ମଣିଷ ଜୀବନରେ ଫୁଲର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ବିଭିନ୍ନ କାର୍ଯ୍ୟ ଲାଗି ସାଧାରଣତଃ ଫୁଲର ବ୍ୟବହାର ହୋଇଥାଏ । ଆମେ ଭଲ ପାଇବା, ଖୁସି ତଥା ଶୋକ ସମୟରେ ଶ୍ରଦ୍ଧାଞ୍ଜଳି ଲାଗି ଫୁଲର ବ୍ୟବହାର କରିଥାଉ । ଦିନକୁ ଦିନ ଫୁଲର ବ୍ୟବହାର ଦ୍ରୁତ ହାରରେ ବୃଦ୍ଧି ହେଉଥିବାବେଳେ ବର୍ତ୍ତମାନ ବାଣିଜ୍ୟ ଉଦ୍ଦେଶ୍ୟରେ ମଧ୍ୟ ଏହାର ଚାଷ କରାଯାଉଛି । ଚାହିଦାକୁ ଧ୍ୟାନରେ ରଖି ସାରା ବିଶ୍ଵରେ ବିଭିନ୍ନ ପ୍ରକାରର ଫୁଲ ଚାଷ(Flower Cultivation) ବର୍ତ୍ତମାନ କରାଯାଉଛି।
ଅନେକ ଦଶନ୍ଧି ଧରି ନେଦରଲାଣ୍ଡ, ବେଲଜିୟମ୍, ସ୍ଵିଜରଲାଣ୍ଡ, ଇଟାଲୀ, ଜାପାନ, ଦକ୍ଷିଣ କୋରିଆ ଭଳି ଦେଶ ନିଜର ବ୍ୟବହାର ତଥା ରପ୍ତାନି ଉଦ୍ଦେଶ୍ୟରେ ଫୁଲ ଚାଷ କରୁଛନ୍ତି। କଲମ୍ବିଆ, ପେରୁ, ହଂକଂ, ଇସ୍ରାଏଲ, ଜିମ୍ବାୱେ, କେନିଆ, ଚାଇନା ଓ ଭାରତ ଭଳି ଦେଶ ଗତ କିଛି ବର୍ଷ ଧରିଫୁଲ ଚାଷ କ୍ଷେତ୍ରରେ ପ୍ରବେଶ କରିବା ସହ ଭଲ କାରବାର କରୁଥିବା ଦେଖାଯାଉଛି। ଭାରତ କଥା ବିଚାର କଲେ ଆମେ ଜାଣି ପାରିବା ଯେ, ବିଶ୍ଵ ଫୁଲ ବଜାରକୁ ଭାରତ ମାତ୍ର ୧ %ରୁ କମ୍ ଫୁଲ ରପ୍ତାନି କରିବାକୁ ସକ୍ଷମ ହେଉଛି। ରପ୍ତାନି କ୍ଷେତ୍ରରେ ୫୯% ବଜାର ଅଂଶ ସହ ନେଦରଲାଣ୍ଡ ପ୍ରମୁଖ ସ୍ଥାନରେ ରହିଛି। ଏଥିରୁ ଜଣାଯାଇଛି ଯେ ଭାରତ ଉକ୍ତ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ଏହା ସହ ଫୁଲ ରପ୍ତାନିରୁ ପ୍ରଚୁର ପରିମାଣର ବିଦେଶୀ ମୁଦ୍ରା ଅର୍ଜନ କରିପାରିବ। ସେହିଭଳି ଘରୋଇ ବଜାରରେ ବିଭିନ୍ନ ରାଜ୍ୟ ମଧ୍ୟ ଫୁଲ ବ୍ୟବସାୟ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ସକ୍ଷମ ହୋଇ ପାରିବେ। ଘରୋଇ ବଜାରରେ କର୍ଣ୍ଣାଟକ ଉକ୍ତ କ୍ଷେତ୍ରରେ ପ୍ରମୁଖ ସ୍ଥାନରେ ରହିଛି। ଏହା ପରେ ପରେ ଜମ୍ମୁ-କାଶ୍ମୀର, ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ପଞ୍ଜାବ ଏବଂ ତ୍ରିପୁରା ଭଳି ରାଜ୍ୟ ଅଗ୍ରଣୀ ସ୍ଥାନରେ ରହିଛନ୍ତି।
ଓଡିଶା ବିଶେଷ ଭାବେ ଉକ୍ତ କ୍ଷେତ୍ରରେ ଅବଦାନ ରଖିପାରୁନାହିଁ । ଓଡିଶାରେ ଫୁଲ ଚାଷର ପ୍ରସାର ଲାଗି ପଦକ୍ଷେପ ଆରମ୍ଭ ହୋଇଥିଲେ ମଧ୍ୟ ବଜାରର ଚାହିଦା ପୂରଣ ଲାଗି ପଡୋଶୀ ପଶ୍ଚିମବଙ୍ଗ ଏବଂ ବାଙ୍ଗାଲୋର ଭଳି ସ୍ଥାନଗୁଡିକ ଉପରେ ବର୍ତ୍ତମାନ ନିର୍ଭର କରିବାକୁ ପଡୁଛି। ୨୦୧୬–୧୭ ଆର୍ଥିକ ବର୍ଷରେ ଘରୋଇ ବଜାରରେ ଫୁଲ ବଜାରର ମୋଟ ଅଂଶ ୬୦୦୦ କୋଟି ଟଙ୍କା ରହିଛି। ଏହା ବାର୍ଷିକ ୧୧% ହାରରେ ଅଭିବୃଦ୍ଧି ହାସଲ କରୁଛି। ମାତ୍ର ଏହାର ଚାହିଦା ଋତୁର୍ଭିକ ବୋଲି ଜଣାଯାଇଛି ।
ଓଡିଶା ଏକ କୃଷିଭିତ୍ତିକ ରାଜ୍ୟ ହୋଇଥିବା ବଳେ ଏଠାରେ ଲୋକମାନେ ପାରମ୍ପରିକ ପଦ୍ଧତି(Traditional Method of Farming) ଉପରେ ବିଶେଷ ଭାବେ ନିର୍ଭର କରିଥାନ୍ତି। ଓଡିଶାରେ ଧ୍ୟାନ, ଡାଲି, ମକା ଭଳି ଚାଷ ହେଉଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବୈଜ୍ଞାନିକ ପଦ୍ଧତିର ବ୍ୟବହାର ହେଉନାହିଁ। କୃଷକମାନେ ପାରମ୍ପରିକ ଚାଷଠାରୁ ଉର୍ଦ୍ଧକୁ ଯିବାର ଆବଶ୍ୟକତା ରହିଛି । ରାଜ୍ୟର କେତେକାଂଶରେ ଫଳ ତଥା ପନିପରିବା ଚାଷ ହେଉଥିବା ନଜରରେ ଆସିଥାଏ । ମାତ୍ର କୃଷକମାନେ ପାରମ୍ପରିକ ଚାଷଠାରୁ ଉଦ୍ଧିକୁ ଯାଇ ନିଜର ଆୟ ବୃଦ୍ଧି କରିବାକୁ ସକ୍ଷମ ହୋଇ ପାରିବେ ।
ଫୁଲଚାଷ ଲାଗି ପ୍ରମୁଖ ଆବଶ୍ୟକତା
ଫୁଲ ଚାଷ ଲାଗି କେତେକ ପ୍ରମୁଖ ଆବଶ୍ୟକତାକୁ ଧ୍ୟାନରେ ରଖିବାକୁ ହୁଏ । ଏଥି ଲାଗି ଅନୁକୂଳ ଜମି, ଜଳସେଚନ ସୁବିଧା, ସୂର୍ଯ୍ୟ କିରଣ ତଥା ଥଣ୍ଡା ପାଗରୁ ଫୁଲକୁ ସୁରକ୍ଷା ପ୍ରଦାନ ଲାଗି ପଲିଥିନ, କଭର, ଠିକ୍ ସାର ପ୍ରୟୋଗର ଆବଶ୍ୟକତା ରହିଛି। ସେହିଭଳି ଜୈବିକଉପାୟରେ ମଧ୍ୟ ଉକ୍ତ କ୍ଷେତ୍ରରେ ଚାଷ, ରୋଗପେକ ଦମନ, ଉନ୍ନତ ବିହନ ବ୍ୟବହାରର ଆବଶ୍ୟକତା ରହିଛି।
ଚାହିଦା ଥିବା କେତେକଫୁଲ
ବିଭିନ୍ନ ପ୍ରଜାତିର ଫୁଲ ମଧ୍ୟରେ ଗୋଲାପ, ରଜନୀଗନ୍ଧା, ସୂର୍ଯ୍ୟମୁଖୀ, ଟୁଲିପ, ଗୁଡିୟସ, ଅର୍କିଡ, କଇଁ ଷ୍ଟାଟିକା, ଆନୁଆଲ ଭିନକା, ଜାପାନିଜ ଇରିସ, ବ୍ଲକ୍ ଆଇଡ ସୁଶାନ ଭଳି ଅନ୍ୟ କେତେକ ଫୁଲର ବିଶେଷ ଭାବେ ଚାହିଦା ରହିଛି। ବୋନାସାଇ ଭଳି କେତେକ ଫୁଲକୁ ଘରୋଇ ବଜାରରେ ବିକ୍ରି ସହ ଇ-କମର୍ସ ପ୍ଲାଟଫର୍ମରେ ମଧ୍ୟ ବିକ୍ରି କରିପାରିବେ । ସେହିଭଳି ଫ୍ଲାୱାର ବୁଟିକ୍କୁ ବିକ୍ରି କରି ପାରିବେ ।
କ'ଣ ରହିଛି ବଜାରର ସ୍ଥିତି ?
ନେଦରଲାଣ୍ଡ କଥା ବିଚାରକୁ ନେଲେ ଆମେ ଜାଣିପାରିବା ଯେ, ଉକ୍ତ ଦେଶଟି ଫୁଲଭିତ୍ତିକ ପର୍ଯ୍ୟଟନ, ବାଣିଜ୍ୟ, ବିହନ ତଥା ରପ୍ତାନି ଲାଗି ବିଶେଷ ଭାବେ ପ୍ରସିଦ୍ଧି ଲାଭ କରିଛି। ନେଦରଲାଣ୍ଡର ସିଂହଭାଗ ବିଦେଶୀ ମୁଦ୍ରା ଫୁଲ ଏବଂ ଏହା ସହ ଜଡିତ ବିଭିନ୍ନ ସାମଗ୍ରୀ ରପ୍ତାନି ତଥା ସେବାରୁ ହିଁ ଆସିଥାଏ । ସେହିଭଳି ଭାରତ ଫୁଲର ଏକ ପ୍ରମୁଖ ବ୍ୟବହାରକାରୀ ଦେଶ ରହି ଆସିଛି। ଘରୋଇ ବଜାରରେ ଟ୍ୟୁଲିପ,ଗ୍ଲାଡିୟସ, ଗୋଲାପ, ଗର୍ବେରା, କଇଁ ଭଳି ବିଭିନ୍ନ ପ୍ରଜାତିର ଫୁଲର ବିଶେଷ ଚାହିଦା ରହିଛି।
କଣ ନଖା ବା ନଖ ଭାଙ୍ଗିବାକୁ ନେଇ ଚିନ୍ତିତ କି ? ପଢ଼ନ୍ତୁ ପୂରା ଖବର...