ପ୍ରାକୃତିକ ପରିବେଶକୁ ନେଇ ଗଢି ଉଠିଥିବା ସାତକୋଶିଆ(Satkosia Gorge)କୁ ମିଳିଛି ରାମସାର ସାଇଟ ମାନ୍ୟତା(Ramsar sites) । ଏନେଇ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଦୁଇ ପର୍ବତ ମଧ୍ୟରେ ସଙ୍କୁଚିତ ଜଳ ମାର୍ଗ ରୂପେ ସ୍ବନ୍ଦର୍ଯ୍ୟ ବଢାଉଥିବା ସାତକୋଶିଆର ଗଣ୍ଡକୁ ରାମସାର କ୍ଷେତ୍ରର ମାନ୍ୟତା ମିଳିବା ଓଡିଶା ପାଇଁ ଏକ ବଡ ଖୁସି ଖବର ।
ଓଡ଼ିଶାର ସାତକୋଶିଆ ସମେତ ଦେଶର ଆଉ ୧୦ଟି ଆର୍ଦ୍ର ଭୂମି(wetlands)କୁ ରାମସାର କ୍ଷେତ୍ର ମାନ୍ୟତା ମିଳିଛି । ଏହାକୁ ମିଶାଇ ଦେଶରେ ମୋଟ୍ ରାମସାର କ୍ଷେତ୍ର ସଂଖ୍ୟା ୬୪ରେ ପହଞ୍ଚିଛି । ଏବେ ଦେଶରେ ମୋଟ୍ ୧୨,୫୦,୩୬୧ ହେକ୍ଟର ଆର୍ଦ୍ରଭୂମି କ୍ଷେତ୍ରକୁ ଏହି ମାନ୍ୟତା ମିଳିଛି ।
ଚଳିତ ଥର ତାମିଲନାଡ଼ୁର ୬ଟି ଆର୍ଦ୍ରଭୂମିକୁ ରାମସାର ମାନ୍ୟତା ମିଳିଥିବା ବେଳେ ଓଡ଼ିଶା, ଗୋଆ, କର୍ଣ୍ଣାଟକ, ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ କ୍ଷେତ୍ରକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି । ରାମସାର ମାନ୍ୟତା ମିଳିବା ଫଳରେ ଏସବୁ ଆର୍ଦ୍ରଭୂମିର ସଂରକ୍ଷଣ ଏବଂ ପରିଚାଳନାରେ ସହାୟତା ମିଳିପାରିବ ତଥା ସମ୍ବଳର ସୁବିନିଯୋଗ ହୋଇପାରିବ ।
୧୯୭୧ ମସିହାରେ ଇରାନରେ ରାମସାର କନଭେନ୍ସନ ସ୍ବାକ୍ଷରିତ ହୋଇଥିଲା । ଏଥିରେ ଭାରତ ଅନ୍ୟତମ ଚୁକ୍ତିବଦ୍ଧ ପକ୍ଷ ରହିଛି । ଫେବୃଆରୀ ପହିଲା ୧୯୮୨ରେ ଭାରତ ଏଥିରେ ସ୍ବାକ୍ଷର କରିଥିଲା । ଏବେ ସୁଦ୍ଧା ଭାରତରେ ଅନ୍ତର୍ଜାତୀୟ ଗୁରୁତ୍ବ ବହନ କରୁଥିବା ୧୨,୫୦,୩୬୧ ହେକ୍ଟର କ୍ଷେତ୍ରଫଳ ବିଶିଷ୍ଟ ୬୪ଟି ଆର୍ଦ୍ରଭୂମିକୁ ରାମସାର ମାନ୍ୟତା ମିଳିଛି ।
ତକୋଶିଆ ୧୯ ମେ ୧୯୭୬ରେ ଅଭୟାରଣ୍ୟର ମାନ୍ୟତା ପାଇଥିଲା । ଅନୁଗୋଳ, ନୟାଗଡ଼, କଟକ ଓ ବୌଦ୍ଧ ଜିଲ୍ଲାର କିଛି ଅଂଶକୁ ନେଇ ଏହି ଅଭୟାରଣ୍ୟ ଗଠିତ । ୭୯୫.୫୨ ବର୍ଗ କି.ମି ପରିବ୍ୟାପ୍ତ ଏହି ଅଭୟାରଣ୍ୟ ଭିତରେ ମହାନଦୀ ସାତକୋଶିଆ ଗଣ୍ଡର ଦୈର୍ଘ୍ୟ ହେଉଛି ସାତ କୋଶ ଅର୍ଥାତ ୨୨ କି.ମି ଲମ୍ବ । ସାତକୋଶିଆ ଗଣ୍ଡକୁ ଲାଗି ସାତକୋଶିଆ ଅଭୟାରଣ୍ୟ ରହିଛି । ଏହି ଅଭୟାରଣ୍ୟର ମୁଖ୍ୟ ଆକର୍ଷଣ ହେଉଛି, ଘଡ଼ିଆଳ କୁମ୍ଭୀର । ଏହାଛଡା ସାତକୋଶିଆ ହେଉଛି ଓଡିଶାର ଏକ ବ୍ୟାଘ୍ର ପ୍ରକଳ୍ପ ।
Share your comments