1. କୃଷି ଖବର

President Election 2022: ଶାନ୍ତିଶୃଙ୍ଖଳାରେ ସରିଲା ମତଦାନ

ସରିଛି ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ସଂସଦ ଭବନ ସମେତ ୩୦ଟି ରାଜ୍ୟ ବିଧାନସଭାରେ ଭୋଟ୍‌ ଗ୍ରହଣ କରାଯାଇଥିଲା । 21ରେ ବାହାରିବ ଫଳାଫଳ ।

Shuvanshu Kar
Shuvanshu Kar
President Election 2022:  99% turnout in   presidential poll

President Election 2022: 99% turnout in presidential poll

ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତିଙ୍କ ନିର୍ବାଚନ(President Election 2022) ପାଇଁ ମତଦାନ(presidential poll) ଅନୁଷ୍ଠିତ ହୋଇଯାଇଛି । ସଂସଦ ଭବନ ସମେତ ୩୦ଟି ରାଜ୍ୟ ବିଧାନସଭାରେ ଭୋଟ୍‌ ଗ୍ରହଣ କରାଯାଇଥିଲା । ଏଥିରେ ଏନସିଟି ଦିଲ୍ଲୀ ଏବଂ ପୁଡୁଚେରୀ କେନ୍ଦ୍ର ଶାସିତ ପ୍ରଦେଶ ସାମିଲ ରହିଛି । ଭାରତୀୟ ଗଣତନ୍ତ୍ରରେ ରାଷ୍ଟ୍ରପତିଙ୍କ ନିର୍ବାଚନ ସବୁଠୁ ଗୁରୁତ୍ବପୂର୍ଣ୍ଣ ଭାବେ ବିବେଚିତ ହୋଇଥାଏ ।

ସମ୍ବିଧାନର ଅନୁଚ୍ଛେଦ ୩୨୪ରେ ପ୍ରଦତ୍ତ ବ୍ୟବସ୍ଥା ଅନୁଯାୟୀ ଭାରତର ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ଗୋପନୀୟ, ମୁକ୍ତ, ସ୍ବଚ୍ଛ ଭାବେ ରାଷ୍ଟ୍ରପତି ନିର୍ବାଚନର ମତଦାନ ସମାପନ କରିଛନ୍ତି । ଷୋଡ଼ଶ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ(Droupadi Murmu) ଏବଂ ଶ୍ରୀ ଯଶୱନ୍ତ ସିହ୍ନା(Yashwant Sinha)ଙ୍କ ମଧ୍ୟରେ ମୁକାବିଲା ହୋଇଥିଲା । ୩୧ଟି ସ୍ଥାନରେ ସକାଳ ୧୦ଟା ଠାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ କରାଯାଇଥିଲା।

ସମ୍ବିଧାନର ଅନୁଚ୍ଛେଦ ୫୪ ଅନୁଯାୟୀ, ଭାରତର ରାଷ୍ଟ୍ରପତି ଇଲେକ୍ଟୋରାଲ କଲେଜର ସଦସ୍ୟମାନଙ୍କ ଦ୍ବାରା ନିର୍ବାଚିତ ହୋଇଥାନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ସଂସଦର ଉଭୟ ସଦନର ନିର୍ବାଚିତ ସଦସ୍ୟ ଏବଂ ସବୁ ରାଜ୍ୟର ବିଧାନସଭାର ନିର୍ବାଚିତ ସଦସ୍ୟ । ଜାତୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ ଏବଂ ପୁଡୁଚେରୀ କେନ୍ଦ୍ର ଶାସିତ ପ୍ରଦେଶ ବିଧାନସଭାର ନିର୍ବାଚିତ ବିଧାୟକମାନେ ମଧ୍ୟ ଏମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି । ବିଧାନସଭା କିମ୍ବା ସଂସଦକୁ ମନୋନିତ ହୋଇଥିବା ସଦସ୍ୟମାନଙ୍କର ଭୋଟ୍‌ ଦେବାର ଅଧିକାର ନଥାଏ ।

ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ନିୟମାବଳୀ ୧୯୭୪ର ନିୟମ ୪୦ ଅନୁଯାୟୀ ଭାରତର ନିର୍ବାଚନ ଆୟୋଗ ଇଲେକ୍ଟୋରାଲ କଲେଜର ସଦସ୍ୟମାନଙ୍କର ତାଲିକା ରଖିଥାନ୍ତି । ଏଥିରେ ରାଜ୍ୟସଭା, ଲୋକସଭା ଏବଂ ବିଧାନସଭାର ସଦସ୍ୟମାନଙ୍କର ନାମ ରହିଥାଏ । ତେବେ ଅଦାଲତଙ୍କ ଆଦେଶ କାରଣରୁ ଆଜି ଦୁଇ ଜଣ ସଦସ୍ୟ ଅନନ୍ତ କୁମାର ସିଂ ଏବଂ ମହେନ୍ଦ୍ର ହରି ଦାଲଭୀ ମତଦାନ କରିପାରିଥିଲେ । ଆହୁରି ରାଜ୍ୟସଭାରେ ଖାଲିଥିବା ୫ଟି ଆସନ ଏବଂ ରାଜ୍ୟ ବିଧାନସଭାରେ ଖାଲିଥିବା ୬ଟି ଆସନରୁ ମତଦାନ ହୋଇନଥିଲା । ଫଳରେ ଇଲେକ୍ଟୋରାଲ କଲେଜର ୪୭୯୬ ଜଣ ଇଲେକ୍ଟର (ନିର୍ବାଚକ) ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍‌ ଦେଇଥିଲେ ।

ନୂଆଦିଲ୍ଲୀର ସଂସଦ ଭବନସ୍ଥିତ କୋଠରୀ ସଂଖ୍ୟା ୬୩ରେ ମତଦାନ ଅନୁଷ୍ଠିତ ହୋଇଥିଲା । ସେହିପରି ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ରାଜ୍ୟ ବିଧାନସଭାରେ ମଧ୍ୟ ଭୋଟ ଗ୍ରହଣ କରାଯାଇଥିଲା । ଦିଲ୍ଲୀ ଏବଂ ପୁଡୁଚେରୀ କେନ୍ଦ୍ର ଶାସିତ ପ୍ରଦେଶ ବିଧାନସଭାର ସଦସ୍ୟମାନେ ସେମାନଙ୍କ ବିଧାନସଭାରେ ଭୋଟ୍‌ ଦେଇଥିଲେ । ତେବେ, କିଛି ବିଧାୟକ ଏବଂ ସାଂସଦମାନଙ୍କ ପାଇଁ ସେମାନଙ୍କର ନିଜ ଇଚ୍ଛା ମୁତାବକ ସ୍ଥାନରେ ଭୋଟ୍‌ ଦେବାର ବ୍ୟବସ୍ଥା ନିର୍ବାଚନ ଆୟୋଗଙ୍କ ପକ୍ଷରୁ କରାଯାଇଥିଲା। ତଦନୁଯାୟୀ ୪୪ ଜଣ ସାଂସଦଙ୍କୁ ସେମାନଙ୍କ ରାଜ୍ୟ ମୁଖ୍ୟାଳୟରେ ଭୋଟ୍‌ ଦେବାକୁ ଅନୁମତି ମିଳିଥିଲା । ୯ ଜଣ ବିଧାୟକ ସଂସଦ ଭବନରେ ଭୋଟ୍‌ ଦେଇଥିବା ବେଳେ ଅନ୍ୟ ଦୁଇ ଜଣ ବିଧାୟକ ଅନ୍ୟ ରାଜ୍ୟର ମୁଖ୍ୟାଳୟରେ ମତାଧିକାର ସାବ୍ୟସ୍ତ କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ ୭୭୧ ଜଣ ସଂସଦ ସଦସ୍ୟ ଏବଂ ୪୦୨୫ ଜଣ ବିଧାନସଭା ସଦସ୍ୟ ମତଦାନ କରିଛନ୍ତି । ଆଜି ୯୯% ମତଦାନ ହୋଇଛି । ତେବେ ଛତିଶଗଡ଼, ଗୋଆ, ଗୁଜରାଟ, ହିମାଚଳ ପ୍ରଦେଶ, କେରଳ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମଣିପୁର, ମିଜୋରାମ, ପୁଡୁଚେରୀ, ସିକ୍କିମ ଏବଂ ତାମିଲନାଡ଼ୁରେ ଶତପ୍ରତିଶତ ମତଦାନ ହୋଇଛି ।

ସମ୍ପୂର୍ଣ୍ଣ ଗୋପନୀୟ, ମୁକ୍ତ, ସ୍ବଚ୍ଛ ଭାବେ ମତଦାନ କରାଇବା ଲାଗି ନିମ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଇଥିଲା:

  1. ଭୋଟରମାନେ ଭୋଟ୍‌ ସମୟରେ ମାର୍କିଂ କରିବା ଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକକ କ୍ରମିକ ସଂଖ୍ୟା ଥିବା ବାଇଗଣୀ ରଙ୍ଗର କାଳି ଥିବା କଲମ ଯୋଗାଇ ଦିଆଯାଇଥିଲା, ଯାହାଫଳରେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍‌ ଦେବା ଲାଗି ଅନ୍ୟ କୌଣସି କାଳି ବ୍ୟବହାର ହୋଇପାରିବ ନାହିଁ ।
  2. ଭୋଟ୍‌ଦାନ କେନ୍ଦ୍ର ବାହାରେ ମତଦାନର ନିୟମ ଏବଂ ପଦ୍ଧତି ସମ୍ପର୍କରେ ସୂଚନା ଦିଆଯାଇଥିଲା।
  3. ନିର୍ବାଚନ ପାଇଁ ଭୋଟ ଗ୍ରହଣକୁ ସୁଚାରୁ ରୂପେ ସମ୍ପାଦନ କରିବା ଏବଂ ସମନ୍ବୟ ସ୍ଥାପନ କରିବା ଲାଗି ନିର୍ବାଚନ ଅଧିକାରୀ ଏବଂ ସୁରକ୍ଷା ଅଧିକାରୀମାନଙ୍କୁ ନେଇ ହ୍ବାଟ୍ସଆପ୍‌ ଗ୍ରୁପ୍‌ କରାଯାଇଥିଲା, ଏଥିରେ ରାଜ୍ୟ ମୁଖ୍ୟାଳୟ, ସଂସଦ ଭବନ ଏବଂ ନିର୍ବାଚନ ଆୟୋଗକୁ ସାମିଲ କରାଯାଇଥିଲା।
  4. ନିର୍ବାଚନ ପ୍ରକ୍ରିୟାକୁ ଅନୁଧ୍ୟାନ କରିବା ଏବଂ ଭୋଟ୍‌ ଗ୍ରହଣରେ କୌଣସି ପ୍ରକାର ଅନିୟମିତା ଉପରେ ଦୃଷ୍ଟି ରଖିବା ଲାଗି ସବୁ ଭୋଟ ଗ୍ରହଣ କେନ୍ଦ୍ରରେ ପର୍ଯ୍ୟବେକ୍ଷକମାନଙ୍କୁ ନିୟୋଜିତ କରାଯାଇଥିଲା।

  5. ସଂସଦ ଭବନରେ ଦୁଇ ଜଣ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଥିଲେ ।

Presidential election: ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ

NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ଓଡିଶାରେ ଖୁସିର ଲହରୀ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments