ଚଳିତ ଖରିଫ ଋତୁରେ ଧାନ ଉତ୍ପାଦନ(Kharif rice production) 6 ପ୍ରତିଶତ କମିବା ନେଇ ଆଶଙ୍କା ମଧ୍ୟରେ ଚାଉଳ ଦରକୁ ନେଇ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସୁଛି । ଘରୋଇ ବଜାରରେ ଚାଉଳର ଖୁଚୁରା ଦର(Retail rice prices) ନିୟନ୍ତ୍ରଣରେ ରହିବା ନେଇ ସୂଚନା ଦେଇଛନ୍ତି ସରକାର ।
ଅଣବାସୁମତି ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଏବଂ ଏହାର ପର୍ଯ୍ୟାପ୍ତ ଷ୍ଟକ୍ ଖୁଚୁରା ଦର ନିୟନ୍ତ୍ରଣରେ ସାହାଯ୍ୟ କରିବ । ଘରୋଇ ବଜାରରେ ଚାଉଳ ମୂଲ୍ୟ ବୃଦ୍ଧି ହେବାର ସଙ୍କେତ ନେଇ ଖବରର ଗୋଟିଏ ଦିନ ପରେ ଖାଉଟି ମନ୍ତ୍ରଣାଳୟ ଏହି ବିବୃତ୍ତି ଦେଇଛି ।
ଖାଉଟି ମନ୍ତ୍ରଣାଳୟ ଦେଇଥିବା ବିବୃତ୍ତିରେ କୁହାଯାଇଛି ଯେ ଭଙ୍ଗା ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇ ସରକାର ଘରୋଇ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିଛନ୍ତି । ଏହା ସହିତ ଚାଉଳର ଘରୋଇ ମୂଲ୍ୟ ମଧ୍ୟ ନିୟନ୍ତ୍ରଣରେ ରଖାଯାଇଛି ।
ଗହମ ଓ ଅଟା ପରେ ନିକଟରେ ଚାଉଳ ରପ୍ତାନି(rice export) ଉପରେ ସରକାରଙ୍କ କଟକଣା ଲାଗିଥିଲା । ଅଣବାସୁମତି ଚାଉଳ(broken rice) ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲେ ସରକାର । ରପ୍ତାନି ଉପରେ ପ୍ରତିବନ୍ଧକ 9 ସେପ୍ଟେମ୍ବର 2022ଠାରୁ ଲାଗୁ ହୋଇଥିଲା ।
ଦେଶରେ ଅନେକ ଅଞ୍ଚଳରେ ସ୍ବଳ୍ପ ବୃଷ୍ଟିପାତ ହେତୁ ଚଳିତ ବର୍ଷ ଚାଉଳ ଉତ୍ପାଦନ ପ୍ରଭାବିତ ହୋଇପାରେ ବୋଲି ଅନୁମାନ କରାଯାଉଛି । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତରେ ଖାଦ୍ୟ ସୁରକ୍ଷା ପାଇଁ ଗହମ ଏବଂ ଚିନି ପରେ ଅଣବାସୁମତି ଚାଉଳ ରପ୍ତାନି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଥିଲା ।
2022-23 ପାଇଁ ପ୍ରମୁଖ ଖରିଫ ଫସଲର ଉତ୍ପାଦନର ପ୍ରଥମ ଆଗୁଆ ଆକଳନ ରିପୋର୍ଟ ପ୍ରକାଶ କରିଛି କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ । ଅସ୍ବାଭାବିକ ମୌସୁମୀ ହେତୁ ଚଳିତ ଋତୁରେ ଖରିଫ ଧାନ ଉତ୍ପାଦନ 6 ପ୍ରତିଶତ ହ୍ରାସ ଘଟିବା ନେଇ ଆକଳନ କରାଯାଇଛି । ଚଳିତ ବର୍ଷ ଖରିଫ ଋତୁରେ 104.99 ମିଲିୟନ ଟନ ଧାନ ଉତ୍ପାଦନ ହୋଇଛି । ଗତ ବର୍ଷ ଏହା 111.76 ମିଲିୟନ ଟନ ରହିଥିଲା ।
କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ଅଣବାସୁମତି ଚାଉଳର ରପ୍ତାନି ଉପରେ ଲାଗିଲା ପ୍ରତିବନ୍ଧକ
Share your comments