
Odisha Weather Report..pic credit: @mcbbsr
ଦୀର୍ଘ ଦିନର ଖରା ତାତି ପରେ ଓଡ଼ିଶାକୁ ମୌସୁମୀ ଛୁଇଁଛି। ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁବା ପରେ ଏବେ ତାତିରୁ ଟିକେ ନିସ୍ତାର ମିଳିଛି ।ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପ୍ରବାହ ଜାରି ରହିଛି ।ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ମାତ୍ରାଧିକ ବର୍ଷା ଯୋଗୁ ରାଜଧାନୀର ରାଜରାସ୍ତାରେ ପାଣି ଲହଡ଼ି ଭାଙ୍ଗୁଥିବା ଦେଖିବାକୁ ମିଳିଛି। ଅନେକ ସମୟ ଧରି ବର୍ଷା ଲାଗି ରହିବା କାରଣରୁ ଜନଜୀବନ ପ୍ରଭାବିତ ହୋଇଛି ।
ସେପଟେ ମୌସୁମୀ ଲାଗି ପାଗ ଅନୁକୂଳ ରହିଥିବା ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ ବିଭାଗ। ଡହଡହ ଗରମ ଭିତରେ ମୌସୁମୀର ଆଗମନ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଦେଇଛି।ମୌସୁମୀ ପ୍ରଭାବରେ ରାଜ୍ୟରେ ସ୍ଥାନେ ସ୍ଥାନେ ବର୍ଷା ଜାରି ରହିଛି। ସେପଟେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହିତ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ। ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଗତ କାଲି ଦିନ ୧୧ଟାରୁ ସଂଧ୍ୟା ୫ଟା ମଧ୍ୟରେ ୯୨.୬ ମିମି ବର୍ଷା ହୋଇଥିଲା।
ସେପଟେ କଟକରେ ମାତ୍ର ୧୬.୪ ମିମି ବର୍ଷା ରେକର୍ଡ କରାଯାଇଛି। ସେହିଭଳି ଜଗତସିଂହପୁରରେ ୬୪.୩ ମିମି, ଅନୁଗୁଳରେ ୩୮ ମିମି, ଗୋପାଳପୁରରେ ୩୬ ମିମି, ବ୍ରହ୍ମପୁରରେ ୩୩ ମିମି ଓ ଭଦ୍ରକରେ ୨୭.୮ ମିମି ବର୍ଷା ରେକର୍ଡ ହୋଇଛି। ବିଭିନ୍ନ ସ୍ଥାନରେ ଜାରି ରହିଥିବା ଏହି ବର୍ଷା ଯୋଗୁଁ ରାଜ୍ୟରେ ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ହୋଇଛି।ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ପାଗ ଅନୁକୂଳ ଥିବାରୁ ବର୍ତ୍ତମାନ ସାରା ରାଜ୍ୟରେ ମୌସୁମୀ ସକ୍ରିୟ ହେବାରେ ଲାଗିଛି। ଆଜି ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି।
ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଣୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ୨୪ ତାରିଖ ଦିନ ଅର୍ଥାତ ଆସନ୍ତା କାଲି ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ବୌଦ୍ଧ, ଦେବଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ଉପକୂଳବର୍ତ୍ତୀ ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସାରା ରାଜ୍ୟରେ ବର୍ଷା ଯୋଗୁ ଏବେ ରାଜ୍ୟର ତାପମାତ୍ରା ବହୁ ତଳକୁ ଖସିଆସିଛି।
Share your comments