1. ଅନ୍ୟାନ୍ୟ

ପାର୍ବଣ ଋତୁରେ ମହଙ୍ଗା ହେବ ଚିନି ଦର

କିଛି ମାସ ହେବ ଦେଶରେ ଦର ଦାମ ବୃଦ୍ଧି ପାଇବାରେ ଲାଗିଛି l ଯାହାକୁ ନେଇ ଅସନ୍ତୋଷ ରହିଛନ୍ତି ଦେଶବାସୀ l କିଛି କିଛି କ୍ଷେତ୍ରରେ ସରକାର ଏହି ଦର ଦାମକୁ ନିୟନ୍ତ୍ରଣରେ ଆଣିବା ପାଇଁ ଅନେକ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି l

Tanushree Mahapatra
Tanushree Mahapatra
Sugar prices may spoil festive mood, image source - pexels.com

Sugar prices may spoil festive mood, image source - pexels.com

କିଛି ମାସ ହେବ ଦେଶରେ ଦର ଦାମ ବୃଦ୍ଧି ପାଇବାରେ ଲାଗିଛି l ଯାହାକୁ ନେଇ ଅସନ୍ତୋଷ ରହିଛନ୍ତି ଦେଶବାସୀ l କିଛି କିଛି କ୍ଷେତ୍ରରେ ସରକାର ଏହି ଦର ଦାମକୁ ନିୟନ୍ତ୍ରଣରେ ଆଣିବା ପାଇଁ ଅନେକ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି l ଯାହା ପରେ ପରେ ଏହା ନିୟନ୍ତ୍ରଣକୁ ମଧ୍ୟ ଆସିଛି l ନିକଟରେ ପରିବା ଦର , ମସଲା ଦର , ଶସ୍ୟ ଜାତୀୟ ଖାଦ୍ୟ ପଦାର୍ଥର ଦର ମଧ୍ୟ ବୃଦ୍ଧି ପାଇଥିଲା ଯାହା ଏବେ ମଧ୍ୟ ବଜାରରେ ଲାଗୁ ରହିଛି l

ସାଧାରଣ ଲୋକେ ଏହାକୁ ନେଇ ଚିନ୍ତା ମଧ୍ୟ କରୁଛନ୍ତି l ଚାଉଳ ଦର କୁ ଦୃଷ୍ଟିରେ ରଖି ସରକାର ଏହା ଉପରେ ଟ୍ୟାକ୍ସ ଲାଗୁ କରିବା ସହିତ ଚାଉଳ ରପ୍ତାନି ମଧ୍ୟ ବନ୍ଦ କରିଛନ୍ତି l ତେବେ ଆଗକୁ ଚିନି ଦର ମଧ୍ୟ ଆକାଶ ଛୁଆଁ ହେବାକୁ ଯାଉଛି l

ସେଥିପାଇଁ ଆଗକୁ ପାର୍ବଣ ଋତୁରେ ମିଠା କିଣିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ । କାରଣ ମହଙ୍ଗା ଚିନି ମିଠାର ମଧୁରତାକୁ ଦୂର କରିଦେବ । କାରଣ ବର୍ତ୍ତମାନ ବଜାରରେ ଚିନି ଦରରେ ନିଆଁରେ ଲାଗିଥିବା ଦେଖିବାକୁ ମିଳିଥିଲା । ଚିନି ମୂଲ୍ୟ ଅନୁଯାୟୀ ୬ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଏହା ପହଞ୍ଚିଥିବା କୁହାଯାଉଛି । ଚଳିତ ବର୍ଷ ମୌସୁମୀରେ କମ୍ ବର୍ଷା ହେତୁ ଆଖୁ ଉତ୍ପାଦନ ମଧ୍ୟ ପ୍ରଭାବିତ ହୋଇଛି l ଯେଉଁ କାରଣରୁ ଚିନି ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଥିବାର ସୂଚନା ରହିଛି ।

ରଏଟର୍ସ ତଥ୍ୟ ଅନୁଯାୟୀ ବମ୍ବେ ସୁଗାର ମର୍ଚାଣ୍ଟ ଆସୋସିଏସନର ସଭାପତି ଅଶୋକ ଜେନା ଏ ନେଇ କହିଛନ୍ତି ଯେ ଚିନି ଉତ୍ପାଦନ ହ୍ରାସ ହେତୁ ଚିନି କାରଖାନା ଏବେ ଚିନ୍ତିତ ହୋଇପଡିଛି । ଫସଲକୁ ପ୍ରଭାବିତ କରୁଥିବା ଚଳିତ ବର୍ଷର ବର୍ଷା ଅଭାବରୁ ଚିନି ଉତ୍ପାଦନ ହ୍ରାସ ହୋଇପାରେ ଆଗକୁ । ଏଭଳି ପରିସ୍ଥିତିରେ ଚିନି ମିଲଗୁଡ଼ିକ କମ୍ ମୂଲ୍ୟରେ ଚିନି ବିକ୍ରି କରିବାକୁ ପ୍ରସ୍ତୁତ ନାହାନ୍ତି । ଚଳିତ ବର୍ଷ ଅକ୍ଟୋବର ମାସରୁ ୩.୩ ପ୍ରତିଶତ ହ୍ରାସ ସହିତ ନୂତନ ଋତୁରେ ଚିନି ଉତ୍ପାଦନ ପ୍ରାୟତଃ ୩୧.୭ ନିୟୁତ ଟନ୍ ହେବ ବୋଲି ଆକଳନ କରାଯାଇଛି । ସୂଚନା ଅନୁଯାୟୀ ସର୍ବାଧିକ ଆଖୁ ଉତ୍ପାଦନ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟରେ ପ୍ରଭାବିତ ହୋଇଛି l ଯେଉଁଠାରେ ସମୁଦାୟ ଉତ୍ପାଦନର ଅଧା ଉତ୍ପାଦନ ହେଉଛି ଆଖୁ ।

ଚିନି ଦର ବୃଦ୍ଧି ପରେ ଏବେ ଅନୁମାନ କରାଯାଉଛି ଯେ ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ କେନ୍ଦ୍ର ସରକାର ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇ ପାରନ୍ତି । ଯେପରି ଗହମ ଏବଂ ଚାଉଳ ରପ୍ତାନି ଉପରେ କେନ୍ଦ୍ର ସରକାର ନିଷେଧ କରିସାରିଛନ୍ତି ପୂର୍ବରୁ । ଅକ୍ଟୋବର ମାସରୁ ନୂତନ ଋତୁରେ ଚିନି ମିଲର ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇପାରେ ବୋଲି ଜଣାପଡୁଛି । ଯଦି ଏହା ହୁଏ, ତେବେ ସାତ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ହେବ ଯେ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଯିବ ରପ୍ତାନି କ୍ଷେତ୍ରରେ । ଘରୋଇ ବଜାରରେ ଚିନିର ଆବଶ୍ୟକତା ପୂରଣ କରିବା ସରକାରଙ୍କର ପ୍ରାଥମିକତା ଏବଂ ଏହା ବ୍ୟତୀତ ଅତିରିକ୍ତ ଚିନିରୁ ଇଥାନଲ ମଧ୍ୟ ଉତ୍ପାଦନ ହେଉଛି ପ୍ରାଥମିକତା । ଯଦିଓ ଚିନି ଉତ୍ପାଦନ ହ୍ରାସ ହେତୁ ସରକାର ରପ୍ତାନି ପ୍ରତିବନ୍ଧକ ଲଗାନ୍ତି, ତେବେ ଆଗକୁ ସମଗ୍ର ବିଶ୍ୱରେ ଖାଦ୍ୟ ମୁଦ୍ରାସ୍ଫୀତିର ତୀବ୍ର ବୃଦ୍ଧି ଘଟିପାରେ ବୋଲି ଆକଳନ ଅନୁଯାୟୀ ଜଣାପଡୁଛି ।

ଚିନି ଉତ୍ପାଦନରେ ହ୍ରାସର ପ୍ରଭାବ ମୂଲ୍ୟ ଉପରେ କିପରି ପଡିଛି ତାହା ପୂର୍ବରୁ ଦେଖାଯାଉଛି । ତେବେ ସରକାରୀ ତଥ୍ୟ ଅନୁଯାୟୀ, ଜୁଲାଇ ୧, ୨୦୨୩ ରେ ଖୁଚୁରା ବଜାରରେ ଚିନିର ହାରାହାରି ମୂଲ୍ୟ କେଜି ପିଛା ୪୨ ଟଙ୍କା ରହିଥିଲା l  ଯାହାକି ସେପ୍ଟେମ୍ବର ୫ ରେ ହାରାହାରି ୪୩ ଟଙ୍କାକୁ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଜାନୁଆରୀ ୧, ୨୦୨୩ ରେ, ଯାହା  କିଲୋଗ୍ରାମ ପାଇଁ ୪୧ ଟଙ୍କା ଥିଲା । ଯଦି ଚିନି ମୂଲ୍ୟରେ ବୃଦ୍ଧି ରହେ, ତେବେ ବିସ୍କୁଟ ଠାରୁ ଆରମ୍ଭ କରି ଚକୋଲେଟ୍, କୋଲ୍ଡ ପାନୀୟ, ମିଠା ସବୁକିଛି ମହଙ୍ଗା ହେବ ଆଗକୁ । ତେବେ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଚିନ୍ତାରେ ପଡିଛନ୍ତି ଖାଉଟି ଏବଂ ଜନସାଧାରଣ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments