
The Risks Associated With Alcohol
ଧନୀ ହେଉ ଗରିବ ଖୁସିର ସମୟକୁ ଉପଭୋଗ କରିବା ପାଇଁ ପ୍ରାୟ ସମସ୍ତେ ନିଜ ମନ ପସନ୍ଦର ମଦ(alcohol) ପିଇଥାନ୍ତି। କିଛି ଲୋକ ଦୁଃଖ ଭୁଲାଇବା ପାଇଁ ମଧ୍ୟ ମଦର ଆଶ୍ରୟ ନେଇ ଥାଆନ୍ତି। ଆଉ କିଛି ଲୋକଙ୍କୁ ମଦ ପିଇବା ପାଇଁ କୌଣସି କାରଣ ଦରକାର ନଥାଏ। ପ୍ରତ୍ୟେକ ଦିନ ମଦ ପିଇବା ସେମାନଙ୍କର ଗୋଟିଏ ଅଭ୍ୟାସ। ଯଦି ଆପଣ ଏହିପରି ବଦଭ୍ୟାସର ଶିକାର ହୋଇ ସାରିଛନ୍ତି, ଯଦି ଆପଣ ମଦ ବିନା ରହିପାରୁନାହାନ୍ତି କିମ୍ବା ମଦ ପିଇବା ଆପଣଙ୍କର ଏକ ନିୟମିତ ଅଭ୍ୟାସ ପାଲଟି ଗଲାଣି ତାହେଲେ ଏହା ଆପଣଙ୍କ ପାଇଁ କେତେ ଯେ ବଡ଼ ବିପଦ ସୃଷ୍ଟି କରିପାରେ ତାହା ଜାଣି ରଖିବା ଆବଶ୍ୟକ। କିଛି ମୁହୁର୍ତ୍ତର ଖୁସି ପାଇଁ ଆପଣ ନିଜେ ନିଜକୁ ବିପଦ ମୁହଁକୁ ଠେଲି ଦେଉଛନ୍ତି। ଆସନ୍ତୁ ଜାଣିବା ନିୟମିତ ମଦ ପିଇବା ଦ୍ୱାରା କଣ କ୍ଷତି ହୋଇଥାଏ ।
ପାନ୍କ୍ରିଆଟିକ୍ କ୍ୟାନସର ବା ଅଗ୍ନାଶୟ କର୍କଟ:
ଆମେ ଖାଉଥିବା ବିଭିନ୍ନ ଖାଦ୍ୟକୁ ଅଗ୍ନାଶୟ ଭାଙ୍ଗିବାରେ ସାହାଯ୍ୟ କରିଥାଏ। ଅଗ୍ନାଶୟରୁ ବିଭିନ୍ନ ରସାୟନ ପଦାର୍ଥ ନିର୍ଗତ ହୋଇଥାଏ ଯାହା କି ଖାଦ୍ୟକୁ ହଜମ କରିଥାଏ। ନିୟମିତ ମଦ୍ୟପାନ ଦ୍ୱାରା ଏହି ପ୍ରକ୍ରିୟା ବନ୍ଦ ହୋଇଯାଇ ନିର୍ଗତ ହେଉଥିବା ରସାୟନ ପଦାର୍ଥ ଗୁଡ଼ିକ ମଦ ସହ ମିଶି ବିଷାକ୍ତ ପଦାର୍ଥ ସୃଷ୍ଟି କରିଥାଏ, ଯାହା କି ଅଙ୍ଗରେ ଘାଆ ସୃଷ୍ଟି କରେ। ସମୟ ପୂର୍ବରୁ ଚିକିତ୍ସା ନ କରାଗଲେ ଏହା ଗୁରୁତର ହୋଇ ଅଗ୍ନାଶୟ କ୍ୟାନସରରେ(Pancreatic Cancer) ପରିଣତ ହୋଇଥାଏ ।
ଲିଭର ବା ଯକୃତ ଜନିତ ରୋଗ:
ଆମ ଶରୀରରେ ଯକୃତର କାମ ହେଉଛି ଶରୀରକୁ ଡିଟକ୍ସିଫାଏ କରିବା କିମ୍ବା ବିଷାକ୍ତ ଦ୍ରବ୍ୟ ଗୁଡ଼ିକୁ ଛାଣିବା। ନିୟମିତ ମଦ ପିଇବା ଦ୍ୱାରା ଲିଭର ଉପରେ ଏହାର ପ୍ରଭାବ ପଡ଼ିଥାଏ ଫଳରେ ଲିଭରର କାର୍ଯ୍ୟ କରିବା କ୍ଷମତା ଧିମା ହୋଇଯାଏ। ଧିରେ ଧିରେ ଏହା ଉପରେ ଚର୍ବି ବସିବା ଆରମ୍ଭ କରେ ଫଳରେ ଏହା ନିଜର କାର୍ଯ୍ୟ କରିପାରେ ନାହିଁ। ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲେ ମନୁଷ୍ୟର ମୃତ୍ୟୁ ଘଟେ।
ଅସ୍ଥି ସମସ୍ୟା:
କ୍ୟାଲସିୟମ ଆମ ଶରୀରରେ ଅସ୍ଥି କିମ୍ବା ହାଡ଼କୁ ଶକ୍ତ ରଖିବାରେ ସାହାଯ୍ୟ କରେ। ଅତ୍ୟଧିକ ମଦ୍ୟପାନ ଯୋଗୁଁ ଦେହରେ କ୍ୟାଲସିୟମ ଓ ଭିଟାମିନ ଡି(vitamin D)ପରିମାଣ କମିଯାଏ। ଯାହାର ଅଭାବରେ ହାଡ଼ ଦୁର୍ବଳ ହୁଏ। ଏଥିଯୋଗୁଁ ଲୋକମାନେ ଅଷ୍ଟିଓପୋରୋସିସ୍ ରୋଗର ଶିକାର ହୋଇଥାଆନ୍ତି।
ହୃଦଘାତର ଆଶଙ୍କା ବଢାଇଥାଏ :
ହୃତପିଣ୍ଡ ଆମ ଶରୀରର ଦୂଷିତ ରକ୍ତକୁ ଛାଣି ବିଶୁଦ୍ଧ କରିବାରେ ସାହାଯ୍ୟ କରେ। ଅତ୍ୟଧିକ ମଦ୍ୟପାନ ଦ୍ୱାରା ରକ୍ତରେ ଚର୍ବି ଜମିଯାଇ ରକ୍ତ ମୋଟା ହୋଇଯାଏ ଫଳରେ ହୃତପିଣ୍ଡ ଉପରେ ଚାପ ପଡି଼ଥାଏ। ଫଳ ସ୍ୱରୁପ ହୃଦଘାତର ସମ୍ଭାବନା ବଢିଥାଏ।
ପ୍ରଜନନ କ୍ଷମତା ହ୍ରାସ କରେ:
ନିୟମିତ ମଦ୍ୟପାନ କରିବା ଦ୍ୱାରା ପ୍ରଜନନ କ୍ଷମତା ହ୍ରାସ ହୋଇଥାଏ। ମଦ ପିଇବା ଦ୍ୱାରା ଟେଷ୍ଟୋଷ୍ଟେରୋନ୍ର ସ୍ତର ହ୍ରାସ ହୋଇଥାଏ ଫଳରେ ମଣିଷର ଶୁକ୍ରାଣୁ କମିଯାଏ।
Share your comments