News

ବଢିଲା ପାରଦ, କଲବଲ କରୁଛି ଖରା

ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ସେଲସିୟସ ଉପରେ ରହୁଛି । ପାଣିପାଗ ବିଭାଗ ଅନୁଯାୟୀ ସୁବର୍ଣ୍ଣପୁର ସବୁଠୁ ଉତପ୍ତ ସହର ଭାବରେ ପରିଗଣିତ ହୋଇଛି ।

22 May, 2022 2:59 PM IST By: Shuvanshu Kar

ଓଡିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଥମିବାକୁ ନାଁ ନେଉନାହିଁ । ଅସହ୍ୟ ହେଉଛି ତାତି । ପୁଣି ବଢିଛି ପାରଦ । ଗୁଳୁଗୁଳି ସାଙ୍ଗକୁ ଖରା ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି । ଗଲା କିଛି ଦିନ ହେବ ସାମାନ୍ୟ ତାତି କମିଥିଲା ।

ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ସେଲସିୟସ ଉପରେ ରହୁଛି । ପାଣିପାଗ ବିଭାଗ ଅନୁଯାୟୀ ସୁବର୍ଣ୍ଣପୁର ସବୁଠୁ ଉତପ୍ତ ସହର ଭାବରେ ପରିଗଣିତ ହୋଇଛି । ଏଠାରେ ତାପମାତ୍ରା 44.02 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସୁବର୍ଣ୍ଣପୁର ତଳକୁ ସୁନ୍ଦରଗଡର ତାପମାତ୍ରା 44 ଡିଗ୍ରୀ ସେଲସିୟସ ରହିଛି ।

ସେହିପରି ବାଲେଶ୍ବର, ଅନୁଗୋଳ, ସମ୍ବଲପୁର, ହିରାକୁଦ, ତାଳଚେର, ଭବାନୀପାଟଣା, ବଲାଙ୍ଗୀର, ଟିଟିଲାଗଡ, ମାଲକାନଗିରି, ବୌଦ୍ଧ, ପାରଳାଖେମୁଣ୍ଡି, ବରଗଡ, ଦେଓଗଡ ଏବଂ ନୁଆପଡାରେ ତାପମାତ୍ରା 40 ଡିଗ୍ରୀ ସେଲସିୟସ ଏବଂ ତଦୁର୍ଦ୍ଧ ରେକର୍ଡ କରାଯାଇଛି ।

ଏପଟେ ଖୋର୍ଦ୍ଧାରେ ତାପମାତ୍ରା 37.5 ଡିଗ୍ରୀ ସେଲସିୟସ ହୋଇଥିବାବେଳେ ରାଜଧାନୀ ଭୁବନେଶ୍ୱର ଦିନର ତାପମାତ୍ରା 37.6 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ, କଟକରେ 37.8 ଡିଗ୍ରୀ ଏବଂ ପୁରୀରେ ଦିନର ସର୍ବୋଚ୍ଚ ତାପମାତ୍ରା 33.2 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଏହି ସମୟରେ ଗୋପାଳପୁର ରାଜ୍ୟରେ ସର୍ବନିମ୍ନ ତାପମାତ୍ରା 31.4 ଡିଗ୍ରୀ ସେଲସିୟସ ରହିଛି ।

ଏହାପୂର୍ବରୁ, ଆଞ୍ଚଳିକ ପାଣିପାଗ କେନ୍ଦ୍ର ତାତି ବଢିବା ନେଇ ପୂର୍ବାନୁମାନ କରିଥିଲା ​​। ପାଣିପାଗ କାର୍ଯ୍ୟାଳୟ ରିପୋର୍ଟ ଅନୁଯାୟୀ, ତାପମାତ୍ରା 3ରୁ 4 ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବାର ଆଶଙ୍କା ରହିଛି ।

ସାବଧାନ! ୫ ଦିନ ପ୍ରବଳ ତାତି, ଚାଷୀଙ୍କୁ ଦିଆଗଲା ପରାମର୍ଶ

ତାତିରେ ସିଝୁଛି ଓଡିଶା,୧୩ ତାରିଖରୁ ଆହୁରି ବଢ଼ିବ