
center advice for immediate hearing in consumer petition
ଖାଉଟିଙ୍କ ଅଭିଯୋଗର ତ୍ୱରିତ ଶୁଣାଣି କରି ନ୍ୟାୟ ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କ ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ଜାତୀୟ, ରାଜ୍ୟ ଓ ଜିଲ୍ଲା ଖାଉଟି କମିଶନ୍ ରେଜିଷ୍ଟ୍ରାର ଓ ଅଧ୍ୟକ୍ଷମାନଙ୍କୁ ପତ୍ର ଲେଖାଯାଇଛି । କୌଣସି ଅଭିଯୋଗ ଉପରେ ଏକମାସରୁ ଅଧିକ କାଳ ଶୁଣାଣି ମୁଲତବୀ ନ ରଖିବାକୁ ଏହି ପତ୍ରରେ ଲେଖାଯିବା ସହିତ ସମ୍ପୃକ୍ତ କମିଶନମାନ ଖାଉଟି ସୁରକ୍ଷା ଆଇନ ୨୦୧୯ରେ ଧାର୍ଯ୍ୟ ମାମଲା ଶୁଣାଣି ଓ ରାୟ ପ୍ରକାଶ ସଂକ୍ରାନ୍ତ ସମୟ ସୀମାକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।
ଏଥିରେ ଆହୁରି କୁହାଯାଇଛି ଯେ କୌଣସି ଅଭିଯୋଗର ଶୁଣାଣି କରି ବିବାଦର ସମାଧାନ କରିବାରେ ରହିତାଦେଶ ଅନୁରୋଧକୁ ଗ୍ରହଣ କରି ଦୁଇମାସରୁ ଅଧିକ ସମୟ ବିଳମ୍ବ କଲେ ସେଥିପାଇଁ ସ୍ଥଗିତାଦେଶକୁ ମୁଲତବୀ ପାଇଁ ଆବେଦନକାରୀଙ୍କ ଉପରେ ଜରିମାନା ଲାଗୁ କରିବାକୁ କମିଶନ ବିଚାର କରିପାରିବେ ।
ବିଭାଗର ସଚିବ ରୋହିତ କୁମାର ସିଂହ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ କମିଶନ ସମୂହ ଆବେଦନକାରୀ ଖାଉଟିଙ୍କୁ ସ୍ୱଳ୍ପ ଖର୍ଚ୍ଚରେ, ଜଞ୍ଜାଳମୁକ୍ତ ଭାବେ ତୁରନ୍ତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ ଦେବା ଉଚିତ । ଏହି ଚିଠିରେ ଆହୁରି କୁହାଯାଇଛି ଯେ ଆବେଦନକାରୀ ଖାଉଟିଙ୍କ ପ୍ରତିପକ୍ଷ ବାରମ୍ବାର ମାମଲାର ଶୁଣାଣି ଉପରେ ରହିତାଦେଶ ଓ ଶୁଣାଣୀ ମୁଲତବୀ ପାଇଁ କମିଶନଙ୍କ ଅନୁମତି ମାଗୁଛନ୍ତି ଓ ସେମାନଙ୍କୁ ଏହା ମିଳୁଛି ମଧ୍ୟ । ଏହା ଫଳରେ ଆବେଦନକାରୀ ଖାଉଟିଙ୍କୁ କେବଳ ତାଙ୍କ ଅଧିକାରରୁ ବଞ୍ଚିତ କରାଯାଇ ନାହିଁ, ସେମାନଙ୍କୁ ନ୍ୟାୟ ମିଳୁନି ଏବଂ ଖାଉଟି ସୁରକ୍ଷା ଆଇନର ଲକ୍ଷ୍ୟ ତଥା ଉଦ୍ଦେଶ୍ୟ ପୂରଣ ହୋଇପାରୁନାହିଁ । ଅତଏବ ଖାଉଟି କମିଶନ ସମୂହ କୌଣସି ପରିସ୍ଥିତିରେ ଏଣିକି ମାମଲା ବିଚାର ଉପରେ ଧାର୍ଯ୍ୟ ସମୟରୁ ଅଧିକ କାଳ ସ୍ଥଗିତାଦେଶ ନ ଦେବାକୁ ଚିଠିରେ କୁହାଯାଇଛି । ଏଥିରେ ଆହୁରି କୁହାଯାଇଛି ଯେ ଉଭୟଙ୍କ ପକ୍ଷଙ୍କ ଦ୍ୱାରା ମାମଲାର ଶୁଣାଣିକୁ ସ୍ଥଗିତ ରଖିବାକୁ ଯଦି ଦୁଇଥରରୁ ଅଧିକ ଅନୁରୋଧ କରାଯାଏ ସେ କ୍ଷେତ୍ରରେ ଖାଉଟି କମିଶନ ଏକ ପ୍ରତିକାର ବ୍ୟବସ୍ଥା ସ୍ୱରୂପ ସମ୍ପୃକ୍ତ ପକ୍ଷଙ୍କ ଉପରେ ଜରିମାନା ଲାଗୁ କରିପାରିବେ ।
ଆଇନର ଧାରା ୩୮(୭)ରେ ପ୍ରଦତ୍ତ ଅଭିଯୋଗ ଗ୍ରହଣ ପଦ୍ଧତି ସମ୍ପର୍କରେ ଖାଉଟି କମିଶନ ସମୂହଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଚିଠିରେ କୁହାଯାଇଛି ଯେ ସବୁ ଅଭିଯୋଗଗୁଡିକର ଶୁଣାଣି ଯଥାଶୀଘ୍ର ସମ୍ଭବ କରି ପକ୍ଷଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରାଯିବା ଅପରିହାର୍ଯ୍ୟ । ଏଥିରେ ଆହୁରି କୁହାଯାଇଛି ଯେ ଯେଉଁଠି ଖାଉଟି ସାମଗ୍ରୀର ଟେଷ୍ଟିଂ ଓ ବିଶ୍ଲେଷଣର ଆବଶ୍ୟକତା ନାହିଁ ସେ କ୍ଷେତ୍ରରେ ପ୍ରତିବାଦୀ ପକ୍ଷଙ୍କୁ ନୋଟିସ ମିଳିବାର ତିନିମାସ ମଧ୍ୟରେ ମାମଲାର ଫୈସଲା କରାଯିବା ଉଚିତ । ଯଦି ସାମଗ୍ରୀର ଟେଷ୍ଟିଂ ଓ ବିଶ୍ଳେଷଣର ଆବଶ୍ୟକତା ଥାଏ ତା’ହେଲେ ପାଂଚମାସ ମଧ୍ୟରେ ଏହାର ସମାଧାନ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି।
ଆହୁରି ମଧ୍ୟ ଖାଉଟି ସୁରକ୍ଷା ଆଇନର ବ୍ୟବସ୍ଥା ଅନୁସାରେ ଯଥେଷ୍ଟ କାରଣ ନ ଥିଲେ ସାଧାରଣଭାବେ କୌଣସି ମାମଲାର ସ୍ଥଗିତାଦେଶ ଦେବାର ବ୍ୟବସ୍ଥା ନାହିଁ । ଯଦି ମାମଲାର ସ୍ଥଗିତାଦେଶ କମିଶନ ଦିଅନ୍ତି ସେଥିପାଇଁ ନିର୍ଦ୍ଦିଷ୍ଟ କାରଣଗୁଡିକୁ ଲିପିବଦ୍ଧ କରିବାକୁ ନିୟମ ରହିଛି । ଶୁଣାଣୀ ମୁଲତବୀ ଆବେଦନ କ୍ଷେତ୍ରରେ ତ୍ରୁଟି ରହିଲେ ଆବଶ୍ୟକସ୍ଥଳେ ସମ୍ପୃକ୍ତ ପକ୍ଷଙ୍କ ଉପରେ ଜୋରିମାନା ଲାଗୁ କରିବାର ଅଧିକାର କମିଶନଙ୍କର ରହିଛି ।
ଏଠାରେ ସୂଚନାଯୋଗ୍ୟ ଯେ ଆଇନର ଧାରା ୩୮(୨)(ଏ) ଅନୁସାରେ କମିଶନ ଅଭିଯୋଗ ଗ୍ରହଣ କରିବା ପରେ ଏହାର ଏକ ନକଲ ପ୍ରତିପକ୍ଷଙ୍କୁ ପଠାଇ ୩୦ଦିନ ମଧ୍ୟରେ ଏହାର ଜବାବ ରଖିବାକୁ ନିର୍ଦ୍ଦେଶ ଦେବେ । ଏହି ଜବାବ ଦାଖଲ ସମୟକୁ ବିଶେଷ ପରିସ୍ଥିତିରେ ଅତି ବେଶିରେ ୧୫ଦିନରୁ ଅଧିକ ବଢାଯାଇପାରିବ ନାହିଁ। ସେହିଭଳି ଧାରା ୩୮(୩)(ବି)(୨)ରେ କୁହାଯାଇଛି ଯେ କମିଶନ ପ୍ରମାଣ ଭିତ୍ତିରେ ମାମଲା ଉପରେ ଏକ ତରଫା ନିଷ୍ପତ୍ତି ନେଇପାରିବେ । ତେବେ ଏ କ୍ଷେତ୍ରରେ ଯଦି ପ୍ରତିପକ୍ଷ ନିର୍ଦ୍ଧାରିତ ସମୟ ମଧ୍ୟରେ ତାଙ୍କର ଜବାବ ଦାଖଲ ନ କରନ୍ତି କେବଳ ସେହି କ୍ଷେତ୍ରରେ ଏକତରଫା ନିଷ୍ପତ୍ତି ନିଆଯାଇପାରିବ ।
ଆହୁରି ମଧ୍ୟ ଚିଠିରେ ନ୍ୟୁ ଇଣ୍ଡିଆ ଆନ୍ସୁରାନ୍ସ ମାମଲାରେ ସୁପ୍ରିମକୋର୍ଟ ସମ୍ବିଧାନପୀଠର ରାୟ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଏହି ବୀମା କମ୍ପାନୀ ବିରୋଧରେ ଏକ ଶୀତଳଭଣ୍ଡାର ସଂସ୍ଥା ଖାଉଟି ମାମଲା ରୁଜୁ କରିଥିଲା ଏବଂ ସର୍ବୋଚ୍ଚ ଅଦାଲତ ତାହାର ଶୁଣାଣି କରି ୨୦୨୦ ମାର୍ଚ୍ଚ ୪ତାରିଖରେ ଏହି ରାୟ ଦେଇଥିଲେ । ସେଥିରେ କୁହାଯାଇଥିଲା ଯେ ଖାଉଟି କମିଶନ ଅଭିଯୋଗର ଜବାବ ଦାଖଲ କରିବାକୁ ଆଇନ ଅନୁସାରେ ପ୍ରତିପକ୍ଷଙ୍କୁ ୩୦ଦିନର ଧାର୍ଯ୍ୟ ସମୟ ସୀମା ସହିତ ଅତିରିକ୍ତ ୧୫ଦିନର ମହଲତ ବ୍ୟତୀତ ଅଧିକ ସମୟ ଦେଇପାରିବେ ନାହିଁ । ଏହା ଆଇନର ଧାରା ୧୩ରେ ଉଲ୍ଲେଖ ଅଛି । ସୁପ୍ରିମକୋର୍ଟ ସେହି ଏକା ନିୟମ ଅନ୍ୟ ଦୁଇଟି ମାମଲାରେ ପ୍ରୟୋଗ କରିଛନ୍ତି ।
ମୁଖ୍ୟ ସଚିବ ଓ ଖାଉଟି କମିଶନର ଅଧ୍ୟକ୍ଷ ମାନଙ୍କୁ ଖାଉଟି ବ୍ୟାପାର ସଚିବ ତାଙ୍କ ଚିଠିରେ ଆହୁରି ଲେଖିଛନ୍ତି ଯେ ଅଭିଯୋଗକାରୀଙ୍କୁ ସେମାନଙ୍କର ଅର୍ଜି ଇ-ଦାଖିଲ ପୋର୍ଟାଲ ମାଧ୍ୟମରେ ଦାଖଲ କରିବାକୁ ପ୍ରୋତ୍ସାହିତ କରାଯିବା ଆବଶ୍ୟକ । ସବୁ ରାଜ୍ୟରେ ଇ-ଦାଖିଲ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି ଏବଂ ଏଥିରେ ଇ-ନୋଟିସ, କେଶ ଡକ୍ୟୁମେଣ୍ଟ ଡାଉନଲୋଡ ଲିଙ୍କ୍, ଭର୍ଚ୍ଚୁଆଲ ହିଅରିଂ ଲିଙ୍କ, ପ୍ରତିବାଦୀ ପକ୍ଷଙ୍କ ଲିଖିତ ଜବାବ ଦାଖଲ ବ୍ୟବସ୍ଥା, ପ୍ରତିବାଦ ଫାଇଲିଂ ସୁବିଧା, ଏସ୍ଏମ୍ଏସ୍/ ଇ-ମେଲ ଆଦି ସୁବିଧା ରହିଛି । ଅତଏବ ଇ-ଦାଖିଲ ପୋର୍ଟାଲକୁ ଅଧିକରୁ ଅଧିକ ବ୍ୟବହାର କରିବାକୁ ଖାଉଟିମାନଙ୍କୁ ସଚେତନ କରିବାକୁ କମିଶନମାନେ ଗୁରୁତ୍ୱ ଦେବାକୁ ଚିଠିରେ କୁହାଯାଇଛି ।
କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ମଧ୍ୟ ଚଳିତମାସ (୩୧.୫.୨୨)ତାରିଖରେ ଏକ ଜାତୀୟ କର୍ମଶାଳା ଆୟୋଜନ କରୁଛନ୍ତି । ଏଥିରେ ଜାତୀୟ, ରାଜ୍ୟ ଓ ଜିଲ୍ଳା ଖାଉଟି କମିଶନର ଅଧ୍ୟକ୍ଷ, ରାଜ୍ୟ ସରକାରଙ୍କ ଖାଉଟି କଲ୍ୟାଣ ସଚିବଗଣ ଯୋଗଦେବେ । ଏଥିରେ ଖାଉଟି ଅଭିଯୋଗ ନିରାକରଣ ବ୍ୟବସ୍ଥାକୁ ଅଧିକ ସଫଳ, ତ୍ୱରାନ୍ୱିତ ଓ ଜଞ୍ଜାଳମୁକ୍ତ କରିବାକୁ ଆଲୋଚନା କରାଯିବ ।
ଓଡ଼ିଶା ଠିକ୍ ସମୟରେ ଚାଉଳ ସବ୍ସିଡି ପାଉନାହିଁ: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ
Share your comments