farmers to mark vijay diwas today
କେନ୍ଦ୍ର ସରକାରଙ୍କ ସହ ନିଜର ହକ ପାଇଁ ଲଢ଼େଇ କରୁଥିବା ଚାଷୀମାନେ ଆଜି ଶେଷରେ ଘରକୁ ଫେରିଛନ୍ତି । ସରକାର ସେମାନଙ୍କ ଦାବି ମାନିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ସେମାନେ ଆଜି ବିଜୟ ଦିବସ ପାଳନ କରିବା ସହ ଘର ମୁହାଁ ହୋଇଛନ୍ତି ।
ବିଜୟ ଦିବସ(Vijay Divas) ମନାଇ ଆନ୍ଦୋଳନରୁ ଓହରିଲେ ଚାଷୀ । ଦୀର୍ଘ 14 ମାସ ଧରି ସିଙ୍ଘୁ ସୀମାରେ ଆନ୍ଦୋଳନରତ ଥିବା ଚାଷୀ ଶେଷରେ ଆଜି ଆନ୍ଦୋଳନରୁ ଓହରିଲେ(Farmers Protest) । କେନ୍ଦ୍ର ସରକାର ପ୍ରଣୟନ କରିଥିବା 3 କୃଷି ଆଇନ ପ୍ରତ୍ୟାହାର ହେବା ପରେ ଏପରି ନିଷ୍ପତ୍ତି ନେଇଛି କିଷାନ ସଂଗଠନ ।
କୃଷକମାନେ ଏହି ବିଜୟ ଦିବସକୁ ଡିସେମ୍ବର 10ରେ ପାଳନ କରିବାକୁ ଚାହୁଁଥିଲେ । କିନ୍ତୁ ବୁଧବାର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାରତର ପ୍ରଥମ ପ୍ରତିରକ୍ଷା ମୁଖ୍ୟ ଜେନେରାଲ୍ ବିପିନ ରାୱତ(CDS Bipin Rawat)ଙ୍କୁ ସମ୍ମାନ ଜଣାଇ 11 ତାରିଖ ଅର୍ଥାତ ଆଜିକୁ ସ୍ଥଗିତ ରଖିଥିଲେ । ତେବେ ସ୍ବର୍ଗତ ବିପିନ ରାୱତଙ୍କ ଅନ୍ତିମ ସତ୍କାର 10ରେ କରାଯାଇଥିଲା ।
ଏହି ବିକ୍ଷୋଭ ପ୍ରଦର୍ଶନ କରୁଥିବା କୃଷକ ସଂଗଠନର ମୁଖ୍ୟ ସଂଯୁକ୍ତ କିଷାନ ମୋର୍ଚ୍ଚା (SKM) କହିଛି ଯେ, କୃଷକମାନେ ଶନିବାର ଦେଶର ସମସ୍ତ ସୀମାବର୍ତ୍ତୀ ସ୍ଥାନ, ଟୋଲ୍ ପ୍ଲାଜା ଏବଂ ବିରୋଧ ସ୍ଥଳରେ ବିଜୟ ପଦଯାତ୍ରା କରିବେ । ସେମାନଙ୍କର ବର୍ଷସାରା ବିରୋଧକୁ ଶେଷ କରି ଘରକୁ ଫେରିଲେ । ଏହା ପୂର୍ବରୁ ବିଭିନ୍ନ ସ୍ଥାନରୁ ଅସ୍ଥାୟୀ ଟେଣ୍ଟ ମଧ୍ୟ ହଟାଇ ଦେଇଛନ୍ତି । ଡିସେମ୍ବର 15 ସୁଦ୍ଧା ସବୁ ସ୍ଥାନରୁ ଆନ୍ଦୋଳନ ହଟାଇ ଦିଆଯାଇଥିବ ।
ଆଜି ସକାଳୁ ଚାଷୀମାନେ ଦିଲ୍ଲୀର ବିଭିନ୍ନ ସୀମାରେ ଥିବା ନିଜର ଟେଣ୍ଟକୁ ଖୋଲିବା ସହ ଗାଁ ଅଭିମୁଖେ ବିଜୟ ଯାତ୍ରା ଆରମ୍ଭ କରିଛନ୍ତି । ଚାଷୀଙ୍କ ବିଜୟ ଯାତ୍ରା ପାଇଁ ସବୁ ପ୍ରକାରର ବ୍ୟବସ୍ଥା ରାସ୍ତାର ଉଭୟ କଡ଼ରେ କରାଯାଇଛି । ଦିଲ୍ଲୀ ସୀମାରୁ ଚାଷୀମାନେ ହରିଆଣା, ପଞ୍ଜାବ ଓ ଉତ୍ତର ପ୍ରଦେଶରେ ଥିବା ନିଜ ନିଜ ଘରକୁ ଫେରିବେ । ସେମାନଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ବ୍ୟବସ୍ଥା ହୋଇଛି । ସେମାନେ ବିଭିନ୍ନ ଗାଡ଼ି ଓ ଟ୍ରାକ୍ଟର୍ରେ ନିଜ ନିଜ ଗାଁକୁ ଫେରୁଛନ୍ତି।
ଦିଲ୍ଲୀ, ହରିଆଣା, ଚଣ୍ଡିଗଡ଼, ଉତ୍ତର ପ୍ରଦେଶ ଓ ଅନ୍ୟ ରାଜ୍ୟଗୁଡ଼ିକରେ ଆନ୍ଦୋଳନ ବେଳେ ଚାଷୀଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ହୋଇଥିଲା । ଏହାକୁ ତତ୍କାଳ ଭାବେ ପ୍ରତ୍ୟାହାର କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି ।
ଆଜି ସେମାନେ ନିଜ ନିଜ ଘରକୁ ଫେରିବା ଆରମ୍ଭ କରିଛନ୍ତି । ଘରକୁ ଫେରିବାର ୨ ଦିନ ପରେ ଚାଷୀମାନେ ସ୍ୱର୍ଣ୍ଣ ମନ୍ଦିର ଯିବେ। ଡିସେମ୍ବର ୧୫ ସୁଦ୍ଧା ଚାଷୀ ଆନ୍ଦୋଳନ ସଂପୂର୍ଣ୍ଣ ଭାବେ ଶେଷ ହେବ ବୋଲି ଚାଷୀ ନେତା ଦର୍ଶନପାଲ ସିଂହ ସୂଚନା ଦେଇଛନ୍ତି ।
Share your comments