
Odisha Weather Update
ବେଶ୍ କିଛି ଦିନର ବ୍ୟବଧାନ ପରେ ସାରା ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ହାଡ଼ଭଙ୍ଗା ଜାଡ଼(heavy cold)ରେ ସାରା ରାଜ୍ୟ ଥରୁଛି । ଆହୁରି ୩ ଦିନ ରାଜ୍ୟବାସୀଙ୍କୁ ଶୀତ ଥରାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର(weather Department Odisha) ପକ୍ଷରୁ ସୂଚନା ଦିଆଯାଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ହ୍ରାସ ପାଇବ । ତଦନୁଯାୟୀ କେତେକ ଜିଲ୍ଲା ପାଇଁ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ(Yellow Warning) ଜାରି କରାଯାଇଛି ।
ଉତ୍ତର-ପୂର୍ବ ଦିଗରୁ ପ୍ରବାହିତ ବାୟୁ ପରିବେଶକୁ ଆହୁରି କାଲୁଆ କରିଦେଇଛି। ଫଳରେ ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ଜାଡ଼ରେ ପୂରା ଓଡ଼ିଶା ଥରିବ। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟରେ ଜାରି ରହିଥିବା ଶୀତ ଲହରୀକୁ ନେଇ କିଛି ଏମିତି ଆକଳନ ପ୍ରକାଶ ପାଇଛି। ଆଗାମୀ ୨-୩ ଦିନ ପର୍ଯ୍ୟନ୍ତ ରାତି ତାପମତ୍ରାରେ ଆହୁରି ହ୍ରାସ ଘଟିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି।
ମଣିଷଠାରୁ ଆରମ୍ଭ କରି ଜୀବଜନ୍ତୁ ପର୍ଯ୍ୟନ୍ତ ଶୀତ ପ୍ରକୋପରେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ଆକାଶ ମେଘମୁକ୍ତ ରହିବା ସହ ଉତ୍ତର-ପୂର୍ବ ଦିଗରୁ ଶୁଷ୍କ ଥଣ୍ଡାବାୟୁ ରାଜ୍ୟକୁ ପ୍ରବାହିତ ହେଉଛି। ଫଳରେ ସାରା ରାଜ୍ୟରେ ଶୀତର ପ୍ରକୋପ ବଢ଼ିଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଅନୁଗୋଳ ଓ ଢେଙ୍କାନାଳ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ଶୀତ ଲହରି ଅନୁଭୂତ ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି।
ଏପରିକି ଜାଡ଼ ଯୋଗୁଁ ଜ୍ୱର, ଥଣ୍ଡା, କାଶ, ନାକରୁ ପାଣି ବାହାରିବା, ଛିଙ୍କ ପ୍ରଭୃତି ରୋଗ ହେବାର ସମ୍ଭାବନା ରହିଛି। ତେଣୁ ବୟସ୍କ ଓ ଛୋଟ ପିଲାଙ୍କ ପ୍ରତି ଧ୍ୟାନଦେବା ପାଇଁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେପଟେ ଦାରିଙ୍ଗବାଡ଼ି(Daringibadi)ରେ ଚଳିତ ବର୍ଷର ପ୍ରଥମ ତୁଷାରପାତ। ୭ ଡ଼ିଗ୍ରୀ ତଳକୁ ଖସିଲା ତାପମାତ୍ରା। ଆଜି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ ତୁଷାର ପାତ ଦେଖାଯାଇଛି ।
ଶନିବାର ଦିନ ୮ ଡ଼ିଗ୍ରୀ ତାପମାତ୍ରା ରହିଥିବା ବେଳେ ରବିବାର ୭ ଡ଼ିଗ୍ରୀରେ ପହଁଚିଛି। ଯାହାକି ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ଭାବେ ରେକର୍ଡ଼ କରାଯାଇଛି। ଏଥି ସହ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଛି। ଦାରିଙ୍ଗବାଡ଼ି ସମେତ ମାଜିଷ୍ଟ୍ରେଟ ରେସିଡେଣ୍ଟ ସମ୍ମୁଖ ପାଳ ଉପରେ, ସିକପାଟା ଯିବା ରାସ୍ତା ନିକଟରେ, କୁତୁବାଡ଼ି, ଡୁଲୁରି ନିକଟରେ ଥିବା ପାଣି ଟାଙ୍କି ପାର୍ଶ୍ଵରେ, ଦାରିଙ୍ଗବାଡ଼ିର ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାରପାତ ହୋଇଥିବା ଜଣାପଡିଛି। ତୁଷାର ପାତ ଦେଖିବାକୁ ବିଭିନ୍ନ ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି।
Share your comments