କେବଳ କନ୍ଧମାଳ ହଳଦୀ ନୁହେଁ କନ୍ଧମାଳ ଅଦାର ( kandhamala ginger ) ଚାହିଦା ଏବେ ଦେଶବିଦେଶରେ ଶୀର୍ଷରେ ରହିଛି। କନ୍ଧମାଳ ହଳଦୀ ପରେ କନ୍ଧମାଳ ଅଦା ଚାଷ ବି ଏଠାକାର ଆଦିବାସୀଙ୍କୁ ଜୀବନଜୀବିକାର ମାର୍ଗ ଦେଖାଇଛି। ଦେଶବିଦେଶରେ କନ୍ଧମାଳର ‘ଜିଞ୍ଜର ସ୍ଲାଇସ୍’ର ଚାହିଦା ଆକାଶଛୁଆଁ ରହିଛି । ପାହାଡ ପର୍ବତ ଘେରା କନ୍ଧମାଳ ଜିଲ୍ଲାରେ ଅଦା ଚାଷ କରି ଲାଭବାନ ହେଉଛନ୍ତି ଚାଷୀ ।
କମ ତାପମାତ୍ରା ଏବଂ ପାହାଡିଆ ଜମିରେ ହେଉଥିବା ଫସଲ ମଧ୍ୟରୁ କନ୍ଧମାଳରେ ବହୁଳ ଭାବେ ଅଦା ଏବଂ ହଳଦୀ ଚାଷ ହେଉଛି ।ଅନ୍ୟପଟେ ଫୁଲବାଣୀ ଆଇଟିଡ଼ିଏ ପକ୍ଷରୁ ଚଳିତ ବର୍ଷ ୨୬୧ ଜଣ ଚାଷୀଙ୍କୁ ଉନ୍ନତ ମାନର ବିହନ ଯୋଗାଇ ଦିଆଯାଇଥିଲା । ଯାହା ଦ୍ୱାରା ଚାଷୀ ମାନେ ୧୦ ଗୁଣା ଅଧିକ ଅଦା ଉତ୍ପାଦନ କରିପାରିଛନ୍ତି ।
ଚଳିତ ୨୦୨୨-୨୩ ବର୍ଷରେ କନ୍ଧମାଳ ଜିଲ୍ଲାରେ ୧୮୫୦ ହେକ୍ଟର ଜମିରେ ଅଦା ଚାଷ କରାଯାଇଛି। ପ୍ରାୟ ୩୦୦୦ ମେଟ୍ରିକ୍ ଟନ୍ ଅଦା ଅମଳ କରାଯିବାର ଲକ୍ଷ୍ୟ ରହିଛି। ବର୍ଷର ଏପ୍ରିଲ-ମେ ମାସ ବେଳକୁ ଅଦା ରୋପଣ କରାଯାଇଥାଏ ଡିସେମ୍ବର-ଜାନୁଆରି ମାସରେ ଏହାର ଅମଳ ହୋଇଥାଏ।ଆଉ କନ୍ଧମାଳ ‘ଜିଞ୍ଜର ସ୍ଲାଇସ୍’ର ଦେଶବିଦେଶରେ ବହୁତ ଚାହିଦା ରହିଛି l ‘ଜିଞ୍ଜର ସ୍ଲାଇସ’ କିଣିବାକୁ ‘କୋଲ୍କେଟାଲ, ମିରାକ୍ଲି ଟି, ଲକ୍ଷ୍ନୌର କମ୍ପାନି ‘ଅର୍ଗାନିକ ଇଣ୍ଡିଆ’, ରାଜସ୍ଥାନର ‘ଆଗ୍ରୋନିକ’ ଭଳି ପ୍ରତିଷ୍ଠିତ କମ୍ପାନି ଚୁକ୍ତିବଦ୍ଧ ହୋଇଛନ୍ତି ।
କନ୍ଧମାଳ ଅଦାର ରହିଛି ସ୍ୱତନ୍ତ୍ରତା । ଔଷଧୀୟ ଗୁଣ ପାଇଁ ରହିଛି ଚାହିଦା । ଅଦା ଚାଷ ପାଇଁ କନ୍ଧମାଳ ଜିଲ୍ଲାର ରହିଛି ସ୍ୱତନ୍ତ୍ର ପରିଚୟ । କମ୍ ତାପମାତ୍ରା ଓ ପାହାଡ଼ିଆ ଜମିରେ ଏହି ଜିଲ୍ଲାରେ ଭଲ ଅଦା ଚାଷ ହୋଇଥାଏ । ଜିଲ୍ଲାର ପ୍ରାୟ ଶତ ପ୍ରତିଶତ ଚାଷୀ ଏହି ଅଦା ଚାଷ କରି ସେମାନଙ୍କ ପରିବାର ପ୍ରତିପୋଷଣ କରିଥାଆନ୍ତି । ଜିଲ୍ଲାର ପ୍ରାୟ ୫ ହଜାର ଚାଷୀ ୨୨ ରୁ ୨୫ ଶହ ହେକ୍ଟର ଜମିରେ ପ୍ରତିବର୍ଷ ଅଦା ଚାଷ କରନ୍ତି । ଏହି ଜମିରୁ ପ୍ରାୟ ୩୦ ରୁ ୩୫ ଶହ ମେଟ୍ରିକ୍ ଟନ ଅଦା ଉତ୍ପାଦନ ହୋଇଥାଏ । ନିଜେ ରଖିଥିବା ବିହନରେ ପାରମ୍ପରିକ ପଦ୍ଧତିରେ ଚାଷୀ ମାନେ ଅଦା ଚାଷ କରୁଛନ୍ତି । କନ୍ଧମାଳ ଅଦାରେ ଥିବା ଔଷଧିୟ ଗୁଣ ପାଇଁ ଜିଲ୍ଲା ଏବଂ ଜିଲ୍ଲା ବାହାରେ ଏହାର ଚାହିଦା ରହିଛି ।
ବିନା କୀଟନାଶକରେ ହେଉଛି ଅଦା ଚାଷ । ଜୈବିକ ଖତ ପ୍ରୟୋଗ କରି ଚାଷ କରୁଛନ୍ତି ଚାଷୀ । ପାହାଡ ପର୍ବତ ଘେରା କନ୍ଧମାଳ ଜିଲ୍ଲାରେ ଚାଷ ଜମି ଗୁଡିକୁ ବିଶେଷ ଜଳସେଚନର ସୁବିଧା ନାହିଁ । ତେଣୁ ପାହାଡିଆ ଏବଂ ଢିପ ଜମି ଗୁଡିକରେ ଏଠିକାର ଚାଷୀ ମାନେ ବହୁଳ ପରିମାଣରେ ଅଦା ହଳଦୀ ତଥା ମସଲା ଜାତୀୟ ଫସଲ କରିଥାନ୍ତି । ବିନା କୀଟନାଶକରେ ଚାଷ ହେଉଥିବାରୁ କନ୍ଧମାଳର ଅଦା ଏବଂ ହଳଦୀର ବେଶ ଚାହିଦା ରହିଛି । ଚାଷୀ ମାନେ ଅଦାକୁ ପ୍ରାୟତଃ ଜୁନ-ଜୁଲାଇ ମାସରେ ଲଗାଇଥାନ୍ତି । ଜାନୁଆରୀ-ଫେବ୍ରୁୟାରୀ ମାସରେ ଅମଳ କରିଥାନ୍ତି ।
ଜମିକୁ ହଳ କରି ପ୍ରଥମେ ମାଟି ହଲୁକା କରନ୍ତି ତାପରେ ଅଦା ବିହନ ଗୁଡିକୁ ମାଟିରେ ପ୍ରାୟ ୧ ଫୁଟ ଦୂରାତାରେ ଧାଡି ଧାଡି କରି ପୋତିଥାନ୍ତି । ଅଦା ଗଛ ଉପରେ ଡ଼ାଳ ପତ୍ର ଗୁଡ଼ିକ ଘୋଡ଼ାଇ ଦେଇଥାଆନ୍ତି । କିଛି ଦିନ ପରେ ଘୋଡ଼ା ହୋଇଥିବା ଡ଼ାଳ ପତ୍ର ଗୁଡ଼ିକୁ ବାହାର କରି ଜମିକୁ କୋଡାଖୋସା କରି ଜୈବିକ ଖତ ଦିଅନ୍ତି । ଅଦା ଗୁଡିକ ଭଲ ଗଣ୍ଠି ଧରିବା ପରେ ଜାନୁଆରୀ- ଫେବ୍ରୃୟାରୀ ମାସରେ ଚାଷୀ ମାନେ ମାଟିରୁ ଅଦା ଖୋଳି କଞ୍ଚା ମାଟି ଗୁଡ଼ିକୁ ଝାଡି ଅଦାକୁ ବିକ୍ରୟ ଉପେଯାଗୀ କରିଥାନ୍ତି । ଏଭଳି ବହୁ ପରିଶ୍ରମ କରି ଅଦା ବାହାରିବା ପରେ ପୁଣି ତାକୁ ପ୍ରାୟ ଏକ ମାସ ମଧ୍ୟରେ ବିକ୍ରୟ କରନ୍ତି ।
Share your comments