
Odisha has greatly strengthened the spirit of 'Ek Bharat Shreshtha Bharat'
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମରେ ‘ଓଡ଼ିଶା ପର୍ବ ୨୦୨୪’ ସମାରୋହରେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଓଡ଼ିଶାର ସମସ୍ତ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଚଳିତ ବର୍ଷ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ପାଳନ କରାଯିବା ସମ୍ପର୍କରେ ଉଲ୍ଲେଖ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭକ୍ତ ଦାସିଆ ବାଉରି, ଭକ୍ତ ସାଲବେଗ ଏବଂ ଓଡ଼ିଆ ଭାଗବତର ଲେଖକ ଶ୍ରୀଜଗନ୍ନାଥ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଓଡ଼ିଶା ନାରୀ ଶକ୍ତିର ଭୂମି ଏବଂ ମାତା ସୁଭଦ୍ରାଙ୍କ ରୂପରେ ଏହାର ଶକ୍ତି ବିରାଜମାନ କରିଛି ବୋଲି ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓଡ଼ିଶାର ମହିଳାମାନେ ପ୍ରଗତି କଲେ ହିଁ ଓଡ଼ିଶାର ପ୍ରଗତି ହେବ । କିଛିଦିନ ତଳେ ତାଙ୍କୁ ଓଡ଼ିଶାର ମା’ ଭଉଣୀମାନଙ୍କ ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର ସୁଯୋଗ ମିଳିଥିଲା, ଯାହା ଓଡ଼ିଶାର ମହିଳାମାନଙ୍କ ପାଇଁ ଲାଭଦାୟକ ହେବ ବୋଲି ସେ କହିଥିଲେ।
ଓଡ଼ିଶାରେ କାଜୁ, ଝୋଟ, କପା, ହଳଦୀ ଓ ତୈଳବୀଜ ଉତ୍ପାଦନ ପ୍ରଚୁର ପରିମାଣରେ ହେଉଥିବା ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଏହି ଉତ୍ପାଦଗୁଡ଼ିକ ଯେପରି ବଡ଼ ବଜାରରେ ପହଞ୍ଚିପାରିବ ଏବଂ ଏହା ଦ୍ୱାରା କୃଷକମାନେ ଲାଭବାନ ହେବେ ସେଥିପାଇଁ ସରକାରଙ୍କ ପ୍ରୟାସ ରହିଛି । ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ମଧ୍ୟ ବ୍ୟାପକ ସମ୍ପ୍ରସାରଣ ର ସୁଯୋଗ ରହିଛି ଏବଂ ବିଶ୍ୱ ବଜାରରେ ଚାହିଦାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଏକ ବ୍ରାଣ୍ଡ୍ ରେ ପରିଣତ କରିବା ପାଇଁ ସରକାରଙ୍କ ପ୍ରୟାସ ଜାରି ରହିଛି ବୋଲି ସେ କହିଥିଲେ।
ସାଂସ୍କୃତିକ ସମୃଦ୍ଧି ହେତୁ ଓଡ଼ିଶା ସବୁବେଳେ ସ୍ୱତନ୍ତ୍ର ରହିଆସିଛି ବୋଲି ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଓଡ଼ିଶାର କଳା ସମସ୍ତଙ୍କୁ ଆକର୍ଷିତ କରିଥାଏ, ତାହା ଓଡ଼ିଶୀ ନୃତ୍ୟ ହେଉ କି ଓଡ଼ିଶାର ଚିତ୍ରକଳା ହେଉ କିମ୍ବା ପଟ୍ଟଚିତ୍ରରେ ଦେଖାଯାଉଥିବା ଜୀବନ୍ତ ସ୍ୱରୂପ ହେଉ କିମ୍ବା ଆଦିବାସୀ କଳାର ପ୍ରତୀକ ସଉରା ଚିତ୍ରକଳା। ଓଡ଼ିଶାର ସମ୍ବଲପୁରୀ, ବୋମକାଇ ଓ କୋଟପାଡ଼ ବୁଣାକାରଙ୍କ କାରିଗରୀ ଅତ୍ୟନ୍ତ ଚମତ୍କାର। କଳା ଓ କାରିଗରୀକୁ ଆମେ ଯେତେ ଅଧିକ ବିସ୍ତାର ଓ ସଂରକ୍ଷଣ କରିବୁ, ଓଡ଼ିଆ ଲୋକଙ୍କ ପ୍ରତି ସମ୍ମାନ ସେତେ ଅଧିକ ବଢ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ପୃଷ୍ଠଭୂମି
ଓଡ଼ିଶା ପର୍ବ ହେଉଛି ନୂଆଦିଲ୍ଲୀର ଏକ ଟ୍ରଷ୍ଟ, ଓଡ଼ିଆ ସମାଜ ଦ୍ୱାରା ପରିଚାଳିତ ଏକ ପ୍ରମୁଖ କାର୍ଯ୍ୟକ୍ରମ। ଏହା ମାଧ୍ୟମରେ ସେମାନେ ଓଡ଼ିଆ ଐତିହ୍ୟର ସଂରକ୍ଷଣ ଏବଂ ପ୍ରୋତ୍ସାହନ ଦିଗରେ ମୂଲ୍ୟବାନ ସମର୍ଥନ ପ୍ରଦାନ କରିବାରେ ନିୟୋଜିତ ହୋଇଛନ୍ତି। ଏହି ପରମ୍ପରାକୁ ବଜାୟ ରଖି ଚଳିତ ବର୍ଷ ଓଡ଼ିଶା ପର୍ବ ନଭେମ୍ବର ୨୨ ରୁ ୨୪ ପର୍ଯ୍ୟନ୍ତ ଆୟୋଜିତ ହୋଇଯାଇଛି। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଏହା ଓଡ଼ିଶାର ସମୃଦ୍ଧ ଐତିହ୍ୟ ଏବଂ ରାଜ୍ୟର ଜୀବନ୍ତ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଜୀବନଶୈଳୀକୁ ପ୍ରଦର୍ଶିତ କରିଛି । ବିଭିନ୍ନ କ୍ଷେତ୍ରର ପ୍ରମୁଖ ବିଶେଷଜ୍ଞ ଏବଂ ବିଶିଷ୍ଟ ପେସାଦାରଙ୍କ ଦ୍ୱାରା ଏକ ଜାତୀୟ ସେମିନାର ବା ସମ୍ମିଳନୀ ମଧ୍ୟ ଆୟୋଜିତ ହୋଇଯାଇଛି ।
Read more:
Share your comments