
Floods hit 1.7 lakh hectare crop area in odisha, but rains will boost Kharif crops
ବନ୍ୟା ପ୍ରଭାବିତ ଜିଲ୍ଲା(flood-affected districts)ଗୁଡ଼ିକ ଅଗଷ୍ଟ 30ସୁଦ୍ଧା ଫସଲ କ୍ଷୟକ୍ଷତି ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିବାବେଳେ ରାଜ୍ୟ କୃଷି ବିଭାଗ ପକ୍ଷରୁ ମିଳିଥିବା ପ୍ରାଥମିକ ରିପୋର୍ଟରେ କୁହାଯାଇଛି ଯେ ପ୍ରାୟ 1.7 ଲକ୍ଷ ହେକ୍ଟର ଜମିରେ ବନ୍ୟା ପ୍ରଭାବରୁ ଫସଲ ନଷ୍ଟ(crop damage) ହୋଇଯାଇଛି । ନଦୀର ବନ୍ୟା ଜଳ(flood) ମାଡିଯିବା କାରଣରୁ ଚାଷ ଜମିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।
ଏପଟେ ଜୁଲାଇ ଏବଂ ଅଗଷ୍ଟରେ ଅଧିକ ବର୍ଷା ହେତୁ ଚଳିତ ବର୍ଷ ଖରିଫ ଫସଲ ଚାଷ ହେଉଥିବା ଅଞ୍ଚଳ ଗତ ବର୍ଷ ତୁଳନାରେ 33,000 ହେକ୍ଟର ଅଧିକ ହୋଇଛି । ଚଳିତ ବର୍ଷ ମୋଟ କ୍ଷେତ୍ର 51.09 ଲକ୍ଷ ହେକ୍ଟର ଅଟେ ଯାହା ଗତ ବର୍ଷ 50.76 ଲକ୍ଷ ହେକ୍ଟର ଥିଲା । 61.59 ଲକ୍ଷ ହେକ୍ଟର ଜମିରେ ଖରିଫ ଫସଲ ଚାଷ ନେଇ ଲକ୍ଷ ରଖିଥିଲା କୃଷି ବିଭାଗ । ଅଗଷ୍ଟ 20 ଶେଷ ସୁଦ୍ଧା ଏହା 51 ଲକ୍ଷ ହେକ୍ଟର ରହିଛି ।
ଜୁନ୍ ଏବଂ ଜୁଲାଇର ପ୍ରଥମାର୍ଦ୍ଧରେ ନିଅଣ୍ଟିଆ ବର୍ଷା କୃଷି କାର୍ଯ୍ୟରେ ଯଥେଷ୍ଟ ବିଳମ୍ବର କାରଣ ପାଲଟିଛି । ତେବେ ଜୁଲାଇ ଏବଂ ଅଗଷ୍ଟରେ ଗୋଟିଏ ପରେ ଗୋଟିଏ ଲଘୁଚାପ ବର୍ଷା କେବଳ ଜଳ ଅଭାବ ନୁହେଁ ବରଂ ଖରିଫ ଚାଷ କାର୍ଯ୍ୟକୁ ମଧ୍ୟ ତ୍ୱରାନ୍ୱିତ କରିଛି ବୋଲି କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ଜଣେ ଅଧିକାରୀ କହିଛନ୍ତି।
ବନ୍ୟା ଦ୍ୱାରା ପ୍ରଭାବିତ ନଥିବା ଅଞ୍ଚଳରେ ଧାନ ରୋପଣ ପ୍ରକ୍ରିୟା ଚାଲିଥିବାବେଳେ ମଧ୍ୟମ ଏବଂ ତଳିଆ ଜମିରେ ଧାନର ଶୀଘ୍ର ପରିପକ୍ୱ କିସମ ଲଗାଇବା ପାଇଁ କୃଷକମାନଙ୍କୁ ବିଭାଗ ପରାମର୍ଶ ଦେଇଛି । ଯେଉଁଠାରେ ଧାନ ଫସଲର କ୍ଷତି ବ୍ୟାପକ ଏବଂ ସ୍ୱଳ୍ପକାଳୀନ ଧାନ ଫସଲ ପାଇଁ ଅଭିବୃଦ୍ଧି ହେବାର ସମ୍ଭାବନା କମ୍ ସେଠାରେ ରବି ଫସଲ ପାଇଁ ପରାମର୍ଶ ଦେଇଛି ଓଡିଶା କୃଷି ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (OUAT)। ବନ୍ୟା ଜଳ ହ୍ରାସ ପାଇବା ପରେ କୀଟ ଆକ୍ରମଣର ସମ୍ଭାବନା ଅଧିକ ଥିବାରୁ ବିଭିନ୍ନ ଫସଲରେ କି ପ୍ରକାର କୀଟନାଶକ ବ୍ୟବହାର କରିବାକୁ, ସେ ସମ୍ପର୍କରେ ମଧ୍ୟ ଅନୁଷ୍ଠାନ ପରାମର୍ଶ ଦେଇଛି।
କୃଷି ନିର୍ଦ୍ଦେଶାଳୟ ଅନୁଯାୟୀ ମକା ଫସଲ କୋବ ଗଠନ ପର୍ଯ୍ୟାୟରେ ଅଛି। କପା ଫସଲର ବୁଣିବା କାର୍ଯ୍ୟ ଶେଷ ହୋଇଛି । ସେହିପରି ଡାଲି, ତୈଳବୀଜ, ପନିପରିବା ଏବଂ ମସଲା ପରି ଫସଲ ବୁଣିବା କାର୍ଯ୍ୟ ଚାଲିଛି । ମୋଟ ଫସଲର ଅବସ୍ଥା ସ୍ୱାଭାବିକ ବୋଲି ସୂତ୍ରରୁ ଜଣାପଡିଛି । ଜୁଲାଇରେ ରାଜ୍ୟରେ 13 ପ୍ରତିଶତ ଏବଂ ଅଗଷ୍ଟରେ 47 ପ୍ରତିଶତ ଅଧିକ ବର୍ଷା ହୋଇଛି। ଅଗଷ୍ଟରେ ସ୍ବାଭାବିକ ବୃଷ୍ଟିପାତ 298 ମିଲିମିଟର ତୁଳନାରେ 438 ମିଲିମିଟର ହୋଇଛି।
ବନ୍ୟା ଉଜାଡିଲା ଫସଲ, କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦେଲେ ସରକାର
Share your comments