ଆମ ରାଜ୍ୟ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ଗ୍ରାମାଞ୍ଚଳରେ ବସବାସ କରୁଥିବା ଅଧିକାଂଶ ଲୋକ ଚାଷ କାର୍ଯ୍ୟ କରି ନିଜର ଜୀବିକା ନିର୍ବାହ କରିଥାନ୍ତି । କୃଷି କହିଲେ ସେମାନଙ୍କୁ ପାଇଁ ଅର୍ଥ ଉପାର୍ଜନ କରିବାର ଏକ ପ୍ରମୂଖ ଉତ୍ସ ବୋଲି ବୁଝାଯାଏ । ବିଗତ ବର୍ଷମାନଙ୍କରେ ରାଜ୍ୟ ସରକାର କୃଷକମାନଙ୍କୁ ସାହାଯ୍ୟ କରିବା ପାଇଁ ଏବଂ ସେମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଅନେକ ଗୁଡ଼ିଏ ଯୋଜନାମାନ ପ୍ରଣୟନ କରିଛନ୍ତି । ସେହି ସମସ୍ତ ଯୋଜନା ମଧ୍ୟରୁ ଆଜି ଆମେ ଆପଣଙ୍କୁ ଏପରି ୫ଟି କୃଷି ଯୋଜନା ଉପରେ ଜଣାଇବୁ ଯାହାର ଲାଭ ଉଠାଇ ଆପଣ ନିଜ ଆୟକୁ ବହୁଗୁଣିତ କରିପାରିବେ ।
୧.କାଳିଆ ଯୋଜନା- ରାଜ୍ୟରେ ଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ‘କାଳିଆ ଯୋଜନା’ ଆରମ୍ଭ କରିଛନ୍ତି ।ଏହି ଯୋଜନା ମାଧ୍ୟରେ ସିଧା ସଳଖ ଯୋଜନାରେ ଅନ୍ତର୍ଭୁତ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବାର ବ୍ୟବସ୍ଥା କରାଯାଇଛି ।ରାଜ୍ୟର ସମସ୍ତ ଛୋଟ ଛୋଟ ଚାଷୀଙ୍କୁ ପ୍ରତି ରବି ଓ ଖରିଫ ଋତୁରେ ଚାଷକାର୍ଯ୍ୟ ପାଇଁ ବିହନ, ସାର, କୀଟନାଶକ,ଔଷଧ କିଣିବା ସହିତ ମଜୁରି ଓ ଅନ୍ୟନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ୫ଟି ଫସଲ ରତୁରେ ମୋଟ୍ ୨୫,୦୦୦ ଟଙ୍କାର ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ୨୦୧୯ ମସିହାରେ ଆରମ୍ଭ ହୋଇଥିବା ଏହି ଯୋଜନା ମାଧ୍ୟମରେ ପ୍ରତିବର୍ ରାଜ୍ୟର ଲକ୍ଷାଧିକ କୃଷକ ସହାୟତା ପାଇପାରୁଛନ୍ତି । ତେବେ କାଳିଆ ଯୋଜନା ସମ୍ପର୍କରେ ଆପଣ ଅଧିକ ସୂଚନା ଜାଣିବାକୁ ଚାହୁଁଥିଲେ କାଳିଆ ପୋର୍ଟାଲକୁ ଗସ୍ତ କରି ସଂଗ୍ରହ କରିପାରିବେ ।
୨.କୃଷି ଉଦ୍ୟୋଗ ଯୋଜନା- ଚାଷୀମାନଙ୍କ ଆୟ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ କୃଷି ଉଦ୍ୟୋଗ ଯୋଜନା ପ୍ରମୁଖ ଭୂମିକା ଗ୍ରହଣ କରିଛି । କୁକୁଡ଼ା ଚାଷ, ଗୋପାଳନ, ଅଣ୍ଡା ଉତ୍ପାଦନ, ଛେଳି ଓ ମେଣ୍ଢା ପାଳନ, ଦୁଗ୍ଧ ପ୍ରକ୍ରିୟାକରଣ, ଗୋଖାଦ୍ୟ ଉତ୍ପାଦନ, ମତ୍ସ୍ୟଚାଷୀ ନିମନ୍ତେ ଏହି ଯୋଜନା ମାଧ୍ୟମରେ କୃଷକଙ୍କୁ ପ୍ରୋତ୍ସାହନ ଯୋଗାଉଛନ୍ତି ରାଜ୍ୟ ସରକାର। ଏହି ଯୋଜନା ମାଧ୍ୟମରେ ଉପରୋକ୍ତ ଚାଷ କାର୍ଯ୍ୟ ପାଇଁ କୃଷକମାନେ ରାଜ୍ୟ ସରକାରଙ୍କ ଠାରୁ ଋଣ ନେଇପାରିବେ ।ସ୍ୱୟଂ ସହାୟକ ଗୋଷ୍ଠୀ ,ବେସରକାରୀ ସଂସ୍ଥା ,ବେସରକାରୀ କମ୍ପାନୀଗୁଡ଼ିକୁ ଅଟକଳ ୪୦% ରିହାତି ମିଳିପାରିବାର ବ୍ୟବସ୍ଥା ରହିଛି । ସେହିପରି ଅନୁସୂଚିତ ଜାତି ଓ ଉପଜାତି ,ମହିଳା ,କୃଷି ବା ଆନୁଷଙ୍ଗିକ ବିଭାଗରେ ସ୍ନାତକତ୍ୱ ହାସଲ କରିଥିବାବ୍ୟକ୍ତିଙ୍କ ପାଇଁ ରିହାତିର ପରିମାଣ ୫୦% ଯାହାକି ୭୫ ଲକ୍ଷ୍ୟ ପର୍ଯ୍ୟନ୍ତ ସୀମିତ ଅଟେ । ଯେକୌଣସି ରାଷ୍ଟ୍ରାୟତ ବ୍ୟାଙ୍କ ମାଧ୍ୟମରେ କୃଷକମାନେ ଋଣ ନେଇପାରିବେ । ନିୟମ ଅନୁଯାୟୀ ହିତାଧିକାରୀଙ୍କୁ ମୋଟ ଅଟକଳର କିଛି ଅଂଶ ଜମା କରିବାକୁ ପଡ଼ିଥାଏ ।
୩.ମତ୍ସ୍ୟଜୀବି ଉନ୍ନୟନ ଯୋଜନା- ଆମ ରାଜ୍ୟ ଜଳ ସମ୍ପଦରେ ପରିପୂର୍ଣ୍ଣ ଅଟେ। ଏଠାରେ ମଧୁରଜଳ, କ୍ଷାରପାଣି ଓ ସାମୁଦ୍ରିକ ମାଛ ଉତ୍ପାଦନ ପାଇଁ ଯଥେଷ୍ଟ ସୁବିଧା-ସୁଯୋଗ ରହିଛି । ମାଛଚାଷ ପାଇଁ ଓଡିଶାରେ ସମସ୍ତ ପ୍ରକାର ଅନୁକୂଳ ପରିସ୍ଥିତି ଉପଲବ୍ଧ । ତେଣୁ ରାଜ୍ୟ ସରକାର ଏହି ଯୋଜନା ମାଧ୍ୟମର ରାଜ୍ୟରେ ମାଛ ଉତ୍ପାଦନ ବୃଦ୍ଧି ଓ ମତ୍ସ୍ୟଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି ।ରାଜ୍ୟର ସମୁଦ୍ର ଉପକୂଳ ବସ କରୁଥିବା ମତ୍ସ୍ୟଜୀବିମାନେ ସମୁଦ୍ର ଏରିଆରୁ ମାଛଧରି ଜୀବିକା ନିର୍ବାହ କରୁଥିବା ବେଳେ ଏହାକୁ ପୂର୍ଣ୍ଣାଙ୍ଗ ଜୀବିକା ଓ ପେଷା ଭାବରେ ଗ୍ରହଣ କରି ନିଜର ଆର୍ଥିକ ସୁଧାର ଆଣିବା ସହିତ ରାଜ୍ୟର ପ୍ରଗତି ପାଇଁ ସରକାର ଏହି ଯୋଜନା ଚଳାଇଛନ୍ତି ।
୪. କୃଷି ବ୍ୟବସାୟର ବିକାଶ ନିମନ୍ତେ ପୁଞ୍ଜିନିବେଶ ଯୋଜନା- କୃଷି ଓ ସମବାୟ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ‘କ୍ଷୁଦ୍ର ଚାଷୀମାନଙ୍କ କୃଷି ବ୍ୟବସାୟ ସଂଘ ‘ ଏକ ପଞ୍ଜୀକୃତ ସମିତି ଯାହାର ଲକ୍ଷ ହେଉଛି କୃଷି ବ୍ୟବସାୟ ପ୍ରକଳ୍ପ ପ୍ରତିଷ୍ଠା କରିବାରେ ଘରୋଇ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରି ଗ୍ରାମାଞ୍ଚଳରେ ଆୟ ଓ ନିଯୁକ୍ତିର ବିକାଶ କରିବା ।କୃଷି ବ୍ୟବସାୟର ଉନ୍ନତି ପାଇଁ ଉଦ୍ଦିଷ୍ଟ ‘କ୍ଷୁଦ୍ର କୃଷକମାନଙ୍କ ପାଇଁ ଏହି ଯୋଜନା’ ବ୍ୟକ୍ତି ବିଶେଷ, ଉତ୍ପାଦକ ଗୋଷ୍ଠୀ ତଥା ବିଭିନ୍ନ ସଂସ୍ଥା ମାନଙ୍କୁ ପ୍ରକଳ୍ପ ବିବରଣୀ ପ୍ରସ୍ତୁତ କରୁଥିବା ସଂଗଠନ ମାନଙ୍କୁ କୃଷି ବ୍ୟବସାୟ ପ୍ରକଳ୍ପ ପ୍ରତିଷ୍ଠା କରିବା ଓ ପ୍ରକଳ୍ପ ଉନ୍ନୟନ ସୁଯୋଗ ସୃଷ୍ଟି କରିବା ପାଇଁ ‘ଉଦ୍ୟୋଗ ପୁଞ୍ଜୀ ଋଣ ସହାୟତା ପ୍ରଦାନ କରିଥାଏ। ଏହି ଯୋଜନାର ମୂଳ ଲକ୍ଷ ହେଲା ଯେପରି ହିତାଧିକାରୀ ଗୋଟିଏ ସ୍ଥାନରୁ ବ୍ୟବସାୟିକ ପୁଞ୍ଜି, ବ୍ୟାଙ୍କର ମିଆଦି ଋଣ ଓ କାର୍ଯ୍ୟକାରୀ ମୂଳଧନ ପାଇପାରିବେ। କୃଷକ, କୃଷକ ଉତ୍ପାଦକ ସଙ୍ଗଠନ, କୃଷି ଉଦ୍ୟୋଗୀ ସଂସ୍ଥା, କୃଷି ରପ୍ତାନି ଇଲାକାରେ ଥିବା ଉଦ୍ୟୋଗ, ସଂଗଠନ ତଥା କୃଷି ସ୍ନାତକତ୍ତ୍ୱମାନଙ୍କୁ ବ୍ୟାଙ୍କ ଋଣ ପାଇଁ ଯୋଗ୍ୟ ବିବେଚିତ ସମ୍ପୂର୍ଣ୍ଣ ପ୍ରକଳ୍ପ ବିବରଣୀ ପ୍ରସ୍ତୁତି ନିମନ୍ତେ ‘କ୍ଷୁଦ୍ର ଚାଷୀ କୃଷି ବ୍ୟବସାୟ ସଙ୍ଘ’ ‘ପ୍ରକଳ୍ପ ଉନ୍ନୟନ ସୁବିଧା ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥାଏ ।
୫.ଗ୍ରାମୀଣ ଭଣ୍ଡାରଣ ଯୋଜନା- ସାଧାରଣତଃ ଦେଖାଯାଏ କି ଫସଲ ଅମଳ ପରେ ନିଜ ସାମଗ୍ରୀକୁ ଗଚ୍ଛିତ ରଖିବା ପାଇଁ କ୍ଷୁଦ୍ର ଚାଷୀଙ୍କ ପାଖରେ ଭଲ ଭଣ୍ଡାରର ଅଭାବ ଥାଏ । ଆର୍ଥିକ ଅଭାବ ଯୋଗୁ ଛୋଟ ଚାଷୀଟି ନିଜ ଫସଲକୁ ସାଇତି ରଖି ନପାରି ଅଳ୍ପ ଦାମରେ ଦଲାଲଙ୍କୁ ବିକି ଦେଇଥାଏ । ତେଣୁ ଗ୍ରାମୀଣ ଗୋଦାମ ଗୁଡିକ ଏହି କ୍ଷୁଦ୍ର ଚାଷୀ ମାନଙ୍କୁ ସେମାନଙ୍କ ଉତ୍ପାଦକୁ ସାଇତି ରଖିବାର କ୍ଷମତା ବଢାଇ ଥାଏ ଓ ଅଭାବୀ ବିକ୍ରିରୁ ରକ୍ଷା କରିଥାଏ । ସେଥିପାଇଁ ଭାରତ ସରକାର ଏହି ଯୋଜନାର ଆରମ୍ଭ କରିଥିଲେ ।କ୍ଷେତ ଉତ୍ପାଦ, ପ୍ରକ୍ରିୟାକୃତ କ୍ଷେତ ଉତ୍ପାଦ, କୃଷି ନିବେଶ ଗୁଡିକର ବୈଜ୍ଞାନିକ ସଂଚୟନ ସହ ଆନୁଷଙ୍ଗିକ ସୁବିଧା ପାଇଁ ତଥା କ୍ଷୁଦ୍ର ଚାଷୀ ମାନଙ୍କୁ ବିପଣନ ଋଣ ବନ୍ଦୋବସ୍ତ ମାଧ୍ୟମରେ ଅଭାବୀ ବିକ୍ରୀରୁ ବଞ୍ଚେଇବା ଏହି ଯୋଜନାର ମୂଳ ଲକ୍ଷ ।
Share your comments