ମେକ୍ ଇନ୍ ଇଣ୍ଡିଆ(Make in India)କୁ ପୁରିଛି ଆଠବର୍ଷ । ଏଥି ସହିତ ବାର୍ଷିକ ଏଫଡିଆଇ(FDI) ପରିମାଣ ଦ୍ୱିଗୁଣିତ ହୋଇ ୮୩ ବିଲିୟନ ଡଲାରରେ ପହଞ୍ଚିଛି । ଦେଶରେ ପୁଞ୍ଜିନିବେଶ, ଇନୋଭେସନ, ଦକ୍ଷତା ବିକାଶ, ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ କରି ମାନୁଫାକଚରିଂ ବା ଉତ୍ପାଦନ ବଢାଇବା ଅଗ୍ରାଧିକାର ପାଇଛି । ୨୦୧୪ ସେପ୍ଟେମ୍ବର ୨୫ରେ ଏହି ଯୋଜନା ଆରମ୍ଭ ହୋଇଥିଲା ।
ଆହୁରି ମଧ୍ୟ ‘ମେକ୍ ଇନ୍ ଇଣ୍ଡିଆ’(Make in India)କୁ ସଫଳ କରିବାକୁ ସରକାର ବିଭିନ୍ନ ସଂସ୍କାରର କାର୍ଯ୍ୟକାରୀ କରିଛନ୍ତି । ଏଥିରେ ପୁରୁଣା ଆଇନର ସଂଶୋଧନ, ନୀତି ନିୟମର ସରଳୀକରଣ, ନୀତି ନିୟମ ଅନୁପାଳନ ଜନିତ ଅନାବଶ୍ୟକ ବୋଝ ଓ ଜଟିଳତା ହ୍ରାସ, କଞ୍ଚାମାଲ ଓ ଅନ୍ୟାନ୍ୟ ମୂଳଧନୀ ସାମଗ୍ରୀର ମୂଲ୍ୟ ହ୍ରାସ ଏବଂ ବ୍ୟବସାୟିକ ସୁଗମତା ବା ଇଜ ଅଫ ଡୁଇଂ ବିଜ୍ନେସ୍ ଆଦି ଅନ୍ୟତମ ।
ମେକ୍ ଇନ ଇଣ୍ଡିଆର ଆଉ ଏକ ବିଶେଷତ୍ୱ ହେଲା ଗୋଟିଏ ଜିଲ୍ଳା ଗୋଟିଏ ସାମଗ୍ରୀ ଉତ୍ପାଦନ ନୀତି । ଏହା ଫଳରେ ଦେଶୀ/ସ୍ଥାନୀୟ ସାମଗ୍ରୀର ଉତ୍ପାଦନକୁ ପ୍ରୋତ୍ସାହନ ମିଳିଛି ଏବଂ ସ୍ଥାନୀୟ କାରିଗର, ଶିଳ୍ପୀ ଏବଂ ଉତ୍ପାଦକଙ୍କୁ ଆନ୍ତର୍ଜାତିକ ସ୍ତରରେ ନିଜର ସାମଗ୍ରୀ ପହଞ୍ଚାଇବାର ସୁବିଧା ପାଇଛନ୍ତି । ଆମ ହସ୍ତତନ୍ତ୍ର, ବୟନ ଶିଳ୍ପ, କୃଷିଜାତ ପଦାର୍ଥ ଓ ଅନ୍ୟାନ୍ୟ ପାରମ୍ପରିକ ଜିନିଷ ପାଇଁ ଉତ୍ତମ ବଜାର ସୁବିଧା ଏବଂ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ପିଏମ୍ ଗତିଶକ୍ତି ଯୋଜନା ମଧ୍ୟ ମେକ୍ ଇନ୍ ଇଣ୍ଡିଆ ପାଇଁ ଆଉ ଏକ ବଡ ସୁବିଧା ଆଣିଛି ।
ଏହା ଫଳରେ ସାମଗ୍ରୀ / କଞ୍ଚାମାଲ ଓ ରସଦ(ଲଜିଷ୍ଟିକ୍ସ) ଆଦି ସଂଗ୍ରହ କରିବା ଆଉ କଷ୍ଟକର ନୁହେଁ । ଉଦ୍ୟୋଗୀ ନିଜର ଆବଶ୍ୟକତା ଅନୁସାରେ ଶସ୍ତାରେ ଏସବୁ ସାମଗ୍ରୀ ପାଇବା ଫଳରେ ତାଙ୍କର ଉତ୍ପାଦନ ଖର୍ଚ୍ଚ ହ୍ରାସ ପାଇଛି ଏବଂ ସେମାନେ ଶସ୍ତାରେ ଉନ୍ନତମାନର ସାମଗ୍ରୀ ରପ୍ତାନୀର ସୁଯୋଗ ପାଇଛନ୍ତି । ଗତିଶକ୍ତି ଯୋଜନା ଦ୍ୱାରା ମଧ୍ୟ ବଜାର ଓ ବିପଣନ ସୁବିଧା ବଢିଛି, ଏହା ଦ୍ୱାରା ନୂଆ ନୂଆ ହବ୍ ଓ ବ୍ୟାବସାୟିକ ସୁଯୋଗ ସୃଷ୍ଟି ହୋଇଛି ।
ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଭାରତୀୟ ଉଦ୍ୟୋଗ ପାଇଁ ବିପୁଳ ସୁଯୋଗ ଓ ସମ୍ଭାବନା ଆଣିଛି ଓ ଅନେକ କ୍ଷେତ୍ରରେ ତାହାର ଲାଭ ମିଳିଲାଣି । ଏହି ଯୋଜନା ମଧ୍ୟରେ ଭାରତର ଗବେଷଣା ଓ ଉନ୍ନୟନ, ଘରୋଇ ମୂଲ୍ୟ ମିଶ୍ରଣ, ଲୋକାଲ ସୋର୍ସିଂ ଆଦିକୁ ପ୍ରୋତ୍ସାହିତ କରି ଏକ ଉତ୍ତମ ସ୍ଥିତି ଉପଲବ୍ଧ ହୋଇଛି । ଏହା ଫଳରେ ପୁଞ୍ଜିନିବେଶ, ପୁଞ୍ଜି ପ୍ରବାହ ଏବଂ ନିଯୁକ୍ତି ବଢିଛି ଏବଂ ଭାରତ ଅନେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇ ରପ୍ତାନୀ ବୃଦ୍ଧି ସହିତ ବିଶ୍ୱ ବଜାରରେ ତାହାର ସ୍ଥିତିରେ ଉନ୍ନତି ଆଣିଛି ।
କୃଷି କ୍ଷେତ୍ରର ହେବ ଡିଜିଟାଇଜେସନ, କ୍ଲାଉଡ ପ୍ଲାଟଫର୍ମ ଲଞ୍ଚ କଲା କ୍ରପିନ
କୃଷି ଋଣ ନିମନ୍ତେ କୃଷି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବ୍ୟାଙ୍କରମାନଙ୍କ ବୈଠକ
Share your comments