ଆଜିକାଲି ଖାଲି ଗାଁ ନୁହଁ ସହରର ପଢୁଆ ଯୁବକ ମାନେ ମଧ୍ୟ ପାଠପଢି ସାରିବା ପରେ ଚାକିରୀ ନ କରି ନିଜର ଗ୍ରାମାଞ୍ଚଳରେ ଚାଷ ପ୍ରତି ଆଗଭର ହେଉଥିବାର ଦେଖିବାକୁ ମିଳୁଛି l ବର୍ତ୍ତମାନର ଯୁବକ ମାନେ ଚାଷ କରି ଅର୍ଥ ଉପାର୍ଜନ କରିବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ଚାଷ ପାଇଁ ପ୍ରୋତ୍ସାହିତ କରୁଛନ୍ତି l ସେହିଭଳି ଜଣେ ଯୁବ ଚାଷୀଙ୍କ ବିଷୟରେ ଆସନ୍ତୁ ଜାଣିବା ଯିଏ ନିଜର ଆତ୍ମବିସ୍ୱାଶ ବଳରେ ଜଣେ ସଫଳ କଙ୍କଡ଼ା ଚାଷୀ ଭାବରେ ସମଗ୍ର ଓଡ଼ିଶାରେ ବହୁ ପ୍ରତିଷ୍ଠିତ ଏବଂ ପ୍ରସଂଶିତ l
ଓଡ଼ିଶାର ଉପକୂଳବର୍ତ୍ତୀ ପୁରୀ ଜିଲ୍ଲାର ବ୍ରହ୍ମଗିର ଅଞ୍ଚଳର ଗୋପୀନାଥପୁର ପୋଷ୍ଟ ଅନ୍ତର୍ଗତ ଆର.ଯଦୁପୂର ଗ୍ରାମର 38 ବର୍ଷିୟ କୃଷକ ସନ୍ତୋଷ ଜେନା କୃଷି ଦୃଶ୍ୟପଟ୍ଟରେ ନିଜ ପାଇଁ ଏକ ଅବିସ୍ମରଣୀୟ ସ୍ଥାନ ପାଇଛନ୍ତି। ପାରମ୍ପାରିକ କୃଷକ ଠାରୁ ଜଣେ ସଫଳ କଙ୍କଡ଼ା ଚାଷୀ ପର୍ଯ୍ୟନ୍ତ ତାଙ୍କର ଯାତ୍ରା କେବଳ ତାଙ୍କର ନିଷ୍ଠାର ପ୍ରମାଣ ନୁହେଁ ବରଂ ସମଗ୍ର ସମ୍ପ୍ରଦାୟ ପାଇଁ ଏକ ଆଶାର ଆଲୋକ ଅଟେ | ତିନି ବର୍ଷ ପୂର୍ବେ ସେ ଏକ ପରିବର୍ତ୍ତନଶୀଳ ଯାତ୍ରା ଆରମ୍ଭ କରିଥିଲେ, ଯାହା କୃଷି ପ୍ରତି ଏକ ଉତ୍ସାହ ଏବଂ ନିଜର କଠିନ ପରିଶ୍ରମ ବଳରେ ସଫଳ ହୋଇଥିଲା |
ଚାଲନ୍ତୁ ଜାଣିବା ତାଙ୍କର ଏହି ତିନି ବର୍ଷ ତଳର କାହାଣୀ
ପରମ୍ପାରିକ ଚାଷ ସହିତ ସବୁବେଳେ ଯୋଡ଼ି ହୋଇଥିଲେ ସନ୍ତୋଷ ଜେନା, ନିଜ ଗାଁ ମାଟିକୁ ଭଲ ପାଇବା ଏବଂ ଗାଁରେ ରହି ଭଲ ପଇସା କମେଇବାର ଲକ୍ଷ୍ୟ ରଖିଥିଲେ ସବୁବେଳେ ସେ l " ତିନି ବର୍ଷ ପୂର୍ବେ ମତ୍ସ୍ୟ ମିତ୍ର ନାମକ ଏକ କୃଷି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି, ଯାହାକି ମୋର ଭାଗ୍ୟ ବଦଳାଇଦେଲା l ଏହି କୃଷି ପ୍ରଶିକ୍ଷଣ ଓଡିଶା ସରକାରଙ୍କ OUAT ଏବଂ କୃଷି ବିଜ୍ଞାନ କେନ୍ଦ୍ର ପୁରୀ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏଥିରେ କୃଷି କ୍ଷେତ୍ରର ଅନେକ ବିଶିଷ୍ଟ ବୈଜ୍ଞାନିକ ଯୋଗ ଦେଇଥିଲେ l
ଏଥିରେ ଜଳାଶୟରେ ଚାଷ କରାଯାଉଥିବା ସମସ୍ତ ପ୍ରାଣୀ ସମ୍ପଦ ସମ୍ପର୍କରେ ବିସ୍ତୃତ ଭାବରେ ସୂଚନା ଦିଆଯାଇଥିଲା l ମାଛ, କଙ୍କଡ଼ା, ଚିଙ୍ଗୁଡ଼ି,ଶାମୁକା, ଗେଣ୍ଡା,ଏବଂ ଅନ୍ୟାନ୍ୟ ଉଭୟ ମଧୁର ଏବଂ ଲୁଣିଆ ପାଣିରେ ଚାଷ କରାଯାଉଥିବା ପ୍ରାଣୀ ସମ୍ପଦ ସମ୍ପର୍କରେ ମୁଁ ଜାଣିବାକୁ ପାଇଲି l ମୋ ନିଜ ସ୍ଥାନର ମାଟିରେ pH ଅଧିକ ଥିବାରୁ ଏବଂ କଙ୍କଡ଼ା ଚାଷରେ ମୋର ପୂର୍ବରୁ ଟିକେ ଆଗ୍ରହ ଥିବାରୁ ମୁଁ କଙ୍କଡ଼ା ଚାଷ କରିବାକୁ ମନସ୍ତ କଲି", ବୋଲି କୁହନ୍ତି ସଫଳ କଙ୍କଡ଼ା ଚାଷୀ ସନ୍ତୋଷ
ପ୍ରାରମ୍ଭିକ ପର୍ଯାୟରେ କୃଷି ବିଜ୍ଞାନ କେନ୍ଦ୍ର, ପୁରୀ (KVK) ଏବଂ ଓଡ଼ିଶା କୃଷି ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟର (OUAT) ଡକ୍ଟର ଅମ୍ବିକା ପ୍ରସାଦ ନାୟକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ବୋଲି କହନ୍ତି କଙ୍କଡା ଚାଷୀ ସନ୍ତୋଷ | ନୂତନ ଜ୍ଞାନ ସହିତ,ସନ୍ତୋଷ ନିଜ ଅଞ୍ଚଳର ଉତ୍ସ ଏବଂ ଆବଶ୍ୟକତାକୁ ଯତ୍ନର ସହ ମୂଲ୍ୟାଙ୍କନ କଲେ | ପୁରୀର ଉପକୂଳ ମାଟି ଲୁଣିଆ, କଙ୍କଡ଼ା ଚାଷ ପାଇଁ ଏକ ଉତ୍ତମ ସୁଯୋଗ ବୋଲି ସେ ହୃଦୟଙ୍ଗମ କଲେ | ସମ୍ଭାବ୍ୟ ଲାଭକୁ ଚିହ୍ନି, ସଠିକ ଜ୍ଞାନ କୌଶଳ ଏବଂ ନିଜର ଗଭୀର ଆତ୍ମ ବିଶ୍ୱାସ ସହିତ କଙ୍କଡା ଚାଷ କରିବାକୁ ନିଷ୍ପତ୍ତି ନେଲେ, ଯାହା ପରବର୍ତ୍ତୀ ସମୟରେ କୃଷି କ୍ଷେତ୍ରରେ ତାଙ୍କ ପାଇଁ ଏକ ଅଭିନବ ରାସ୍ତା ଖୋଲିଦେଲା |
ସେ ମୁଖ୍ୟତ ଦୁଇଟି ପ୍ରଜାତିର କଙ୍କଡା ଚାଷ କରୁଛନ୍ତି ବୋଲି ଆମକୁ ଜଣେଇଥିଲେ l Scylla serrata (ସବୁଜ କଙ୍କଡା) ଏବଂ Scylla tranquebarica (ନାଲି କଙ୍କଡା) ଦୁଇ ପ୍ରଜାତି ମଧ୍ୟରୁ ସେ ସବୁଜ କଙ୍କଡା ଅଧିକ ଚାଷ କରୁଛନ୍ତି l ଛୋଟ କଙ୍କଡା ତାଙ୍କୁ ପାଖ ଅଞ୍ଚଳରେ ସୁବିଧାରେ ମିଳୁଥିବାର କଥା ସେ କହିଛନ୍ତି l ଛୋଟ କଙ୍କଡା ପ୍ରାୟତ ପାଞ୍ଚ ରୁ ଦଶ ଟଙ୍କା ମୂଲ୍ୟରେ ମିଳିଥାଏ l ସେ ପ୍ରାୟ ସବୁବେଳେ ସବୁଜ କଙ୍କଡ଼ା କିଲୋଗ୍ରାମ ପିଛା ଦୁଇ ହଜାର ଟଙ୍କାରେ ବିକ୍ରି କରୁଛନ୍ତି l ବାର୍ଷିକ କଙ୍କଡା ବ୍ୟବସାୟରୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସେ ଆୟ କରୁଛନ୍ତି l
KVK ପୁରୀ ସହିତ ଅମ୍ବିକା ପ୍ରସାଦ ନାୟକଙ୍କ ପ୍ରେରଣା ତାଙ୍କୁ ସଦାସର୍ବଦା ପ୍ରୋତ୍ସାହିତ କରିଆସିଛି l ପ୍ରାରମ୍ଭିକ ପର୍ଯାୟରେ ମାଟିର pH ଜଳକୁ ପ୍ରଭାବିତ କରିଥିଲା l କଙ୍କଡା ଚାଷ ପାଇଁ ସବୁଠାରୁ ଉତ୍ତମ pH ହେଉଛି 7.5 ରୁ 8 ମଧ୍ୟରେ, କିନ୍ତୁ ଜଳର pH କମିଗଲେ ସେ କ୍ୟାଲସିୟମ କାର୍ବୋନେଟ ବା ଚୂନକୁ ସଠିକ ପରିମାଣର ପ୍ରୟୋଗ କରି ଜଳର pH ସନ୍ତୁଳନ କରିବା ପାଇଁ ସର୍ବଦା ଚେଷ୍ଠା କରନ୍ତି l
ତାଙ୍କର ଏହି ସଫଳତା କେବଳ ତାଙ୍କ ଜୀବନରେ ପରିବର୍ତ୍ତନ ଆଣିନାହିଁ ବରଂ ସ୍ଥାନୀୟ ଅଧିବାସୀଙ୍କୁ ମଧ୍ୟ ପ୍ରେରଣା ଦେଇଛି | ତାଙ୍କର ଏହି ସଫଳତା ଦେଖି ଅନ୍ୟ ପାଖ ଗାଁ ର ଯୁବକ ମାନେ ମଧ୍ୟ କଙ୍କଡ଼ା ଚାଷ ପ୍ରତି ଆଗଭର ହେବାର ଦେଖିବାକୁ ମିଳିଛି l
ସନ୍ତୋଷ ଜେନାଙ୍କ ସଫଳତାର କାହାଣୀ କେବଳ କୃଷି କ୍ଷେତ୍ରରେ ବିଜୟର କାହାଣୀଠାରୁ ଅଧିକ; ଏହା ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପିଥିବା ପ୍ରେରଣାଦାୟକ କାହାଣୀ | ସହଯୋଗ, ନବସୃଜନ ଏବଂ ଜ୍ଞାନର ନିରନ୍ତର ଅନୁସରଣ ମାଧ୍ୟମରେ,ସନ୍ତୋଷ ଜେନା କେବଳ ନିଜ ଜୀବନକୁ ପରିବର୍ତ୍ତନ କରିନାହାଁନ୍ତି ବରଂ ଏହି ଅଞ୍ଚଳର ଚାଷୀଙ୍କ ପାଇଁ ଆଶାର ଆଲୋକ ପାଲଟିଛନ୍ତି | ତାଙ୍କର ଯାତ୍ରା ପାରମ୍ପାରିକ କୃଷି ଅଭ୍ୟାସକୁ ବିଜ୍ଞାନର ଚରମ ସୋପାନରେ ନେବାର ଅପାର ସମ୍ଭାବନାକୁ ସୂଚିତ କରେ, ପ୍ରମାଣ କରେ ଯେ ସଠିକ୍ ଉପାୟ ସହିତ ସଫଳତା କେବଳ ଏକ ସମ୍ଭାବନା ନୁହେଁ ବରଂ ଏକ ବାସ୍ତବତା |