News

ସାରୁ ଚାଷ କରିବାକୁ ଚାହୁଁଛନ୍ତି କି? ଜାଣି ରଖନ୍ତୁ ସମ୍ପୂର୍ଣ ବିଧି

ଯେ କୌଣସି ଚାଷ ପାଇଁ ଉପଯୁକ୍ତ ମାଟି ବାଛିବା ସବୁଠୁ ଗୁରୁତ୍ୱପୂର୍ଣ କାମ ହୋଇଥାଏ | ସାରୁ ଚାଷ (Taro root Cultivation)ପାଇଁ ନିଗିଡ଼ା ମାଟି, ଉବର୍ର ମାଟି ଓ ବାଲି ଦୋରସା ଏବଂ ୫.୫ରୁ ୭.୦ ଅମ୍ଳତା ଥିବା ମାଟି ଆବଶ୍ୟକ, ଏହି ମାଟିରେ ସାରୁ ଚାଷ କରାଗଲେ ଅମଳ ଭଲ ହୋଇଥାଏ |

22 May, 2022 5:08 PM IST By: Rajashree

ଦେଶୀ କିସମର ତରକାରୀ ଓ ଘାଣ୍ଟ ସାଧାରଣତଃ ସାରୁର ବ୍ୟବହାର କରାଯାଇଥାଏ | କୁହାଯାଏ ସାରୁ ତରକାରୀକୁ ସ୍ୱାଦିଷ୍ଟ କରିବା ସହ ବହଳିଆ କରିଥାଏ ଆଉ ସାରୁ ଚିପ୍ସର ସ୍ୱାଦ ତ ପାଟିରୁ ଛାଡେନି କହିଲେ ଭୁଲ ହେବ ନାହିଁ । କେବଳ ଏତିକି ନୁହେଁ ଆୟୁର୍ବେଦିକ ଔଷଧ ତିଆରି କରିବାରେ ମଧ୍ୟ ସାରୁର ବ୍ୟବହାର ହୋଇଥାଏ | ତେବେ ଆଜି ଆସନ୍ତୁ ଜାଣିବା କିପରି କରିବା ସାରୁ ଚାଷ (Taro root Cultivation) ।

ସାରୁ ଚାଷ ପାଇଁ ମାଟି:

ଯେ କୌଣସି ଚାଷ ପାଇଁ ଉପଯୁକ୍ତ ମାଟି ବାଛିବା ସବୁଠୁ ଗୁରୁତ୍ୱପୂର୍ଣ କାମ ହୋଇଥାଏ | ସାରୁ ଚାଷ (Taro root Cultivation)ପାଇଁ ନିଗିଡ଼ା ମାଟି, ଉବର୍ର ମାଟି ଓ ବାଲି ଦୋରସା ଏବଂ ୫.୫ରୁ ୭.୦ ଅମ୍ଳତା ଥିବା ମାଟି ଆବଶ୍ୟକ, ଏହି ମାଟିରେ ସାରୁ ଚାଷ କରାଗଲେ ଅମଳ ଭଲ ହୋଇଥାଏ |

- ଆମ ରାଜ୍ୟରେ ସାଧାରଣତଃ ଶଙ୍ଖସାରୁ, ପାଣିସାରୁ, କୁଜିସାରୁ ମାଣସାରୁ ଆଦି ଚାଷ ହୁଏ।

ସାରୁ ଚାଷ ପାଇଁ ବିହନ:

ନିରୋଗ, ସୁସ୍ଥ ଓ ଖଣ୍ଡିଆ ଖାବରା ହୋଇନଥିବା ପୁଆ ସାରୁକୁ ବିହନ ଭାବେ ଲଗାନ୍ତୁ | ଛୋଟ କିସମ ଅର୍ଥାତ୍ ୨୦ରୁ ୨୫ ଗ୍ରାମ ସାରୁ ପୁଆ ଏକର ପ୍ରତି ୧୦ କ୍ୱିଣ୍ଟାଲ ଲାଗୁଥିଲା ବେଳେ ଶଙ୍ଖସାରୁ ଭଳି ବଡ଼ ପୁଆ ଯାହାକି ୫୦ ଗ୍ରାମ ଓଜନ ଥାଏ ତାହା ଏକର ପ୍ରତି ୨୦ରୁ ୨୫ କ୍ୱିଣ୍ଟାଲ ଦରକାର ହୁଏ |

ସାରୁ କେବେ ଲଗାଇବେ?

ସାଧାରଣତଃ ଜୁନରୁ ଜୁଲାଇ ପ୍ରଥମ ସପ୍ତାହ ମଧ୍ୟରେ ସାରୁ ଲଗାଇବାର (TaroRootFarming) ଉତ୍କୃଷ୍ଟ ସମୟ ହୋଇଥାଏ | ତେବେ, ପାଣିର ସୁବିଧା ଥିଲେ ଫେବ୍ରୁଆରି-ମାର୍ଚ୍ଚ ମାସରେ ମଧ୍ୟ ସାରୁ ଲଗାଯାଇପାରିବ।

- ଏକର ପିଛା ୪-୬ ଟନ୍‌ ସଢ଼ା କମ୍ପୋଷ୍ଟ ପ୍ରୟୋଗ କରି ୪୫ରୁ ୬୦ ସେଣ୍ଟିମିଟର ବ୍ୟବଧାନରେ ଓ ୫ରୁ ୭ ସେଣ୍ଟିମିଟର ଗଭୀରରେ ସାରୁ ଲଗାନ୍ତୁ |

- ସେହିପରି ୨୦ ସେଣ୍ଟିମିଟର ହିଡ଼ କରି ଲଗାଇଲେ ଭଲ | ଶଙ୍ଖସାରୁ ୪୫ ସେଣ୍ଟିମିଟର ଲମ୍ବ, ପ୍ରସ୍ଥ ଓ ଗଭୀରର ଗାତ କରନ୍ତୁ | ସାରୁ ଲଗାଇବା ପରେ ଶୁଖିଲା ପତ୍ର, ଛଣ, ଘାସ ଆଦିରେ ଛାଦିକରଣ କରନ୍ତୁ |

ସାରୁ ଚାଷ ପାଇଁ ସାର ପ୍ରୟୋଗ;

- ସାରୁ ଲଗାଇବା ସମୟରେ ଏକର ପ୍ରତି ଯବକ୍ଷାରଯାନ ୧୬ କିଲୋଗ୍ରାମ, ଫସଫରସ ୨୪ କିଲୋଗ୍ରାମ, ଓ ପଟାସିୟମ ସାର ୩୨ କିଲୋଗ୍ରାମ ଦିଅନ୍ତୁ | ଏହାର ୩୦ ଦିନ ଓ ୬୦ ଦିନ ପରେ ପୁଣି ଯବକ୍ଷାରଯାନ ୮ କିଲୋଗ୍ରାମ ହିସାବରେ ଦିଅନ୍ତୁ | ଦ୍ୱିତୀୟ ଓ ତୃତୀୟ ଦଫା ସାରକୁ ଧାଡ଼ିର ଦୁଇ ପାର୍ଶ୍ୱରେ ୫ ସେଣ୍ଟିମିଟର ଦୂରତାରେ ଏବଂ ୩ ସେଣ୍ଟିମିଟର ଗଭୀରରେ ଦିଅନ୍ତୁ | ଅଣଜଳସେଚିତ ଅଞ୍ଚଳରେ ସାର ପ୍ରୟୋଗର ପରିମାଣ ଏକ ତୃତୀୟାଂଶ କମାଇପାରିବେ |

ସାରୁଚାଷରେ ଯତ୍ନ :

ସାରୁ ଲଗାଇବାର ୩୦ ଓ ୬୦ ଦିନରେ କୋଡ଼ା ଖୋସା କରି ଅନାବନା ଗଛ ବାଛି ଦିଅନ୍ତୁ | ଗଛ ମୂଳକୁ ମାଟି ଟେକି ଦିଅନ୍ତୁ | ଏହାପରେ ୮ରୁ ୧୦ ଦିନ ବ୍ୟବଧାନରେ ପାଣି ଦିଅନ୍ତୁ |

- ସାଧାରଣତଃ ପତ୍ରପୋଡ଼ା ରୋଗ, ପତ୍ରଖିଆ ପୋକ, ସାରୁ ଫସଲ କ୍ଷତି କରେ ଏହାର ପ୍ରତିକାର ପାଇଁ ମାଙ୍କୋଜେବ ଓ କ୍ଲୋରାପାରିଫିସ୍‌ ସ୍ପ୍ରେ କରନ୍ତୁ |

ସାରୁ ଅମଳ :

ସାରୁ ଲଗାଇବାର ୬-୭ ମାସରେ ପତ୍ର ହଳଦିଆ ପଡ଼ି ଶୁଖି ଆସିଲେ ସାରୁ ଅମଳ କରନ୍ତୁ | ଅମଳର ୧୫ ଦିନ ପୂର୍ବରୁ ଜଳସେଚନ ବନ୍ଦ କରିଦିଅନ୍ତୁ |

ସାରୁ ପ୍ରତି ଏକରରୁ ୫୦ରୁ ୧୦୦ କ୍ୱିଣ୍ଟାଲ ଅମଳ ମିଳେ ଓ ବଜାରର ଚାହିଦା ଦେଖିଲେ ଏଥିରୁ ଭଲ ଲାଭ ମଧ୍ୟ ହୋଇଥାଏ |

ସାରୁ ଚାଷରେ ଲାଭ ହିଁ ଲାଭ !

ପାକଶାଳା ବଗିଚା ବିଷୟରେ କିଛି ଜାଣନ୍ତୁ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)