
How to take care of fish in farming time ? , image source - pexels
ମାଛ ଏକ କମ୍ ଚର୍ବିଯୁକ୍ତ ଉଚ୍ଚ ଗୁଣର ପ୍ରୋଟିନ୍ ଜାତୀୟ ଖାଦ୍ୟ । ଏଥିରେ କ୍ୟାଲସିୟମ ଏବଂ ଫସଫରସ୍ ଅଧିକ ମାତ୍ରା ରେ ରହିବ ସଙ୍ଗେ ସଙ୍ଗେ, ଏହା ମଧ୍ୟ ଖଣିଜ ପଦାର୍ଥ ଯେପରିକି ଲୁହା, ଜିଙ୍କ, ଆୟୋଡିନ୍, ମ୍ୟାଗ୍ନେସିୟମ୍ ଓ ପୋଟାସିୟମ୍ ର ଏକ ବଡ଼ ଉତ୍ସ ଅଟେ | ଏଥିରେ ଓମେଗା-୩ ଫ୍ୟାଟି ଏସିଡ୍, ଲିନୋଲେନିକ୍ ଏସିଡ୍, ଇପିଏ ଓ ଡିଏଚଏ ଏବଂ ଓମେଗା-୬ ଫ୍ୟାଟି ଏସିଡ୍ (ଲିନୋଲେଇକ ଏସିଡ଼ ଓ ଆରାକାଇଡୋନିକ୍ ଏସିଡ଼) ଭରପୁର ଅଟେ ଯେଉଁଟାକି ରକ୍ତଚାପ ଜନିତ ରୋଗର ପ୍ରତିରକ୍ଷା, ମସ୍ତିକର ବୃଦ୍ଧି ଏବଂ ଆର୍ଥ୍ରାଇଟିସ୍ ରୋଗ ଭଳି ବଡ଼ ବଡ଼ ରୋଗରୁ ରକ୍ଷା କରି ଥାଏ।
କିନ୍ତୁ ଏଥିରେ ଏନ୍.ପି.ଏନ୍ ( ନନ୍ ପ୍ରୋଟିନ ନାଇଟ୍ରେଜିନସ୍ ) ପରିମାଣ, ନ୍ୟୁଟ୍ରାଲ ପିଏଚ ଏବଂ ଶତକଡ଼ା ୭୦ ଭାଗ ଜଳର ପରିମାଣ ଥିବାରୁ ଏହା ଜୀବାଣୁ, ଭୁତାଣୁ ମାନଙ୍କ ସଂସ୍ପର୍ଶରେ ସହଜରେ ଆସିଥାଏ । ମାଛ ଅମଳ ସମୟରେ ମାଛର ଚର୍ମ, ଗାଲିସି ଏବଂ ଅନ୍ତଃନାଳୀରେ ସାଧାରଣତଃ ଜୀବାଣୁ, ଭୁତାଣୁମାନେ ରହିଥାନ୍ତି। ଯେଉଁଟାକି ରୋଗ ସଂକ୍ରମଣର କାରଣ ହୁଅନ୍ତି l ଅମଳ ପରେ ଧୀରେ ଧୀରେ ସେମାନେ ମାଛ ଶରୀରରେ ବଂଶ ବିସ୍ତାର କରି ମାଛର ଗୁଣବତ୍ତାକୁ ନଷ୍ଟ କରିଥାନ୍ତି । ତେଣୁ ମାଛର ଅମଳ ଏବଂ ଅମଳର ପରବର୍ତ୍ତୀ ଯତ୍ନ ନିତ୍ୟାନ୍ତ ଜରୁରୀ ଅଟେ ।
ଅମଳ ସମୟରେ ଯତ୍ନ: - ଏହା ପ୍ରତି ସମସ୍ତ ଚାଷୀ ମାନେ ଧ୍ୟାନ ଦେବା ନିହାତି ଆବଶ୍ୟକ ଯାହାଦ୍ଵାରାକି ସେମାନେ ଅଧିକ ଲାଭବାନ ହେବା ସହ ମାଛନଷ୍ଟ ହେବାର ପରିମାଣକୁ ମଧ୍ୟ କମ୍ କରିପାରିବେ ଏବଂ ପରିବେଶ ସନ୍ତୁଳିତ ହୋଇ ରହିବ ।
- ମାଛକୁ ସଠିକ୍ ସମୟରେ ଏବଂ ସଠିକ ଆକାରରେ ଅମଳ କରିବା ଉଚିତ।
- ଅମଳ ସମୟରେ କମ୍ ଖର୍ଚ୍ଚରେ ହୋଇ ପାରୁଥିବା ଜ୍ଞାନ କୌଶଳ ଅନୁସରଣ କରିବା ଉଚିତ।
- ଅମଳ ପାଇଁ ବ୍ୟବହୃତ ଉପକରଣ ପରିଷ୍କାର ପରିଛନ୍ନ କରି ବ୍ୟବହାର କରିବା ଉଚିତ।
ସାଧାରଣତଃ ମାଛର ପ୍ରାରମ୍ଭିକ ଯତ୍ନ ଅମଳ ସମୟରେ ହିଁ କରାଯାଏ। ସେଥିପାଇଁ ଉପଯୁକ୍ତ ଜାଲ ଓ ଡଙ୍ଗା ଚୟନ କରାଯାଏ । ଯଦି ଆମ୍ଭେ ପୋଖରୀରୁ ମାଛ ଧରୁଛନ୍ତି ତାହାହେଲେ ଫିଙ୍ଗା ଜାଲ ବା କାଷ୍ଟ ନେଟ ବ୍ୟବହାର କରିବା ଉଚିତ। ଯଦି ଆମେ ନଦୀ ନାଳରୁ ମାଛ ଅମଳ କରୁଛନ୍ତି ତାହା ହେଲେ ଟଣା ଜାଲ ବା ଡ୍ରାଗ୍ ନେଟ ବ୍ୟବହାର କରିବା ଉଚିତ। ସେହିପରି ଗଭୀର ସମୁଦ୍ରରୁ ମାଛ ମାରିବା ପାଇଁ ହେଲେ ଗିଲ ନେଟ ଟ୍ରଲର କିମ୍ବା ପର୍ସିନର୍ ବ୍ୟବହାର କରିବା ଉଚିତ୍। ଅମଳ ସମୟରେ ଉପଯୁକ୍ତ ପରିମାଣର ବରଫ ଗଛିତ ରଖିବା ଉଚିତ। ଯେପରିକି ମାଛ ଧରିବା ପରେ ତାକୁ ସଙ୍ଗେ ସଙ୍ଗେ ବରଫରେ ସଂରକ୍ଷିତ କରାଯାଇପାରିବ।
ଅମଳ ପରବର୍ତ୍ତୀ ମାଛର ଯତ୍ନ: -
୧. ବରଫିକରଣ ( ଆଇସିଂ): ଏହି ପ୍ରକ୍ରିୟା ଏକ ସହଜ ଏବଂ ସୂକ୍ଷ୍ମ ଉପାୟ । ଯେଉଁଥିରେ ମାଛକୁ ବରଫ ଦ୍ଵାରା ସଂରକ୍ଷିତ କରାଯାଏ ଏଥିରେ ତାପମାତ୍ରା O ଡିଗ୍ରୀ ସେଲସିୟସ୍ ରହିଥାଏ । ଏହା ଦ୍ଵାରା ମାଛର ଶରୀର ଥଣ୍ଡା ରହେ ଏବଂ ଅତି ସହଜରେ ରୋଗ ଜୀବାଣୁ ମାନେ ସଂକ୍ରମଣ କରିପାରନ୍ତି ନାହିଁ। ମାଛର ଗୁଣବତ୍ତା ବଜାୟ ରହିଥାଏ ଓ ମାଛ ଶରୀର ଉଜ୍ବଳ ଦେଖାଯାଏ । ଯାହା ଦ୍ଵାରା କି ବଜାର ଚାହିଦା, ଉପଭୋକ୍ତା ମାନଙ୍କ ଦ୍ଵାରା ବୃଦ୍ଧି ପାଏ । ବରଫୀକରଣ ମାଧ୍ୟମରେ ମାଛକୁ ସହଜରେ ମଧ୍ୟ ସ୍ଥାନାନ୍ତର କରାଯାଇପାରେ। ଏହାକୁ ପୋଟେବୁଲ ରେଫ୍ରିଜରେସନ ବା ସ୍ଥାନାନ୍ତର ଶୀତଳୀକରଣ ପ୍ରକ୍ରିୟା କୁହାଯାଏ । ଏହା ଦ୍ଵାରା ମାଛର ଜୀବନ କାଳ ୭ ରୁ ୧୪ ଦିନ ମଧ୍ୟରେ ବୃଦ୍ଧି ପାଇଥାଏ ।
୨. ଶୀତଳୀକରଣ (ଫ୍ରୀଜିଂ): ଯେତେବେଳେ ମାଛର ଅମଳ ପରିମାଣ ଅଧିକ ହୋଇଥାଏ ଏବଂ ମାଛକୁ ଦୂରସ୍ଥାନକୁ ସ୍ଥାନାନ୍ତର କରାଯାଏ ସେତେବେଳେ ଏହି ପ୍ରକ୍ରିୟା ଅବଲମ୍ବନ କରାଯାଏ। ଏଥିରେ ମାଛକୁ O ଡିଗ୍ରୀ ସେଲସିୟସ ତାପମାତ୍ରା ତଳେ ରଖିବାକୁ ହୋଇଥାଏ। ସାଧାରଣତଃ (-୧ ଡିଗ୍ରୀ ରୁ – ୫ ଡିଗ୍ରୀ ସେଲସିୟସ) ତାପମାତ୍ରା ମଧ୍ୟରେ ମାଛକୁ ରଖାଯାଏ I ଏହା ଦ୍ଵାରା ମାଛର ଜୀବନ କାଳ ୪ ମାସରୁ ୬ ମାସ ମଧ୍ୟରେ ବୃଦ୍ଧି ପାଇଥାଏ।
ମାଛ ଗୁଣବତ୍ତାର ପର୍ଯ୍ୟବେକ୍ଷଣ: ମାଛର ଗୁଣବତ୍ତା ବା କ୍ବାଲିଟି, ଏହାର ପୋଷଣ ମୂଲ୍ଯ, ପରିପୂର୍ଣ୍ଣତା ବା ସମ୍ପୂର୍ଣ୍ଣତା ଏବଂ ଉଜ୍ୱଳତା ଦ୍ଵାରା ଜଣାଯାଏ । ଏଣୁ ମାଛର ଗୁଣକୁ ରକ୍ଷା କରିବା ପାଇଁ କେତେଗୁଡିଏ ଉପାୟ ଅବଲମ୍ବନ କରାଯାଏ ।
- ମାଛକୁ ପରିଷ୍କାର ପରିଛନ୍ନ ଭାବେ ଅମଳ କରିବା ଉଚିତ |
- ଅମଳ ପରେ ମାଛର ଉପଯୁକ୍ତ ପ୍ରକ୍ରିୟା କରଣ ଚୟନ କରିବା ଉଚିତ୍।
- ମାଛ ବିକ୍ରିବଟା ପାଇଁ ଉପଯୁକ୍ତ ସ୍ଥାନ ନିରୂପଣ କରିବା ଉଚିତ୍।
- ମାଛର ପ୍ରକ୍ରିୟାକରଣ କରିବା ସମୟରେ ପ୍ରତିଟି କ୍ରମରେ ମାଛର ଯେମିତିକି କୌଣସି କ୍ଷତି ନ ହୁଏ ଏବଂ ତାହାର ଗୁଣବତ୍ତା ଉପରେ ପ୍ରଭାବ ନ ପଡ଼େ ସେଥିପ୍ରତି ଧ୍ୟାନ ଦେବା ଉଚିତ।
ମାଛର ବିକ୍ରିବଟା : ଏହା କୃଷକଠାରୁ ଗ୍ରାହକ ପର୍ଯ୍ୟନ୍ତ ମାଛ କିମ୍ବା ମାଛ ଉତ୍ପାଦର ପ୍ରବାହରେ ସମସ୍ତ କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ କରେ । ମାଛ ଅମଳ କରିସାରିବା ପରେ ନିଜ ଆବଶ୍ୟକତା ଠାରୁ ଅଧିକ ମାଛ କୁ ଶୀଘ୍ର ବିକ୍ରି କରିଦେବା ଉଚିତ । ଏଥିପାଇଁ ସ୍ଵତନ୍ତ୍ର ବଜାର ତିଆରି କରିବା ଉଚିତ୍ । ବଜାରରେ ଉପଭୋକ୍ତା ମାନଙ୍କୁ ଅକୃଷ୍ଟ କରିବା ପାଇଁ ମାଛକୁ ବରଫରେ ରଖି ସାଧାରଣତଃ ଦୃଶ୍ୟମାନ କରାଯାଏ। ଯଦି ବିକ୍ରୟ ସମୟରେ ମାଛକୁ କାଟିବାକୁ ହୁଏ ତାହା ହେଲେ ତାର ଅବଶିଷ୍ଟାଂଶ କୁ ଏଣେତେଣେ ନପକାଇ ଗୋଟିଏ ପାତ୍ରରେ ଅଲଗା ରଖିବା ଉଚିତ୍, ଯାହାଦ୍ଵାରା କି ତଟକା ମାଛ ପ୍ରଭାବିତ ହୋଇ ନଥାଏ । ଏବଂ ପରିବେଶ ସ୍ୱଚ୍ଛ ରହିଥାଏ। ସର୍ବଦା ମାଛ ରଖା ଯାଉଥିବା ସ୍ଥାନକୁ ପରିଷ୍କାର ରଖିବା ଉଚିତ୍ । ୧୦୦ ପି.ପି.ଏମ କ୍ଲୋରିନ୍ (ସୋଡିୟମ ହାଇପୋ କ୍ଲୋରାଇଟ) କୁ ବ୍ୟବହାର କରି ମାଛ ରଖାଯାଉଥିବା ପ୍ଲାଟଫର୍ମକୁ ସଫା କରାଯାଏ।
ମାଛ ବର୍ଯ୍ୟବସ୍ତୁର ପରିଚାଳନା ଓ ବିନିଯୋଗ : ମାଛର ବର୍ଯ୍ୟବସ୍ତୁ ସାଧାରଣତଃ ୨ ପ୍ରକାରରେ ବାହାରି ଥାଏ । ସେଗୁଡିକ ହେଲା କଠିନ ଏବଂ ତରଳ ବର୍ଯ୍ୟବସ୍ତୁ । କଠିନ ବର୍ଯ୍ୟବସ୍ତୁ ଗୁଡ଼ିକ ହେଲା ମାଛ ଗୁଣ୍ଡ, ଗାଲିସି, ଚର୍ମ, ଅନ୍ତଃନାଳୀ, କଣ୍ଟା, ଲାଞ୍ଜ ଏବଂ ମଲାମାଛ I ସେହିପରି ତରଳ ବର୍ଯ୍ୟବସ୍ତୁ ଗୁଡ଼ିକ ହେଲା ମାଛ ସଫା କରାଯାଉଥିବା ପାଣି, ମାଛ କାଟିବା ବେଳେ ବାହାରୁଥିବା ରକ୍ତ, ମାଛ ଧୋଇବା ପାଇଁ ବ୍ୟବହୃତ ଲୁଣିପାଣି ଇତ୍ୟାଦି। ଏହି ବର୍ଯ୍ୟବସ୍ତୁ ଗୁଡ଼ିକ ଠିକ୍ ଭାବରେ ବିନିଯୋଗ କରିବା ଉଚିତ୍, ଯେପରିକି ଏହା ଦ୍ଵାରା କୌଣସି ପରିବେଶ ପ୍ରଦୂଷଣ ହେବ ନାହିଁ ଅର୍ଥାତ୍ କୌଣସି ଏକ ଖାତ ଖୋଳି ରଖିବା ଏବଂ ସେଥିରୁ କମ୍ପୋଷ୍ଟ ତିଆରି କରାଯାଇ ପାରିବ। ଏହି କଠିନ ବାର୍ଯ୍ୟବସ୍ତୁକୁ ବ୍ୟବହାର କରି ଫିସ୍ ମିଲ୍ ଏବଂ ଫିସ୍ ସିଲେଜ୍ ତିଆରି କରାଯାଏ। ଯେଉଁଟାକୁ ଗୃହ ପାଳିତ ପଶୁମାନଙ୍କର ଖାଦ୍ୟ ରୂପେ ବ୍ୟବହାର କରାଯାଏ । ବର୍ଯ୍ୟବସ୍ତୁକୁ ବ୍ୟବହାର କରି ବିଭିନ୍ନ ଔଷଧ ମଧ୍ୟ ତିଆରି କରାଯାଏ । ମାଛ ର କଣ୍ଟାକୁ ବ୍ୟବହାର କରି ବିଭିନ୍ନ ଆକର୍ଷଣୀୟ ଗହଣା ଅଳଙ୍କାର ମାନ ତିଆରି କରାଯାଏ, ଯାହାର ଚାହିଦା ବଜାରରେ ମଧ୍ୟ ରହିଛି। ଏହି ଭଳି ଭାବରେ ମାଛର ବର୍ଯ୍ୟବସ୍ତୁ ନଷ୍ଟ ନକରି ସେଥିରେ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରି ବିନିଯୋଗ କରାଯିବା ଆବଶ୍ୟକ।
ଡଃ ସୁଶ୍ରୀ ରତ୍ନମଞ୍ଜରୀ ସେନାପତି
ସହକାରୀ ମତ୍ସ୍ୟ ଅଧିକାରୀ, ବାଲିପାଟଣା ବ୍ଳକ୍, ଖୋର୍ଦ୍ଧା
Share your comments