
Temperature fall further in Odisha by 3 to 5 degree
ଉପକୂଳରୁ ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶା(North Odisha)। ସବୁଠି ଶୀତର ପ୍ରକୋପ ଲାଗି ରହିଛି । ହାଡ଼ଭଙ୍ଗା ଜାଡ଼ରେ ଥୁରୁ ଥୁରୁ ହେଉଛି ସାରା ଓଡ଼ିଶା। କୋରାପୁଟ(Koraput)ର ସେମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୨୧ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି । ସେପଟେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି(Daringibadi)ରେ ଚଳିତ ଶୀତ ଋତୁରେ ପ୍ରଥମ ତୁହିନ୍ ପଡ଼ିଛି । କୁହୁଡ଼ି କମିଥିବା ବେଳେ ଶୀତ ବଢ଼ୁଥିବାରୁ ଲୋକେ ଦିନ ୧୦ଟା ଯାଏ ଜରୁରୀ ନଥିଲେ ଘରୁ ବାହାରୁ ନାହାନ୍ତି ।
ସେପଟେ ପ୍ରବଳ ଶୀତରେ ଥରୁଛି ଜି.ଉଦୟଗିରି ସହର। ଦୁଇ ଦିନ ହେବ ଏଠାରେ ପ୍ରବଳ ଶୀତ ଅନୁଭୂତ ହେଉଛି। ରବିବାର ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ସେଲ୍ସିୟର ରହିଛି ବୋଲି ଜି.ଉଦୟଗିରି କୃଷି ପାଣିପାଗ ଫିଲ୍ଡ ୟୁନିଟ୍ ପକ୍ଷରୁ ଜଣାଯାଇଛି। ଶନିବାର ୭ ଡିଗ୍ରୀ ସେଲ୍ସିୟସ ରହିଥିବା ବେଳେ ରବିବାର ୪.୬ ଡିଗ୍ରୀ ରହିଛି। ପ୍ରବଳ ଶୀତ ସାଙ୍ଗକୁ କୋହଲା ପବନ ଯୋଗୁ ଦିନ ସାରା ଶୀତ ଲାଗି ରହୁଛି। ଘନ କୁହୁଡ଼ି ଯୋଗୁ ସକାଳ ୧୦ଟା ସୁଦ୍ଧା ଘରୁ ବାହାରିବା କଷ୍ଟକର ହୋଇପଡୁଛି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ପୁଉଁଛନ୍ତି। ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ରହୁଛି।
ଭୁବନେଶ୍ୱର ପାଣିପାଗ କେନ୍ଦ୍ର(Weather Department) ପକ୍ଷରୁ ରାଜ୍ୟରେ ଜାରି ରହିଥିବା ଶୀତ ଲହରୀକୁ ନେଇ କିଛି ଏମିତି ଆକଳନ ପ୍ରକାଶ ପାଇଛି। ଆଗାମୀ ୨-୩ ଦିନ ପର୍ଯ୍ୟନ୍ତ ରାତି ତାପମତ୍ରାରେ ଆହୁରି ହ୍ରାସ ଘଟିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ବିଶେଷକରି ରବିବାର ରାତିରେ ୧୨ଟି ଜିଲ୍ଲାରେ ଶୀତ ଲହରି(Cold Wave) ପରିସ୍ଥିତି ସୃଷ୍ଟି ହେବ ବୋଲି କୁହାଯାଇଥିବା ବେଳେ ଉପରୋକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇ ଏନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ରବିବାର ସକାଳ ୮ଟା ୩୦ରୁ ସୋମବାର ସକାଳ ୮ଟା ୩୦ ପର୍ଯ୍ୟନ୍ତ ରାଜ୍ୟର ୧୨ଟି ଜିଲ୍ଲାର କେତେକ ସ୍ଥାନରେ ଶୀତ ଲହରୀ ଅନୁଭୂତ ହୋଇପାରେ। ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ୱର, ଅନୁଗୋଳ ଏବଂ ଢେଙ୍କାନାଳରେ ପ୍ରବଳ ଶୀତ ଅନୁଭୂତ ହେବାର ସମ୍ଭାବନା ରହିଛି।
ସେଥିପାଇଁ ଉପରୋକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅପରପକ୍ଷେ କେନ୍ଦ୍ରର ସୂଚନା ଅନୁଯାୟୀ ଶୁକ୍ରବାର ରାତିରେ ଝାରସୁଗୁଡ଼ାରେ ସର୍ବନିମ୍ନ ୫.୬ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ରାଉରକେଲାରେ ୬ ଡିଗ୍ରୀ, ସୁନ୍ଦରଗଡ଼ ଓ ଜି. ଉଦୟଗିରିରେ ୭ ଡିଗ୍ରୀ, ସେମିଳିଗୁଡ଼ାରେ ୭.୩ ଡିଗ୍ରୀ ଓ ଚିପିଲିମାରେ ୭.୪ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ସେହିପରି ଦାରିଙ୍ଗିବାଡ଼ି, ଢେଙ୍କାନାଳ, କେନ୍ଦୁଝର, ଫୁଲବାଣୀ, ସୋନପୁର, ଅନୁଗୋଳ, ଭଦ୍ରକ, ରାଣୀତାଲ, ମହିଷାପାଟ, ବାରିପଦା, ବାଲେଶ୍ୱର, ଭବାନୀପାଟଣା, କୋରାପୁଟ ଓ କେନ୍ଦ୍ରାପଡ଼ାରେ ତାପମାତ୍ରା ୧୦ ଡିଗ୍ରୀ କିମ୍ବା ତାହା ତଳେ ରହିଥିବା ଜଣାପଡ଼ିଛି।
Share your comments