ଦେଶ ପାଇଁ ଆଉ ଏକ ଗର୍ବ ଓ ଗୌରବର ମୁହୂର୍ତ୍ତ । ଜଣେ ଚାଷୀ ପୁଅ ହୋଇଛନ୍ତି ଉପରାଷ୍ଟ୍ରପତି(Vice President) । ଦେଶର 14 ତମ ଉପରାଷ୍ଟ୍ରପତି(Vice President) ଭାବରେ ଶପଥ ନେବେ ରାଜସ୍ଥାନର ଚାଷୀ ପୁଅ ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ(Jagdeep Dhankhar) ।
ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡଙ୍କ ବିଜୟ ହୋଇଛି । 528 ଖଣ୍ଡ ଭୋଟରେ ସେ ଏହି ନିର୍ବାଚନରେ ବିଜୟ ହାସଲ କରିଛନ୍ତି । ଅନ୍ୟପକ୍ଷେ ନିର୍ବାଚନରେ ବିରୋଧୀ ମେଣ୍ଟର ପ୍ରାର୍ଥୀ ମଗରିଟ ଅଲବାଙ୍କୁ ମିଳିଛି 182 ଖଣ୍ଡ ଭୋଟ । ଉପରାଷ୍ଟ୍ରପତି ନିର୍ବାଚନରେ ମୋଟ 725 ଭୋଟ ପଡିଥିଲା ।
ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟ ହାସଲ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ବଡବଡ ନେତା ଓ ବିଶିଷ୍ଟ ବ୍ୟକ୍ତି ଜଗଦୀପ ଧନଖଡଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଜଗଦୀପ ଧନଖଡ ଦେଶର 14 ତମ ଉପରାଷ୍ଟ୍ରପତି ହେବେ । 11 ଅଗଷ୍ଟ ସେ ଏହି ପଦରେ ଶପଥ ଗ୍ରହଣ କରିବେ । ବର୍ତ୍ତମାନ ଦେଶର ଉପରାଷ୍ଟ୍ରପତି ଥିବା ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ 10 ଅଗଷ୍ଟରେ ଶେଷ ହେଉଛି ।
ପଶ୍ଚିମବଙ୍ଗର ରାଜ୍ୟପାଳ ରହିଥିବା ଜଗଦୀପ ଧନଖଡ ଦେଶର ନୂଆ ଉପ ରାଷ୍ଟ୍ରପତି ହେବା ନେଇ ଚାରିଆଡେ ଖୁସିର ମାହୋଲ ସୃଷ୍ଟି ହୋଇଛି । ଧନଖଡ ରାଜନୀତିରେ ବେଶ ପାରଙ୍ଗମ ରହିଆସିଛନ୍ତି । ଜନତା ଦଳ ଓ କଂଗ୍ରେସ ଦେଇ ସେ ରାଜନୀତିର ରାସ୍ତାରେ ଆଗକୁ ବଢିଥିଲେ । ପଶ୍ଚିମବଙ୍ଗରେ ରାଜ୍ୟପାଳ ଥିବା ସମୟରେ ଧନଖଡଙ୍କ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ରାଜନୈତିକ ସଂଘର୍ଷ ବେଶ ଚର୍ଚ୍ଚରେ ରହିଥିଲା ।
18 ମେ 1951ରେ ରାଜସ୍ଥାନର ଝନଝୁନରେ ଏକ ଚାଷୀ ପରିବାରରେ ଜଗଦୀପ ଧନଖଡଙ୍କ ଜନ୍ମ । ପିଲାବେଳୁ ସେ ଜଣେ ମେଧାବୀ ଛାତ୍ର ଥିଲେ । ଆଇଆଇଟି, ଏନଡିଏ ଓ ପରେ ଆଇଏଏସ ପାଇଁ ତାଙ୍କର ଚୟନ ହୋଇଥିଲା । ହେଲେ ଓକିଲାତିକୁ ନିଜର ପେଷା ଭାବରେ ଗ୍ରହଣ କରିଥିଲେ ଧନଖଡ । ସେ ରାଜସ୍ଥାନ ବିଶ୍ବବିଦ୍ୟାଳୟରୁ ଏଲଏଲବି ଓ ପରେ ହାଇଟେକ ଓ ସୁପ୍ରିମକୋର୍ଟରେ ଓକିଲାତି କରିଥିଲେ । ଦେଶର ନାମିଦାମୀ ଆଇନଜୀବୀଙ୍କ ମଧ୍ୟରେ ତାଙ୍କର ଗଣତି ହୁଏ ।
ଧନଖଡ ଯେବେ ରାଜନୀତିକୁ ଆସିଲେ, ଏଠାରେ ମଧ୍ୟ ନିଜକୁ ସିଦ୍ଧହସ୍ତ ପ୍ରମାଣିତ କରିଥିଲେ । 1989ରେ ସେ ଜନତା ଦଳ ଟିକେଟରେ ଝୁନଝୁନରୁ ଲୋକସଭା ନିର୍ବାଚନ ଲଢି ରେକର୍ଡ ଭୋଟ ହାସଲ କରିଥିଲେ । ଜନତା ଦଳ ପରେ ସେ କଂଗ୍ରେସରେ ସାମିଲ ହୋଇଥିଲେ । ଧନଖଡ 1990ରୁ 1991 ଯାଏଁ କେନ୍ଦ୍ରମନ୍ତ୍ରୀ ଥିଲେ । ହେଲେ 2003ରେ ସେ କଂଗ୍ରେସର ହାତ ଛାଡି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ପରେ ତାଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା ।
70 ବର୍ଷୀୟ ଜଗଦୀପ ଧନଖଡଙ୍କୁ ଦେଶର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ 30 ଜୁଲାଇ 2019ରେ ପଶ୍ଚିମବଙ୍ଗର 28 ତମ ରାଜ୍ୟପାଳ ନିଯ଼ୁକ୍ତ କରିଥିଲେ । ଜାଟ ସମ୍ପ୍ରଦାୟରୁ ଆସନ୍ତି ଧନଖଡ । ଏହି ସମୁଦାୟରେ ତାଙ୍କର ବେଶ ଦବଦବା ରହିଛି । ଜାଟମାନଙ୍କୁ ସଂରକ୍ଷଣ ଦେବା ନେଇ ସେ ଲମ୍ବା ଲଢେଇ ଲଢିଛନ୍ତି ।
Share your comments