News

ଆସୁଛି ଆଉ ଗୋଟିଏ ଲଘୁଚାପ, ନେବ ଅବପାତ ରୂପ!

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ପୁଣି ଏକ ଲଘୁଚାପ । ସମ୍ଭବତଃ ଆସନ୍ତା ୩/୪ ଦିନ ଭିତରେ ଲଘୁଚାପ ସୃଷ୍ଟି ହୋଇପାରେ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଡେଲ୍‌ ସମ୍ଭାବ୍ୟ ଲଘୁଚାପ ନେଇ ପୂର୍ବାନୁମାନ କରିଛି ।

13 May, 2022 10:07 AM IST By: Sudesna Nayak

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ପୁଣି ଏକ ଲଘୁଚାପ (Low Pressure)। ସମ୍ଭବତଃ ଆସନ୍ତା ୩/୪ ଦିନ ଭିତରେ ଲଘୁଚାପ ସୃଷ୍ଟି ହୋଇପାରେ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଡେଲ୍‌ ସମ୍ଭାବ୍ୟ ଲଘୁଚାପ ନେଇ ପୂର୍ବାନୁମାନ କରିଛି ।

ସୂଚନା ଅନୁଯାୟୀ, ଆସନ୍ତା ଦୁଇ ସପ୍ତାହ ପାଇଁ ଆଇଏମ୍‌ଡି ଜାରି କରିଥିବା ଏକ୍ସଟେଣ୍ଡେଡେ୍‌ ଫୋରକାଷ୍ଟରେ ଏଭଳି ସମ୍ଭାବ୍ୟ ସ୍ଥିତି ବାବଦରେ ସୂଚନା ଦିଆଯାଇଛି । ଆଇଏମଡି ଇସିଏମଡବ୍ଲୁଏଫ ମଡେଲ୍‌ (IMD)ଅନୁସାରେ ମେ ୧୩ ତାରିଖରୁ ୧୯ ତାରିଖ ଭିତରେ ଏକ ଲଘୁଚାପ (Low Pressure) ସୃଷ୍ଟି ହୋଇପାରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ । ଏହା ଅବପାତ ରୂପ ବି ନେଇପାରେ । ମାତ୍ର ଅଧିକାଂଶ ମଡେଲ୍‌ ଅବପାତ ସମ୍ଭାବନାକୁ ଖଣ୍ଡନ କରିଛି। ମାତ୍ର ଲଘୁଚାପ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି । କେତେକ ବିଦେଶୀ ପାଣିପାଗ ମଡେଲ୍‌ ମଧ୍ୟ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ସୂଚାଇଛନ୍ତି ।

କହିବାକୁ ଗଲେ, ଅନ୍ୟପଟେ ଆଇଏମଡି ମୌସୁମୀ ସମ୍ପର୍କରେ ପୂର୍ବାନୁମାନ କରିଛି । ଆଇଏମଡି ପକ୍ଷରୁ କୁହାଯାଇଛି, ଦକ୍ଷିଣ-ପଶ୍ଚିମ ମୌସୁମୀ ଆସନ୍ତା ୧୫ ତାରିଖବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଛୁଇଁବ । ଯାହାକି ୫ ଦିନ ଆଗୁଆ । ପାଗ ଅନୁକୁଳ ଥିବାରୁ ଏଭଳି ସ୍ଥିତି ଉପୁଜିଛି । ସାଧାରଣତଃ ମେ ୨୦ ତାରିଖବେଳକୁ ଆଣ୍ଡାମାନ ସାଗରରେ ପ୍ରବେଶ କରେ ମୌସୁମୀ । ଏଥର ମୌସୁମୀ ସଅଳ ଆସିବା ଅନୁମାନ କରାଯାଉଛି । ମାତ୍ର ଏହା ପ୍ରଭାବରେ ଓଡ଼ିଶା (ODISHA) ରେ ଯେ ମୌସୁମୀ ଶୀଘ୍ର ଆସିବ, ତାହା ଏବେଠାରୁ ଆକଳନ କରାଯାଇପାରିବ ନାହିଁ ।

ପ୍ରକାଶ ଥାଉ ଯେ, ଆଇଏମଡି (IMD)ସୂଚନା ଅନୁସାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସାମାନ୍ୟ ବଢ଼ିବ । ମାତ୍ର ଉପକୂଳ ଓଡ଼ିଶାରେ ସ୍ଥିତି ଅପରିବର୍ତ୍ତିତ ରହିବ । ୧୯ ତାରିଖରୁ ୨୫ ତାରିଖ ଭିତରେ ରାଜ୍ୟରେ ଗ୍ରୀଷ୍ମ କୋପ ପୁଣି ଅସହ୍ୟ ହେବ । ସେହି ସମୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ତାପମାତ୍ରା ଅଧିକ ରହିବ ବୋଲି ଜଣାପଡିଛି ।

ଟଳିଲା ବାତ୍ୟା ବିପଦ, ଦୁର୍ବଳ ହେଲା ଅସାନି

ଟଳିଲା ବାତ୍ୟା ବିପଦ, କେଉଁଠି ହେବ ଲ୍ୟାଣ୍ଡଫଲ୍?