କମଳା(Orange) ଗୋଟିଏ ସୁସ୍ଵାଦୁ ଫଳ। କମଳା ରସରେ ବିଭିନ୍ନ ଜୀବନିକା ଓ ଧାତବ ଲବଣ ଥିବାରୁ ଏହା ଏକ ଅତ୍ୟନ୍ତ ଉପାଦେୟ ପାନୀୟ। ଏହାକୁ ରୋଗୀର ପଥି ଭାବରେ ବ୍ୟବହାର କରାଯାଏ। ସାଧାରଣତଃ କମଳା ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। କମଳା ଚାଷ ଏକ ଲାଭଜନକ ବ୍ୟବସାୟ(Profitable Business)।
ପ୍ରକାର ଭେଦ :
ସାଧାରଣତଃ ଦୁଇ ପ୍ରକାରର କମଳା ଦେଖାଯାଏ । ଢିଲା ଚୋପା ଓ ଟାଣ ଚୋପା। ନାଗପୁରର କମଳା,ପାରଳାଖେମୁଣ୍ଡିର ପାଟ କମଳା , ଖସି କମଳା,ଦାର୍ଜିଲିଂ, ସାତସୁମା, ସିଲହଟ କମଳା ଢିଲା ଚୋପା ଜାତୀୟ। ଢିଲା ଚୋପା ଜାତୀୟ କମଳାକୁ ମାଣ୍ଡାରିନ କମଳା କୁହାଯାଏ ଓ ଏହା ଟାଣ ଚୋପା କମଳା ଠାରୁ ଅଧିକ ମିଠା ଓ ଏହା ପଚି ଗଲେ ଏହାର କୋଷା ଚୋପାଠାରୁ ସହଜରେ ଅଲଗା ହୋଇଯାଏ । ମାଲଟା, ମୋଜାମ୍ବି, ସାତଗୁଡି ବାଟାଭିଆ, ଭାଳେନସିଆ, ପାଇନଆପଲ, ଜାଫା, ହାମଲିନ, ୱାସିଙ୍ଗଟନ ନାଭାଲା, ଇତ୍ୟାଦି ଟାଣ ଚୋପା ଜାତୀୟ। ବର୍ତ୍ତମାନ ଢିଲା ଚୋପା ଓ ଟାଣ ସମିଶ୍ରଣରେ ଶଙ୍କର ଜାତୀୟ କମଳା ବାହାରିଲାଣି। ସାତସୁମା ଓ କିନ୍ନୋ ଏହି ଶ୍ରେଣୀରେ।
ଜଳବାୟୁ:
କମଳା ଚାଷ ପାଇନ ନାତିଶୀତୋଷ୍ମ ଜଳବାୟୁ ଉତ୍କୃଷ୍ଟ ଅଟେ। ବରଫପାତ ହେଉନଥିବା ଅଞ୍ଚଳରେ ସମୁଦ୍ର ପତନ ଠାରୁ ୧୫୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ୧୦-୩୦ ଡିଗ୍ରୀ ସେଲସିୟସ ଉତ୍ତାପରେ କମଳା ଚାଷ ଭଲ ହୁଏ। ଯେଉଁ ସ୍ଥାନମାନଙ୍କରେ ଗ୍ରୀଷ୍ମଦିନ ଓ ଶୀତଦିନର ପ୍ରଭାବ ବେଶ ଅନୁଭବ କରିହୁଏ, ସେହି ସ୍ଥାନ ଗୁଡିକ କମଳା ଚାଷ ପାଇଁ ଉପଯୋଗୀ।
ମୃତ୍ତିକା:
କମଳା ଗଛ ପ୍ରାୟତଃ ସବୁ ପ୍ରକାର ମାଟିରେ ଚାଷ ହେଉଥିଲା ବେଳେ ଆସାମର ବାଲିଆ ତଥା ପାହାଡର ଗଡାଣିଆ ରୁଗୁଡିଆ ଲାଟେରାଇଟ ମାଟିରେ ମଧ୍ୟ ଭଲ ହେଉଛି ।ତେଣୁ ଅନୁର୍ବର ଟାଣୁଆ ମାଟିଠାରୁ ଆରମ୍ଭ କରି ଫସଫସିଆ ବା ହାଲକା ମାଟି କମଳା ଚାଷ(Orange Farming) ପାଇଁ ଉପଯୁକ୍ତ। ଚିକିଟା ସନ୍ତସନ୍ତିଆ ମାଟି କମଳା ଚାଷ ପାଇଁ ଅନୁପଯୁକ୍ତ। ସାଧାରଣତଃ ଗଜପତି ଜିଲ୍ଲାର ରାମଗିରି ଓ ଉଦୟଗିରି, ଅନୁଗୁଳର ଟିକରପଡା ଅଞ୍ଚଳ ଓ ପାଲଲହଡାର ଅଞ୍ଚଳରେ ଥିବା ଛୋଟ ନଦୀ ନାଳର ଦୁଇ ପାଖରେ ଥିବା ମାଟିରେ ଭଲ କମଳା ଚାଷ କରାଯାଉଥିବା ଦେଖିବାକୁ ମିଳିଥିଲେ ।
କମଳା ଚାଷ ପାଇଁ ଚାରା ପ୍ରସ୍ତୁତି:
ମଞ୍ଜି ବାହାର କରିବା ପାଇଁ ପାଚିଲା ଫଳକୁ ଦୁଇଫାଳ କରି କାଟି ଦେବ । ଫଳଟିକୁ ଏକା ଥରକେ କାଟି ଦେଲେ ମଞ୍ଜି କଟିଯିବାର ଆଶଙ୍କା ଥାଏ । ତେଣୁ କମଳାର କେବଳ ଚୋପାକୁ କାଟି ଦୁଇ ହାତରେ ମୋଡି ଦେଲେ, ସହଜରେ ଦୁଇଫାଳ ହୋଇଯାଏ । ତା’ପରେ ମଞ୍ଜିକୁ ଗୋଟି ଗୋଟି କରି କାଢିନେଇ ପାଣିରେ ଧୋଇ ଦିଆଯାଏ ଓ ଛାଇରେ ଏକ ପରସ୍ତ କରି ଶୁଖାଇ ଦିଆଯାଏ-। ମଞ୍ଜି ଶୁଖିଗଲା ପରେ ସେଥିରେ ସେରେସାନ ଗୁଣ୍ଡ ଓ ଭଲ କାଠ ପାଉଁଶ କିଛି ଗୋଳାଇ ଥଣ୍ଡା ଜାଗାରେ ରଖାଯାଏ। ଫଳରୁ ବାହାର କରିବାର ୨/୩ ସପ୍ତାହ ମଧ୍ୟରେ ମଞ୍ଜିଗୁଡିକ ତଳି ପଟିରେ ବୁଣାଯାଇଥାଏ ।ମାଟିକୁ ୨/୩ ଥର ହାଣି ଭଲଭାବେ ଗୁଣ୍ଡକରି ତା’ପରେ ଏକ ମିଟର ଓସାର ଓ ୩ମିଟର ଲମ୍ବର ପଟାଳି ପ୍ରସ୍ତୁତ କରନ୍ତୁ। ପ୍ରତି ପଟାଳିରେ ୨ଟୋକେଇ ସଢା ଗୋବରଖତ ବା କମ୍ପୋଷ୍ଟ ସହିତ ୨୦୦ଗ୍ରାମ ସୁପର ଫସଫେଟ ସାର ଭଲଭାବରେ ମିଶାଇ ଦିଅନ୍ତୁ । ପଟାଳିରେ ୧୦ ସେମି ବ୍ୟବଧାନରେ ଧାଡି କରି ପ୍ରତି ଧାଡିରେ ୨.୫ ସେମି ବ୍ୟବଧାନରେ ମଞ୍ଜି ଲଗାନ୍ତୁ। ମଞ୍ଜି ଲଗାଇବା ପୂର୍ବରୁ ସିଧାକରି ୧ସେମି ଗଭୀରର ଗାର ଟାଣି ମଞ୍ଜି ପକାଇ ଗୁଣ୍ଡ ମାଟି , ଖତ ଓ ବାଲି ଘୋଡାଇ ନଡା ଘୋଡାଇ ପାଣି ଦିଅନ୍ତୁ। ନିୟମିତ ଭାବେ ପାଣିମଡାଇ ମାଟିର ବତର ରଖନ୍ତୁ । ମାସକ ମଧ୍ୟରେ ଗଜା ବାହାରିଯାଏ । ଗଛ ୫/୧୦ ସେମି ହୋଇଗଲା ପରେ ସେଗୁଡିକୁ ଅନ୍ୟ ଏକ ପଟାଳିକୁ ଉଠାଇ ନେବା ଉଚିତ। ଏ ପଟାଳିରେ ଧାଡିକୁ ଧାଡି ୩୦ ସେମି ବ୍ୟବଧାନ ଓ ଗଛକୁ ଗଛ ୧୫ସେମି ବ୍ୟବଧାନରେ ଲଗାନ୍ତୁ ।
ଜଳସେଚନ:
ସାଧାରଣତଃ ଦକ୍ଷିଣ ଓଡିଶା(South Part of Odisha)ରେ ମେ-ଜୁନ ମାସରେ କମଳା ଗଛରେ ଫୁଲ ଆସେ ଓ ଉତ୍ତର ଓଡିଶାରେ ଫେବୃୟାରୀ-ମାର୍ଚ୍ଚ ମାସରେ ଫୁଲ ଆସେ । ଫଳ କଷି ଧରିବା ଅବସ୍ଥାରେ ଗଛରେ ପାଣିର ଅଭାବ ହେଲେ କଷି ଝଡିପଡେ । ଫଳ ବଢିବା ସମୟରେ ନିୟମିତ ଜଳସେଚନ ଦରକାର। କମଳା କଷି ଧରିଲା ପରେ ଥରେ ଦୁଇଥର ପ୍ଲାନୋଫିକସ ବା ପ୍ଲାନୋଭିଟା ହରମୋନ ଛିଞ୍ଚିଲେ କଷି କଷି କମଳା ଝଡି ପଡେନି ଓ ବଡ ସାଇଜର ହୁଏ । ଫଳ ବଢିବା ସମୟରେ ନିୟମିତ ଜଳସେଚନ ଦରକାର । ପାହାଡିଆ ଅଞ୍ଚଳ ମାନଙ୍କରେ ବାୟୁ ଅଧିକ ଆଦ୍ରତା ହେତୁ ଓ ଭୂମିନିମସ୍ଥ ମୃତ୍ତିକାରେ ଅନେକ ସମୟ ଜଳ ରହୁଥିବାରୁ ବିନା ଜଳସେଚନରେ କମଳା ଚାଷ କରାଯାଇଥାଏ । ବର୍ଷା ଦିନରେ ଜମି ଚାଷ କରି ଅନାବାନା ଘାସ ନଷ୍ଟ କରିଦେବା ଦରକାର। ୨/୩ ଥର ପାଣି ମଡାଇବା ପରେ ମଧ୍ୟ ମାଟିକୁ ଅଳ୍ପ ଖୁସାଇ ହାଲୁକା ରଖିବା ଉଚିତ ।
ଅମଳ:
ଗଛ ଲଗାଇବାର ୪/୫ ବର୍ଷ ପରେ ଗଛରେ ଫଳ ଧରିବା ଆରମ୍ଭ କରିଥାଏ ଓ ୮ ବର୍ଷ ସୁଦ୍ଧା ଗଛରେ ସମ୍ପୂର୍ଣ୍ଣ ଫଳ ଧାରଣ ଶକ୍ତି ଆସିଥାଏ। ଗୋଟିଏ ଭଲ କମଳା ଗଛରେ ୫୦୦ ରୁ ୧୫୦୦ ପର୍ଯ୍ୟନ୍ତ ଫଳ ଫଳିଥାଏ। ସ୍ଥଳ ବିଶେଷରେ ଅଧିକ ମଧ୍ୟ ଫଳେ। ଟାଣ ଚୋପା କମଳାରେ ପ୍ରାୟ ୨୦୦ ରୁ ୬୦୦ ପର୍ଯ୍ୟନ୍ତ ଫଳ ଆସେ । ଅବଶ୍ୟ ଗଛର ଫଳ ଧାରଣ ଶକ୍ତି ଗଛର ଯତ୍ନ ଓ ଅନ୍ୟାନ୍ୟ ଅବସ୍ଥା ଉପରେ ନିର୍ଭର କରେ । ତେବେ ଉପଯୁକ୍ତ ଯତ୍ନ ନେଲେ ଏକ ହେକ୍ଟର କମଳା ବଗିଚାରୁ ପ୍ରାୟ ୩୦,୦୦୦ ଟଙ୍କା ଆୟ ମିଳିଥାଏ ।