ସେନାବାହିନୀରେ ନିୟୋଜିତ ହୋଇ ଦେଶ ସେବା କରିବା ଲାଗି ଭାରତୀୟ ଯୁବବର୍ଗଙ୍କୁ ସୁଯୋଗ ମିଳିବ । ଏଥିପାଇଁ ଏକ ଆକର୍ଷଣୀୟ ନିଯୁକ୍ତି ଯୋଜନାକୁ କେନ୍ଦ୍ର କ୍ୟାବିନେଟ(central government cabinet) ଅନୁମୋଦନ କରିଛନ୍ତି । ଏହି ଯୋଜନାର ନାମ ରଖାଯାଇଛି ‘ଅଗ୍ନିପଥ’(AGNIPATH) ଏବଂ ଏଥିରେ ନିଯୁକ୍ତି ପାଇବାକୁ ଥିବା ଯୁବକଯୁବତୀମାନଙ୍କୁ ‘ଅଗ୍ନିବୀର’(Agniveers) କୁହାଯିବ । ଅଗ୍ନିପଥ ଯୋଜନା ମାଧ୍ୟମରେ ଦେଶପ୍ରେମୀ ଏବଂ ଅନୁପ୍ରାଣିତ ଯୁବକଯୁବତୀମାନଙ୍କୁ ଚାରି ବର୍ଷର ଅବଧି ଲାଗି ସେନାବାହିନୀରେ ସାମିଲ ହୋଇ ଦେଶସେବା କରିବା ଲାଗି ସୁଯୋଗ ମିଳିବ ।
ଏକ ଯୁବ ସୈନ୍ୟବଳ ସହ ସେନାବାହିନୀକୁ ସଶକ୍ତ କରିବା ଲାଗି ଅଗ୍ନିପଥ ଯୋଜନାର ପରିକଳ୍ପନା ଏବଂ ପ୍ରସ୍ତୁତି କରାଯାଇଛି । ସେନା ପୋଷାକ ପିନ୍ଧି ଦେଶ ସେବା କରିବାକୁ ଚାହୁଁଥିବା ଯୁବବର୍ଗଙ୍କୁ ଏହି ଯୋଜନା ଏକ ଭଲ ସୁଯୋଗ ଦେବ । ବର୍ତ୍ତମାନର ପ୍ରଯୁକ୍ତି ଧାରା ସହ ପରିଚିତ ଯୁବ ପ୍ରତିଭାମାନଙ୍କୁ ଏହି ଯୋଜନା ମାଧ୍ୟମରେ ସେନାବାହିନୀରେ ସାମିଲ କରିବା ଲାଗି ଆମନ୍ତ୍ରଣ କରାଯାଉଛି । ଅନ୍ୟପଟେ ନିଯୁକ୍ତି ଅବଧି ଶେଷ ହେବା ପରେ ଅଗ୍ନିବୀରଙ୍କ ରୂପରେ ସମାଜକୁ ଏକ କୁଶଳ, ଶୃଙ୍ଖଳିତ ଏବଂ ଅନୁପ୍ରାଣିତ ଜନଶକ୍ତି ମିଳିପାରିବ । ଏହି ଯୋଜନା ମାଧ୍ୟମରେ ସେନାବାହିନୀକୁ ଅନେକଗୁଡ଼ିଏ ଲାଭ ମିଳିପାରିବ । ସୈନ୍ୟବାହିନୀରେ ଅଧିକ ଯୁବ ଉତ୍ସାହୀ ସୈନ୍ୟବଳ ନିଯୁକ୍ତ ହୋଇପାରିବେ ଯେଉଁମାନଙ୍କ ମଧ୍ୟରେ ‘ଜୋଶ’ (ଉତ୍ସାହ) ଏବଂ ‘ଜଜ୍ବା’ (ଦୃଢ଼ ମନୋବଳ) ରହିଥିବ । ଏଥିସହିତ ସମୟର ଆବଶ୍ୟକତା ଅନୁଯାୟୀ, ସେନାବାହିନୀରେ ଅଧିକ ପ୍ରଯୁକ୍ତି ସକ୍ଷମ ଯୁବପିଢ଼ିଙ୍କୁ ନିଯୁକ୍ତି ଦେବା ଦିଗରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଅଣାଯାଇ ପାରିବ । ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ଭାରତୀୟ ସୈନ୍ୟବାହିନୀର ହାରାହାରୀ ବୟସ ରୂପରେଖ ବା ପ୍ରୋଫାଇଲ୍ ୪-୫ ବର୍ଷ ପର୍ଯ୍ୟନ୍ତ କମିଯିବ । ଆତ୍ମ-ଅନୁଶାସନ, ପରିଶ୍ରମ ଓ ଏକାଗ୍ରତାର ଗଭୀର ଜ୍ଞାନରେ ଅତ୍ୟଧିକ ଭାବେ ଅନୁପ୍ରାଣିତ ଯୁବବର୍ଗଙ୍କୁ ପ୍ରସ୍ତୁତ ଏବଂ ପ୍ରଶିକ୍ଷିତ କରାଯିବା ଫଳରେ ଦେଶକୁ ଅତ୍ୟଧିକ ଲାଭ ହେବ । ଏପରି ଯୁବକଯୁବତୀମାନେ ଯଥେଷ୍ଟ କୁଶଳୀ ହେବେ ଏବଂ ଅନ୍ୟ କ୍ଷେତ୍ରରେ ଯୋଗଦାନ କରିବା ଲାଗି ସକ୍ଷମ ହୋଇପାରିବେ । ଦେଶ, ସମାଜ ଏବଂ ଦେଶର ଯୁବପିଢ଼ିଙ୍କ ପାଇଁ ଏକ ସ୍ବଳ୍ପକାଳୀନ ସାମରିକ ସେବାର ଖୁବ୍ ଅଧିକ ଲାଭ ମିଳିବ । ଦେଶଭକ୍ତି ଭାବନା, ଦଳଗତ କାର୍ଯ୍ୟ, ଶାରୀରିକ ଫିଟନେସ ବୃଦ୍ଧି ସହିତ ଦେଶ ପ୍ରତି ନିଷ୍ଠା ବୃଦ୍ଧି ପାଇବ । ବାହ୍ୟ ବିପଦ, ଆଭ୍ୟନ୍ତରୀଣ ବିପଦ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜାତୀୟ ସୁରକ୍ଷା ବଢ଼ାଇବା ପାଇଁ ପ୍ରଶିକ୍ଷିତ କର୍ମୀମାନଙ୍କ ଉପଲବ୍ଧତା ବଢ଼ିବ ।
ଦେଢ ବର୍ଷରେ 10 ଲକ୍ଷ ଚାକିରି ଦେବେ ସରକାର ! PM ମୋଦି ଦେଲେ ନିର୍ଦ୍ଦେଶ
Job Alert! ଡାକ ବିଭାଗରେ ଚାକିରି; ଜାଣନ୍ତୁ କେମିତି କରିବେ ଆବେଦନ
ଅଗ୍ନିବୀରଙ୍କୁ ମିଳିବାକୁ ଥିବା ଲାଭ
ଅଗ୍ନିବୀରମାନଙ୍କୁ ଆକର୍ଷଣୀୟ ମାସିକ ବେତନ ପ୍ୟାକେଜ୍ ଦିଆଯିବ । ଏଥିରେ ତିନି ସେନାବାହିନୀ ପାଇଁ ପ୍ରଯୁଜ୍ୟ ବିପଦ ଓ ପରିଶ୍ରମ ଭତ୍ତା ସାମିଲ ରହିବ । ଚାରି ବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ ଅଗ୍ନିବୀରମାନଙ୍କୁ ଏକକାଳୀନ ‘ସେବା ନିଧି’ ପ୍ୟାକେଜ୍ ଦିଆଯିବ । ଏଥିରେ କର୍ତ୍ତବ୍ୟରତ ଥିବା ସମୟରେ ସେମାନଙ୍କର ଆର୍ଥିକ ଯୋଗଦାନ ସହିତ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସମାନ ପରିମାଣର ଯୋଗଦାନ ଉପରେ ଲାଗୁ ସୁଧ ମିଶିବ ।
‘ସେବା ନିଧି’ ପ୍ୟାକେଜ୍କୁ ଆୟ କର ମୁକ୍ତ କରାଯିବ । କୌଣସି ପ୍ରକାର ଗ୍ରାଚ୍ୟୁଇଟି କିମ୍ବା ପେନସନ ଲାଭ ମିଳିବ ନାହିଁ । ଭାରତୀୟ ସେନାବାହିନୀରେ କର୍ତ୍ତବ୍ୟରତ ଥିବା ସମୟରେ ଅଗ୍ନିବୀର ମାନଙ୍କୁ ୪୮ ଲକ୍ଷ ଟଙ୍କାର ଅଣ-ଯୋଗଦାନକାରୀ ଜୀବନ ବୀମା ସୁରକ୍ଷା ପ୍ରଦାନ କରାଯିବ ।
ଦେଶ ସେବାର ଏହି ଅବଧି ସମୟରେ, ଅଗ୍ନିବୀର ମାନଙ୍କୁ ବିଭିନ୍ନ କୌଶଳ ଏବଂ ଅଭିଜ୍ଞତା, ଶୃଙ୍ଖଳା, ଶାରୀରିକ ଫିଟନେସ, ନେତୃତ୍ବ ଗୁଣ, ସାହସ ଏବଂ ଦେଶଭକ୍ତି ଆଦିର ପ୍ରଶିକ୍ଷଣ ଦିଆଯିବ । ଚାରି ବର୍ଷର ଏହି କାର୍ଯ୍ୟକାଳ ପରେ, ଅଗ୍ନିବୀରମାନେ ନାଗରିକ ସମାଜରେ ସାମିଲ ହେବେ ଏବଂ ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇପାରିବେ । ପ୍ରତ୍ୟେକ ଅଗ୍ନିବୀର ହାସଲ କରିଥିବା କୌଶଳକୁ ସେମାନଙ୍କର ବାୟୋଡେଟାରେ ସାମିଲ କରିବା ଲାଗି ଏକ ପ୍ରମାଣପତ୍ର ମଧ୍ୟ ଦିଆଯିବ, ଯାହାକି ଏକ ମାନ୍ୟତା ଭଳି କାର୍ଯ୍ୟ କରିବ । ନିଜ ଯୁବାବସ୍ଥାରେ ଚାରି ବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ, ଅଗ୍ନିବୀର ମାନେ ପରିପକ୍ବ ଏବଂ ଆତ୍ମ-ଅନୁଶାସିତ ହୋଇପାରିବେ । ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ସେମାନଙ୍କର ବ୍ୟକ୍ତିତ୍ବ ବିକାଶ କ୍ଷେତ୍ରରେ ଏହା ସହାୟକ ହୋଇପାରିବ । ଅଗ୍ନିବୀର କାର୍ଯ୍ୟକାଳ ଶେଷ ହେବା ପରେ ନାଗରିକ ସମାଜରେ ସେମାନଙ୍କ ପାଇଁ ପ୍ରଗତିର ନୂଆ ମାର୍ଗ ଓ ସୁଯୋଗ ଖୋଲିବ । ଏହା ନିଶ୍ଚିତ ଭାବେ ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିବ । ଏହାଛଡ଼ା ସେବା ନିଧି ଆକାରରେ ସେମାନଙ୍କୁ ମିଳିବାକୁ ଥିବା ୧୧.୭୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ବଳରେ ସେମାନେ ବିନା କୌଣସି ଆର୍ଥିକ ଚାପରେ ନିଜ ଭବିଷ୍ୟତର ସ୍ବପ୍ନକୁ ପୂରଣ କରିପାରିବେ । ସମାଜର ବଞ୍ଚିତ ବର୍ଗର ଯୁବକମାନେ ସାଧାରଣତଃ ଏପରି ଆର୍ଥିକ ଅଭାବର ସମ୍ମୁଖିନ ହୋଇଥାନ୍ତି । ସେନାବାହିନୀର ନିୟମିତ ସେବାରେ ସାମିଲ ହେବା ଲାଗି ଚୟନ କରାଯାଉଥିବା ବ୍ୟକ୍ତିବିଶେଷଙ୍କୁ ଅତିରିକ୍ତ ୧୫ ବର୍ଷ ପାଇଁ ସେବା କରିବା ନିମନ୍ତେ ସୁଯୋଗ ମିଳିବ । ସେମାନେ ଭାରତୀୟ ସେନା, ନୌସେନା, ଏବଂ ବାୟୁ ସେନାର ଜୁନିଅର କମିଶନ୍ଡ୍ ଅଧିକାରୀ/ଅନ୍ୟ ପଦବୀରେ ସେବା କରିବା ପାଇଁ ବର୍ତ୍ତମାନର ନିୟମ ଓ ସର୍ତ୍ତାବଳୀ ଅନୁଯାୟୀ ପରିଚାଳିତ ହେବେ । ଏଥିସହିତ ବିଭିନ୍ନ ସମୟରେ ହେଉଥିବା ସଂଶୋଧନ ଅନୁଯାୟୀ ବାୟୁ ସେନାର ଅଣଯୋଦ୍ଧା ପଦବୀରେ ମଧ୍ୟ ସେମାନଙ୍କୁ ନିଯୁକ୍ତି ଦିଆଯିବ ।
ଏହି ଯୋଜନା ସେନାବାହିନୀରେ ଯୁବ ଏବଂ ଅନୁଭବୀ କର୍ମୀଙ୍କୁ ନେଇ ଏକ ଉନ୍ନତ ସନ୍ତୁଳନ ସୁନିଶ୍ଚିତ କରିବ ଏବଂ ଅଧିକ ଯୁବ ତଥା ବୈଷୟିକ ଦୃଷ୍ଟିରୁ ସକ୍ଷମ ସୈନ୍ୟବଳକୁ ନେଇ ସୈନ୍ୟବାହିନୀ ଅଧିକ ସଶକ୍ତ ହେବ ।
ଲାଭ
- ସେନାବାହିନୀର ନିଯୁକ୍ତି ନୀତିରେ ଏକ ଯୁଗାନ୍ତକାରୀ ସଂସ୍କାର
- ଦେଶସେବା କରିବା ଏବଂ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ପାଇଁ ଯୁବ ପିଢ଼ିଙ୍କ ନିମନ୍ତେ ଏକ ଅଭିନବ ସୁଯୋଗ
- ସେନାବାହିନୀରେ ଅଧିକ ଯୁବ ଏବଂ ଉତ୍ସାହୀ ସୈନ୍ୟବଳଙ୍କୁ ନିଯୁକ୍ତି
- ଅଗ୍ନିବୀରଙ୍କ ପାଇଁ ଆକର୍ଷଣୀୟ ଆର୍ଥିକ ପ୍ୟାକେଜ
- ଶ୍ରେଷ୍ଠ ପ୍ରତିଷ୍ଠାନରେ ପ୍ରଶିକ୍ଷଣ ନେବା ଏବଂ ସେମାନଙ୍କୁ କୌଶଳ ଓ ଯୋଗ୍ୟତା ବଢ଼ାଇବା ଲାଗି ଅଗ୍ନିବୀରଙ୍କ ପାଇଁ ଏକ ସୁଯୋଗ
- ନାଗରିକ ସମାଜରେ ସାମରିକ ଆଦର୍ଶ ସହିତ ଏକ ଶୃଙ୍ଖଳିତ ଏବଂ କୁଶଳୀ ଯୁବବର୍ଗଙ୍କ ଉପଲବ୍ଧତା ସୁନିଶ୍ଚିତ ହେବ
ନିୟମ ଓ ସର୍ତ୍ତାବଳୀ
ଅଗ୍ନିପଥ ଯୋଜନା ଅଧୀନରେ, ଅଗ୍ନିବୀର ମାନଙ୍କୁ ନିର୍ଦ୍ଦିଷ୍ଟ ସେନାବାହିନୀରେ ଚାରି ବର୍ଷର କାର୍ଯ୍ୟକାଳ ପାଇଁ ନିଯୁକ୍ତି ଦିଆଯିବ । ସେନାବାହିନୀରେ ସେମାନଙ୍କ ପାଇଁ ଏକ ସ୍ବତନ୍ତ୍ର ପଦବୀ ବା ରେଙ୍କ ରହିବ । ଅନ୍ୟ ରେଙ୍କ ଠାରୁ ଏହା ଭିନ୍ନ ହେବ । ଚାରି ବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ ସଂଗଠନର ଆବଶ୍ୟକତାକୁ ଆଧାର କରି ଏବଂ ବିଭିନ୍ନ ସମୟରେ ସଂଶୋଧିତ ହେଉଥିବା ସେନାବାହିନୀର ନୀତି ଅନୁଯାୟୀ, ଅଗ୍ନିବୀର ମାନଙ୍କୁ ସେନାବାହିନୀରେ ସ୍ଥାୟୀ ନିଯୁକ୍ତି ନିମନ୍ତେ ଆବେଦନ କରିବା ଲାଗି ସୁଯୋଗ ଦିଆଯିବ । ଚାରି ବର୍ଷର କାର୍ଯ୍ୟକାଳ ମଧ୍ୟରେ ପ୍ରଦର୍ଶନକୁ ଆଧାର କରି ନିର୍ଦ୍ଧାରିତ ସର୍ତ୍ତ ଅନୁଯାୟୀ, କେନ୍ଦ୍ରୀକୃତ ଢଙ୍ଗରେ ଏସବୁ ଆବେଦନକୁ ବିଚାର କରାଯିବ । ଅଗ୍ନିବୀରଙ୍କ ପ୍ରତ୍ୟେକ ବ୍ୟାଚ୍ରୁ ୨୫% ପ୍ରାର୍ଥୀଙ୍କୁ ନିୟମିତ କ୍ୟାଡର ଭାବେ ସେନାବାହିନୀରେ ନିଯୁକ୍ତି ମିଳିବ । ଏଥିପାଇଁ ଏକ ବିସ୍ତୃତ ମାର୍ଗଦର୍ଶିକା ପୃଥକ ଭାବେ ଜାରି ହେବ। ସେନାବାହିନୀର ବିଶେଷ ଅଧିକାର କ୍ଷେତ୍ରରେ ଏହି ଚୟନ କରାଯିବ । ଚଳିତ ବର୍ଷ ୪୬,୦୦୦ ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯିବ ।
ସମସ୍ତ ତିନୋଟି ସେନାରେ ଅନଲାଇନ କେନ୍ଦ୍ରୀକୃତ ପ୍ରଣାଳୀ ମାଧ୍ୟମରେ ନିଯୁକ୍ତି ଦିଆଯିବ । ଶିଳ୍ପ ତାଲିମ ପ୍ରତିଷ୍ଠାନ ଏବଂ ଜାତୀୟ କୌଶଳ ଯୋଗ୍ୟତା ଫ୍ରେମୱର୍କ ଆଦି ଭଳି ମାନ୍ୟତାପ୍ରାପ୍ତ ବୈଷୟିକ ପ୍ରତିଷ୍ଠାନରୁ କ୍ୟାମ୍ପସ ସାକ୍ଷାତକାର ଏବଂ ସ୍ବତନ୍ତ୍ର ନିଯୁକ୍ତି ରାଲି ଜରିଆରେ ଅଗ୍ନିବୀର ମାନଙ୍କୁ ନିଯୁକ୍ତି ଦିଆଯିବ । ‘ସର୍ବଭାରତୀୟ ସର୍ବ ଶ୍ରେଣୀ’ ଆଧାରରେ ନିଯୁକ୍ତି ଦିଆଯିବ ଏବଂ ନିଯୁକ୍ତି ପାଇଁ ଯୋଗ୍ୟ ବୟସ ସୀମା ସାଢ଼େ ୧୭ ବର୍ଷରୁ ୨୧ ବର୍ଷ ମଧ୍ୟରେ ହେବ । ସୈନ୍ୟବାହିନୀର ନିର୍ଦ୍ଦିଷ୍ଟ ବର୍ଗ/ଟ୍ରେଡ ପାଇଁ ପ୍ରଯୁଜ୍ୟ ହେଉଥିବା ସ୍ବାସ୍ଥ୍ୟ ତଥା ଶାରୀରିକ ଯୋଗ୍ୟତା ଆଧାରରେ ଅଗ୍ନିବୀର ମାନଙ୍କୁ ନିଯୁକ୍ତି ଦିଆଯିବ । ବିଭିନ୍ନ ବର୍ଗରେ ନିଯୁକ୍ତି ପାଇଁ ଆବଶ୍ୟକ ହେଉଥିବା ଶିକ୍ଷାଗତ ଯୋଗ୍ୟତା ଅଗ୍ନିବୀରମାନଙ୍କ ପାଇଁ ମଧ୍ୟ ଲାଗୁ ହେବ । ଉଦାହରଣ ସ୍ବରୂପ : ଜେନେରାଲ ଡ୍ୟୁଟି ସୈନିକ ଭାବେ ପ୍ରବେଶ ପାଇଁ, ଶିକ୍ଷାଗତ ଯୋଗ୍ୟତା ହେଉଛି ଦଶମ ପାସ ।
Share your comments