ଜାଳିବ, ଭାଜିବ… ସନ୍ତୁଳି ଦେବ । ଆହୁରି ପ୍ରାୟ ସପ୍ତାହେ ଏମିତି ଛଟପଟ କରିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ (Heat Wave)। ବର୍ତ୍ତମାନ ତାତିରୁ ଟିକିଏ ବି ନିସ୍ତାର ଆଶା ଦେଖାଯାଉନି । ଉପକୂଳ ଯେମିତି ସିଝୁଛି, ସିଝିବ । ଆଭ୍ୟନ୍ତରୀଣ ଓଡ଼ିଶା (ODISHA)ବାସୀ ଆହୁରି ଅଧିକ ଜଳିବ । ମେ’ପହିଲା ଯାଏଁ ଗ୍ରୀଷ୍ମର ଏଭଳି ଭୟାନକ ପ୍ରକୋପ ଜାରି ରହିବ । ଜନଜୀବନକୁ କଲବଲ କରିବ । ବର୍ଷା (RAIN)ର ବଡ଼ ଆଶା ନାହିଁ । କାଳବୈଶାଖୀ ହେଲେ ବି କାଁ ଭାଁ ହେବ ଓ ସ୍ୱଳ୍ପ ବର୍ଷା (RAIN)କରାଇବ ।
ସୂଚନା ଅନୁଯାୟୀ, ଆସନ୍ତକାଲି ସୋନପୁର ଜିଲ୍ଲା, ବୌଦ୍ଧ ଜିଲ୍ଲା ଓ ବଲାଙ୍ଗୀର ଆଦି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ (Heat Wave)କୁ ନେଇ ୟେଲୋ ୱାର୍ଣ୍ଣିଂ (Yellow Warning)ଜାରି ହୋଇଛି । ଏଣୁ ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖରାକୁ ନ ବାହାରିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏଥିସହ ଖରାକୁ ବାହାରିଲେ ଓଦା ଗାମୁଛା, ପାଣି ବୋତଲ ଓ ଛତା ନେବାକୁ ନ ଭୁଲିବାକୁ କେନ୍ଦ୍ର ପକ୍ଷରୁ ସଚେତନ କରାଯାଇଛି । ଅନ୍ୟପଟେ ଆସନ୍ତା ୨ ଦିନରେ ଆଭ୍ୟନ୍ତର ଓଡ଼ିଶାର ତାପମାତ୍ରା ୩ ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ ବୋଲି କେନ୍ଦ୍ର ସୂଚନା ଦେଇଛି ।
ପାଣିପାଗ କେନ୍ଦ୍ର କହିଛି ଯେ କେବଳ ଆସନ୍ତାକାଲି ନୁହେଁ, ୨୬ ତାରିଖ ଓ ୨୭ ତାରିଖ ଦିନ ସୋନପୁର ଜିଲ୍ଲା, ବୌଦ୍ଧ ଜିଲ୍ଲା, ବଲାଙ୍ଗୀର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା ଓ କଳାହାଣ୍ଡି ଆଦି ଜିଲ୍ଲାରେ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସମୟରେ ଶିଶୁ, ବୟସ୍କ ଓ ରୋଗୀମାନଙ୍କର ସ୍ବତନ୍ତ୍ର ଭାବେ ଯତ୍ନ ନେବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ଉପକୂଳ ଓଡ଼ିଶାର ପାରଦ ଏବେ ଉପରମୁହାଁ ହୋଇଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ତାପମାତ୍ରା କମିବାର ବି ସମ୍ଭାବନା ନାହିଁ । ଆଭ୍ୟନ୍ତର ଓଡ଼ିଶା ଆହୁରି ଜଳିବ । ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳ ଆସନ୍ତାକାଲି ବି କଲବଲ ହେବ । ୪୩ ଡିଗ୍ରି ତାପମାତ୍ରା ଆସନ୍ତାକାଲି ବି ରାଜଧାନୀରେ ରେକର୍ଡ ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ୩ ଦିନରେ ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାର କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ଏହା ପରିବେଶକୁ ଥଣ୍ଡା କରିବାରେ ବିଶେଷ ସହାୟକ ହେବ ନାହିଁ। ତାତି ମାସ ଶେଷ ଯାଏ ଜାରି ରହିବ ।
ପ୍ରକାଶ ଥାଉ ଯେ, ପୂର୍ବାନୁମାନଠାରୁ ବି ଭୟଙ୍କର ରୂପ ନେଲାଣି ଗ୍ରୀଷ୍ମ ପ୍ରବାହ (Heat Wave)। ରବିବାର ସୂର୍ଯ୍ୟଙ୍କ କୋପ ଆହୁରି ବଢ଼ିଯାଇଥିଲା । ୨୮ ସହରରେ ତାତି ୪୦ ଡିଗ୍ରୀ ପାର୍ କରିଲା । ୮ଟି ସ୍ଥାନରେ ୪୨ ଡେଇଁଗଲା ପାରଦ । ସୋନପୁର ତାପମାତ୍ରା ୪୩.୮, ଭୁବନେଶ୍ୱର ୪୩.୩, ଅନୁଗୁଳ ୪୩.୧, ତାଳଚେର ୪୩ ଡିଗ୍ରୀରେ ଫୁଟୁଥିଲା । ୨୦୧୧ରୁ ଏବେ ସୁଦ୍ଧା ଏପ୍ରିଲରେ ଆଜିକୁ ମିଶାଇ କେବଳ ୩ ଥର ଭୁବନେଶ୍ୱର ତାପମାତ୍ରା ୪୩ ଡିଗ୍ରୀ ଡେଇଁଛି ।
Share your comments