ଭାରତରେ ଖାଦ୍ୟଶସ୍ୟ ଉତ୍ପାଦନ ଯଦିଓ ବୃଦ୍ଧି ପାଇଛି, ଡାଲିଜାତୀୟ ଫସଲ ଉତ୍ପାଦନ ଆଶାନୁରୂପ ହେଉନାହିଁ l ଆମ ରାଜ୍ୟ ଓଡ଼ିଶାରେ ବି ସମାନ ସ୍ଥିତି l ଧାନ ଚାଷକୁ ଆମେ ଗୁରୁତ୍ତ୍ଵ ଦେଉ ଦେଉ ପରବର୍ତ୍ତୀ ଋତୁରେ ଡାଲିଜାତୀୟ ଫସଲଟିଏ ଚାଷ କରି ଡାଲି ଉତ୍ପାଦନରେ ସ୍ୱାବଲମ୍ବୀ ହେବାପାଇଁ ଭୁଲିଯାଉ l ଅବଶ୍ୟ ଧାନ ଫସଲ ପରେ ବର୍ଷାଧାର ଜମିରେ ମାଟି ହଠାତ ଶୁଖିଯାଏ ଏବଂ ସବୁ ଅଞ୍ଚଳରେ କେନାଲ ଜଳ ସେଚନର ସୁବିଧା ନ ଥିବାରୁ ଶୀତଦିନିଆ ଫସଲ ସମ୍ଭବ ହୁଏ ନାହିଁ l
ଗୋରୁଗାଈଙ୍କର ଅବାଧ ଚଳପ୍ରଚଳ ମଧ୍ୟ ଧାନ ପରେ ଅନ୍ୟ ଫସଲ ଚାଷ କରିବାରେ ପ୍ରତିବନ୍ଧକ ସୃଷ୍ଟି କରେ l ୪୦-୫୦ ବର୍ଷ ପୂର୍ବେ ଯେତେବେଳେ ରାସାୟନିକ ସାରର ପ୍ରଚଳନ କମ୍ ଥିଲା , ଆମ ଚାଷୀଭାଇ ସାଧାରଣତଃ ଧାନ ଚାଷ ପରେ ମୁଗ , କୋଳଥ ପ୍ରଭୃତି ଏକ ଓଡ଼ ହଳ କରି ବୁଣି ଦେଉଥିଲେ l କେତେକ ଚାଷୀ ଧାନ ଅମଳ କରିବାର ୧୦-୧୫ ଦିନ ପୂର୍ବରୁ ମୁଗ , କୋଳଥ ପ୍ରଭୃତି " ପାଇରା " ଫସଲ ରୂପେ ଜମିରେ ବୁଣି ଦେଉଥିଲେ l ଧାନ ଅମଳ ବେଳକୁ ଏ ସବୁ ଡାଲି ଜାତୀୟ ଫସଲ ଗଜା ହୋଇ ଗଛ ହୋଇଯାଉଥିଲା ଏବଂ ଧାନ ଅମଳର ୫୦-୫୫ ଦିନ ପରେ ଚାଷୀ ମୁଗ ଫସଲଟିଏ ଅମଳ କରିପାରୁଥିଲା l
ଖୁବ କମ୍ ଖର୍ଚ୍ଚ କରି ଚାଷୀଟିଏ ଡାଲି ଜାତୀୟ ଫସଲ ଅମଳ କରୁଥିଲା କାରଣ ବିନା ସାର ଓ ବିନା ପାଣିରେ ଏବଂ ଛଟା ବୁଣାରେ ଏହା ଅମଳ ହେଉଥିଲା l ଏ ଯେଉଁ ଫସଲ ପର୍ଯ୍ୟାୟ ଆମ ଚାଷୀଭାଇ ଅବଲମ୍ବନ କରୁଥିଲେ , ତାହାର ବହୁତ ଉପକାରିତା ଆମ ଶରୀର ତଥା ମାଟି ଉପରେ ରହିଛି l
ଡାଲି ଜାତୀୟ ଫସଲ ଗୁଡ଼ିକ "ଲେଗୁମିନୋସାଇ " ପରିବାର ଅନ୍ତର୍ଭୂକ୍ତ l ଏଗୁଡ଼ିକ ଡାଲି ଚାହିଦା ମେଣ୍ଟାଇବା ସହ ଅନ୍ୟାନ୍ୟ ବହୁ ଉପକାର ମଧ୍ୟ କରିଥାନ୍ତି l ହରଡ଼ , ମୁଗ , ବିରି , ମଟର, ବୁଟ , କୋଳଥ , ମସୁର ଡାଲି ପ୍ରଭୃତି ଡାଲି କିମ୍ବା ସେହିପରି ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର ହେଉଥିବାବେଳେ ଚିନାବାଦାମ୍ ଓ ସୋୟାବିନ୍ ର ଖାଇବା ତେଲ ଭାବରେ ବିଶେଷ ଚାହିଦା ରହିଛି l ସେହିପରି ଧଣିଚା ଓ ଛଣି ( ସନ ହେମ୍ପ ) ସବୁଜସାର ଭାବରେ ବହୁଳ ବ୍ୟବହୃତ ହୋଇଥାଏ l ଏତଦ୍ ବ୍ୟତୀତ ଗ୍ଲାଇରିସିଡିଆ , ଚାକୁଣ୍ଡା , କଣ୍ଟକହୀନ ଲାଜକୁଳୀ ପ୍ରଭୃତି ସବୁଜସାର ବା ସବୁଜପତ୍ରସାର ଭାବରେ ବ୍ୟବହୃତ ହୁଏ l ଝୁଡୁଙ୍ଗ , ବରସିମ ପ୍ରଭୃତି ଡାଲି ଜାତୀୟ ଫସଲର ସମ୍ପୂର୍ଣ୍ଣ ଗଛ ଗୋ-ଖାଦ୍ୟ ଭାବରେ ବ୍ୟବହାର କରଯାଏ l ଏହାଛଡ଼ା ସବୁ ଡାଲି ଜାତୀୟ ଫସଲର ଚୋପା ଏବଂ ଚିନାବାଦାମ୍ ପିଡ଼ିଆ ଉତ୍କୃଷ୍ଟ ଗୋ-ଖାଦ୍ୟ ଭାବରେ ବ୍ୟବହୃତ ହୁଏ l ତେଣୁ ସଂକ୍ଷେପରେ କହିବାକୁ ଗଲେ, ମନୁଷ୍ୟ ଓ ପ୍ରାଣୀ ସମ୍ପଦର ଖାଦ୍ୟ ଭାବରେ ତଥା ମୃତ୍ତିକାର ଉର୍ବରତା ବୃଦ୍ଧି ପାଇଁ ଡାଲି ଜାତୀୟ ଫସଲର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ଭବିଷ୍ୟତରେ ବି ରହିବ l
ଡାଲି ଜାତୀୟ ଫସଲ ଚେରରେ ରାଇଜୋବିଅମ୍ ନାମକ ବୀଜାଣୁ ବାସକରେ ଏବଂ ବାୟୁମଣ୍ଡଳରୁ ଯବକ୍ଷାରଜାନ ବିବନ୍ଧନ କରିଥାଏ l ଆମେ ଜାଣୁ, ଗଛଟିଏ ବଢ଼ିବା ପାଇଁ ମାଟିରୁ ଯେଉଁସବୁ ଖାଦ୍ୟ ଉପାଦାନ ଗ୍ରହଣ କରିଥାଏ , ସେମାନଙ୍କ ମଧ୍ୟରୁ ଯବକ୍ଷାରଜାନର ଗୁରୁତ୍ତ୍ଵ ସର୍ବାଧିକ l କିନ୍ତୁ, ବିଡମ୍ବନାର ବିଷୟ ଏହା ଯେ ବାୟୁମଣ୍ଡଳରେ ଶତକଡ଼ା ୭୮ ଭାଗ ଯବକ୍ଷାରଜାନ ରହିଥିବାବେଳେ ମନୁଷ୍ୟ କିମ୍ବା ଅନ୍ୟ ପ୍ରାଣୀ ଓ ଉଦ୍ଭିଦ ଏହାକୁ ସିଧାସଳଖ ଉପଯୋଗ କରିପାରନ୍ତି ନାହିଁ l କେବଳ କେତୋଟି ଅତି କ୍ଷୁଦ୍ର ବୀଜାଣୁ ଓ ନୀଳହରିତ ଶୈବାଳ ବାୟୁମଣ୍ଡଳରୁ ଯବକ୍ଷାରଜାନ ବିବନ୍ଧନ କରିପାରନ୍ତି l ଡାଲି ଜାତୀୟ ଫସଲ ଚେରରେ ରାଇଜୋବିଅମ୍ ବୀଜାଣୁ ଗଣ୍ଠି ସୃଷ୍ଟିକରି ଯବକ୍ଷାରଜାନ ବିବନ୍ଧନ କରିଥାଏ ଏବଂ ଗଛକୁ ପ୍ରଦାନ କରିଥାଏ ଯାହାଦ୍ୱାରା ଯବକ୍ଷାରଜାନ ସାର ପ୍ରୟୋଗ ବିନା ଗଛ ବଢ଼ିଥାଏ ଏବଂ ପରବର୍ତ୍ତୀ ସମୟରେ ଏହି ବିବନ୍ଧିତ ଯବକ୍ଷାରଜାନ ମାଟିକୁ ଉର୍ବର କରିଥାଏ l ମାଟିରେ ଆବଶ୍ୟକ ପରିମାଣର ଆର୍ଦ୍ରତା ଓ ଜୈବିକ ଖତ ରହିଲେ ରାଇଜୋବିଅମ୍ ବୀଜାଣୁ ଶୀଘ୍ର ବଂଶବିସ୍ତାର କରନ୍ତି ଓ ଅଧିକ ଗଣ୍ଠି ସୃଷ୍ଟିକରି ଡାଲି ଜାତୀୟ ଫସଲର ଯବକ୍ଷାରଜାନ ଆବଶ୍ୟକ ମେଣ୍ଟାଇଥାନ୍ତି l ଦେଖାଯାଇଛି ପ୍ରତ୍ୟେକ ଡାଲି ଜାତୀୟ ଫସଲର କେତେକ କିସମରେ ଅଧିକ ସଂଖ୍ୟକ ଗଣ୍ଠି ସୃଷ୍ଟି ହୋଇଥାଏ ଏବଂ ଅଧିକ ଯବକ୍ଷାରଜାନ ବିବନ୍ଧନ ହୋଇଥାଏ l ମାଟିର ଜୈବିକ ଅଙ୍ଗାର ପରିମାଣ ବୃଦ୍ଧିରେ ମଧ୍ୟ ଡାଲି ଜାତୀୟ ଫସଲର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ଯାହାଦ୍ୱାରା ମାଟି ହାଲୁକା ହୋଇଥାଏ ଏବଂ ଚେରର ଉପଯୁକ୍ତ ବୃଦ୍ଧି ଯୋଗୁଁ ଗଛର ବୃଦ୍ଧି ଓ ଅମଳ ଅଧିକ ହୁଏ l ମାଟିରେ ଚେରର ବୃଦ୍ଧି ମୃତ୍ତିକା ଓ ଜଳସଂରକ୍ଷଣରେ ବି ସାହାଯ୍ୟ କରେ l ଗଛର ଚେର ମାଟିରେ ଛନ୍ଦିହୋଇ ରହିଲେ ମାଟି ସହଜରେ ଧୋଇ ହୁଏନାହିଁ ଏବଂ ଉପରିସ୍ଥ ଉର୍ବର ମାଟି ସଂରକ୍ଷିତ ରହେ l
ଠିକ ଭାବରେ ଡାଲି ଜାତୀୟ ଫସଲକୁ ଅନ୍ତଃଫସଲରୂପେ ଚାଷ କଲେ ଅଧିକ ଅମଳ ସହିତ ମୃତ୍ତିକାର ସଂରକ୍ଷଣ ହୁଏ ଓ ଉର୍ବରତା ବୃଦ୍ଧି ପାଏ l ଉଦାହରଣ ସ୍ୱରୂପ, ମକା ସହ ହରଡ଼କୁ ଅନ୍ତଃଫସଲରୂପେ ଚାଷ କଲେ ଅନାବନା ଘାସର ପ୍ରାଦୁର୍ଭାବ ବି କମ୍ ରହେ କାରଣ ଏହା ମାଟିକୁ ଘୋଡ଼ାଇ ରଖିଥାଏ ଏବଂ ଅନାବନା ଘାସର ବୃଦ୍ଧିକୁ ବାଧା ଦେଇଥାଏ l ଏହାଛଡ଼ା ଧାନ ପରେ ଧାନ ଚାଷ କରିବା ଅପେକ୍ଷା ଧାନ ପରେ ଡାଲି ଜାତୀୟ ଫସଲଟିଏ ଚାଷକଲେ ଧାନ ଫସଲର ରୋଗପୋକ ଆକ୍ରମଣ କମ୍ ରହେ l ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଉଛି ଡାଲି ଜାତୀୟ ଫସଲ ଚାଷ କଲେ ଅତି ଅଳ୍ପ ଖର୍ଚ୍ଚରେ ଆମେ ମାଟିର ସ୍ୱାସ୍ଥ୍ୟ ବଜାୟ ରଖିପାରିବା ଏବଂ ରାସାୟନିକ ସାର ଜନିତ ପ୍ରଦୂଷଣରୁ ମାଟିକୁ ରକ୍ଷା କରି ପାରିବା l
ଡାଲିରେ ପ୍ରଚୁର ପୁଷ୍ଟିସାର ରହିଛି l ଭାରତରେ ବହୁତ ଲୋକ ନିରାମିଷାଶୀ ଅଟନ୍ତି l ସେମାନଙ୍କର ପୁଷ୍ଟିସାର ଚାହିଦା ମେଣ୍ଟାଇବା ପାଇଁ ଡାଲି ଜାତୀୟ ଫସଲ ଚାଷ ଅତି ଗୁରୁତ୍ତ୍ୱପୂର୍ଣ୍ଣ l ଭାତ କିମ୍ବା ରୁଟି ସହ ଡାଲି ନ ଥିଲେ ଖାଦ୍ୟ ଅରୁଚିକର ହୋଇଥାଏ l ଡାଲି ମିଶିଲେ ଖାଦ୍ୟ ରୁଚିକର ହେବା ସହ ଆମକୁ ଆବଶ୍ୟକ ପୁଷ୍ଟିସାର ଓ ଆମିନୋଏସିଡ ପ୍ରଦାନ କରିଥାଏ l କେତେକ ଆମିନୋଏସିଡ ଶସ୍ୟ ଜାତୀୟ ଫସଲରେ କମ୍ ରହୁଥିବାବେଳେ ଡାଲିରେ ଅଧିକ ପରିମାଣରେ ରହିଥାଏ l ଗଜା ମୁଗରେ ପ୍ରଚୁର ପରିମାଣରେ ଭିଟାମିନ -ସି ରହିଛି ଯାହାକି ଆମର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ l ଗଜାବୁଟ , କୋଳଥ ଡାଲି ପ୍ରଭୃତି ମଧ୍ୟ ଆମ ଶରୀର ପାଇଁ ଉପାଦେୟ ଅଟେ l ସୋୟାବିନ୍ ଓ ଚିନାବାଦାମ୍ ର ତୈଳ ନିଷ୍କାସନ ପରେ ସେଗୁଡିକର ଅବଶିଷ୍ଟାଂଶ ମଣିଷ ଗୃହପାଳିତ ପଶୁଙ୍କ ପାଇଁ ପୁଷ୍ଟିକର ଆହାର ପ୍ରଦାନ କରନ୍ତି l ବିଭିନ୍ନ ଡାଲି ଜାତୀୟ ଫସଲରୁ ଭିନ୍ନ ଭିନ୍ନ ଶୈଳୀରେ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ ଯାହାକି ସ୍ୱାଦିଷ୍ଟ ହେବା ସହ ଆମକୁ ପୁଷ୍ଟିସାର ଓ ବିବିଧ ଖାଦ୍ୟଗୁଣ ପ୍ରଦାନ କରିଥାନ୍ତି l
ଆଜିକାଲି ଡାଲିର ବଜାର ଦର ବଢ଼ି ବଢ଼ି ଚାଲିଛି କାରଣ, ଆବଶ୍ୟକତା ତୁଳନାରେ ଅମଳ କମିଯାଉଛି l ଋତୁ ଅନୁସାରେ ସଠିକ୍ କିସମର ଡାଲି ଜାତୀୟ ଫସଲ ଉତ୍ପାଦନ କଲେ ଚାଷୀଭାଇ ନିଜ ଘରର ଡାଲି ଚାହିଦା ମେଣ୍ଟାଇବା ସହ ଲାଭବାନ ହୋଇପାରନ୍ତେ l ଜମିର ମାଟିକୁ ଉର୍ବର ରଖିପାରିବେ ଏବଂ ଦେଶର ଅର୍ଥନୈତିକ ପ୍ରଗତିରେ ସହାୟକ ହୋଇପାରିବେ l ପରିବର୍ତ୍ତିତ ଜଳବାୟୁକୁ ଧ୍ୟାନରେ ରଖି ଶେଷରେ ଏତିକି କୁହାଯାଇପାରେ ଯେ , ଡାଲି ଜାତୀୟ ଫସଲ ଚାଷ ହିଁ ସରକାରଙ୍କର ଖାଦ୍ୟ ଓ ପୁଷ୍ଟି ନିରାପତ୍ତା ଆହ୍ୱାନକୁ ସାକାର କରିପାରିବ l
Read more:
Share your comments