ବିଶ୍ଵରେ ତିନିଭାଗ ଜଳ ଥିବା ସତ୍ତ୍ୱେ ଜଳାଭାବ ଏକ ଉତ୍କଟ ସମସ୍ୟା । କିନ୍ତୁ ଖରାଦିନେ ଆମ ଚାଷୀଭାଇମାନେ ଠିକ୍ ଏହି କଷ୍ଟ ସହୁଛନ୍ତି । ତେଣୁ ଅଳ୍ପଦିନରେ ଚାଷୀଭାଇମାନେ କିପରି ଅଧିକ ଅମଳ ପାଇପାରିବେ ସେଥିଲାଗି ଏକ ପ୍ରୟାସ । ଯେଉଁ ଶସ୍ୟଗୁଡିକ ସ୍ୱଳ୍ପ ଜଳରେ ଅମଳ ହୋଇପାରିବ ଅଥବା ତାହାର ଚେର ଗଭୀର ମାଟି ଭିତରକୁ ଯାଇପାରିବ ସେମାନଙ୍କୁ ଚୟନ କରିବା ଆବଶ୍ୟକ । ଏତଦ୍ ବ୍ୟତୀତ ବଜାରରେ ମିଳୁଥିବା ଉଚ୍ଚ ତାପମାତ୍ରା ସହ୍ୟ କିସମ ବ୍ୟବହାର କରିପାରିବେ । ଯଥା : ବାଇଗଣ, ଲଙ୍କା, ଭେଣ୍ଡି, ଗୁଆଁର, କାକୁଡି, ତରଭୁଜ, ଝୁଡଙ୍ଗ, ହରଡ, ଯଅ, ବାଜରା ଇତ୍ୟାଦି ।
ଧାନ ଫସଲ ଅମଳ କରି ସାରିବା ପରେ ପରେ ଜମିରେ ଥିବା ଅବଶେଷ ଜଳକୁ ବ୍ୟବହାର କରି ତାହା ଉପରେ ବିହନ ବୁଣା ଯନ୍ତ୍ର ବ୍ୟବହାର କରି ଶସ୍ୟ ଉତ୍ପାଦନ କରିହେବ ( drip irrigation ) । ଗଜାମରୁଡି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହା ଏକ ଉତ୍ତମ ପ୍ରୟାସ । ଶସ୍ୟକୁ ଅଧିକ ଖରାରୁ ବଞ୍ଚାଇବା ପାଇଁ ଟିକିଏ ସଅଳ ରୋପଣ କରିବା ଉଚିତ୍ । ଯେମିତି ଇ ଟାଣୁଆ ଖରା ହେବା ପୂର୍ବରୁ ଫୁଲ ଧରିବା ଅବସ୍ଥା, ଦାନା ପୂରଣ ସମୟ ବା ଫଳ ଧରିବା ଅବସ୍ଥା ଅତିକ୍ରମ କରିଯାଇଥିବ, ତଦ୍ଦ୍ଵାରା ଫସଲରେ ବିଶେଷ ହାନି ହେବ ନାହିଁ । ଚାଷ ଜମିରେ ଛୋଟ ଛୋଟ ଗଡିଆ କରି ପଲିଥିନ ମାଧ୍ୟମରେ ତାହାକୁ ଆବଦ୍ଧ କରି ବର୍ଷାଦିନିଆ ଜଳକୁ ସଂରକ୍ଷିତ କରି ତାକୁ ଖରାଦିନେ ବ୍ୟବହାର କରିପାରିବା । ଏଥିପାଇଁ ସରକାରଙ୍କ ତରଫରୁ ରିହାତି ମିଳୁଛି । ଗୋଟିଏ ପୋଖରୀ ବା ଗଡିଆର ଆୟତନ ୨୦ମି X ୨୦ମି X ୩ମି ରହିବା ଆବଶ୍ୟକ ।
ମୃତ୍ତିକାରେ ଥିବା ଅନ୍ତର୍ନିହିତ ଜଳକୁ ସଂରକ୍ଷଣ କରିବାର ଏହା ଏକ ଗୁଣାତ୍ମକ ମାଧ୍ୟମ । ଗଛମୂଳରେ ଆଚ୍ଛାଦନ ରୂପରେ ପାଳ, କୁଟା, ନଡିଆକତା ଆଦି ବ୍ୟବହାର କରିପାରିବା । ଯାହାଦ୍ଵାରା ମାଟିରୁ କମ୍ ପରିମାଣର ଜଳ ବାଷ୍ପୀଭୂତ ହେବ ଏବଂ ଗଛ ଅଧିକ ଜଳ ଗ୍ରହଣ କରିପାରିବ । ଏହାବ୍ୟତୀତ ପଲିଥିନ ଆଚ୍ଛାଦନ ମଧ୍ୟ ବ୍ୟବହାର କରିପାରିବା । ଏହାପାଇନ ସରକାର ରିହାତି ଦେଉଛନ୍ତି । ଏହାର ବ୍ୟବହାର ଫଳରେ ଅନାବନା ଘାସ ଅଙ୍କୁରୋଦଗମ୍ କମିଯିବ, ଫସଲ ଅଧିକ ଖତସାର ପାଇବ, ମୃତ୍ତିକାର ମାନ ବଢିବ, ରୋଗପୋକ ଆକ୍ରମଣ କମିବ, ମୃତ୍ତିକାର ତାପମାତ୍ରା ନିୟନ୍ତ୍ରଣରେ ରହିବ ଇତ୍ୟାଦି । ଅଳ୍ପ ଜଳରେ ଅଧିକ ଅମଳ କରିବା ଲାଗି ଏହା ଏକ ଅମୋଘ ଅସ୍ତ୍ର । ବୁନ୍ଦା ଜଳ ସେଚନ ଯନ୍ତ୍ର ଲଗାଇବା ପାଇଁ ସରକାରଙ୍କ ତରଫରୁ ରିହାତି ମିଳୁଛି । ଆନୁମାନିକ ରୂପରେ ଏକ ହେକ୍ଟର ଜମିକୁ ୧ ଲକ୍ଷ ଟଙ୍କା ବୁନ୍ଦାଜଳସେଚନ ଯନ୍ତ୍ର ପିଛା ଖର୍ଚ୍ଚ ହୁଏ । ଥରେ ଲଗାଇବା ପରେ ଏହାକୁ ବାରମ୍ବାର ବ୍ୟବହାର କରିପାରିବେ । ଶସ୍ୟ ଚୟନକୁ ନେଇ ଯନ୍ତ୍ରର ପ୍ରକାରଭେଦ ରହିଛି । ପ୍ରତ୍ୟକ ଶସ୍ୟ ମୂଳରେ ବୁନ୍ଦା ବୁନ୍ଦା ହୋଇ ଜଳ ପଡେ । ଯାହାଦ୍ଵାରା ଶସ୍ୟ ପ୍ରତ୍ୟକ ଜଳବିନ୍ଦାକୁ ଉପଯୋଗ କରି ଉତ୍ପାଦନ ବୃଦ୍ଧି କରେ ।
ଶସ୍ୟର ଜଳଧାରଣା କ୍ଷମତା ୯୦% ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ । ଅଳ୍ପ ଜଳରେ ଅଧିକ ଅମଳ କରିହେବ ।ଜଳ କ୍ଷୟ କମିବ । ଏହାଦ୍ୱାରା ଜଳୀୟ ମାଧ୍ୟମରେ ଖତସାର ମଧ୍ୟ ଦେଇହେବ । ବହୁ ପରିମାଣରେ ଶ୍ରମିକ ମୂଲ୍ୟ କମିବ । ଅନାବନା ଘାସରୁ ମୁକ୍ତି । ଲୁଣିପାଣିକୁ ମଧ୍ୟ ଏହାଦ୍ୱାରା ବ୍ୟବହାର କରିହେବ । ଢାଲୁଆ ଜମି, ପାହାଡିଆ ଜମି, ଖାଲ ଢିପ ଜମିରେ ମଧ୍ୟ ଏହା ଉତ୍ତମ ରୂପେ ଜଳସେଚନ କରିପାରିବେ । ସବୁ ଜିନିଷ ଯନ୍ତ୍ରଚାଳିତ, ତେଣୁ ସୁଇଚ୍ ଚିପିଲେ ଗଛ ପାଣି, ଖାଦ୍ୟ, ସାର ପାଇବ ଏବଂ ଖରାରେ ଚାଷ ଜମିକୁ ଯିବାକୁ ପଡିବ ନାହିଁ ।
ବୁନ୍ଦା ଜଳସେଚନ ପଦ୍ଧତିରେ ଗଛର ମୂଳରେ ବୁନ୍ଦା ବୁନ୍ଦା କରି ଗଛର ଆବଶ୍ୟକତା ଅନୁସାରେ ଜଳସେଚନ କରାଯାଉଥିବାରୁ କ୍ଷେତରେ ଅନାବନା ଘାସର ପାଦୁର୍ଭାବ ବହୁଳ ମାତ୍ରାରେ କମି ଯାଏ। ପାହାଡ଼ିଆ ଜମି ହେଉ ବା ଗଡ଼ାଣିଆ ଜମି, ଉଚ୍ଚା ନିଚା ଜମି ହେଉ ବା ଆବଡ଼ା ଖାବଡ଼ ଜମି ସେଥିରେ ସୁବିଧାରେ ଜଳସେଚନ କରିବାକୁ ଏହି ବୁନ୍ଦା ଜଳସେଚନ ପଦ୍ଧତିରେ କିଛି ବି ସମସ୍ୟା ଉପୁଜେ ନାହିଁ। କୃଷକମାନେ ପାରମ୍ପରିକ ପଦ୍ଧତିରେ ଯେତିକ ଜଳରେ ଗୋଟିଏ ହେକ୍ଟର ଜମିକୁ ଜଳସେଚନ କରୁଥିଲେ ବୁନ୍ଦା ଜଳସେଚନରେ ପଦ୍ଧତିରେ ସେତିକି ଉପଲବ୍ଧ ଜଳରେ ସେମାନେ ଗୋଟିଏ ହେକ୍ଟରରୁ ବହୁ ଅଧିକ ପରିମାଣର ଜମିକୁ ଜଳସେଚନ କରାଇପାରିବେ । ବୁନ୍ଦା ଜଳସେଚନ ପଦ୍ଧତି ନିମିତ୍ତ କ୍ଷେତରେ ଗଛକୁ ଗଛର ବ୍ୟବଧାନ ଏବଂ ଧାଡ଼ିକ ଧାଡ଼ି ବ୍ୟବଧାନ ଏକ ନିର୍ଦ୍ଦିଷ୍ଟ ଅନୁପାତ ଥିବାରୁ ଫସଲ ଅମଳରେ ଯଥେଷ୍ଟ ପରିମାଣରେ ବୃଦ୍ଧି ଘଟିଥାଏ। ଏହାଦ୍ୱାରା କୃଷକ ଭାଇ ଓ ଭଉଣୀମାନେ ବହୁଳ ମାତ୍ରାରେ ଲାଭବାନ ହୋଇଥାନ୍ତି।