
rain likely in several districts of odisha, image source - pexels.com
ଆଉ ଦିନକ ପରେ ରାଜ୍ୟରେ ବଦଳିବ ପାଣିପାଗ ଆକଳନ କରିଛି ପାଣିପାଗ କେନ୍ଦ୍ର । ବର୍ଷା ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର l ରାଜ୍ୟରେ ଶୀତ କଲବଲ କରୁଥିବା ବେଳେ ଏବେ ବର୍ଷା କରିପାରେ ହଇରାଣ ସମସ୍ତଙ୍କୁ। ଆଜି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗରେ ପରିବର୍ତ୍ତନ ଆସିବା ସହ କିଛି ସ୍ଥାନରେ ହାଲୁକା ରୁ ପ୍ରବଳ ବର୍ଷା (Rain) ହେବାର ସମ୍ଭାବନା ରହିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।
ବିଶେଷ କରି ଉତ୍ତର ଓଡ଼ିଶା (Northern Odisha) ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ତେବେ ଏଥିପାଇଁ ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି l
ତେବେ ସୂଚନା ଅନୁଯାୟୀ ଝାରସୁଗୁଡ଼ା, ସୁନ୍ଦରଗଡ, ଦେଓଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଉପକୂଳର କିଛି ଅଞ୍ଚଳରେ ହାଲୁକା ବର୍ଷା ହେବ। ଗତକାଲି ପୁରୀରେ ଝିପିଝିପି ବର୍ଷା ହୋଇଥିଲା । ହାଲୁକା ବର୍ଷାରେ ଭିଜିଥିଲା ପୁରୀ ଜିଲ୍ଲା l ପଶ୍ଚିମଝଡ଼ ପ୍ରଭାବରେ ଉତ୍ତର ଓ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଥିବା ବିଭାଗ ଆକଳନ କରିଛି । ସେହିପରି ରାଜ୍ୟରେ ଆହୁରି ୨ ରୁ ୩ ଡିଗ୍ରୀ କମିବ ରାତି ତାପମାତ୍ରା । ରାଜ୍ୟବାସୀଙ୍କୁ ଅନୁଭବ ହେବ ଆହୁରି ଅଧିକ ଶୀତ ।
ସୂଚନା ଅନୁଯାୟୀ, ଉପକୂଳ ଓଡ଼ିଶାରେ ରାତିରେ ତାପମାତ୍ରା ୧୫ ଡିଗ୍ରୀ ତଳକୁ ପୁଣିଥରେ ଖସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରାୟତଃ ୧୦ ଡିଗ୍ରୀ ତଳେ ତାପମାତ୍ରା ରହିବ । ଏହାସହ ରାଜ୍ୟରେ ଘନ କୁହୁଡି ହେବ ବୋଲି । ଭିଜିବିଲିଟି କମିବ ତେଣୁ ରାସ୍ତାରେ ଗାଡି ଚଳାଚଳ ପାଇଁ ସତର୍କ ସୂଚନା ଜାରି କରିଛି ବିଭାଗ l
ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ଲାଗିରହିବ। ଗତ କିଛି ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲା କିରେଇରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରି ଥିବା ରେକର୍ଡ କରାଯାଇଛି l ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର କେତେକ ସ୍ଥାନରେ ହାଲୁକା ବର୍ଷା ହେବ ଏବଂ ଶୀତ ଯୋଗୁଁ ବଲାଙ୍ଗୀର, ନୟାଗଡ଼, ଦାରିଙ୍ଗବାଡ଼ି, ଅନୁଗୁଳ ଓ କଟକରେ ଘନ କୁହୁଡ଼ି ହେବାରୁ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ମଧ୍ୟରେ ରହୁଥିବା ଦେଖିବାକୁ ମିଳୁଛି । ଦକ୍ଷିଣ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଥିବା ସୂଚନା ରହିଛି । ଅନ୍ୟ ବଳକା ଜିଲ୍ଲାଗୁଡ଼ିକରେ ସେଭଳି କୌଣସି ପରିବର୍ତ୍ତନ ହୋଇ ନାହିଁ ପାଣିପାଗରେ । ବହୁ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଥିବା ବେଳେ ଗୋଟିଏ ରୁ ଦୁଇଟି ସ୍ଥାନରେ ସ୍ବାଭାବିକଠାରୁ କମ୍ ରହିଥିବା ନଜିର ରହିଛି ।
Share your comments