News

ଓଡ଼ିଶାର ପାରମ୍ପରିକ ଖାଦ୍ୟର ପ୍ୟାକେଜିଂ ପାଇଁ ଆୟୋଜିତ ହେବ କର୍ମଶାଳା

ଓଡ଼ିଶାର ପାରମ୍ପରିକ ଖାଦ୍ୟକୁ ସାରା ବିଶ୍ୱର ବିଭିନ୍ନ କୋଣରେ ପହଞ୍ଚାଇବାକୁ ପ୍ୟାକେଜିଂ ଉପରେ କର୍ମଶାଳା ଆସନ୍ତା ୨୮ ତାରିଖ ପୂର୍ବାହ୍ନ ୧୦.୩୦ ଠାରୁ ଭୁବନେଶ୍ୱର ସ୍ଥିତ ହୋଟେଲ ଦି ନିଉ ମାରିଅନରେ ଆୟୋଜନ କରାଯିବ ।

28 January, 2023 11:37 AM IST By: Tanushree Mahapatra

ଓଡ଼ିଶାର ପାରମ୍ପରିକ ଖାଦ୍ୟକୁ ସାରା ବିଶ୍ୱର ବିଭିନ୍ନ କୋଣରେ ପହଞ୍ଚାଇବାକୁ ପ୍ୟାକେଜିଂ ଉପରେ କର୍ମଶାଳା ଆସନ୍ତା ୨୮ ତାରିଖ ପୂର୍ବାହ୍ନ ୧୦.୩୦ ଠାରୁ ଭୁବନେଶ୍ୱର ସ୍ଥିତ ହୋଟେଲ ଦି ନିଉ ମାରିଅନରେ ଆୟୋଜନ କରାଯିବ। କେନ୍ଦ୍ର ଏମଏସଏମଇ ମନ୍ତ୍ରଣାଳୟ ଏବଂ ଓଡିଶା ସରକାରଙ୍କର ଏମଏସଏମଇ ବିଭାଗ ସହାୟତାରେ ଫୋରମ୍ ଫର ଏଣ୍ଟରପ୍ରାଇଜ ଡେଭଲପମେଣ୍ଟ, ଭୁବନେଶ୍ୱର ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ।

ଏଥିରେ ଭାରତର ସରକାରଙ୍କର ଏମଏସଏମଇ ମନ୍ତ୍ରଣାଳୟର ସଚିବ ବିଦ୍ୟୁତ ବିହାରୀ ସ୍ୱାଇଁ ମୁଖ୍ୟ ଅତିଥି, ଏବଂ ଶିଳ୍ପ ମନ୍ତ୍ରଣାଳୟ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଷଢଙ୍ଗୀ, ରାଜ୍ୟ ସରକାରଙ୍କର ଏମଏସଏମଇ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଫୋରମ୍ ଫର ଏଣ୍ଟରପ୍ରାଇଜ ଡେଭଲପମେଣ୍ଟ, ଭୁବନେଶ୍ୱରର ଅଧ୍ୟକ୍ଷ ପଞ୍ଚାନନ ଦାଶ ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବେ। ଏମଏସଏମଇ ବିକାଶ ଏବଂ ସୁବିଧା କାର୍ଯ୍ୟାଳୟର ମୁଖ୍ୟ ପି କେ ଗୁପ୍ତା ଏହି କାର୍ଯ୍ୟକ୍ରମର ସଂଯୋଜନା କରିବେ। ଏତଦବ୍ୟତୀତ ଓଡିଶା ସରକାରଙ୍କ ଶିଳ୍ପ ନିର୍ଦ୍ଦେଶକ, ଓଡ଼ିଶା ଖଦି ଏବଂ ଗ୍ରାମଦ୍ୟୋଗ କମିଶନର ନିର୍ଦ୍ଦେଶକ ସମୀର କୁମାର ମହାନ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିରେ ଭାରତୀୟ ପ୍ୟାକେଜିଂ ଇନଷ୍ଟିଚ୍ୟୁଟ୍ କୋଲକତା, ସେଣ୍ଟ୍ରାଲ୍ ଫୁଡ୍ ଟେକ୍ନୋଲୋଜିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ହାଇଦ୍ରାବାଦର ବିଶେଷଜ୍ଞ ଓ ଭାରତର ବିଭିନ୍ନ ଜାଗାରୁ ମେସିନ୍ ଯୋଗାଣକାରୀମାନେ ଭାଗ ନେବେ। ଏମଏସଏମଇ ବିକାଶ ଏବଂ ସୁବିଧା କାର୍ଯ୍ୟାଳୟର ସହକାରୀ ନିର୍ଦ୍ଦେଶକ ଶିବାନନ୍ଦ ନାୟକ, ଫେଡ୍‌ର ଅବୈତନିକ ସଦସ୍ୟ ରାଇ ପ୍ରସାଦ ପଟନାୟକ, ସରୋଜ ରଥ ଏବଂ କମଳାକାନ୍ତ ସାହୁ ପ୍ରମୁଖ କର୍ମଶାଳା ଆୟୋଜନରେ ସହାୟତା କରିବେ ।

ସୂଚନାଯୋଗ୍ୟ ଯେ, ଭାରତ ଗୋଟିଏ ଯୁବକରେ ଭରା ଦେଶ ଯେଉଁଥିରେ ପ୍ରାୟ ୭୦% ଲୋକଙ୍କର ବୟସ ୪୦ ବର୍ଷରୁ କମ୍ । ଭାରତର ମୋଟ ଜାତୀୟ ଆୟର 34% ଯୁବକମାନଙ୍କର ଅବଦାନ ରହିଛି; କିନ୍ତୁ ଏହାକୁ ବୃଦ୍ଧି କରିବାର ଅତ୍ୟନ୍ତ ଆବଶ୍ୟକତା ଅଛି। ବାସ୍ତବରେ, ଯୁବକମାନେ ଆଜି କେବଳ ଆର୍ଥିକ ସମୃଦ୍ଧିର ବିକାଶ ପାଇଁ ନୁହେଁ ବରଂ ସାମାଜିକ ପରିବର୍ତ୍ତନ ପାଇଁ ମଧ୍ୟ ଏକ ପ୍ରମୁଖ ଉତ୍ସ। ଆମେ ଜନସଂଖ୍ୟାଗତ ଲାଭାଂଶ (Demographic Dividend) କଥା କହୁ ଯାହାର ଅର୍ଥ ହେଲା ଜନସଂଖ୍ୟାର ବୟସ ସଂରଚନାରେ ପରିବର୍ତ୍ତନର ଫଳାଫଳ ସ୍ୱରୂପ ଅର୍ଥନୀତିର ଅଭିବୃଦ୍ଧି । ଯୁବ ସମାଜର ସଂଖ୍ୟା ବୃଦ୍ଧି ସଂଗେ ସଂଗେ ଅର୍ଥନୀତିର ଅଭିବୃଦ୍ଧି । ଗୋଟିଏ ପରିବାରରେ ଖାଲି ଯୁବସଂଖ୍ୟା ବଢିଲେ ପରିବାର ଉନ୍ନତି ହୁଏ ନାହିଁ । ସେମାନେ ସବୁ ରୋଜଗାରକ୍ଷମ ହେଲେ ପରିବାରର ଉନ୍ନତି ହୁଏ। ସେମାନେ ଖାଲି ବେକାର ହୋଇ ବସି ଖାଇଲେ ପରିବାର ପାଇଁ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରନ୍ତି। ସେମିତି ଆମ ଦେଶ ଆମର ଗୋଟିଏ ବଡ ପରିବାର। ଦେଶର ଏତେ ବଡ ଯୁବ ଶକ୍ତି ଯଦି କର୍ମ କରିବାର ସୁଯୋଗ ପାଇଲେ ତେବେ ଆମ ଦେଶ ଉନ୍ନତ ହେବ । କିନ୍ତୁ ଯୁବପିଢ଼ି ଯଦି କର୍ମ କରିବାକୁ ସୁଯୋଗ ପାଇଲେ ନାହିଁ ତେବେ ଦେଶର ଆର୍ଥିକ ଅଭିବୃଦ୍ଧି ହେବା ବଦଳରେ ସେମାନେ ଦେଶ ଉପରେ ବୋଝ ହୋଇଯିବେ।

ଗୋଟିଏ ଉନ୍ନତ ଭବିଷ୍ୟତ ପାଇଁ ଯୁବକମାନଙ୍କୁ ସଶକ୍ତ କରି ସେମାନଙ୍କର ଉଭୟ ଆର୍ଥିକ ଉନ୍ନତି ସହିତ ଜୀବନଧାରଣର ମାନକୁ ବୃଦ୍ଧି କରିବାର ଆବଶ୍ୟକତା ଅଛି। ଏହି ଆହ୍ୱାନ କେବଳ ସରକାରଙ୍କ ପାଇଁ ସୀମିତ ନୁହେଁ, ଦେଶର ସମଗ୍ର ବେସରକାରୀ ସଂସ୍ଥା ମଧ୍ୟ ସେମାନଙ୍କୁ କର୍ମ ଯୋଗାଇ ଦେବାକୁ ତତ୍ପର ହେବା ଉଚିତ। ସଚେତନତା ଏବଂ ମାର୍ଗଦର୍ଶନ ମାଧ୍ୟମରେ ଯୁବପିଢିଙ୍କୁ ସଶକ୍ତିକରଣ କରି ଜୀବନର ଏକ ଉତ୍ତମ ଦୃଷ୍ଟିକୋଣର ବିକାଶ ଦିଗରେ ପ୍ରଚେଷ୍ଟା କରିବାର ଆବଶ୍ୟକତା ଅଛି । ଯୁବ ସଶକ୍ତିକରଣ କେବଳ ସମଗ୍ର ଦେଶର ବିକାଶ ପାଇଁ ନୁହେଁ ବରଂ ଜଣେ ବ୍ୟକ୍ତିର ବ୍ୟକ୍ତିଗତ ବିକାଶ ପାଇଁ ମଧ୍ୟ ଜରୁରୀ।

ଏହାକୁ ଧ୍ୟାନରେ ରଖି ଫୋରମ୍ ଫର ଏଣ୍ଟରପ୍ରାଇଜ ଡେଭଲପମେଣ୍ଟ (ଫେଡ଼), ଏକ ପଂଜିକୃତ ସଂସ୍ଥା ଯୁବକ ମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଛି । ଦକ୍ଷିଣ ଭାରତର ଇଡଲି, ଦୋସା ପୃଥିବୀ ସାରା ବିକ୍ରି ହେଉଛି । ଆମ ଓଡ଼ିଶାରେ ଏତେ ପାରମ୍ପରିକ ପିଠା ଅଛି ଯଦି ସେଗୁଡ଼ିକ ତିଆରିର ମାନ ଏବଂ ଗୁଣ ବୃଦ୍ଧି ସଂଗେ ସଂଗେ ସୁନ୍ଦର ଆବରଣ ମାଧ୍ୟମରେ ବିକ୍ରି କର ଯାଆନ୍ତା ତେବେ ଏହା ବିଶ୍ୱର ବିଭିନ୍ନ ଜାଗାରେ ପହଞ୍ଚି ପାରନ୍ତା ।

ଓଡିଆର ପାରମ୍ପରିକ ପିଠାକୁ ଗୃହିଣୀମାନଙ୍କ ମାଧ୍ୟମରେ ତିଆରି କରାଇ ତାକୁ ଲୋକପ୍ରିୟ କରିବା ପାଇଁ କିଛି ଯୁବକମାନଙ୍କ ସହ ମିଶି ଫେଡ଼ ଏକ ଅଭିନବ ପ୍ରୟାସ କରିଛି, ଯେଉଁମାନେ ଅନ୍ୟଥା ବେକାର ବସି ଟିଭି ଦେଖି ସମୟ ନଷ୍ଟ କରୁଥିଲେ। ବର୍ତ୍ତମାନ ଗୃହିଣୀମାନେ ରାଜ୍ୟ ଅର୍ଥନୀତିରେ ସହଯୋଗ କରୁଛନ୍ତି। ସେଠାରେ ବହୁ ସଂଖ୍ୟକ ମହିଳା ଅଛନ୍ତି ଯେଉଁମାନେ ପାରମ୍ପରିକ ପିଠା ତିଆରିରେ ନିୟୋଜିତ ଅଛନ୍ତି । ଆସ୍ତେ ଆସ୍ତେ ଏହି ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । କିନ୍ତୁ ସେମାନଙ୍କୁ ଉତ୍ପାଦନ ପାଇଁ ଉତ୍ସାହିତ କରିବା ଯଥେଷ୍ଟ ନୁହେଁ । ଗୁଣବତ୍ତା ଏବଂ ଏହାର ମାର୍କେଟେବିଲିଟିରେ ଉନ୍ନତି ଆଣିବା ପାଇଁ ସେମାନେ ବିଭିନ୍ନ ହ୍ୟାଣ୍ଡହୋଲ୍ଡିଂ ସହଯୋଗର ଆବଶ୍ୟକତା ଅଛି । ଓଡିଶା ରସଗୋଲା ଟ୍ୟାଗ୍ ହାସଲ କରିଛି କିନ୍ତୁ ଉପଯୁକ୍ତ ପ୍ୟାକେଜିଂ ଅଭାବ ହେତୁ ଉତ୍ପାଦକୁ ସ୍ଥାନୀୟ ଅଞ୍ଚଳ ବାହାରେ ମାର୍କେଟ କରିବାରେ ସକ୍ଷମ ହେଇ ହୋଇ ନାହାନ୍ତି । ସମସ୍ତେ ନିଜ ଉତ୍ପାଦକୁ ରାଜ୍ୟ ବାହାରେ ମାର୍କେଟ କରିବା ଏବଂ ଏପରିକି ରପ୍ତାନି ପାଇଁ ପ୍ୟାକେଜିଂ ଉପରେ ମାର୍ଗଦର୍ଶନର ଆବଶ୍ୟକତା ଅଛି ।

ଖାଦ୍ୟ ପଦାର୍ଥର ସଠିକ୍ ପ୍ୟାକେଜିଂ କଲେ ଏହା ଖାଦ୍ୟକୁ ଦୂଷିତ ହେବାରୁ ରକ୍ଷା କରିଥାଏ, ଦ୍ରବ୍ୟର ସେଲ ଲାଇଫକୁ ଉନ୍ନତ କରିଥାଏ, ଖାଦ୍ୟକୁ ଶାରୀରିକ କ୍ଷତିରୁ ରକ୍ଷା କରିଥାଏ, ଖାଦ୍ୟ ସାମଗ୍ରୀର ସତେଜତା ବଜାୟ ରଖେ ଏବଂ ଟ୍ୟାମ୍ପରିଂ ରୋକିବାରେ ସାହାଯ୍ୟ କରେ । ଆଜି ଆଧୁନିକ ଆବରଣ (ପ୍ୟାକେଜିଂ) ମାଧ୍ୟମରେ ପୃଥିବୀର ଗୋଟିଏ କୋଣରେ ତିଆରି ହେଉଥିବା ଖାଦ୍ୟ ପଦାର୍ଥ ପୃଥିବୀର ଅନ୍ୟ କୋଣରେ ବିକ୍ରି ହେଉଛି ।  ଏହାକୁ ଦୃଷ୍ଟିରେ ରଖି ଫେଡ୍‌ ପକ୍ଷରୁ ଏଭଳି ଏକ ପ୍ରୟାସ କରାଯାଉଛି ।

ମହାସମ୍ମିଳନୀ ପର୍ବ, ରାୟଗଡ "ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମହୋତ୍ସବ"

ଅର୍ଥ ବିଭାଗ ଜାରି କଲା ନିର୍ଦ୍ଦେଶ, ପୁଣି ଲାଗୁ ହେଲା ପୁରୁଣା ପେନସନ ସ୍କିମ୍

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)