1. ସଫଳ କାହାଣୀ

ଲକ୍ଷ ଲକ୍ଷ ଚାଷୀ ପରିବାରଙ୍କ ର ଉପକାରୀ ବନ୍ଧୁ ଡଃ ସତ୍ୟ ରଞ୍ଜନ ଦାସ

ପୁରୀ ଜିଲ୍ଲା ଗୋପ ବ୍ଳକ ସ୍ଥିତ ମହଲପଡା ନିବାସୀ ପିତା ଶ୍ରୀ ଯୋଗେଶ ଚନ୍ଦ୍ର ଦାସ ଓ ମାତା ଶ୍ରୀମତୀ ଗୋଲାପ ସୁନ୍ଦରୀ ଦାସ ଙ୍କର ଦ୍ଵିତୀୟ ସନ୍ତାନ ରୂପେ ଜନ୍ମ ନିଅନ୍ତି ସତ୍ୟ ରଞ୍ଜନ ଦାସ ମାର୍ଚ୍ଚ ମାସ ଏକ ତାରିଖ ୧୯୫୧ ମସିହାରେ I

Tanushree Mahapatra
Tanushree Mahapatra
Dr. Satya Ranjan Das, a friend of millions of farming families

Dr. Satya Ranjan Das, a friend of millions of farming families

ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରେ ନିରନ୍ତର କାର୍ଯ୍ୟ କରୁଥିବା ଜଣେ ସାଧାରଣ ବ୍ୟକ୍ତିଟି କୁ ସମୟ ଅସାଧାରଣ ମଣିଷ କରି ଗଢି ଦେଇଥାଏ I ଓଡିଆରେ କଥା ଅଛି "ଚଷା ଲକ୍ଷେ ଜୀବ ପୋଷା" କିନ୍ତୁ ଏପରି କିଛି ମଣିଷ ଅଛନ୍ତି ଯେକି ଲକ୍ଷ ଲକ୍ଷ ଚାଷୀ ପରିବାରଙ୍କ ର ଦାରିଦ୍ର୍ୟ ଦୂର କରିବା ପାଇଁ ଅନବରତ ଗବେଷଣା ମୂଳକ କାର୍ଯ୍ୟ ରେ କାର୍ଯ୍ୟରତ I ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ମାଟି ସହ ମାଟି ହୋଇ ନୂତନ ପ୍ରଜାତିର ଅଧିକ ଅମଳକ୍ଷମ ଧାନ ବିହନ ବାହାର କରିବା ପାଇଁ ସବୁ ସମୟରେ ପ୍ରୟାସ ଜାରି ରଖିଥିବା ବିଶିଷ୍ଟ କୃଷି ବୈଜ୍ଞାନିକ ଡଃ ସତ୍ୟ ରଞ୍ଜନ ଦାସ I

ପୁରୀ ଜିଲ୍ଲା ଗୋପ ବ୍ଳକ ସ୍ଥିତ ମହଲପଡା ନିବାସୀ ପିତା ଶ୍ରୀ ଯୋଗେଶ ଚନ୍ଦ୍ର ଦାସ ଓ ମାତା ଶ୍ରୀମତୀ ଗୋଲାପ ସୁନ୍ଦରୀ ଦାସ ଙ୍କର ଦ୍ଵିତୀୟ ସନ୍ତାନ ରୂପେ ଜନ୍ମ ନିଅନ୍ତି ସତ୍ୟ ରଞ୍ଜନ ଦାସ ମାର୍ଚ୍ଚ ମାସ ଏକ ତାରିଖ ୧୯୫୧ ମସିହାରେ  I

ବାପା ଜଣେ କେନ୍ଦ୍ରସରକାର ଙ୍କର ବେତନ ଭୋଗୀ କର୍ମଚାରୀ I ଜନ୍ମ ରାଞ୍ଚି ସହର ରେ ସତ କିନ୍ତୁ ସ୍କୁଲ ଜୀବନ ର ପାଠପଢା ସରକାରୀ ଉଚ୍ଚ ବିଦ୍ୟାଳୟ ୟୁନିଟ୍ ୧ ଭୁବନେଶ୍ବର ରେ , ବିଜେବି କଲେଜ ଭୁବନେଶ୍ଵର ରୁ ISC ପାସ କରିବା ପରେ ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଭୁବନେଶ୍ବରରୁ ଏମ୍. ଏସ୍. ସି. ଏଗ୍ରିକଲଚର  (PG in Agricultural Botany)ସନ ୧୯୭୫ ରେ ପାସ କରି OUAT ରେ ସିନିୟର ରିସର୍ଚ୍ଚ ଆସିଷ୍ଟାଣ୍ଟ ରୂପେ ଚାକିରୀ ଆରମ୍ଭ କରିଥିଲେ I ସେତେବେଳେ ତାଙ୍କର ଅଧିକାଂଶ ସହପାଠୀ ମାନେ ବ୍ୟାଙ୍କ୍ ଚାକିରୀ କରିଥିବା ବେଳେ ସେ କେବଳ ଏହି ଧାନ ଅନୁସନ୍ଧାନ କାର୍ଯ୍ୟ ରେ ଚାକିରୀ କରିଥିଲେ  ଏପରିକି ତାଙ୍କ ବାପା ଙ୍କୁ  ଛାଡି ଅନ୍ୟ ପରିବାର ସଦସ୍ୟ ମାନେ ମଧ୍ୟ ତାଙ୍କର ଏହି କାର୍ଯ୍ୟ ପାଇଁ ବିମୁଖ ଥିଲେ I

୧୯୮୭ ମସିହା ରୁ ୧୯୯୮ ମସିହା ପର୍ଯ୍ୟନ୍ତ ଓ.ୟୁ.ଏ.ଟି.ର ଅନ୍ୟତମ ଧାନ ଗବେଷଣା କେନ୍ଦ୍ର ସମ୍ବଲପୁର ଜିଲ୍ଲା ର ଚିପିଲିମା ଠାରେ  ଆସୋସିଏଟ ପ୍ରଫେସର ରୂପେ କାର୍ଯ୍ୟ ନିର୍ବାହ କରି ୧୯୯୮ ମସିହାରେ ଓ.ୟୁ.ଏ.ଟି. ମୁଖ୍ୟାଳୟ ଭୁବନେଶ୍ବର କୁ ବଦଳି ହୋଇଥିଲେ I ୧୯୯୯ ରୁ ୨୦୧୦ ମସିହା ପର୍ଯ୍ୟନ୍ତ ଓ.ୟୁ.ଏ.ଟି.ରେ  ପ୍ରଫେସର  କାର୍ଯ୍ୟ ନିଭାଇ ସନ ୨୦୧୦ ମସିହାରେ ପ୍ଲାଣ୍ଟ ବ୍ରିଡ୍ ଙ୍ଗ  ଡିପାର୍ଟମେଣ୍ଟର ମୁଖ୍ୟ ଭବରେ ଦାୟିତ୍ଵ ବହନ କରିଥିଲେ I ଏହି ସମୟରେ ବୁଡି ସହଣି ଧାନର ଗବେସଣା ପାଇଁ ଆନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର ର ଡାକରା ରେ ୨୦୧୦ ରୁ ୨୦୧୨ ପର୍ଯ୍ୟନ୍ତ ଫିଲିପାଇନ୍ସ ରେ କାର୍ଯ୍ୟ କରିଥିଲେ I

ପିଜି ସମୟର ଗାଇଡ୍ OUAT ର ପ୍ରଫେସର ଡକ୍ଟର ହେମନ୍ତ କୁମାର ମହାନ୍ତି ,ଯାହାଙ୍କୁ କୁହନ୍ତି(Main Architect of Rice breeding  of Odisha ) ଓ ଇଣ୍ଡିଆନ୍ ଏଗ୍ରିକଲଚର ରିସର୍ଚ ଇନଷ୍ଟିଚୁଟ  (IARI)ର ୧୯୮୨ ମସିହାରେ ପି.ଏଚ୍.ଡି.ସମୟର ଗାଇଡ୍ ପ୍ରଫେସର ଡକ୍ଟର ଇ ଏ ସିଦ୍ଧିକ ହେଇଛନ୍ତି ତାଙ୍କର ପ୍ରକୃତ ମାର୍ଗଦର୍ଶକ I ଜଣେ ଜ୍ଞାନର ଭଣ୍ଡାର ହୋଇଥିବା ବେଳେ ଆଉ ଜଣେ ହେଉଛନ୍ତି କର୍ମବୀର I ଏହି ଦୁଇ ଗୁରୁଙ୍କ ମାର୍ଗଦର୍ଶନ ଓ ସହଧମିର୍ଣୀ ଶ୍ରୀମତୀ ମୌସୁମୀ ଦାସ ଙ୍କର ଅକୁଣ୍ଠ ମାନସିକ ସହଯୋଗ ରେ ଆଜି ଡଃ ସତ୍ୟ ରଞ୍ଜନ ଦାସ ଧାନ ଗବେଷଣା କ୍ଷେତ୍ରରେ ଭାରତ ତଥା ପୃଥିବୀର ଜଣେ ଖ୍ୟାତନାମା ବୈଜ୍ଞାନିକ ହୋଇପାରିଛନ୍ତି I

ଏହି ମହାନ ବ୍ୟକ୍ତିଙ୍କ ବିଷୟରେ ମୁଁ କିଛି ଅଙ୍ଗେ ଲିଭାଇଥିବା କଥା ରଖିବାକୁ ଚାହେଁ ଗତ ୨୦୦୪ ବର୍ଷ ଅକ୍ଟୋବର ମାସ ପନ୍ଦର ତାରିଖରେ ମୋର କର୍ମଗୁରୁ ସ୍ଵର୍ଗତ ହରିଶ ଚନ୍ଦ୍ର ଭୂୟାଁ ମୋତେ କହିଲେ ଆଜି ଚାଲନ୍ତୁ ଆମେ ଏକ କୃଷି ବୈଜ୍ଞାନିକ ଙ୍କୁ ସାକ୍ଷାତ କରିବା ଯିଏକି ଜଣେ ବାଡ଼ି ବାଇଗଣ ପୋଥି ବାଇଗଣ ନୁହଁନ୍ତି I ଆମେ ଦୁଇଜଣ ଯାଇ ଓୟୁଏଟି ର ରାଇସ ରିସର୍ଚ୍ଚ ସେଣ୍ଟର ରେ ପହଞ୍ଚିଥିଲୁ ଦିନ ଏଗାରଟା ସମୟରେ, ସେହି କେନ୍ଦ୍ର ରେ ଜଣେ କାର୍ଯ୍ୟରତ ବୁଢୀ ମା (ମନ୍ଦି) ଙ୍କୁ ଭୂୟାଁ ସାର୍ ପଚାରିଲେ ତୁମ ବାବୁ କୁଆଡେ ଗଲେ ଅବିଳମ୍ବେ ସେ  ମା କହିଲେ ଦେଖ ସେ କୋଉଠି ହିଡ ବାଡ଼ ଉପରେ ଶୋଇଥିବେ ମୁଁ ସେତେବେଳେ କିଛି ବୁଝି ପାରିଲି ନାହିଁ I

ସେତେବେଳେ OUAT ର ଫାର୍ମ ବହୁତ ବଡ଼ ଥିଲା ଅକ୍ଟୋବର ମାସରେ ହିଡରେ ମଧ୍ଯ ବହୁତ ବଡ଼ ବଡ଼ ଘାସ ହୋଇଥିବା ସହିତ ବହୁତ ବିଷଧର ସାପ ବସବାସ କରନ୍ତି I ଭୁୟାଁ ସାର ସେ ମା ଙ୍କୁ ପଚାରିଲେ ଆମେ ପାଇବୁ କେମିତି ସେ ମା ଉତ୍ତର ଦେଲେ ଧଳା ଟୋପି ଟିଏ ଦେଖନ୍ତୁ ସେହି ଠାରେ ଥିବ I ଭୂୟାଁ ସାର ଓ ମୁଁ ଦୁଇଟି ବାଡ଼ି ଧରି ଧଳା ଟୋପି ଖୋଜି ଖୋଜି ପ୍ରାୟତଃ ଅଧା କିଲୋମିଟର ଗଲା ପରେ ଧଳା ଟୋପି  କୁ ଦେଖିଲୁ I

ଟୋପି ପାଖରେ ପହଞ୍ଚିଲା ବେଳକୁ ଜଣେ ବ୍ୟକ୍ତି ଥକାମରା ହୋଇ ହିଡରେ ଶୋଇଥିବା ଦେଖିଲୁ I  ଧଳା ଟୋପି ଟି ମୁହଁ ଉପରେ ଥାଏ I ଭୂୟାଁ ସାର ଡାକିଲା ପରେ ସତ୍ୟ ସାର ଉଠିଲେ I ସେତେବେଳ କୁ ମୋର ହାତ ସ୍ୱତଃ ତାଙ୍କର ପାଦକୁ ଛୁଇଁ ଥିଲା, ମୁଁ ପ୍ରଣାମ କଲି I ସେହି ହିଡରେ ଆମେ ତିନି ଜଣ ବସି କଥା ହେଲୁ I ସେହିଦିନ ଭୂୟାଁ ସାର ସତ୍ୟ ସାର ଙ୍କ ସାଙ୍ଗରେ ମୋର ପରିଚୟ କରାଇ ଦେଇଥିଲେ I

ସେତେବେଳେ ପ୍ରତୀକ୍ଷା ଧାନ ର ଗୁଣ ଓ ମାନ ବିଷୟ ରେ ଆମେ ପଚାରି ବାକୁ ଯାଇଥାଉ I ସତ୍ୟ ସାର ଯେଉଁ ଧାନ ବିଲର ହିଡରେ ଶୋଇଥିଲେ ସେହି ଧାନ କିଆରୀଟି ଥିଲା ପ୍ରତୀକ୍ଷା ଧାନ କିଆରୀ I ଏ ଥିଲା ସେଦିନର ଅନୁଭୂତି I ଏହିପରି ଅଖଣ୍ଡ ପରିଶ୍ରମ କରୁଥିବା ଜଣେ ବ୍ୟକ୍ତି ପଛରେ ସବୁବେଳେ ଶ୍ରେୟ ହିଁ ରହିବ I

ତାଙ୍କର ଅକ୍ଳାନ୍ତ ପରିଶ୍ରମ ଆଜି ଆମ ଦେଶର ଓ ବାହାର  ଦେଶ ର ଚାଷୀ କୂଳକୁ ୫୪ ପ୍ରକାର ର  ଅଧିକ ଅମଳକ୍ଷମ ଧାନ କିସମ ଦେଇଅଛି I ଆଜି ଆମ ରାଜ୍ୟ ରେ ପ୍ରାୟତଃ ୭୦ ଭାଗ ଧାନ ଚାଷ ହେଉଥିବା ଜମିରେ ତାଙ୍କରି ଧାନ କିସମ ଚାଷ ହେଉଅଛି I ସନ 1980 ମସିହାରେ ତାଙ୍କର ପ୍ରଥମ ଧାନ କିସମ ଖଣ୍ଡଗିରି  ବାହାରି ଥିଲା I ୧୯୮୦ ରୁ ୨୦୦୮ ମଧ୍ୟରେ ତାଙ୍କର ଯେଉଁ କେତେଗୁଡିଏ ଧାନ କିସମ ମୁକ୍ତିଲାଭ ହୋଇଥିଲା ସେହି ମଧ୍ୟରୁ (ପାହାଡର ନାମରେ )ଖଣ୍ଡଗିରି, ଉଦୟଗିରି, ଘଣ୍ଟେଶ୍ୱରୀ, (ବୀରସୁରେନ୍ଦ୍ରସାଏଙ୍କନାମରେ) ସୁରେନ୍ଦ୍ର , (କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ନାମରେ) ଭଞ୍ଜ , (ନିଜ ବାପା ଙ୍କର ନାମରେ )ଯୋଗେଶ ,ନଦୀ ନାମରେ ମହାନଦୀ, ବିରୂପା, ରାମଚଣ୍ଡୀ ଓ ସିଦ୍ଧାନ୍ତ, ଉପହାର ଏବଂ (ବହୁ ପ୍ରତୀକ୍ଷା ର ଅନ୍ତ ଘଟାଇ )ପ୍ରତୀକ୍ଷା କିସମ ଧାନ ଆଜି ଚାଷୀ ଭାଇ ମାନଙ୍କ ପାଖରେ ଚିର ପରିଚିତ ନାମ ଅଟେ I

ସେ ତାଙ୍କର ଅନୁଭବରୁ ଯାହା କୁହନ୍ତି ଗତ ୨୦୦୮ ମସିହା  ରେ ସେ ତାଙ୍କର ସ୍ତ୍ରୀ ଙ୍କର ଅପରେସନ ପାଇଁ  ଡଃ ସରୋଜିନୀ ଷଡଙ୍ଗୀ ଙ୍କର କ୍ଲିନିକ୍  କୁ ଯାଇଥିଲେ  ସେହି କ୍ଲିନିକ୍  ର ଏକ ବୋର୍ଡ ରେ ଏକ କବିତା ଯାହା ତାଙ୍କର ମନ ଉପରେ ଗଭୀର ପ୍ରଭାବ ପକାଇଥିଲା I  ଲେଖାଟି ଥିଲା "ଆତ୍ମଜା କବିତା" କନ୍ୟା ଭ୍ରୂଣ ଟିଏ ମା ପେଟରେ ଥାଇ କହୁଛି ମା ସତ କୁହ ମୋତେ ଜନ୍ମ ଦେବ ନା ଅପର ର ଶ୍ଲେଷମିଶା ବାକ୍ୟର ଆଘାତ ଶୁଣି ହୋଇଯିବ ନିର୍ମମ ଘାତକ, ମୋତେ ଥରେ ଜନ୍ମ ଦିଅ, ମୋତେ ଥରେ ମୁକ୍ତି ଦିଅ ମୋତେ ଏହି ବିଶାଳ ପୃଥିବୀ କୁ ଅନୁଭବ କରିବାର ସୁଯୋଗ ଦିଅ I ଏହି କବିତା ରେ ଯେଉଁ ଗ୍ରାମୀଣ ଝିଅ ମାନଙ୍କ ନାମ ଥିଲା ସେହି ନାମରେ ଗତ ୨୦୦୮ ମସିହା ରୁ ୨୦୧୨ ମସିହା ପର୍ଯ୍ୟନ୍ତ ୭ ଟି କନ୍ୟା ମାନଙ୍କ ନାମରେ ଧାନ କିସମ ଗୁଡିକ ମୁକ୍ତିଲାଭ କରିଥିଲା I ଏହି ଧାନ ଗୁଡିକର ନାମ ହେଲା ଜ୍ୟୋତିର୍ମୟୀ, ତନ୍ମୟୀ ,ହିରଣ୍ମୟୀ, ମନ୍ଦାକିନୀ, ମୃଣାଲିନ୍ ,ମନସ୍ଵିନୀ ଓ ତେଜସ୍ଵିନୀ ଇତ୍ୟାଦି I

ଏହି ଧାନ କିସମ ରୁ ଖଣ୍ଡଗିରି,ଉଦୟଗିରି,ମନ୍ଦାକିନୀ ଓ ସିଦ୍ଧାନ୍ତ ଉଚ୍ଚ ଜମି ପାଇଁ, କୋଣାର୍କ ,ସୁରେନ୍ଦ୍ର, ଓ ପ୍ରତୀକ୍ଷା  ମଧ୍ୟମ କିସମ ଜମି ପାଇଁ ,ରାମଚଣ୍ଡୀ ,ମହାନଦୀ, ମୃଣାଲିନି,ଉପହାର ଓ ଜଗବନ୍ଧୁ ଖାଲ ଜମି ପାଇଁ ଅଟେ I  ସ୍ଵର୍ଣ୍ଣ ରେ ଅଧିକ ରୋଗ ପୋକ ଲାଗୁ ଥିବାରୁ  ପ୍ରତୀକ୍ଷା ଆଜି ପଶ୍ଚିମବଙ୍ଗ ,ଓଡିଶା ଓ ଛତ୍ତିଶଗଡ଼ ରେ ସ୍ଵର୍ଣ୍ଣ ବଦଳରେ ମୁଖ୍ୟ କିସମ ଭାବରେ ଉଭା ହୋଇଛି I

ତାଙ୍କର ମୁକ୍ତିଲାଭ କରିଥିବା ୫୪ ପ୍ରକାର ର ଅଧିକ ଅମଳକ୍ଷମ ଧାନ ବିହନ ମଧ୍ୟରୁ ନିମ୍ନ ଧାନ ବିହନ ଆଜି ବିଭିନ୍ନ ଦେଶର ଚାଷୀ ଭାଇ ମାନଙ୍କ ପାଖରେ ଆଦୃତ ଲାଭ କରିଛି I  କମ୍ବୋଡ଼ିଆ ରେ OR 142-99” in Cambodia in the name of “Santepheap-3” କିସମ, ମିଆଁମାର ରେ ରମ୍ଭା, ବଙ୍ଗଳା ଦେଶ,ଭିଏତନାମ, ମାଲେସିଆ,ଥାଇଲାଣ୍ଡ ଓ ଚାଇନା ରେ ସାରଥୀ କିସମ ଧାନ ଆଜି ସେହି  ଦେଶ ମାନଙ୍କ  ଚାଷୀ ମାନଙ୍କ ପାଖରେ ଏକ ପରିଚିତ ଧାନ ହୋଇପାରିଛି I 

Seed Producers Welfare Associations West Bengal ଙ୍କ ରିପୋର୍ଟ ଅନୁଯାୟୀ ଆଜି ପଶ୍ଚିମବଙ୍ଗ ରେ ଏକା ପ୍ରତୀକ୍ଷା ଧାନ ବିହନ ୨୦୦ କୋଟି ଟଙ୍କାର ବ୍ୟବସାୟ କରିପାରିଛି I

 ଗତ ୨୦୨୦ ବର୍ଷ  ନଭେମ୍ବର  ମାସରେ  ହୋଇଥିବା ଅମ୍ପାନ (AMPHAN)  ବାତ୍ୟା ରେ ପାଚିଲା ଧାନ କାନ୍ଦି ୭୨ ଘଣ୍ଟା  ବର୍ଷା ପାଣି ରେ ଭିଜି ଥିଲା  ଓ  ଗଛରେ  ପାଚିଲା ଧାନ ପାଣି ଖାଇ ଫୁଲି ଥିଲା ଏହି ସଙ୍ଗିନୀ ବିଷୟରେ ରାଜ୍ୟର ବିଭିନ୍ନ ବିହନ ଉତ୍ପାଦନକାରୀ ଅନୁଷ୍ଠାନ ମାନଙ୍କୁ ବର୍ଷା ରେ ଦୀର୍ଘ ସମୟ ଧରି ଭିଜିଥିବା ଏବଂ ପୁଣି ଖରାରେ ଶୁଖିଯିବା ଧାନର ବିହନ କୁ ଚାଷୀ ମାନଙ୍କ କ୍ଷେତ୍ରରୁ ସଂଗ୍ରହ ନକରିବା ପାଇଁ  ସତ୍ୟ ସାର ପରାମର୍ଶ ଦେଇଥିଲେ ଯାହା ଫଳରେ ଉକ୍ତ ବିହନ ଉତ୍ପାଦନ କାରୀ ସଂଗଠନ ମାନେ କୋଟି କୋଟି ଟଙ୍କା ର କ୍ଷତି ରୁ ବଞ୍ଚି ଯାଇଥିଲେ କିନ୍ତୁ କିଛି ସଂସ୍ଥା ବିହନ ସବୁ ଚାଷୀ ଙ୍କର୍ ଠାରୁ କିଣି ପ୍ରକ୍ରିୟା କରଣ କରି ବିହନ ବଜାରରେ ବିକ୍ରି କରିଥିଲେ ବିହନ ଗଜା ନହେବାରୁ କୋଟି କୋଟି ଟଙ୍କାର କ୍ଷତି ସହିଥିଲେ I

 ସତ୍ୟ ସାର୍ ଗତ ୨୦୧୧ ମସିହାରୁ ସରକାରୀ ଚାକିରୀ ରୁ ଅବସର ନେଇଥିଲେ  ମଧ୍ୟ ଆଜି ପର୍ଯ୍ୟନ୍ତ ଓ ୟୁ ଏ ଟି ରୁ ଗୋଟିଏ ପଇସା ଦରମା ନନେଇ ହନୋରାରି ପ୍ରଫେଶର ଭାବେ ଧାନ ଗବେଷଣା କାର୍ଯ୍ୟ ରେ କାର୍ଯ୍ୟରତ I  ଏକା ଧାରରେ ସେ ଜଣେ ପ୍ରଚଣ୍ଡ ଜ୍ଞାନୀ, କର୍ମ ତତ୍ପର ଓ ବିଶ୍ଵ ବିଖ୍ଯାତ କୃଷି ବୈଜ୍ଞାନିକ ଅଟନ୍ତି  I ସେ ମାଟି ମା ର ଜଣେ ସୁଯୋଗ୍ୟ ସନ୍ତାନ I 

 

ଡଃ ସତ୍ୟ ରଞ୍ଜନ ଦାସଙ୍କ ର ବିରଳ କୃତିତ୍ଵ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତିକ ସ୍ତରରେ, ଜାତୀୟ ସ୍ତରରେ, ରାଜ୍ୟ ସ୍ତରରେ ତାଙ୍କୁ ସମ୍ମାନୀତ କରାଯାଇଛି I ଯଥା  ଗତ ୨୦୦୩ ମସିହାରେ ହରିଆଣା କୃଷି ବିଶ୍ୱବିଦ୍ୟାଳୟ ତରଫରୁ ସେ Rao Bahadur Dr.Ram Dhan Singh Memorial Trust Award ପାଇଥିଲେ I ଗତ ୨୦୦୬ ମସିହାରେ Dr. R.B. Ekbote Prize from Maharashtra Association for Cultivation of Science, ପୁନେ ରୁ ଗ୍ରହଣ କରିଥିଲେ I

 

ଗତ ୨୦୧୨ ମସିହାରେ ତାଙ୍କର ଧାନ ଗବେଷଣା ଓ ଆନ୍ତର୍ଜାତୀୟ ସ୍ତରରେ ଧାନ କିସମ ବାହାର କରିବା ରେ ସକ୍ରିୟ ସହଯୋଗ ପାଇଁ ତାଙ୍କୁ ଆନ୍ତର୍ଜାତୀକ ସ୍ତରରେ ସମ୍ମାନଜନକ ପୁରସ୍କାର Senadhira Rice Research Award  International Rice Research Institue, Manila, Phillipines ଙ୍କ ଦ୍ଵାରା  ପୁରସ୍କୃତ କରାଯାଇଥିଲା I ସେହି ୨୦୧୨ ମସିହାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ବର୍ଷରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକା ଧାରରେ ଜଣେ ସଫଳ  ଶିକ୍ଷକ,ଗବେଷକ ଓ ଅନୁଶାସକ ହୋଇଥିବାରୁ ତାଙ୍କୁ ଜୀବନବ୍ୟାପୀ ସଫଳତା  ପୁରସ୍କାର ( Life Time Achievement Award ) ପ୍ରଦାନ କରାଯାଇଥିଲା I ୨୦୧୫ ମସିହାରେ ସେ ଜଣେ କୃଷି ବୈଜ୍ଞାନିକ ହୋଇ ବହୁତ ଗୁଡିଏ ଲୋକପ୍ରିୟ ଧାନ କିସମ ଗବେଷଣା କରି ବାହାର କରିଥିବାରୁ ଭାରତ ସରକାରଙ୍କ କୃଷି ଓ ଅନୁସନ୍ଧାନ ସଂସ୍ଥାନ ଦ୍ଵାରା ପରିଚାଳିତ ଭାରତୀୟ  ଧାନ ଗବେଷଣା ସଂସ୍ଥା Indian Institute of Rice Research, Hyderabad ଙ୍କ ଦ୍ଵାରା (Doyen of Rice Research, Golden Jubilee Award-2015 ) ରେ ପୁରସ୍କୃତ ହୋଇଥିଲେ I

ଗତ ୨୦୨୩ ମସିହାରେ ତାଙ୍କର ପ୍ରତୀକ୍ଷା କିସମ ଧାନ ବିହନ ଏକାକୀ ୨୦୦ କୋଟି ରୁ ଅଧିକ ଟଙ୍କାର  ବଜାର ରାଜ୍ୟରେ ସୃଷ୍ଟି କରିଥିବାରୁ ପଶ୍ଚିମବଙ୍ଗ ବିହନ ଉତ୍ପାଦକ ସଂଗଠନ  କୋଲକତା  (Seed Producer’s Welfare Association Kolkata of West Bengal) ଏକ ବର୍ଣ୍ଣାଢ୍ୟ ଉତ୍ସବରେ ତାଙ୍କୁ ସମ୍ମାନିତ କରିଥିଲେ I ଓଡିଶା ରାଜ୍ୟ ରେ ତାଙ୍କର ଉନ୍ମୋଚିତ ଅଧିକ ଅମଳକ୍ଷମ ଧାନ ବିହନ କିସମ ଗୁଡିକର ଲୋକପ୍ରିୟତା ଓ ରାଜ୍ୟର ଶତକଡା ୭୦ ଭାଗ ଜମିରେ ଚାଷୀ ଭାଇ ମାନେ ଚାଷ କରୁଥିବାରୁ  ରାଜ୍ୟର ବିଭିନ୍ନ ଜିଲ୍ଲାର ଚାଷୀ ଭାଇ ମାନଙ୍କ ଦ୍ଵାରା ଗଠିତ ସଂଗଠନ ଗୋରେଖନାଥ କୃଷକ ମହାସଂଘ ପକ୍ଷରୁ ୨୦୨୪ ପବିତ୍ର ନୁଆଖାଇ ଅବସରରେ କୃଷି ପ୍ରତିଭା ଓଡ଼ିଶା ସମ୍ମାନରେ ସମ୍ମାନିତ କରାଯାଇଥିଲା I ଚଳିତ ବର୍ଷ ୨୦୨୫ ରେ ତାଙ୍କର ଧାନ ବିହନ ଉପରେ ନିରବଚ୍ଛିନ୍ନ ଗବେଷଣା ପାଇଁ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଇମ୍ଫାଲ ମେଘାଳୟ ଙ୍କ ଦ୍ଵାରା ଜୀବନ ବ୍ୟାପୀ ସଫଳତା ପୁରସ୍କାର (Lifetime Breeder’s Achievement Award ) ପ୍ରଦାନ କରାଯାଇଥିଲା l

ରାଜ୍ୟର ପୁରୁଣା ଚାଷୀ ସଂଗଠନ "ଗୋରେଖନାଥ କୃଷକ ମହାସଂଘ " ସାର ଙ୍କର ନାମରେ ସଂଗଠନ ମାଧ୍ୟମରେ  ପରିଚାଳିତ ଦେଶୀ ଧାନ ଗବେଷଣା କେନ୍ଦ୍ର ର ନାମ ଡଃ ସତ୍ୟ ରଞ୍ଜନ ଦାସ ଦେଶୀ ଧାନ ଗବେଷଣା କେନ୍ଦ୍ର ନାମରେ ନାମିତ କରିଅଛି I ସତ୍ୟ ସାର ଙ୍କର ଅତି ପ୍ରିୟ ଛାତ୍ର ଡଃ ଶରତ ଚନ୍ଦ୍ର ପ୍ରଧାନ ଆଜି ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନ ରେ ADG ICAR ରୂପେ କାର୍ଯ୍ୟରତ I ମୋର ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ସତ୍ୟ ସାରଙ୍କୁ ଶତ ଆୟୁ, ନିରୋଗ ରଖନ୍ତୁ ଯାହାଫଳରେ ଦେଶର କୋଟି କୋଟି ଚାଷୀ ଉପକୃତ ହେବେ I

କ୍ଷେତ୍ରମୋହନ ବେହେରା

ସମ୍ପାଦକ, ଲାଲ ସିଡ୍

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ