଲାଗି ରହିଛି ।
ଗତ ଏକ ମାସ ଧରି ଡାଲିର ମୂଲ୍ୟ ଲଗାତାର ବୃଦ୍ଧି ପାଉଛି । ଏନେଇ ଖାଉଟି ଏବେ ଚିନ୍ତାଗ୍ରସ୍ତରେ ।ତେବେ ଡାଲିର ମୂଲ୍ୟ ନିୟନ୍ତ୍ରଣ ପାଇଁ ସରକାର ମାର୍ଚ୍ଚ ମାସରୁ ଉଦ୍ୟମ କରୁଛନ୍ତି । କେନ୍ଦ୍ର ସରକାର ଏଥି ପାଇଁ ପ୍ରଥମେ ଡାଲିର ଷ୍ଟକ୍ ଏବଂ ପରେ କଳାବଜାରୀ ନିୟନ୍ତ୍ରଣ ପାଇଁ ଏକ କମିଟି ଗଠନ କରିଥିଲେ । ସେହି କମିଟି ଦେଶରେ ବିଭିନ୍ନ ଖାଦ୍ୟ ପଦାର୍ଥର ଦର ନିୟନ୍ତ୍ରଣ ପାଇଁ ରାଜ୍ୟ ଗୁଡିକରେ ଅଧିକାରୀଙ୍କ ସହ ମିଶି ଚଢଉ ମଧ୍ୟ କରିଥିଲେ । ଏହା ପରେ ମଧ୍ୟ ଡାଲି ମୂଲ୍ୟ କମିବା ପରିବର୍ତ୍ତେ ଲଗାତାର ବଢିବାରେ ଲାଗିଛି । କିନ୍ତୁ ଏନେଇ କେନ୍ଦ୍ର ସରକାର ଜୁନ ୨ ତାରିଖରେ ଡାଲିର ଷ୍ଟକ୍ ମଧ୍ୟ ଧାର୍ଯ୍ୟ କରିଥିଲେ । ତେବେ ଦେଶରେ ଏହି ଷ୍ଟକ୍ ସୀମା ଜୁନ ୨ ତାରିଖରୁ ପ୍ରଭାବୀ ହୋଇଥିବା ଦେଖିବାକୁ ମିଳିଥିଲା । ଯାହାକି ୩୧ ଅକ୍ଟୋବର ପର୍ଯ୍ୟନ୍ତ ଜାରି ରହିବ ।
ତେବେ ବଜାରରେ ଡାଲି ଦର ଗ୍ରାହକଙ୍କୁ କନ୍ଦାଉଛି । ଦେଶ ଭିତରେ ହରଡ଼ ହେଉଛି ଏକ ପ୍ରମୁଖ ଡାଲି ଯାହାକୁ ପ୍ରାୟତଃ ଅଧିକ ପରିମାଣରେ ଗ୍ରାହକ ଖାଦ୍ୟ ରୂପେ ବ୍ୟବହାର କରନ୍ତି । ସେହିପରି ଯଦିଓ ଅନ୍ୟ ଡାଲି ଯେପରି ମୁଗ,ବୁଟ,ମସୁର ଡାଲି ବ୍ୟବହାର କରାଯାଏ କିନ୍ତୁ ଏହି ଡାଳିଙ୍କ ମଧ୍ୟରେ ହରଡ଼ ଡାଲି ବହୁଳ ବ୍ୟବହାର କରାଯାଇଥାଏ । କିନ୍ତୁ ଏହି ସମସ୍ତ ଡାଲି ଦର ଗତ ଏକ ବର୍ଷ ମଧ୍ୟରେ ଆକାଶ ଛୁଆଁ ହୋଇଛି । ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ମଧ୍ୟ ଏହି ଦର ନିୟନ୍ତ୍ରଣକୁ ଆସିପାରୁନାହିଁ l
ତେବେ ସୂଚନା ଅନୁଯାୟୀ, ହରଡ଼ ଡାଲି ପ୍ରାୟ ଏକ ବର୍ଷ ମଧ୍ୟରେ ପ୍ରାୟ ୨୭ ପ୍ରତିଶତ ମହଙ୍ଗା ହୋଇଛି । ଏହା ସହିତ ମସୁର ଡାଲିର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସେହିପରି ଗ୍ରାହକ ବ୍ୟାପାର ବିଭାଗର ମୂଲ୍ୟ ମନିଟରିଂ ଡିଭିଜନର ରିପୋର୍ଟ ଅନୁଯାୟୀ, ଗତ ଆର୍ଥିକ ବର୍ଷ ୨୦୨୨ ମସିହା ୨୯ ଅଗଷ୍ଟରେ କିଲୋଗ୍ରାମ ପିଛା ହାରାହାରି ମୂଲ୍ୟ ୧୧୦.୬୬ ଟଙ୍କାରେ ଉପଲବ୍ଧ ଥିବା ହରଡ଼ ଡାଲି ଗୋଟିଏ ବର୍ଷ ମଧ୍ୟରେ କେଜି ପିଛା ୧୪୦.୩୪ ଟଙ୍କାକୁ ବୃଦ୍ଧି ପାଇଛି । ଅର୍ଥାତ ଗୋଟିଏ ବର୍ଷ ମଧ୍ୟରେ ଏହାର ମୂଲ୍ୟ ପିଛା ପ୍ରାୟତଃ ୨୭ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡିଛି । ତେବେ ଚଳିତ ବର୍ଷ ମୌସୁମୀରେ କମ ବର୍ଷା ହୋଇଥିବା ଯୋଗୁଁ ଆସନ୍ତା ଦିନରେ ଡାଲିର ମୂଲ୍ୟରେ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି ଆକଳନ କରାଯାଉଛି ।
ଗତ ବର୍ଷ ତୁଳନାରେ ମୁଗ ଡାଲିର ହାରାହାରି ମୂଲ୍ୟ ବର୍ତ୍ତମାନ ୧୧୧.୧୯ ଟଙ୍କା , ଅନ୍ୟପଟେ ଏକ ବର୍ଷ ପୂର୍ବେ କମ ଦରରେ ମିଳୁଥିବା ବିରି ଡାଲି ବର୍ତ୍ତମାନ କିଲୋଗ୍ରାମ ପିଛା ୧୧୫.୦୨ ଟଙ୍କା ହୋଇଛି । ସେହିପରି ଗୋଟିଏ ବର୍ଷରେ ଏହି ଡାଲି ୫ ପ୍ରତିଶତରୁ ଅଧିକ ମହଙ୍ଗା ହୋଇଥିବା କୁହାଯାଉଛି । ସେହିପରି ଏକ ବର୍ଷ ପୂର୍ବେ ମସୁର ଡାଲି ୯୨.୦୯ ଟଙ୍କା ଥିଲା, ଯାହାକି ବର୍ତ୍ତମାନ କିଲୋଗ୍ରାମ ପିଛା ୯୭.୧୬ ଟଙ୍କା ବୃଦ୍ଧି ପାଇଥିବା ଜଣାପଡିଛି । ତେବେ ଏହିପରି ବାରମ୍ବାର ଖାଦ୍ୟ ଦର ବଢୁଥିବା ଯୋଗୁଁ ହଇରାଣ ହେଉଛନ୍ତି ସାଧାରଣ ଲୋକେ l ସରକାର ମଧ୍ୟ ଏହା ଉପରେ ନିୟନ୍ତ୍ରଣ ଆଣିବା ପାଇଁ ନିଜ ଚେଷ୍ଟା ଜାରି ରଖିଛନ୍ତି l ନିକଟରେ ଅନ୍ୟ ଅନେକ ଖାଦ୍ୟ ପଦାର୍ଥର ମୂଲ୍ୟ କମ ଧାର୍ଯ୍ୟ କରିବା ପରେ ସରକାରୀ ମୂଲ୍ୟରେ ବଜାରରେ ଉପଲବ୍ଧ କରାଯାଇଥିଲା l ଯାହା ଖାଉଟିଙ୍କୁ ଅନେକ ମାତ୍ରାରେ ଅସ୍ବସ୍ତି ଦେଇଥିଲା l
Share your comments