
Today midnight cyclone mandous to landfall
ଭୀଷଣ ବାତ୍ୟାର ରୂପ ନେଉଛି ସାମୁଦ୍ରିକ ଝଡ଼ ‘ମାଣ୍ଡୋସ୍’ ( mandosh ) । ଏହା ତାମିଲନାଡୁର ମାମଲ୍ଲାପୁରମ୍ ଉପକୂଳରେ ସ୍ଥଳଭାଗ ଛୁଇଁପାରେ। ଆଜି ମଧ୍ୟରାତ୍ର ସୁଦ୍ଧା ବାତ୍ୟା ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୁକାବିଲା ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏନଡିଆରଏଫ ଏବଂ ସେନା ସତର୍କ ଅଛନ୍ତି।
ବାତ୍ୟା ପାଇଁ ପୁଡ଼ୁଚେରୀରେ ଶୁକ୍ରବାର ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି। ଦକ୍ଷିଣ ଭାରତର କିଛି ସ୍ଥାନରେ ପାଗ ପରିବର୍ତନ ହୋଇ ବର୍ଷା ହେବାରେ ଲାଗିଛି। ପାଣିପାଗ ବିଭାଗ ପକ୍ଷରୁ ଦକ୍ଷିଣ ଭାରତର କିଛି ସ୍ଥାନ ପାଇଁ ଆଲର୍ଟ ଜାରି କରାଯାଇଛି । ପୁଡୁଚେରୀ ଓ ଶ୍ରୀହରିକୋଟା ଦେଇ ଅତିକ୍ରମ କରିବା ବେଳେ ପବନର ବେଗ ଘଣ୍ଟାପ୍ରତି ୭୦ କି.ମି. ରହିବ। ଆଜି ରାତି ୯ଟା ମଧ୍ୟରେ ଏହା ଅତିକ୍ରମ କରିବ।
ଏହାର ପ୍ରଭାବରେ ଉତ୍ତର ତାମିଲନାଡ଼ୁର କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ଘଣ୍ଟାପ୍ରତି ୮୫ କି.ମି. ବେଗରେ ପବନ ବହିପାରେ। ଏହାକୁ ଦୃଷ୍ଟିରେ ରଖି ଉତ୍ତର ତାମିଲନାଡୁର ବହୁ ଜିଲ୍ଲାରେ ସ୍କୁଲ୍, କଲେଜ ଛୁଟି ଘୋଷଣା କରାଯାଇଛି। ଗତ ୬ ଘଣ୍ଟା ମଧ୍ୟରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ମାଣ୍ଡୋସ୍ । ତାମିଲନାଡୁ, ପୁଡୁଚେରୀ କିମ୍ବା ଦକ୍ଷିଣ ଆନ୍ଧ୍ର ଉପକୂଳରେ କରିବ ଲ୍ୟାଣ୍ଡଫଲ୍ । ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ନଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।
ବାତ୍ୟା ‘ମାଣ୍ଡୋସ୍’ ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ର ଉପକୁଳରେ ସ୍ଥଳପଥ ଅତିକ୍ରମ କରିପାରେ। ବାତ୍ୟା ପ୍ରଭାବରେ ତାମିଲନାଡ଼ୁ, ପୁଡ଼ୁଚେରୀ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଅଞ୍ଚଳ ପ୍ରଭାବିତ ହେବାକୁ ଥିବା ବେଳେ, ଏହାର ମୁକାବିଲା ପାଇଁ NDRF ଟିମ୍ ମୁତୟନ ହୋଇଛନ୍ତି। ତେବେ ଓଡ଼ିଶା ଉପରେ ବାତ୍ୟାର ସିଧା ପ୍ରଭାବ ନଥିଲେ ବି ଆସନ୍ତା ୧୦ ଓ ୧୧ରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।
ସେପଟେ ବାତ୍ୟା ଉପକୂଳ ମୁହାଁ ହେଉଥିବାରୁ ତାମିଲନାଡୁରେ ସତର୍କତା। ଚେଙ୍ଗଲପାଟୁ, ଭିଲୁପ୍ପୁରମ୍, କାଞ୍ଚିପୁରମ୍ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି। ପୁଡୁଚେରୀ ପାଇଁ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆଲର୍ଟ ଜାରି କରାଯାଇଛି। ‘ମାଣ୍ଡୋସ୍’ ଭୀଷଣ ବାତ୍ୟାର ରୂପ ନେବାକୁ ଥିବାରୁ ମୁକାବିଲା ପାଇଁ ପ୍ରସ୍ତୁତି କରାଯାଉଛି।
Share your comments