
Tomatoes cost rs 2 per kg
ଟମାଟୋ (Tomatoes) କିଲୋ ଏବେ ୨ଟଙ୍କା । ଅଧିକ ଉତ୍ପାଦନ ହୋଇଛି; ସଂରକ୍ଷଣ ସୁବିଧା ନଥିବାରୁ ଚାଷୀ କମ୍ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।
କେନ୍ଦୁଝର ଜିଲ୍ଲାର ଆନନ୍ଦପୁରରେ ଟମାଟୋ (Tomatoes) କିଲୋ ଏବେ ୨ ଟଙ୍କା । କିଛିଦିନ ପୂର୍ବରୁ ଟମାଟୋ (Tomatoes) କିଲୋଗ୍ରାମ ପ୍ରତି ୮୦ ରୁ ୧୦୦ଟଙ୍କା ବିକ୍ରି ହେଉଥିଲା । ଖୋଲା ବଜାରରେ ଟମାଟୋ କିଲୋ ଏବେ ୧୦ ଟଙ୍କା ଓ ଦୁଇ କିଲୋକୁ ୧୫ ଟଙ୍କା ରହୁଛି । ଆଜି ଏଠାରେ ୩୦ କିଲୋଗ୍ରାମ ଟମାଟୋ ଟ୍ରେକୁ ମାତ୍ର ୬୦ ଟଙ୍କାରେ ଆନନ୍ଦପୁରରୁ ରାଜଧାନୀ ଭୁବନେଶ୍ବରକୁ ଚାଲାଣ କରାଯାଇଛି ।
ଆନନ୍ଦପୁରର ପଦ୍ମପୁର, ହାତୀବନ୍ଧା, ବଳଦୁଆଁ, ବେଲବାହାଳି, ସରେଇଁ ଅଞ୍ଚଳରେ ପାଖାପାଖି ୫୦ ଏକର ଜମିରେ ଚଳିତ ବର୍ଷ ବିଲାତି ଚାଷ କରାଯାଇଛି । ଅହେତୁକ ଦର ହ୍ରାସଯୋଗୁ ଚାଷୀମାନେ ମୁଣ୍ଡରେ ହାତ ଦେଲେଣି । ଭାତହାଣ୍ଡିରୁ ଗୋଟିଏ ଚିପିବା ଭଳି ଯଦି ଆନନ୍ଦପୁର ଅବସ୍ଥା ଏୟା, ତେବେ ରାଜ୍ୟର ଅନ୍ୟ ଅଞ୍ଚଳର ସ୍ଥିତି କଣ, ତାହା ଅନୁମେୟ।
ଅଗଷ୍ଟରୁ ନଭେମ୍ବର ମାସ ପର୍ଯ୍ୟନ୍ତ ବାହାର ରାଜ୍ୟରୁ ଟମାଟୋ (Tomatoes) ଆସି ଆନନ୍ଦପୁର ବଜାରରେ କିଲୋଗ୍ରାମ ପିଛା ୮୦ ରୁ୧୦୦ ଟଙ୍କାରେ ବିକ୍ରି ହେଉଥିଲା । ଏହାପରେ ସ୍ଥାନୀୟ ଅଞ୍ଚଳରେ ଟମାଟୋ (Tomatoes) ଉତ୍ପାଦନ ହେବାରୁ ଜାନୁଆରି ମାସରେ କିଲୋଗ୍ରାମ ପିଛା ୪୦ଟଙ୍କାରେ ବିକ୍ରି ହେଉଥିଲା । ଲଘୁଚାପ ଜନିତ ଲଗାଣ ବର୍ଷାଯୋଗୁ ଚାଷକାର୍ଯ୍ୟ ବିଳମ୍ବ ଯୋଗୁ ଚାଷୀମାନେ ବିଳମ୍ବରେ ଟମାଟୋ ଚାଷ କରିଥିଲେ । ଏବେ ଉତ୍ପାଦନ ହେବା ବେଳକୁ ବଜାରରେ ଦର ହ୍ରାସ ପାଇଛି ।
ଆନନ୍ଦପୁର ବ୍ଲକ୍ ହାତୀବନ୍ଧା ଗ୍ରାମର ଚାଷୀ ନରହରି ଜେନାଙ୍କ କହିବା ଅନୁସାରେ ସେ ୨ ଏକର ଜମିରେ ବିଲାତି (Tomatoes) ଚାଷ କରିଥିଲେ। ଉତ୍ପାଦନ ଯାହା ହୋଇଛି ସେ ଦେଢଲକ୍ଷ ଟଙ୍କାର ଟମାଟୋ (Tomatoes) ବିକ୍ରି କରିବାର ଲକ୍ଷ୍ୟ ରଖିଥିଲେ । ହେଲେ ମାତ୍ର ୬୦ ହଜାର ଟଙ୍କା ଉଠିଛି । କୁହୁଡ଼ି ପ୍ରଭାବରେ ବିଲାତି ଚାଷ କିଛିଟା କ୍ଷତିଗ୍ରସ୍ତ ହୋଇଥିବାରୁ ଆଉ ଆଗକୁ ବିଲାତି ଅମଳ ହେବା କଷ୍ଟକର ବୋଲି ନରହରି କହିଛନ୍ତି ।
ସେହିଭଳି ଏହି ଗ୍ରାମର ଶ୍ରୀପତି ଜେନା, ଶରତ ଜେନା, ଇନ୍ଦ୍ରମଣି ଜେନା, ରମେଶ ଚନ୍ଦ୍ର ଜେନା, ଅଭୟ ଦାସଙ୍କ କହିବା ଅନୁସାରେ ଜାନୁଆରି ମାସରେ ଟମାଟୋ ୩୦ କିଲୋଗ୍ରାମର ଟ୍ରେ ୩୫୦ଟଙ୍କାରେ ବେପାରୀଙ୍କୁ ବିକ୍ରି କରୁଥିଲେ। ଏବେ ଦିନକୁ ଦିନ ଦର କମୁଛି। ଆଜି ହାତୀବନ୍ଧାରେ ଟ୍ରେ ମାତ୍ର ୬୦ଟଙ୍କାରେ ବିକ୍ରି କରାଯାଇଛି।
ପ୍ରକାଶ ଥାଉ ଯେ, ଆନନ୍ଦପୁର ପୌରାଞ୍ଚଳର ପଦ୍ମପୁରରେ ଦୁଇଦିନ ତଳେ ଟ୍ରେ ପିଛା ୪୦ରୁ ୫୦ ଟଙ୍କା ଦରରେ ବିକ୍ରି ହୋଇଥିବା ନେଇ ଜଣାପଡ଼ିଛି । ପ୍ରତିଦିନ କମ୍ ଦରରେ ଟ୍ରିପ୍ ଟ୍ରିପ୍ ବିଲାତି (Tomatoes) ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଉଛି । ଅଧିକ ଅମଳ ହେଉଥିବାରୁ ବାଧ୍ୟହୋଇ ଚାଷୀମାନେ କମ୍ ଦରରେ ବିକ୍ରି କରୁଛନ୍ତି । ଶୀତଳଭଣ୍ଡାର ନଥିବାରୁ ଏହାର ସଂରକ୍ଷଣ ମଧ୍ୟ ହୋଇପାରୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।
Share your comments