
Farmer’s Fair-2023 concluded successfully
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତଥା ଓୟୁଏଟି (OUAT) ଦ୍ୱାରା ଆୟୋଜିତ ହୋଇଥିବା କୃଷକ ମେଳା-୨୦୨୩(Farmer’s Fair-2023 )ର ଆଜି ହେଉଛି ଦ୍ୱିତୀୟ ଦିନ। ପ୍ରଥମ ଦିନ ପରି ଆଜିର ଦିନରେ ମଧ୍ୟ ପାଖାପାଖି ୪୦୦ରୁ ଉର୍ଦ୍ଧ୍ୱ କୃଷକ ଭାଇ-ଭଉଣୀମାନେ ଯୋଗ ଦେଇ ମେଳା ପରିଦର୍ଶନ କରିବା ସହ ନୂଆ ନୂଆ କୃଷି ଜ୍ଞାନ କୌଶଳ ସମ୍ବନ୍ଧରେ ଶିକ୍ଷା ଗ୍ରହଣ କରିଥିଲେ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୃଷିର ବିକାଶ ପାଇଁ କରିଆସୁଥିବା ସମସ୍ତ ପରୀକ୍ଷଣ,ଏହାର ପ୍ରୟୋଗ ଓ ଫାଇଦା ସମ୍ପର୍କରେ କୃଷକମାନଙ୍କ ସହ ସବିଶେଷ ଆଲୋଚନା କରିଛନ୍ତି ।
ତେବେ ଦ୍ୱିତୀୟ ଦିନରେ ମଧ୍ୟ ପ୍ରଥମ ଦିନ ଭଳି ବିଭିନ୍ନ ଶିକ୍ଷଣୀୟ ସଭା ଓ ଆଲୋଚନା ଚକ୍ରର ଆୟୋଜନ କରାଯାଇଛି । ଯେଉଁଥିରେ କୃଷି ବିଶେଷଜ୍ଞ, କୃଷି ବୈଜ୍ଞାନିକମାନେ ଉପସ୍ଥିତ ରହି ଚାଷୀ ଭାଇ-ଭଉଣୀମାନଙ୍କ ସହ ନୂଆ ନୂଆ ଚାଷ ପ୍ରଣାଳୀ, କେଉଁ ଚାଷରୁ କେତେ ଲାଭ ମିଳିଥାଏ ସେ ସମ୍ପର୍କରେ କୃଷକମାନଙ୍କ ସହ ଆଲୋଚନା କରିଥିଲେ ।କାର୍ଯ୍ୟକ୍ରମର ଆରମ୍ଭରେ ଏକ କୃଷି ପାଠଶାଳାର ଆୟୋଜନ କରାଯାଇଥିଲା, ଯେଉଁ ପାଠଶାଳା ପ୍ରଥମ ବିଷୟବସ୍ତୁ ଥିଲା ଗୋପାଳନ ମାଧ୍ୟମରେ ଉଦ୍ୟୋଗୀକରଣ । ଗୋପାଳନ କରି କିପରି ଚାଷୀ ଭାଇମାନେ ନିଜର ରୋଜଗାରକୁ ଦ୍ୱିଗୁଣିତ କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରି ପାରିବେ ସେ ନେଇ ଏହି କୃଷି ପାଠଶାଳାରେ ଆଲୋଚନା କରାଯାଇଛି ।
ଏଥି ସହ କୃଷି ପାଠଶାଳାର ଦ୍ୱିତୀୟ ଆଲୋଚନା ଚକ୍ରରେ ବ୍ୟବସାୟିକ ଭିତ୍ତିରେ ମାଛ ଚାଷ ଓ ବିହନ ଉତ୍ପାଦନ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା ।ବିଶେଷଜ୍ଞମାନେ ମାଛ ଚାଷର ନୂଆ ନୂଆ ଜ୍ଞାନକୌଶଳ, କେଉଁ ପ୍ରଜାତିର ମାଛ ଚାଷ କରି କେତେ ଲାଭବାନ ହୋଇପାରିବେ ସେ ସମ୍ପର୍କରେ ବୁଝାଇଥିଲେ। ଏଥି ସହିତ କେତେ ଆକାର ବିଶିଷ୍ଟ ସ୍ଥାନରେ କେତେ ପରିମାଣର ମାଛ ଜାଆଁଳ ନେଇ କୃଷକମାନେ ଚାଷ କରି ଲାଭବାନ ହୋଇପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଚାଷୀମାନେ ଏହି କୃଷି ପାଠଶାଳା ଜରିଆରେ ନିଜର ଜିଜ୍ଞାସା ଓ ଅଭିଳାଶା ବିଷୟରେ ଜଣାଇଥିଲେ। ଏଥିସହ ପ୍ରଶ୍ନ ଉତ୍ତର ମାଧ୍ୟମରେ ନୂଆ ନୂଆ କୃଷି ପ୍ରଣାଳୀ ଆପଣେଇବା ପାଇଁ ଶିକ୍ଷା ଗ୍ରହଣ କରିଥିଲେ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଦ୍ୱାରା ନିଆଯାଇଥିବା ଏଭଳି ଏକ ପଦକ୍ଷେପ କୃଷକଙ୍କୁ ଶସକ୍ତ କରିବା ପାଇଁ ପ୍ରେରଣା ଯୋଗାଇଛି ।ଏଥିସହ ଖୁବ୍ ସଫଳତା ସାଉଣ୍ଟି ଆଜି ସମ୍ପର୍ଣ୍ଣ ହୋଇଛି କୃଷକ ମେଳା-୨୦୨୩ ।
Share your comments