
Hard pulses are expensive in three months
ପୁରା ଭାରତରେ ଡାଲି ଏକ ଦୈନନ୍ଦିନ ପୃଷ୍ଟିକର ଖାଦ୍ୟ ଭାବରେ ଜଣାଶୁଣା l ଆମିଷ ଖାଉନଥିବା ଲୋକଙ୍କ ପାଇଁ ଡାଲି ହେଉଛି ,ଦୈନଦିନ ପ୍ରୋଟିନର ଆବଶ୍ୟକତାକୁ ପୂରଣ କରିବାର ଏକ ନିଆରା ପ୍ରୟାଶ l ଆର୍ଥିକ ବଜେଟ ପରେ ଧୀରେ ଧୀରେ ଦେଶରେ ଅନେକ ଜିନିଷର ଦର ବୃଦ୍ଧି ହେବାରେ ଲାଗିଛି l
ଦେଶରେ ସବୁ ଅତ୍ୟାବଶ୍ୟକ ସାମଗ୍ରୀ ଭଳି ଡାଲି ଦର କମିବାର ନାଧରୁନାହିଁ ଯାହାକୁ ନେଇ ଚିନ୍ତାରେ ଖାଉଟି । ବଜାରରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଏବେ ହରଡ ଡାଲି ଦର । ରିପୋର୍ଟ ଅନୁଯାୟୀ ଗତ ତିନି ମାସ ମଧ୍ୟରେ ଖୁଚୁରା ବଜାରରେ ହରଡ ଡାଲି କିଲୋ ପିଛା ପ୍ରାୟ ୩୦ ଟଙ୍କା ମହଙ୍ଗା ହୋଇଥିବା ଜଣାପଡିଛି । ବଜାରରେ ଏପରି ଡାଲି ଦର ଏବେ ଖାଉଟିଙ୍କୁ ଚିନ୍ତାରେ ପକାଇଛି l
ବର୍ତ୍ତମାନ ବଜାରରେ ହରଡ ଡାଲି ଦର କିଲୋ ପିଛା ୧୩୦ ଟଙ୍କାରେ ପହଞ୍ଚିଥିବାର ନଜିର ରହିଛି । ତିନି ମାସ ତଳେ ବଜାରରେ ହରଡ ଡାଲି କିଲୋ ପିଛା ୧୦୪ ଟଙ୍କା ରହିଥିଲା ଆଉ ଏତେ ଶୀଘ୍ର ପୁଣି ଡାଲି ଦର ବଢିବା ହଇରାଣରେ ପକାଇଛି । ଗତ ମାସରେ କିଲୋ ପିଛା ହରଡ ଡାଲି ମୂଲ୍ୟରେ ୧୦ ଟଙ୍କା ବୃଦ୍ଧି ଘଟିଥିବାବେଳେ ଏବେ ପୁନର୍ବାର ୧୦ ଟଙ୍କା ବୃଦ୍ଧି ଘଟିଛି। ଘରୋଇ ବଜାରରେ ଚାହିଦା ପୂରଣ କରିବାକୁ ବର୍ତ୍ତମାନ କେନ୍ଦ୍ର ସରକାର ଆଫ୍ରିକାରୁ ହରଡ ଡାଲି ଆମଦାନୀ କରିବାକୁ ଯାଉଛନ୍ତି। ତେଣୁ ଏବେ ଅତି କମ୍ରେ ୨ ମାସ ପାଇଁ ବଜାରରେ ହରଡ ଡାଲି ମୂଲ୍ୟ କମ୍ ହେବାର କୌଣସି ସମ୍ଭାବନା ଦେଖାଯାଉନାହିଁ।
ନିକଟରେ ଦେଶର ବିଭିନ୍ନ ଭାଗରେ ହୋଇଥିବା ଅଦିନିଆ ବର୍ଷା ଯୋଗୁ ଡାଲି ଫସଲ ବିଶେଷ ଭାବେ ନଷ୍ଟ ହୋଇଯାଇଛି ଯେଉଁଥିପାଇଁ ଏବେ ଡାଲି ମଧ୍ୟ ବଜାରରେ ସଠିକ ପରିମାଣର ଉପଲବ୍ଧ ହେଉନାହିଁ । ଯାହାର ପ୍ରଭାବ ସ୍ବରୂପ ଆଗାମୀ ଦିନରେ ଦେଶରେ ଡାଲି ଦର ଆହୁରି ବୃଦ୍ଧି ଘଟିପାରେ ବୋଲି ସମ୍ଭାବନା ରହିଛି ।
ବଜାରରେ ଦର ନିୟନ୍ତ୍ରଣ କରିବା ପାଇଁ ଷ୍ଟକ୍ ଯାଞ୍ଚ କରିବାକୁ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ନିର୍ଦେଶ ମଧ୍ୟ ଦେଇଛନ୍ତି । ଯେଉଁମାନେ ଷ୍ଟକ୍ ପ୍ରକାଶ କରିନାହାଁନ୍ତି ସେମାନଙ୍କ ବିରୁଦ୍ଧରେ ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି କେନ୍ଦ୍ର ସରକାର ପକ୍ଷରୁ ।
Share your comments