
How to take care of fish pond according to season ?
ଅନେକ ଲୋକ ଏବେ ଚାଷ କାର୍ଯ୍ୟ ଆପଣାଉଛନ୍ତି l କାରଣ ଚାଷ କାମ କରି ସେମାନେ ଅନେକ ତାଙ୍କ ଲାଭ ଉଠାଇ ପାରୁଛନ୍ତି ଯେତିକି ସେମାନେ ବେସରକାରୀ ଚାକିରୀ କରି ମଧ୍ୟ କମାଇ ପାରୁ ନାହାନ୍ତି l ଏପରି କ୍ଷେତ୍ର ରେ ମାଛ ଚାଷ ମଧ୍ୟ ବେଶ ଲାଭବାନ ଚାଷ ସାଜିଛି ଲୋକଙ୍କ ପାଇଁ l ଏବେ ଦିନ କୁ ଦିନ ବଢୁଛି ତାତି । ସେପଟେ ନଦୀ ପୋଖରୀର ଜଳସ୍ତର କମିବା ଯେପରି ଏକ ଚିନ୍ତା ର କାରଣ ପାଲଟିଛି ( care of fish pond ) ।
ଏଭଳି ସ୍ଥିତିରେ ମାଛ ଚାଷ କଲେ ମାଛମାନଙ୍କ ମୃତ୍ୟୁ ଆଶଙ୍କା ଯଥେଷ୍ଟ ଅଧିକ ରହିଥାଏ । ମାଛ ମରିବା କାରଣରୁ ଚାଷୀଙ୍କୁ ମଧ୍ୟ ଅନେକ କ୍ଷତି ସହିବାକୁ ପଡେ । ଏଥିପାଇଁ ମାଛ ପୋଖରୀର ଉପଯୁକ୍ତ ପରିଚାଳନା ମଧ୍ୟ ଜରୁରି । ଯଦ୍ଵାରା ମାଛ ମୃତ୍ୟୁ ହାର କମିବା ସହ ଚାଷୀ ଆର୍ଥିକ କ୍ଷତିରୁ ମୁକ୍ତି ପାଇପାରିବେ । ତେବେ ଆସନ୍ତୁ ଜାଣିବା ଅଳ୍ପ ଜଳ ଥିବା ପୋଖରୀ ରେ କିପରି ମାଛ ଚାଷ କରାଯାଇପାରିବ ଏବଂ କିପରି ସଫା କରି ହେବ ପୋଖରୀ ଜଳକୁ l
ମାଛ ଚାଷ କରୁଥିବା ପୋଖରୀ ଜଳସ୍ତର ଅତି କମ୍ ରେ ୬ ଫୁଟ ରହିବା ଦରକାର । ଯଦି ପୋଖରୀରୁ ଜଳସ୍ତର କମିଯାଉଛି ତେବେ ଚାଷୀମାନେ ଅନ୍ୟ କୌଣସି ଉପାୟରେ ପୋଖରୀରେ ପାଣି ଭରିପାରିବେ । ଖରାଦିନେ ତାପମାତ୍ରା ବୃଦ୍ଧି ଯୋଗୁଁ ଜଳାଶୟରେ ଅମ୍ଳଜାନ ଅଭାବର କାରଣ ଦେଖାଯାଇଥାଏ ଯାହା ଦ୍ୱାରା ମାଛ ମାନେ ମାରି ଯାଇଥାନ୍ତି । ଏହା ଦୂର କରିବା ପାଇଁ ଚାଷୀମାନେ ପ୍ରଥମତଃ ପୋଖରୀରେ ଜଳ ସଂଚାଳନ କରିବା ଦରକାର ଓ ଜଳର ଉଚ୍ଚତା ବଢ଼ାଇ ଦେବା ଦରକାର । ଏଥିସହିତ ପାଖରେ ବାୟୁ ସଂଚାଳନ ଯନ୍ତ୍ର କିମ୍ବା ପାଣି ପମ୍ପ ଦ୍ଵାରା ପୋଖରୀ ମଧ୍ୟରେ ଜଳ ସଂଚାଳନ କରିବା ଦରକାର । ଫଳରେ ଜଳରେ ଥିବା ଦ୍ରବୀଭୂତ ଅମ୍ଳଜାନର ପରିମାଣ ବଢ଼ିଯିବ ଓ ମାଛମାନଙ୍କର ମୃତ୍ୟୁ ହେବ ନାହିଁ ।
ପୋଖରୀରେ ଅମ୍ଳଜାନ ଅଭାବର ଲକ୍ଷଣ ହେଲା, ମାଛମାନେ ପୋଖରୀର ଜଳସ୍ତର ଉପରିଭାଗକୁ ଆସିଯାଆନ୍ତି ଓ ଅମ୍ଳଜାନ ନେବା ପାଇଁ ପାଟି ପାକୁପାକୁ କରନ୍ତି । ଏହା ବ୍ୟତୀତ ମଧ୍ୟରାତ୍ରରୁ ଭୋର ପର୍ଯ୍ୟନ୍ତ ଏହି ଲକ୍ଷଣ ମାଛମାନଙ୍କର ଦେଖାଯାଏ । ଯଦି ଏହି ଲକ୍ଷଣ ଚାଷୀ ପୋଖରୀରେ ଦେଖିବାକୁ ପାଏ ତାହେଲେ ସେମାନେ ଏହାର ତୁରନ୍ତ ପ୍ରତିକାର କରିବା ଜରୁରି, କାରଣ ଏହା ନହେଲେ ଅମ୍ଳଜାନ ଅଭାବରେ ମାଛମାନଙ୍କର ମୃତ୍ୟୁ ଘଟିପାରେ ।
ପାଣି ପୋଖରୀ ଅତ୍ୟଧିକ, ନୀଳ ହୋଇଯାଇଥିଲେ ସେଥିରେ ଉଦ୍ଭିଦ ଗତ ପ୍ଲବକ ଅଧିକା ହୋଇଯାଇଥାଏ । ଏହା ପୋଖରୀର ଜଳସ୍ତର କମିବା ଦ୍ଵାରା ହୋଇଥାଏ । ପୋଖରୀର ଜଳସ୍ତର କମିବା ଦ୍ଵାରା ପଙ୍କରେ ଥିବା ଅଦରକାରୀ ଗଞ୍ଜେସ୍ ତଥା ଏମୋନିଆ ନାଇଟ୍ରାଇଟ୍ ବଢ଼ିଯାଇଥାଏ ଓ ମାଛମାନଙ୍କ ପାଇଁ ବିଷାକ୍ତ ପରିବେଶ ସୃଷ୍ଟି କରିଥାଏ । ସୂର୍ଯ୍ୟକିରଣ ଓ ତାପମାତ୍ରାର ପ୍ରଭାବରେ ଆଲୋକ ପୋଖରୀରେ ଥିବା ଜଳର ନିମ୍ନସ୍ତରକୁ ଯିବା ଫଳରେ ଏହି ପ୍ରକାରର ଅବସ୍ଥା ଦେଖାଯାଇଥାଏ । ଯଦି ଏହି ପ୍ରକାରର ବିଷାକ୍ତ ପରିବେଶ ଦେଖାଦିଏ, ତାହେଲେ ଚାଷୀମାନେ ପୋଖରୀରେ ନିଉଲାଇଟ୍ ଏକର ପିଛା ୨୦ ରୁ ୩୦ କିଗ୍ରା ପ୍ରୟୋଗ କରିବା ଦରକାର, ଏହା ବ୍ୟତୀତ ଜଳର 'ପି.ଏଚ୍ ଆଣାଯାଇ ଏକର ପିଛା ୮୦ କି.ଗ୍ରା ଚୂନ ପ୍ରୟୋଗ କରିବା ଜରୁରି ।
ପୋଖରୀର ତଳସ୍ତରର ମାନ ବୃଦ୍ଧି କରିବାକୁ ହେଲେ ଏଥିରେ ଜିଓଲାଇଟ୍ ଏକର ପିଛା ୩୦ ରୁ ୪୦ କେ.ଜି ସହିତ ୧୦ କେ.ଜି ବାଲି ମିଶାଇ ପ୍ରୟୋଗ କରିପାରିବେ । ନର୍ସରୀ ପୋଖରୀରେ ବର୍ଷାଦିନେ ସାଧାରଣତଃ ପରଜୀବି ସଂକ୍ରମଣ ଅଧିକ ହୋଇଥାଏ । ପରଜୀବିମାନେ ମାଛର ଗାଲିରେ ସଂକ୍ରମଣ କରିଥା'ନ୍ତି । ପୋଖରୀରୁ ଯାଆଁଳ ଏକାଠି କରି ଧରିବା ସମୟରେ, ଯାଆଁଳ ମାନେ ଅଧିକ ମରିଯାଇଥାନ୍ତି । ତେଣୁ ଏହାର ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ପରଜୀବି ଦମନ କରିବାର ଔଷଧ ଓ ବଗଡ଼ା ଲୁଣ ୩୦ ରୁ ୪୦ କେଜି ଏକର ପିଛା ପ୍ରୟୋଗ କଲେ ପରଜୀବିଙ୍କଠାରୁ ମୁକ୍ତି ମିଳିଥାଏ । ଏହା ବ୍ୟତୀତ ପୋଖରୀରେ ଗୋଳି ପାଣିକୁ ପରିଷ୍କାର କରିବାକୁ ହେଲେ ପୋଖରୀରେ ଚୂନ, ଜିଓଲାଇଟ, ଫିଟିକିରି ଇତ୍ୟାଦି ପ୍ରୟୋଗ କଲେ ପୋଖରୀର ଗୁଣାତ୍ମକ ମାନ ବୃଦ୍ଧି ହୋଇଥାଏ । ଯାହାକି ପୋଖରୀ ଜଳ ପାଇଁ ଲାଭବାନ l
ବଡ ମାଛ ଚାଷ କରୁଥିଲେ ପ୍ରଥମେ ପୋଖରୀକୁ ଦଳମୁକ୍ତ ଓ ଶିକାରୀ ମାଛ ମୁକ୍ତ କରି ଉପଯୁକ୍ତ ପୋଖରୀ ପ୍ରସ୍ତୁତ କରନ୍ତୁ । ସେଥିରେ ମିଶ୍ରିତ ପ୍ରଜାତି ମାଛ ଚାଷ କରନ୍ତୁ । ସାଧାରଣତଃ ଚାଷୀ ରୋହି, ଭାକୁଡ଼, ମିରି କାଳୀକୁ ଶତକଡ଼। ୪୦:୩୦:୩୦ କିମ୍ବା ୩୦:୪୦:୩୦ ରେ ଏକର ପିଛା ୨୦୦୦ ରୁ ୨୫୦୦ ଯାଆଁଳ ଛାଡ଼ନ୍ତୁ । ଚାଷୀମାନେ ବ୍ୟବସାୟିକ ଉପାୟରେ ମାଛ ଚାଷ କରୁଥିବାରୁ ସେମାନେ ରୋହି ଓ ଭାକୁରର ଅନୁପାତ ଶତକଡ଼ା ୯୦ ଓ ୧୦୦ ରଖିଥାନ୍ତି । କାରଣ ସେମାନଙ୍କର ପୋଖରୀର ଆୟତନ ବହୁତ ଅଧିକ ଥାଏ ଓ ମିରିକାଳୀ ମାଛ ପୋଖରୀର ତଳ ସ୍ତରରେ ରହୁଥିବାରୁ ଧରିବାକୁ ଅସୁବିଧା ହୋଇଥାଏ । ସେହିପରି ଯାଆଁଳ ଛାଡ଼ିବା ପୂର୍ବରୁ ପାଣି ପରୀକ୍ଷା କରିନେବା ଉଚିତ ।
ପାଣିର ମାନ ଅନୁଯାୟୀ, ସେଥିରେ ଚୂନ କିମ୍ବା ଗୋବର ପକାଇବା ଉଚିତ । ଆଜିକାଲି ଚାଷୀମାନେ ଗୋବର ପାଇ ପାରୁନାହାନ୍ତି ତେଣୁ ତା ବଦଳରେ ବିଭିନ୍ନ ପ୍ରକାରର ପ୍ଲାବକ ଉତ୍ପାଦନକାରୀ ପଦାର୍ଥର ବ୍ୟବହାର କରିପାରିବେ । ସାଧାରଣତଃ ମାଛ ପୋଖରୀର ଅମ୍ଳତ୍ଵ ୭ - ୮ ମଧ୍ୟରେ ରହିବା ଉଚିତ । ବଡ଼ ମାଛ ପୋଖରୀରେ କ୍ଷାରତ୍ଵ ୯୦ ରୁ ୧୪୦ ମଧ୍ୟରେ ରହିବା ଉଚିତ । ପୋଖରୀରେ ସାଧାରଣତଃ ଅତିକମରେ ୪-୫ ଫୁଟ ପାଣି ରହୁଥିବା ଆବଶ୍ୟକ । ପୋଖରୀରେ ମାଛ ଛାଡ଼ିବା ପୂର୍ବରୁ ସେମାନଙ୍କୁ ପଟାସିୟମ ପରମାଙ୍ଗାନେଟରେ ଗାଧୋଇ ଦେବା ଦରକାର । ଏହିପରି ଭାବେ କିଛି ବିଷୟ ରହିଛି ଯାହା ମାଛ ଚାଷ କରିବା ପୂର୍ବରୁ ନିହାତି ଆବଶ୍ୟକ l ମାଛ ଚାଷ ପୂର୍ବରୁ ନିକଟସ୍ଥ ମତ୍ସ୍ୟ ବିଭାଗ ସହିତ ମଧ୍ୟ ଯୋଗାଯୋଗ କରିବା ଉଚିତ l
Share your comments