ଚଳିତ ବର୍ଷ ଅନିୟମିତ ମୌସୁମୀ ଯୋଗୁଁ ବଢିଛି ଅନେକ ଖାଦ୍ୟ ଶସ୍ୟ ସହତ ମସଲା ଦର l ପନିପରିବା ଠାରୁ ଆରମ୍ଭ କରି ଅନେକ ଖାଦ୍ୟ ସାମଗ୍ରୀ ଦର ବଢୁଛି ଯାହାକୁ ନେଇ ଏବେ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି l ସେହିପରି ମୌସୁମୀର ଆଗମନ ଯୋଗୁଁ ଦେଶରେ ବଢିଛି ମୁଦ୍ରାସ୍ଫୀତି । ଆଉ ସେଥିପାଇଁ ବଜାରରେ ମହଙ୍ଗା ହେଉଛି ଚାଉଳ, ଅଟା, ଡାଲି, ଚିନି ଏବଂ ପିଆଜ ସହିତ ଅଧିକାଂଶ ଖାଦ୍ୟ ସାମଗ୍ରୀ ଦର ।
ହେଲେ ଏସବୁ ମଧ୍ୟରେ ସାମଗ୍ରୀର ମୂଲ୍ୟ ବୃଦ୍ଧି ଗରିବ ଜନତାଙ୍କୁ କାନ୍ଦାଉଛି l ଆଉ ଏବେ ମସଲା ସାମଗ୍ରୀର ଉଚ୍ଚ ଦର ଖାଉଟିଙ୍କୁ ଆହୁରି ଚିନ୍ତାରେ ପକାଇଛି । ଜିରା , ଧନିଆ, ଲଙ୍କା, ଗୁଜରାତି ସହିତ ବଢିଛି ଡାଲଚିନ୍ ଦର । ଆଉ ଏବେ ଏଥିରେ ଯୋଡି ହୋଇଛି ହଳଦୀ l ସୂଚନାଯୋଗ୍ୟ ଯେ, ବିଗତ ଚାରି ମାସ ମଧ୍ୟରେ ହଳଦୀ ଦର ୧୮୦ ପ୍ରତିଶତ ବୃଦ୍ଧି ଘଟିଛି । ହଳଦୀ ଦର ଏବେ ଆକାଶଛୁଆଁ ହେବାରେ ଲାଗିଛି । ସେହିପରି ସମ୍ପ୍ରତି ପାଇକାରୀ ବଜାରରେ ହଳଦୀ ମୂଲ୍ୟ କ୍ୱିଣ୍ଟାଲ ପିଛା ୧୮,୦୦୦ ଟଙ୍କା ରହିଥିବା ଜଣାପଡିଛି । ଯାହାଫଳରେ ଏବେ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ୍ ମଧ୍ୟ ବିଗିଡିବାରେ ଲାଗିଛି ।
ସେହିପରି ବାସ୍ତବରେ, ହଳଦୀ ଏକ ଅତ୍ୟନ୍ତ ଉପଯୋଗୀ ମସଲା ଯାହା ପ୍ରତି ଘରେ ଘରେ ବ୍ୟବହାର ହୋଇଥାଏ । ଏହା ବିନା ସ୍ୱାଦିଷ୍ଟ ଖାଦ୍ୟ କଳ୍ପନା ମଧ୍ୟ କରିହେବ ନାହିଁ । ଏହାକୁ ଖାଇବା ଦ୍ୱାରା ଶରୀର ସୁସ୍ଥ ଏବଂ ସତେଜ ରହିଥାଏ । ଏହି ହଳଦୀରେ ଅନେକ ଔଷଧୀୟ ଗୁଣ ଭରପୁର ରହିଛି l ହଳଦୀ ହେଉଛି ଏପରି ଏକ ମସଲା ଯାହା ଗରିବ ଏବଂ ଧନୀଙ୍କ ଘରେ ଘରେ ବେଶ ବ୍ୟବହୃତ ହୋଇଥାଏ । ଆଉ ଏବେ ଏଭଳି ମୂଲ୍ୟ ବୃଦ୍ଧି ହେତୁ ଗରିବ ଲୋକଙ୍କ ରୋଷେଇ ଘର ବଜେଟ୍ ସମ୍ପୂର୍ଣ୍ଣ ବିଗିଡି ଯାଇଛି ।
ବର୍ତ୍ତମାନ ହଳଦୀ ମୂଲ୍ୟରେ ଏତେମାତ୍ରାରେ ବୃଦ୍ଧି ହେବାର କାରଣ ସାମ୍ନାକୁ ଆସିଛି । ଗତ ଋତୁରେ ଦେଶରେ ପ୍ରାୟତଃ କୃଷକମାନେ ୩୦ ପ୍ରତିଶତରୁ କମ୍ ଅଞ୍ଚଳରେ ଏହି ହଳଦୀ ଚାଷ କରିଥିଲେ । ଏଥିଯୋଗୁ ଉତ୍ପାଦନରେ ହ୍ରାସ ଘଟିଥିବା ନଜର ରହିଛି । ଏହାର ପ୍ରଭାବରେ ବଜାରରେ ହଳଦୀ ମୂଲ୍ୟ ଅନେକ ମାତ୍ରାରେ ବୃଦ୍ଧି ପାଇଛି । ସେହିପରି ଅଦିନିଆ ବର୍ଷା ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ଯେଉଁଠି ହଳଦୀ ଫସଲରେ ବ୍ୟାପକ କ୍ଷତି ହୋଇଛି । ଯାହାକି ଉତ୍ପାଦନକୁ ଅଧିକ ରୁ ଅଧିକ ପ୍ରଭାବିତ କରିଛି l ଯାହା ଏବେ ଦେଶରେ ହଳଦୀ ମୂଲ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥିବାର ନଜିର ରହିଛି ।
ସେହିପରି ବିଶେଷଜ୍ଞଙ୍କ କହିବା ଅନୁଯାୟୀ , ଏଲ୍ ନିନୋ ପ୍ରଭାବ ଯୋଗୁଁ ଚଳିତ ବର୍ଷ ଦେଶର ଅନେକ ଅଞ୍ଚଳରେ ହାରାହାରି ବର୍ଷା କମ୍ ରହିଛି । ଏହା ମଧ୍ୟ ହଳଦୀ ଉତ୍ପାଦନରେ ପ୍ରଭାବ ପକାଇଥିଲା l ଯାହା ଏବେ ହଳଦୀ ମୂଲ୍ୟ ବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏଥିସହିତ ଚଳିତ ବର୍ଷ ଆମ ଦେଶରୁ ଅଧିକ ପରିମାଣରେ ହଳଦୀ ରପ୍ତାନି ହୋଇଛି ଅନ୍ୟ ଦେଶକୁ । ତେବେ ସରକାରୀ ସୂଚନା ଅନୁଯାୟୀ ଚଳିତବର୍ଷ ଏପ୍ରିଲ ମାସଠାରୁ ଜୁନ୍ ମାସ ମଧ୍ୟରେ ଦେଶରୁ ହଳଦୀ ୧୬.୮୭ ପ୍ରତିଶତ ରପ୍ତାନୀରେ ବୃଦ୍ଧି ଘଟିଛି । ଏଥିସହିତ ଦକ୍ଷିଣ ଭାରତରେ ଏହାର ଉତ୍ପାଦନ ମଧ୍ୟ ଚଳିତବର୍ଷ ୫୦ ପ୍ରତିଶତ ହ୍ରାସ ପାଇଥିବା କୁହାଯାଉଛି ।
Share your comments