1. ଅନ୍ୟାନ୍ୟ

ଓଡ଼ିଶା ଚାଷୀଙ୍କୁ ମିଳିଲା ଦିଲ୍ଲୀରୁ ଡକରା

ଜାତୀୟ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବେ ବଲାଙ୍ଗିରର ମହିଳା କପା ଚାଷୀ ସରସ୍ଵତୀ ମେହେର । ସପତ୍ନୀକ ଦିଲ୍ଲୀ ଯିବେ ଦାରିଙ୍ଗିବାଡ଼ିର ଅନୁସୂଚିତ ଜନଜାତି ଚାଷୀ ମିନୁରା ପ୍ରଧାନ । ପିପିଲିର ଛତୁ ଚାଷୀ ସଂଜିତ କୁମାର ମହାନ୍ତି ଓ ଅଶ୍ଵିନୀ କୁମାର ପାଣ୍ଡେଙ୍କୁ ମଧ୍ୟ ଦିଲ୍ଲୀ ଯିବାକୁ ନିମନ୍ତ୍ରଣ ।

Tanushree Mahapatra
Tanushree Mahapatra
farmer will be the special guest , image source - @PMOIndia , pexels.com

farmer will be the special guest , image source - @PMOIndia , pexels.com

ଜାତୀୟ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବେ ବଲାଙ୍ଗିରର ମହିଳା କପା ଚାଷୀ ସରସ୍ଵତୀ ମେହେର । ସପତ୍ନୀକ ଦିଲ୍ଲୀ ଯିବେ ଦାରିଙ୍ଗିବାଡ଼ିର ଅନୁସୂଚିତ ଜନଜାତି ଚାଷୀ ମିନୁରା ପ୍ରଧାନ । ପିପିଲିର ଛତୁ ଚାଷୀ ସଂଜିତ କୁମାର ମହାନ୍ତି ଓ ଅଶ୍ଵିନୀ କୁମାର ପାଣ୍ଡେଙ୍କୁ ମଧ୍ୟ ଦିଲ୍ଲୀ ଯିବାକୁ ନିମନ୍ତ୍ରଣ । ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ୭୭ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ୧୮ଶହ ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ବହୁ ଚାଷୀ, ମତ୍ସ୍ୟଜୀବୀ, ମନରେଗା ଶ୍ରମିକ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀ । 

ଓଡ଼ିଶାରୁ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରୁ ବଲାଙ୍ଗୀର ଜିଲ୍ଲା ତୁରକେଲା ବ୍ଲକ ଅନ୍ତର୍ଗତ ଚାଉଳଶୁଖା ଗ୍ରାମର ମହିଳା ଚାଷୀମାନେ ନାରୀ ସଶକ୍ତିକରଣର ପରାକାଷ୍ଠା ଦେଖାଇଛନ୍ତି । ଏମାନେ କୃଷକ ଉତ୍ପାଦକ ସଂଗଠନ ତିଆରି କରି କପା ଉତ୍ପାଦନ ଓ କାର୍ପାସ ସାମଗ୍ରୀର ସଫଳ ବିପଣନ କରି ଭଲ ରୋଜଗାର କରିବା ସହ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ପ୍ରଥମେ ଏହି ଗ୍ରାମର ୧୦ଜଣ ମହିଳା ମିଶି ଏକ କୃଷକ ଉତ୍ପାଦକ ସଂଗଠନ ତିଆରି କରିଥିଲେ । ପରବର୍ତ୍ତୀ ସମୟରେ ସଦସ୍ୟ ସଂଖ୍ୟା ୩୨୦କୁ ବୃଦ୍ଧି ପାଇଥିଲା । ପ୍ରତି ମହିଳା ୨ହଜାର ଟଙ୍କା ଲେଖାଏଁ ଜମା କରି ମହାଶକ୍ତି ଫାଉଣ୍ଡେସନ ମାଧ୍ୟମରେ ନାବାର୍ଡର ସହାୟତା ଲୋଡ଼ିଥିଲେ । ନାବାର୍ଡ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଏହି ସଂଗଠନ ୧୬ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଇଥିଲେ । ପରେ କୃଷକ ଉତ୍ପାଦକ ସଂଗଠନ ନିଜର କୃଷି ଉତ୍ପାଦନ ସାମଗ୍ରୀ ତଥା କପାକୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ବିକ୍ରି କରି ଯଥେଷ୍ଟ ଲାଭ ପାଇଥିଲେ । ସେମାନେ ଚଳିତବର୍ଷ ୭୭ଲକ୍ଷ ଟଙ୍କା ସଞ୍ଚୟ କରିପାରିଛନ୍ତି ଏବଂ ଆସନ୍ତା ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ନିମନ୍ତ୍ରଣ ପାଇଥିବାରୁ ସଂଗଠନ ସଦସ୍ୟା ସରସ୍ଵତୀ ମେହେର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି । 

ସେହିପରି କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ଅନ୍ତର୍ଗତ କାଣ୍ଡାପା ଗ୍ରାମରୁ ଦିଲ୍ଲୀ ଯାତ୍ରା କରିବେ ଅନୁସୂଚିତ ଜନଜାତି ଚାଷୀ ମିନୁରା ପ୍ରଧାନ । ଦିଲ୍ଲୀର ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ କେନ୍ଦ୍ର ସରକାର ତାଙ୍କୁ ନିମନ୍ତ୍ରଣ କରିଛନ୍ତି । ଦେଶ ସ୍ୱାଧୀନ ହେବାପରେ ପ୍ରଥମ ଥରପାଇଁ ଏହି ଅଞ୍ଚଳର ଜଣେ ଚାଷୀଙ୍କୁ ନିମନ୍ତ୍ରଣ କରାଯାଇଥିବାରୁ ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି । ମିନୁରା ପ୍ରଧାନ ପତ୍ନୀ ନିମନ୍ତି ପ୍ରଧାନଙ୍କ ସହ ଦିଲ୍ଲୀ ଯିବେ । ମିନୁରା ହଳଦୀ ଚାଷ କରି ପରିବାର ପ୍ରତିପୋଷଣ କରିବା ସହ ସେହି ଅଞ୍ଚଳର ଜଣେ ପ୍ରତିଷ୍ଠିତ ଚାଷୀ ରୂପେ ବେଶ୍ ସୁନାମ ଅର୍ଜନ କରିଛନ୍ତି । ସେ ବର୍ତ୍ତମାନ ଦାରିଙ୍ଗିବାଡ଼ି ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍‌ର ଅଧ୍ୟକ୍ଷ ଅଛନ୍ତି । ଏହି ପ୍ରଡ୍ୟୁସର ଗ୍ରୁପ୍‌ ଦିଲ୍ଲୀରେ ଏକାଧିକ ଥର ମେଳାରେ କନ୍ଧମାଳ ହଳଦୀ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରିବଟା କରିଥିବାବେଳେ ଗତ ଫେବୃଆରୀରେ ଅନୁଷ୍ଠିତ ମେଳାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି କମ୍ପାନୀଠାରୁ ଦାରିଙ୍ଗିବାଡ଼ି କଫି କିଣିଥିଲେ ।

ଅନୁରୂପ ଭାବେ ପିପିଲି -୪ ଏସ୍ ଆର ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ସଦସ୍ୟମାନେ ଦିଲ୍ଲୀ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସମ୍ମାନିତ ହେବେ । ପ୍ଧା ନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଛତୁ ଚାଷରେ ସଫଳତା ପାଇଁ ସେମାନଙ୍କୁ ସମ୍ମାନିତ କରାଯିବ । ପୁରୀ ଜିଲା ପିପିଲି ଥାନା ଅନ୍ତର୍ଗତ ଶାନ୍ତି ମଇଦାନ ନିକଟରେ ୧୦ ଜଣ ସଦସ୍ୟ ମିଶି ଏହି କମ୍ପାନୀ ପ୍ରତିଷ୍ଠା କରିଛନ୍ତି । ଏହି କମ୍ପାନୀ ମାଧ୍ୟମରେ ଆଖପାଖର ଚାଷୀ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ଯୁବକମାନେ ପାଳ ଛତୁ ଚାଷ କରି ଭଲ ରୋଜଗାର କରିବା ସହ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଏହି କମ୍ପାନୀର ସଦସ୍ୟମାନେ ଛତୁ ବିହନ ପ୍ରସ୍ତୁତ କରି ଚାଷୀଙ୍କୁ ଯୋଗାଇ ଆସୁଛନ୍ତି । ୨୦୦ ଗ୍ରାମର ଛତୁ ବିହନକୁ ମାତ୍ର ୧୫ ଟଙ୍କାରେ ଚାଷୀମାନଙ୍କୁ ଦିଆଯାଇଥାଏ । କେବଳ ଏତିକି ନୁହେଁ ଚାଷୀମାନେ କିଭଳି ଏଥିରେ ଲାଭବାନ ହେବେ ସେଥିପାଇଁ ମଧ୍ୟ କମ୍ପାନୀ ପ୍ରଶିକ୍ଷଣ ଦେଉଛି । ସ୍ୱାଧୀନତା ଦିବସ ଉତ୍ସବ ଲାଗି କମ୍ପାନୀର ସଦସ୍ୟ ସଂଜିତ କୁମାର ମହାନ୍ତି ଓ ଅଶ୍ଵିନୀ କୁମାର ପାଣ୍ଡେ ପ୍ରମୁଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । 

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments