
Mansoon coming soon...pic credit:www.pexels.com
ଆଉ ଦିନ କେଇଟା ପରେ ଓଡ଼ିଶା ଛୁଇଁବାକୁ ଯାଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ରାଜ୍ୟକୁ ମୌସୁମୀ ଛୁଇଁବା ନେଇ ପାଗ ଅନୁକୂଳ ରହିଥିବା କହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବା ସହ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ସେପଟେ ଗତ କିଛି ଦିନ ହେଲା ରାଜ୍ୟର ଅନେକ ଜିଲ୍ଲାରେ ବର୍ଷାର ପରିମାଣ ସାମାନ୍ୟ ବୃଦ୍ଧି ପାଇଛି । ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା କହିଛି ପାଣିପାଗ ବିଭାଗ ।
ଗତ କିଛି ଦିନ ଧରି ଡହ ଡହ ଖରା, ଗରମ ଯୋଗୁ ରାଜ୍ୟବାସୀ ଅସ୍ଥିର ହୋଇପଡ଼ିଥିବା ବେଳେ ମୌସୁମି ଟିକେ ଆସ୍ୱସ୍ଥି ଦେବା ନେଇ ଆଶା ପ୍ରକଟ କରିଛନ୍ତି ।ସେପଟେ ରାଜ୍ୟର ନବରଙ୍ଗପୁର ଜିଲ୍ଲା ଡାବୁଗାଁରେ ୭ ସେମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଉମରକୋଟ, ଝରିଗାଁରେ ୬ ସେମି, କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ଅଞ୍ଚଳ, କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଓ ଜୟପାଟଣାରେ ୫ ସେ.ମି ଲେଖାଏ ବର୍ଷା ରେକର୍ଡ କରିଛି ପାଣିପାଗ ବିଭାଗ। ଏହାବ୍ୟତୀତ ଝାରସୁଗୁଡ଼ା, ମାଲକାନଗିରି, ଫୁଲବାଣୀ, ନୟାଗଡ଼, ଗଜପତି, ଭଦ୍ରକ, ଯାଜପୁର, ଢେଙ୍କାନାଳ, ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଥିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ତେବେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ସୂଚନା ରହିଛି । ତାହାକୁ ନଜରରେ ରଖି ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲା ପାଇଁ ଆଜି ହିଟ୍ୱେଭ୍ ଜାରି କରିଛି ବିଭାଗ। ଏହି ସହରଗୁଡ଼ିକର ତାପମାତ୍ରା ୪୦ ଡିଗ୍ରି କିମ୍ବା ପାଖାପାଖି ରହିବା ନେଇ ଆକଳନ କରାଯାଇଛି ।ଏହାବ୍ୟତୀତ ଆସନ୍ତା ଗୁରୁବାରଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଦେଖାଯାଇପାରେ। ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୩ ରୁ ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ପରବର୍ତ୍ତୀ ସମୟରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ନ ହୋଇପାରେ । ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଏଣିକି ବର୍ଷା ପରିମାଣ ଧିରେ ଧିରେ ବଢ଼ିବ।
୨୩ ତାରିଖ ଅର୍ଥାତ ଆସନ୍ତା କାଲି ସୁଦ୍ଧା ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ କରିବା ସହ ଗଞ୍ଜାମ, ଗଜପତି, ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଏବଂ କଟକ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି ଓ ଯାଜପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୪ ତାରିଖରେ ଉପକୂଳ ଓଡ଼ିଶା ସମେତ ଅନୁଗୁଳ, ଢେଙ୍କାନାଳ, ବୌଦ୍ଧରେ ପ୍ରବଳରୁ ଅତିପ୍ରବଳ ଏବଂ କଳାହାଣ୍ଡି, ନବରଙ୍ଗପୁର, ସୁବର୍ଣ୍ଣପୁର, ସମ୍ବଲପୁର, ଦେବଗଡ଼ ଓ କୋରାପୁଟ ଜିଲ୍ଲାର ଗୋଟିଏ, ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିବା ନେଇ ଆକଳନ କରାଯାଇଛି।
ଭୟଙ୍କର ଗତିରେ ମାଡି ଆସୁଛି ସାଇକ୍ଲୋନିକ୍ ଷ୍ଟର୍ମ 'ବିପର୍ଯୟ', ଭୟଭୀତ ଲୋକେ
Share your comments