ମେଥି(Fenugreek) ଭାରତୀୟ ରୋଷେଇ ଘରେ ଅତ୍ୟନ୍ତ ପରିଚିତ । ସ୍ୱଳ୍ପ ପରିମାଣରେ ବ୍ୟବହାର ହେଉଥିଲେ ବି ଏହାର ଔଷଧୀୟ ଗୁଣ ସର୍ବ ଆଦୃତ । ମେଥିପତ୍ରକୁ ଶାଗ ହିସାବରେ ବ୍ୟବହାର କରାଯାଏ ଏବଂ ମଞ୍ଜିକୁ ତରକାରୀ, ଡାଲି ଓ ବିଭିନ୍ନ ବ୍ୟଞ୍ଜନରେ ଛୁଙ୍କ ଦେଲାବେଳେ ଅନ୍ଧ ଦିଆଯାଏ ଓ ଆଚାରରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ । ମେଥି ଦାନା ଓ ଶାଗର ଔଷଧୀୟ ଗୁଣ ସଂପର୍କରେ ଅନେକେ ପରିଚିତ ନୁହନ୍ତି । ଏଣୁ ଏହାର ଔଷଧୀୟ ଗୁଣ ଅମୃତ ସମାନ । ଏଣୁ ଖାଦ୍ୟରେ ଏହାର ବହୁଳ ବ୍ୟବହାର ଓ ଚାଷର ପ୍ରୋତ୍ସାହନ ଦ୍ଵାରା ଏକ ସୁସ୍ଥ ସମାଜ ଗଢାଯାଇପାରିବ । ମୋଥିର ସେବନ ଶରୀରରେ କ୍ଷତିକାରକ, କୋଲେଷ୍ଟରଲ, ପରିମାଣ କମାଇଥାଏ ଏବଂ ଏଥିରେ ଥିବା ସାପୋନିନ କୋଲେଷ୍ଟରଲ, ଓ ଟ୍ରାଇଗ୍ନି ସରିଡକୁ ରକ୍ତରେ ଶୋଷିତ ହେବାକୁ ଦିଏନାହିଁ ।
ମୃତ୍ତିକା, କିସମ, କମ୍ପୋଷ୍ଟ ବ୍ୟବହାର ଓ ବୁଣିବା ପ୍ରଣାଳୀ:
ମୃତ୍ତିକା:
ପ୍ରାୟ ସମସ୍ତ ପ୍ରକାର ମୃତ୍ତିକାରେ ମେଥିଚାଷ କରାଯାଉଥିଲେ ମଧ୍ୟ ନିଗିଡା, ଉର୍ବର, ଦୋରସାରୁ ବାଲି ଦୋରସା ମାଟିରେ ଭଲ ହୋଇଥାଏ ।
କିସମ:
ଲାଗସିଲେକ୍ନ-୧, ଆର ଏମଟି ୧୪୩, ଏଚ.ଏମ ୧୦୩, ସିଓ- ୧ ଆଦି ମେଥିର ଉନ୍ନତ କିସମ । ଏକ ପ୍ରତି ୧୦ କିଗ୍ରା ମଞ୍ଜି ଆବଶ୍ୟକ ।ବିହନ ବୁଣିବାର ୭ଦିନ ପୂର୍ବରୁ ପ୍ରତି କିଗ୍ରା ବିହନ ପ୍ରତି ୩ ଗ୍ରାମର ଥିରମ କିମ୍ବା କାପଟାନ ବିଶୋଧନ କରାଯାଇଥାଏ । ଏହା ଆମେ ଅକ୍ଟୋବର ଓ ନଭେମ୍ବରରେ ବୁଣିପାରିବା ।
କମ୍ପୋଷ୍ଟ ବ୍ୟବହାର ଓ ମଞ୍ଜି ବୁଣିବା:
ଜମିକୁ ୨-୩ ଓଡ ଚାଷକରି ଏକର ପ୍ରତି ୪-୬ ଟନ ଶଜା କମ୍ପୋଷ୍ଟ ମିଶାଯାଏ । ଧାଡିକୁ ଧାଡି ୩୦ ସେ.ମି ଏବଂ ଗଛକୁ ଗଛ ୮-୧୦ ସେ.ମି ବ୍ୟବଧାନରେ ୪-୫ ସେ.ମି ଗଭୀରରେ ମଞ୍ଜି ବୁଣାଯାଏ । ବିହନ ବୁଣିବା ସମୟରେ ଏକର ପ୍ରତି ୧୬ କି.ଗ୍ରା ଯବକ୍ଷାରଜାନ, ୧୬ କିଗ୍ରା ଫସଫରସ ଏବଂ ୧୨ କିଗ୍ରା ପୋଟାସିୟମ ସାର ଉପାଦାନ ପ୍ରୟୋଗ କରାଯାଏ । ବୁଣିବା ସମୟରେ ଏକର ପ୍ରତି ୪୦୦ ଗ୍ରାମ ପିଏସବି ମଧ୍ୟ ପ୍ରୟୋଗ କରାଯିବା ଉଚିତ । ୨୫-୩୦ ଦିନ ବୁଣିବାର ପରେ କୋଡାଖୁସା କରି ଅନାବନା ଗଛ ବାଛି ଦିଆଯାଏ । ଉପଯୁକ୍ତ ବ୍ୟବଧାନରେ ଗଛ ରଖି ଅଧିକ ଗଛ ଓପାଡ଼ି ଦିଆଯାଏ।
ଜଳସେଚନ ଓ ଅମଳ:
ମାଟିର ଅବସ୍ଥା ଦେଖି ଜଳସେଚନ କରାଯାଏ । ଫଳଧାରଣ ସମୟରେ ଜଳସେଚନ କଲେ ଭଲ ଅମଳ ମିଳିଥାଏ।
ଅମଳ:
ଫଳଗୁଡିକ ହଳଦିଆ ପଛି ଗଛର ତଳପତ୍ର ଝଡ଼ିଲେ ଅମଳ କରାଯାଏ। ଏହାର ଚେରରେ ଗଣ୍ଠି ରହି ମାଟିର ଉର୍ବରତା ବଢାଉଥିବାରୁ ଗଛକୁ ନଓପାଡି କାଟି ଆଣିବା ଉଚିତ୍ । ଏକର ପ୍ରତି ୬-୮ କ୍ଵିଣ୍ଟାଲ ମଞ୍ଜି ଅମଳ ହୋଇପାରେ । ମେଥି ଗଛରୁ ପତ୍ର ତୋଳି ଶୁଖାଇ ମଧ୍ୟ ବ୍ୟବହାର କରାଯାଇପାରିବ । ପାକଶାଳା ବଗିଚାରେ ମଧ୍ୟ ଏହି ଚାଷ ହେବା ଉଚିତ; ଯଦ୍ଵାରା ଆମେ ସବୁଦିନ ସତେଜ ଜୈବିକ ଶାଗ ଖାଇପାରିବା । ଏହାର ବହୁ ବ୍ୟବହାର ଏବଂ ପ୍ରତ୍ୟହ ସେବନ ନିଶ୍ଚିତ ଏକ ସ୍ଵାସ୍ଥ୍ୟକାରୀ ପଦକ୍ଷେପ ।
Share your comments