ସୁସ୍ଥ ରହିବା ପାଇଁ ସମସ୍ତେ ଉତ୍ତମ ଜୀବନଶୈଳୀ ସହ ସଠିକ ଖାଦ୍ୟ ଖାଇବାକୁ ଭଲ ପାଆନ୍ତି । ବିଶେଷ କରି ସକାଳେ ଖାଲି ପେଟରେ କିଛି ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ବିଶେଷଜ୍ଞ ପରାମର୍ଶ ଦେଇଥାଆନ୍ତି । ଅପୂର୍ବ ସୁଗନ୍ଧ ଓ ନିଆରା ସ୍ୱାଦ ପାଇଁ ଗୁଜୁରାତିକୁ ( cardamom ) ଭାରତୀୟ ମସଲାର ରାଣୀ ମଧ୍ୟ କୁହାଯାଏ । ଏହାର ମଞ୍ଜି ଓ ଚୋପା ଖୁବ ବାସ୍ନାଯୁକ୍ତ । ଖାଦ୍ୟର ସ୍ୱାଦ ଓ ବାସ୍ନା ବଢ଼ାଇବା ପାଇଁ ଆମେ ଗୁଜୁରାତି ବ୍ୟବହାର କରିଥାଉ ପ୍ରାୟତଃ ସମସ୍ତ ଖାଦ୍ୟ ରେ ।
ଆମିଷ ହେଉ କି ନିରାମିଷ, ସବୁ ପ୍ରକାରର ତରକାରୀରେ ବି ଗୁଜୁରାତି ଗୁଣ୍ଡକୁ ଭାରତୀୟମାନେ ବ୍ୟବହାର କରିଥାନ୍ତି । ଏହା ବ୍ୟଞ୍ଜନର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ । ଖାସ୍ କରି ଚା’ରେ ଅଧିକାଂଶ ଲୋକ ଗୁଜୁରାତି ପକାଇବାକୁ ପସନ୍ଦ କରନ୍ତି । ଏହାର ବାସ୍ନା ଚା’ର ସ୍ୱାଦ ବଢ଼ାଇଦିଏ । କହିବାକୁ ଗଲେ ଭାରତୀୟ ବ୍ୟଞ୍ଜନରେ ବ୍ୟବହୃତ ହେଉଥିବା ଗରମ ମସଲାରେ ଗୁଜୁରାତି ଏକ ପ୍ରମୁଖ ଉପାଦାନ ।
ସାଧାରଣତଃ ସବୁଜ ଅଳେଇଚକୁ ଗୁଜୁରାତି ବୋଲି କୁହାଯାଏ । ଏହାର ଅପୂର୍ବ ସୁଗନ୍ଧ ଓ ସ୍ୱାଦ ହିଁ ଏହାର ବିଶିଷ୍ଟତା । ଭାନିଲା ଓ କେଶର ପରେ ଗୁଜୁରାତି ହେଉଛି ସବୁଠୁ ଦାମିକିଆ ମସଲା । ପାନ ହେଉ କି ଚା, ସବୁଠି ଗୁଜୁରାତି ଦରକାର ହୋଇଥାଏ । ପୁଣି ଓଡ଼ିଆରେ ପ୍ରସ୍ତୁତ ହେଉଥିବା ମିଷ୍ଠାନ୍ନ ହେଉ କି କେକ୍ ସବୁଥିରେ ଗୁଜୁରାତି ରହିଥାଏ । ଗୁଜୁରାତିର ଜନ୍ମସ୍ଥଳୀ ହେଉଛି ଦକ୍ଷିଣ ଭାରତର ଆର୍ଦ୍ର ଚିରହରିତ ପଶ୍ଚିମଘାଟ ପର୍ବତମାଳା । ପଶ୍ଚିମଘାଟ ପର୍ବତମାଳାର ୭୬୦ରୁ ୧୫୩୦ ମିଟର ଉଚ୍ଚତା ମଧ୍ୟରେ ଗୁଜୁରାତି ଗଛ ଆପେ ଆପେ ବଢିଥାଏ । ସେହିପରି ଶ୍ରୀଲଙ୍କାର କିଛି ସ୍ଥାନରେ ମଧ୍ୟ ଆପେ ଆପେ ଗୁଜୁରାତି ଗଛ ବଢିଥାଏ । ଶ୍ରୀଲଙ୍କାର ରତ୍ନପୁର ଓ ଲୁନୁଗଳାରେ ଅଧିକ ପରିମାଣର ଗୁଜୁରାତି ଗଛ ଦେଖାଯାଏ । ଏହି ଗଛ ଦେଖିବାକୁ ଅଦା ଓ ହଳଦୀ ଗଛ ଭଳି ।
ଗୁଜରାତିର ଆକାର ଦୃଷ୍ଟିରୁ ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଗୋଟିଏ ହେଲା - ବଣୁଆ ଗୁଜୁରାତି ଅନ୍ୟଟି ଚାଷ ଗୁଜୁରାତି । ଜଳବାୟୁରେ ବିଭିନ୍ନତା ଯୋଗୁଁ ଗୁଜୁରାତିରେ ମଧ୍ୟ ପ୍ରଭେଦ ଦେଖିବାକୁ ମିଳେ । ଭିନ୍ନ ଭିନ୍ନ ପ୍ରଣାଳୀରେ ଗୁଜୁରାତି ଚାଷ କରାଯାଏ । ତେବେ ଛାଇରେ ଗୁଜୁରାତି ଗଛ ଭଲ ବଢେ । କଫି ଗଛ ଠାରୁ ମଧ୍ୟ ଅଧିକ ଛାଇ ଆବଶ୍ୟକ କରେ ଗୁଜୁରାତି ଗଛ । ଭାରତର ମାଲାବାର ଓ କର୍ଣ୍ଣାଟକ ଜାତୀୟ ଗୁଜରାତି ପାଇଁ ବେଶ୍ ଲୋକପ୍ରିୟ ।
ଭାରତର ପାଣିପାଗ ଗୁଜୁରାତି ପାଇଁ ବେଶ୍ ଅନୁକୂଳ । ନାନାଦି ମୃତ୍ତିକାରେ ମଧ୍ୟ ଗୁଜୁରାତି ଚାଷ ହୋଇପାରେ । ମହାରାଷ୍ଟ୍ରର ଉତ୍ତର କାନଡା, କର୍ଣ୍ଣାଟକର ସୀମାଗୋ, ନୀଳଗିରି ପର୍ବତମାଳାର ଉତ୍ତର ଓ ଦକ୍ଷିଣ ପାଦ ପାହାଡ଼, ତାମିଲନାଡୁର ଆନ୍ନାମଲା ଓ କେରଳର କାର୍ଡମମ ପର୍ବତମାଳାରେ ଗୁଜୁରାତି ପ୍ରଚୁର ପରିମାଣରେ ଚାଷ କରାଯାଉଛି । ଗୁଜୁରାତି ଯେ କେବଳ ଖାଦ୍ୟର ନିଆରା ସ୍ୱାଦ ସୃଷ୍ଟି କରେ ତାହା ନୁହେଁ ଏହା ମନୁଷ୍ୟ ଶରୀର ତଥା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଉପକାରୀ ।
( benefits of cardamom ) ଗୁଜୁରାତିରେ ପୋଷକ ତତ୍ତ୍ୱ ସହିତ ଆଲଫା - ଟେର୍ପିନ୍, ଲିମୋନିନ୍, ମାଇକାନିନ ଏବଂ ମେଥୋଫୋନ୍ ଗୁଣ ରହିଥାଏ । ଏହାକୁ ଚୋବାଇବା ଦ୍ୱାରା ନିଶା ଅଭ୍ୟାସ ଦୂର ହେବା ସହିତ ରାତିରେ ଭଲ ନିଦ ମଧ୍ୟ ହୋଇଥାଏ ।ଗୁଜୁରାତି ରେ ଆୟୁର୍ବେଦିକ ଗୁଣ ଭରପୂର ରହିଛି । ଏହା ପାଚନ ପ୍ରକ୍ରିୟାରେ ଉନ୍ନତି ଆଣିବା ସହିତ ଏବଂ ପେଟ ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା କରିଥାଏ । ଗୁଜୁରାତିରେ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ରହିଛି । ଗୁଜୁରାତି ଥଣ୍ଡା ଏବଂ କାଶ ଏବଂ କିଛି ଶ୍ୱାସକ୍ରିୟା ଜନିତ ସମସ୍ୟାକୁ ମଧ୍ୟ ଭଲ କରିବାରେ ସାହାଯ୍ୟ କରିଥାଏ । ପ୍ରତିଦିନ ଚା'ରେ ଅଳ୍ପ ଗୁଜୁରାତି ପକାଇ ପିଇଲେ ଏହା ଶରୀରକୁ ଉଷ୍ମତା ପ୍ରଦାନ କରି ଥଣ୍ଡାରୁ ଆରମ ଦେଇଥାଏ ।
ଉଚ୍ଚ ରକ୍ତଚାପକୁ ହ୍ରାସ କରେ ଏହି ଗୁଜୁରାତି । ଆୟୁର୍ବେଦିକର ଘରୋଇ ଉପଚାର ଅନୁସାରେ ଏକ ଚାମଚ ଧନିଆ ଏବଂ ଅଳ୍ପ ଗୁଜୁରାତି ଗୁଣ୍ଡ ମିଶାଇ ପିଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ । ଏହା ଲିଭରକୁ ଠିକ୍ ଭାବେ କାମ କରିବାରେ ସହାୟକ ହୋଇଥାଏ । ବାନ୍ତି ଲାଗୁଥିଲେ ପାଟିରେ ଗୁଜୁରାତି ପକାଇଲେ , ବାନ୍ତି ଅଟକି ଥାଏ । ସେହିପରି ଯଦି ଏସିଡିଟି ସମସ୍ୟା ଥାଏ ତେବେ କିଛି ଗୁଜୁରାତି ଚୋବାନ୍ତୁ । ଗ୍ୟାସ୍ ସମସ୍ୟା ବି ଦୂରେଇ ଥାଏ ଏହାଦ୍ୱାରା । ଡାଇବେଟିସ୍ ରୋଗୀଙ୍କ ପାଇଁ ଗୁଜୁରାତି ଏକ ବରଦାନ ସଦୃଶ୍ୟ । ଏହା ଶରୀରର ରକ୍ତଚାପକୁ ନିୟନ୍ତ୍ରୟ କରିଥାଏ । ଫଳରେ ଡାଇବେଟିସ୍ କଣ୍ଟ୍ରୋଲରେ ରହେ । ଗୁଜୁରାତିରେ ମେଟାବୋଲିଜିମ୍ ରହିଥାଏ ଯାହା ଶରୀରକୁ ଅଧିକ ଚର୍ବିକୁ ଦକ୍ଷତାର ସହିତ ନଷ୍ଟ କରିବାରେ ସାହାଯ୍ୟ କରିଥାଏ ।
କେବଳ ସ୍ୱାସ୍ଥ୍ୟ ଦୃଷ୍ଟିରୁ ନୁହେଁ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ମଧ୍ୟ ଗୁଜୁରାତି ବେଶ୍ ଉପଯୋଗୀ । ତ୍ୱଚା ପାଇଁ ମଧ୍ୟ ଗୁଜୁରାତି ଔଷଧ ଭଳି କାମ ଦେଇଥାଏ । ତ୍ୱଚାର ଦାଗକୁ ଦୂର କରିବାରେ ଏହା ସାହାଯ୍ୟ କରେ । ଗୁଜୁରାତି ଶରୀରର ରଙ୍ଗକୁ ଗୋରା କରିବାରେ ସାହାଯ୍ୟ କରିଥାଏ । କେବଳ ଏତିକି ନୁହେଁ ଗୁଜୁରାତିର ତେଲ ଆପଣଙ୍କ ତ୍ୱଚାର ଦାଗ ହଟାଇବାରେ ମଧ୍ୟ ସାହାଯ୍ୟ କରେ । ଫଳରେ ତ୍ୱଚାର ରଙ୍ଗ ସଫା ହୁଏ । ଆପଣ ଚାହିଁଲେ ଗୁଜୁରାତିକୁ ପାଉଡର କରି ସେଥିର ମହୁ ମିଶାଇ ଫେସ୍ମାସ୍କ ଭାବେ ମଧ୍ୟ ମୁହଁରେ ଲଗାଇପାରିବେ ।
ଗୁଜୁରାତି ତେଲକୁ ପ୍ରାୟତଃ ବ୍ୟୁଟି ପ୍ରଡକ୍ଟରେ ବ୍ୟବହାର କରାଯାଏ । ଖାସ୍ କରି ଲିପ୍ବାମ୍ଗୁଡ଼ିକରେ ଗୁଜରାତି ତେଲ ବ୍ୟବହୃତ ହୋଇଥାଏ । ଗୁଜୁରାତି ଗୁଣ୍ଡ ସହିତ ମହୁ ମିଶାଇ ମଧ୍ୟ ଓଠରେ ଲଗାଇଲେ ଓଠ ମୁଲାୟମ ହୋଇଥାଏ । ଖାଲିପେଟରେ ଗୁଜୁରାତି ଖାଇବା ଦ୍ୱାରା ଗ୍ୟାଷ୍ଟ୍ରିକ,ବଦହଜମି ଭଳି ସମସ୍ୟା ଦୂର ହୋଇଥାଏ। ଏଥିରେ ଫାଇବର ଥିବାରୁ କୋଷ୍ଠାକଠିନ୍ୟ ସମସ୍ୟା ମଧ୍ୟ ହୋଇନଥାଏ । ଖାଲି ପେଟରେ ଗୁଜୁରାତି ଖାଇବା ଦ୍ୱାରା ଭୋକ ବଢିଥାଏ । ଭୋକ ହେଉନଥିବା ବ୍ୟକ୍ତିଙ୍କ ପାଇଁ ଭୋକ ବଢାଇବାର ଏହା ହେଉଛି ଉତ୍ତମ ବିକଳ୍ପ । ଖାଲି ପେଟରେ ଗୁଜୁରାତି ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇ ରହିଥାଏ। ଉଷୁମ ପାଣିରେ ଗୁଜୁରାତି ପକାଇ ଏହାକୁ ପାଣି ପିଇପାରିବେ ।
Share your comments