ବଢିବାରେ ଲାଗିଛି ଶୀତ, ଓଡ଼ିଶାରେ ଶୀତର ପ୍ରକୋପ ଜାରି ରହିଛି । ବିଭିନ୍ନ ସ୍ଥାନରେ ରାତ୍ରୀ ତାପମାତ୍ରା ହ୍ରାସ ହେବା ସହିତ ରାଜ୍ୟରେ ପ୍ରବଳ ଥଣ୍ଡା ପବନ ବହିବାରେ ଲାଗିଛି । ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓଡ଼ିଶା ପର୍ଯ୍ୟନ୍ତ, ରାଜ୍ୟର ଅଧିକାଂଶ ଅଞ୍ଚଳରେ ଶୀତଦିନିଆ ଥଣ୍ଡା ପବନ ଅନୁଭୂତ ହେଉଛି, ଯାହାଦ୍ୱାରା ଲୋକମାନଙ୍କ ସାଧାରଣ ଜୀବନ ଯାପନ ପ୍ରଭାବିତ ହେବାରେ ଲାଗିଛି । ସୂର୍ଯ୍ୟାଲୋକ ଲୋକମାନଙ୍କ ଉପରେ ନପଡିବା ପର୍ଯ୍ୟନ୍ତ ଲୋକେ ତ ବାହାରକୁ ବାହାରିବାକୁ ଅମଙ୍ଗ ହେଉଛନ୍ତି ।
ସୂଚନା ଅନୁଯାୟୀ, ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ଚାରି ଦିନ ରାଜ୍ୟରେ ଶୁଖିଲା ପାଗ ପ୍ରବାହିତ ହେବ । ଆଗାମୀ ଦିନରେ ସର୍ବନିମ୍ନ ତାପମାତ୍ରା (ରାତିର ତାପମାତ୍ରା) ୩ ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ହେବାର ସମ୍ଭାବନା ଅଛି ଏବଂ ଏହା ପରେ ମଧ୍ୟ ପାଣି ପାଗରେ କୌଣସି ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ ବୋଲି ସୂଚନା ମିଳିଛି । ଗତକାଲି ଦାରିଙ୍ଗବାଡି ରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିୟସ ସହିତ ରାଜ୍ୟର ସବୁଠାରୁ ଶୀତଳ ସ୍ଥାନ ଭାବରେ ରେକର୍ଡ କରାଯାଇଛି ।
କହିବାକୁ ଗଲେ, ରାଜ୍ୟରେ ଦିନକୁ ଦିନ ଆହୁରି ବଢିବାରେ ଲାଗିଛି ଶୀତ । ଆସନ୍ତା 3 ରୁ 4 ଦିନ ମଧ୍ୟରେ ତ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଅପେକ୍ଷା ଉପାନ୍ତରେ ଅଧିକ ଜାଡ ଅନୁଭୁତ ହେବା ସହିତ ଶୀତଦିନିଆ ଥଣ୍ଡା ପବନ ବହିବ । ଶୀତ ବଢୁଥିବା କାରଣରୁ ସଂନ୍ଧ୍ୟା ପରଠାରୁ ବିନା ଶୀତ ବସ୍ତ୍ରରେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି ।
ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡି ସହ ଅଧିକାଂଶ ଜିଲ୍ଲାରେ ସାମାନ୍ୟ କୁହୁଡି ଦେଖିବାକୁ ମିଳିଛ । ଯାହାକୁ ନେଇ ରାଜ୍ୟର ୯ ଟି ସ୍ଥାନର ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି । ୪ ଡିଗ୍ରୀ ଡିଗ୍ରୀ ତାପମାତ୍ରା ସହ ଦାରିଙ୍ଗବାଡି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବରେ ରେକର୍ଡ କରିଥିବା ବେଳେ ବଲାଙ୍ଗୀରରେ ୯ ଡିଗ୍ରୀ, କୋରାପୁଟରେ ଏବଂ ଫୁଲବାଣୀରେ ୯.୫ ଡିଗ୍ରୀ, ସୁନ୍ଦରଗଡରେ ୧୦ ଡିଗ୍ରୀ, ଟିଟିଲାଗଡରେ ଏବଂ ସୋନପୁରରେ ୧୦.୮ ଡିଗ୍ରୀ, ଝାରସୁଗୁଡାରେ ୧୧.୨, ଭବାନୀପାଟଣାରେ ୧୧.୬ ଏବଂ ନୟାଗଡରେ ୧୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
Share your comments