ଅନନ୍ତମୂଳ(India Sarsaparilla) ଏକ ବହୁବର୍ଷୀୟୁ , ପତଳା, ଗୁଳ୍ମଜାତୀୟ ଆରୋହଣଶୀଳ ଲଟା ଅଟେ । ଏହା ଲଟା ସଦୃଶ ଉଦ୍ଭିଦଟି(Plant) ଜାତୀୟ ସମଗ୍ର ପ୍ରାନ୍ତରେ ବିଶେଷତଃ ବିହାର , ପଶ୍ଚିମବଙ୍ଗ , ସୁନ୍ଦରବନ , ପଶ୍ଚିମଘାଟ , ମଧ୍ୟପ୍ରଦେଶ ଏବଂ ଦାକ୍ଷଣାତ୍ୟ ପ୍ରଦେଶମାନଙ୍କରେ ପ୍ରାକୃତିକ ରୂପରେ ଜଙ୍ଗଲରେ ଦେଖାଯାଇଥାଏ । ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତିରେ ଏହା ଏକ ପ୍ରମୁଖ ବନୌଷଧି ଭାବରେ ମାନ୍ୟତା ଲାଭ କରିଛି । ଆୟୁର୍ବେଦର ପ୍ରସିଦ୍ଧ ଶାସ୍ତ୍ରୀୟ ଔଷଧ “ ସାରିବାଦ୍ୟାସବ” (ରକ୍ତ ପରିଷ୍କାର କରିବା ନିମିତ୍ତ ଉଦ୍ଧିଷ୍ଟ )ର ମୁଖ୍ୟ ଘଟକ ଦ୍ରବ୍ୟ ହେଉଛି ଅନନ୍ତମୂଳ । ପୂର୍ବେ ଏହା ପ୍ରାକୃତିକ ଭାବରେ ପ୍ରଚୁର ପରିମାଣରେ ଉପଲ୍ଲବ୍ଧ ହେଉଥିଲା । କିନ୍ତୁ ସମ୍ପ୍ରତି ବନ୍ୟ ସମ୍ପଦର ଅବକ୍ଷୟ ଯୋଗୁଁ ଏହା ଦୁଷ୍ପ୍ପାପ୍ୟ ପ୍ରାୟ ହେବାକୁ ବସିଲାଣି । ଏହି କାରଣରୁ ଏହାର ଔଷଧୀୟ ଚାହିଦା ନିମିତ୍ତ ଏହି ଔଷଧୀୟ ବନସ୍ପତିର କୃଷିକରଣ ଅନିର୍ବାର୍ଯ୍ୟ ହୋଇପଡିଛି ।
ଔଷଧୀୟ ଗୁଣ ଓ ପ୍ରୟୋଗ:
ଆୟୁର୍ବେଦର ଦ୍ରବ୍ୟଗୁଣ ଶାସ୍ତ୍ରରେ ବର୍ଣ୍ଣିତ ତଥ୍ୟ ଅନୁସାରେ ଅନନ୍ତମୂଳ, ମୁତ୍ରବିରେଚନୀୟ , ଅଗ୍ନିବର୍ଦ୍ଧକ,ଚର୍ମଦୋଷହର,ଗୁଣଯୁକ୍ତ ଅଟେ । ଏହାର ପ୍ରୟୋଗ ଜ୍ଵର , କୁଷ୍ଠ, ପ୍ରଭୁତିଳ ଚର୍ମ ରୋଗ , ଫିରଙ୍ଗ , ଜୀର୍ଣ୍ଣଆମବାତ , ପ୍ରଦର, ଅତିସାର ପ୍ରମେହ ଏବଂ ଶ୍ଵାସ କାସାଦିରେ ପ୍ରୟୋଗ କରାଯାଏ । ଏହା ସହିତ ଗୁଳ୍ମଟି ଏବଂ ସୁଗନ୍ଧି ଦ୍ରବ୍ୟ ମିଶାଇ ଔଷଧ ପ୍ରସ୍ତୁତ କାଲେ ତାହା ଅଧିକ ପ୍ରଭାବଶାଳୀ ହୋଇଥାଏ ।ଫିରଙ୍ଗର ଦ୍ଵିତୀୟବସ୍ଥାରେ ତଥା ଅନ୍ୟ ଚର୍ମରୋଗରେ ଏହାର ଗୁଳୁଚି ସହ ଦେଲେ ବିଶେଷ ଲାଭ ମିଳିଥାଏ ।
ଛୋଟ ପିଲାମାନଙ୍କର ଦୁର୍ବଳତା ତଥା ପାଣ୍ଡୁ ରୋଗରେ ଏହାକୁ ବାଇବିଡଙ୍ଗ ସହିତ ଦେଲେ ବିଶେଷ ଉପକାର ମିଳିଥାଏ । ଆହୁରି ମଧ୍ୟ ପ୍ରଦତ୍ତ ରୋଗର ଦେଶୀୟ ଚିକିତ୍ସାରେ ଏହାର ପ୍ରୟୋଗ କରାଯାଇଥାଏ । ବ୍ରଣ ଉପରେ ଏହାର ମୂଳର ଲେପ ଦିଆଯାଏ । ନେତ୍ରାଭିଷ୍ୟନ୍ଦରେ ଏହାର ଦୁଧ ଆଖିରେ ପକାଯାଏ । ଆହୁରି ମଧ୍ୟ ଏହାର ସ୍ଵେଦଜନନ ପ୍ରଭାବ ହେତୁ ଏହା ସହିତ ଅନ୍ୟ ଜ୍ଵରଘ୍ନ ଔଷଧଗୁଡିକ ପ୍ରୟୋଗ କଲେ ମ୍ୟାଲେରିଆ , ପିତ୍ତଜ୍ଵର , ପାଳିଜ୍ଵର ସମେତ ଅନେକ ପ୍ରକାର ଜ୍ଵର ରୋଗକୁ ବିଶେଷ ଉପଶମ ମିଳିଥାଏ ।
ଚାଷ ପ୍ରଣାଳୀ:
ମୃତ୍ତିକା ଓ ଜଳବାୟୁ:
କମ୍ପୋଷ୍ଟ ବା “ଖତ” ମିଶ୍ରିତ ଦୋରସା ମାଟି ଏହାର ଚାଷ ପାଇଁ ଉପଯୁକ୍ତ । ଏହା ବିବିଧ ପ୍ରକାର ଜଳବାଯୁରେ ବଢିପାରେ ।
ରୋପଣ ପଦ୍ଧତି:
ଏହାର ମଞ୍ଜିକୁ ୨୪ ଘଣ୍ଟା ପାଇଁ ପାଣିରେ ଭିଜାଯାଏ । ତାପରେ ପଟାଳି ପ୍ରସ୍ତୁତ କରି ବୁଣାଯାଏ । ପ୍ରାୟ ୯୫ ପ୍ରତିଷ୍ଟ ଭାଗ ମଞ୍ଜିରୁ ଗଜା ବାହାରେ ଓ ଗଜା ବାହାରିବାକୁ ୧୦-୧୪ ଦିନ ଲାଗେ । ୪-୬ ପତ୍ର ହୋଇଗଲେ ପଲିଥିନ ମୁଣାରେ ମାଟି ଭର୍ତ୍ତି କରି ଲଗାଯାଏ । ୨ ମାସ ପରେ ଚାରାଗଛକୁ ୩୦ ସେମି x ୩୦ସେମି x ୩୦ସେମି ର ଗାତ ଖୋଳି ପୋତାଯାଏ ।
ଅଙ୍ଗୀୟ ଜନନ:
ଏହାର କନ୍ଦଳ ମୂଳକୁ ପ୍ରାୟ ୧୦ ସେମି ଲମ୍ବରେ ଖଣ୍ଡ ଖଣ୍ଡ କରି ପଲିଥିନ ମୁଣାରେ ଲଗାଯାଏ । ପ୍ରାୟ ୧୫-୨୦ ଦିନ ଭୀତରେ ଚେର ଅଙ୍କୁରିତ ହୋଇଥାଏ । ଶତକଡା ୪୦ ଭାଗ କଟା ଚେରରୁ ଗଛ ବାହାରିଥାଏ । କଟା ଡାଳକୁ ମଧ୍ୟ ନୋରିକ ଅମ୍ଳ (୨୫୦ ପି.ପି. ଏମ) ଓ ଆଇ.ବି. ଏ. (୧୦୦ ପି.ପି. ଏମ) ରେ ୧୨ ଘଣ୍ଟା ବୁଡାଇ ରଖି ଲଗାଇଲେ ଗଜା ବାହାରେ ।
ରୋପଣ ପରବର୍ତ୍ତୀ ଯତ୍ନ:
ଚାରାଗଛ ରୋପଣ ପରେ ଗାଈଗୋରୁଙ୍କ ଦାଉରୁ ରକ୍ଷା କରିବା ପାଇଁ ଗୋଲାକାର ବାଦଦେବା ଉଚିତ । ଗ୍ରୀଷ୍ମ ଦିନେ , ମଝିରେ ମଝିରେ ସିଞ୍ଚା ଜଳସେଚନ ବ୍ୟବସ୍ଥା କରିବା ଦ୍ଵାରା ଗଛ ଖୁବ ଶୀଘ୍ର ବଢିଯାଏ ।
ବ୍ୟବସାୟିକ ସୂଚନା:
ଜାତୀୟ ସ୍ତରରେ ଏହାର ମୂଳ କିଗ୍ରା ପ୍ରତି ୧୨ ଟଙ୍କାରୁ ୪୫ ଟଙ୍କା ଅଟେ । ୧୯୯୯ -୨୦୦୦ ମସିହା ମୂଲ୍ୟ ଅନୁସାରେ ଏହାର ଚେରର ମୂଲ୍ୟ ହାଇଦ୍ରାବାଦରେ କିଗ୍ରା ପ୍ରତି ୪୦ ଟଙ୍କା , କଲିକତା କିଗ୍ରା ପ୍ରତି ୩୭ ଟଙ୍କା , ନୂଆଦିଲ୍ଲୀରେ କିଗ୍ରା ୧୨ ଟଙ୍କାରୁ ୪୦ ଟଙ୍କା , ମୁମ୍ବାଇରେ କିଗ୍ରା ପ୍ରତି ୩୦ ଟଙ୍କାରୁ ୬୦ ଟଙ୍କା , ଚେନ୍ନାଇରେ କିଗ୍ରା ପ୍ରତି ୨୫ , ତୁତିକୁରିନରେ କିଗ୍ରା ପ୍ରତି ୪୫ ଟଙ୍କା , ବାଙ୍ଗାଲୋରରେ କିଗ୍ରା ପ୍ରତି ୪୫ ଟଙ୍କାରୁ ୪୫ ଟଙ୍କା । ଆନ୍ଦ୍ରପ୍ରଦେଶର ଗିରିଜନ ସମବାୟ ସମିତି ୩୦୯ କିଗ୍ରା ଅନନ୍ତ ମୂଳ ୧୯୯୭ରେ ଆମଦାନୀ କରିଥିଲେ ।
ଔଷଧୀୟ ଗୁଣରେ ଭରପୂର ଧନ୍ୱନ୍ତରୀ ଗଛ, ଚାଷ କରନ୍ତୁ, ରୋଜଗାର ବଢ଼ନ୍ତୁ....
Share your comments