ଖୁବ୍ ଶିଘ୍ର ରାଜ୍ୟ ସରକାର କ୍ଷୁଦ୍ର ବ୍ୟବସାୟୀଙ୍କ ସମସ୍ୟା ସମାଧାନ ପାଇଁ ଗଠନ କରିବେ ଏକ ପରିଷଦ ଯାହାର ନାମ ରହିଛି ଓଡିଶା ବାଣିଜ୍ୟ ପରିଷଦ ବା Odisha Trade Council. ଶିଳ୍ପ ବିଭାଗ ଅଧିନରେ ଏହି ପରିଷଦ କାର୍ଯ୍ୟ କରିବ। ଏଥିପାଇଁ ଏକ ସ୍ୱତନ୍ତ୍ର ବୋର୍ଡ ଗଠନ କରାଯିବ ବୋଲି ନିଷ୍ପତି କରାଯାଇଛି।
ଏହାଦ୍ୱାରା ରାଜ୍ୟରେ ଥିବା ପ୍ରାୟ ୨୫ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ଉପକୃତ ହୋଇପାରିବେ। ସେମାନଙ୍କର ବିଭିନ୍ନ ସମସ୍ୟା ଏବଂ ଅସୁବିଧାକୁ ଏହି ପରିଷଦ ସମାଧାନ କରିବ। ମୁଖ୍ୟତଃ ରାଜ୍ୟ ସରକାର ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ମଧ୍ୟରେ ଏହି ପରିଷଦ ସେତୁ ପରି କାର୍ଯ୍ୟ କରିବ। ଖୁବ ଶିଘ୍ର ଏହି ପ୍ରସ୍ତାବ ରାଜ୍ୟ କ୍ୟାବିନେଟରେ ଉପସ୍ଥାପିତ ହେବ।
ସେହିପରି ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ସ୍ମାର୍ଟ ପାଇକାରୀ ବଜାର ଖୋଲିବା ପାଇଁ ମଧ୍ୟ ରାଜ୍ୟ ସରକାର ବିଚାର କରୁଥିବା ଜଣାପଡ଼ିଛି। ବିଭିନ୍ନ ସହର ଉପକଣ୍ଠରେ ତେଜରାତିଠୁ ପନିପରିବା, ଆମିଷ ସହ ବିଭିନ୍ନ ଖାଦ୍ୟଶସ୍ୟର ସ୍ମାଟ୍ର୍ ପାଇକରୀ ମାର୍କେଟ୍ ଖୋଲିବ। ଏହି ମାର୍କେଟ୍ରେ ବ୍ୟବସାୟୀଙ୍କୁ ଗାଡ଼ି ପାର୍କିଂ, ୱେୟାର ହାଉସିଂ ଶୀତଳଭଣ୍ଡାର ସୁବିଧା ସହିତ ସମସ୍ତ ଆବଶ୍ୟକୀୟ ସେବା ଉପଲବ୍ଧ କରାଯିବ। ଏହାଦ୍ୱାରା ସମସ୍ତ ଦ୍ରବ୍ୟର ମୂଲ୍ୟ ସଠିକ୍ ଦରରେ ଉପଲବ୍ଧ ହୋଇପାରିବ। ରାଜ୍ୟ ସରକାର ଏନେଇ ଖୁବଶୀଘ୍ର ପଦକ୍ଷେପ ନେବାକୁ ଯାଉଥିବା ବେଳେ ଏହାକୁ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ସ୍ୱାଗତ କରିଛି।
ସୂଚନା ଅନୁଯାୟୀ ଖୁଚୁରା ବଜାରରେ ସବୁ ସମୟରେ ପର୍ଯ୍ୟାପ୍ତ ମାତ୍ରାରେ ଗୁଣାତ୍ମକ ସାମଗ୍ରୀ ଉପଲବ୍ଧ କରିବା ପାଇଁ ରାଜ୍ୟ ସରକାର ଏପରି ଏକ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରୁଛନ୍ତି। ସନ୍ଧ୍ୟା ହେଲେ ଟ୍ରାଫିକ୍ ସମସ୍ୟା ଯୋଗୁ ବଡ଼ ମାଲ୍ବାହୀ ଯାନ ସହର ମଧ୍ୟକୁ ପଶି ପାରୁନାହିଁ। ପୁନଶ୍ଚ ଚାହିଦା ତୁଳନାରେ ଷ୍ଟକ୍ କମ୍ ହେବାରୁ ଭିନ୍ନ ଭିନ୍ନ ମାର୍କେଟ୍ରେ ଦର ଭିନ୍ନ ରହୁଛି। ତେଣୁ ଗୋଟିଏ ସ୍ଥାନରେ ସମସ୍ତ ପ୍ରକାର ସାମଗ୍ରୀ ଉପଲବ୍ଧ ହେଲେ ଏ ସମସ୍ୟା ରହିବନି ବୋଲି ସରକାର ବିଚାର କରୁଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର ପାଇଁ ଖୋର୍ଦ୍ଧା ଓ ଜଟଣୀ ପାଖରେ ୧୫ରୁ ୨୦ ଏକର ଜମି ଚିହ୍ନଟ କରାଯାଇ ପାଇକରୀ ବଜାର ନିର୍ମାଣ କରାଯିବ। ପରେ ବାଲେଶ୍ୱର, ରାଉରକେଲା, ବ୍ରହ୍ମପୁର, ସମ୍ୱଲପୁର ପାଇଁ ସମାନ ଢାଞ୍ଚାରେ ବ୍ୟବସ୍ଥା ଆପଣାଯିବ ବୋଲି ଜଣାପଡ଼ିଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଅସିତ୍ ତ୍ରିପାଠୀ ମଧ୍ୟ ସମ୍ୟକ୍ ସୂଚନା ପ୍ରଦାନ କରିଛନ୍ତି। ୧୫ରୁ ୨୦ ଏକର ଜାଗାରେ ସାଧାରଣ ସୁବିଧା ଯଥା ବିଜୁଳି, ପାନୀୟଜଳ, ରେଷ୍ଟ ସେଡ୍, ଶୀତଳଭଣ୍ଡାର, ୱେୟାର ହାଉସ୍, ପ୍ରୋସେସିଂ ସେଣ୍ଟର, ବର୍ଜ୍ୟବସ୍ତୁ ପରିଚାଳନା, ପାର୍କିଂ ବ୍ୟବସ୍ଥା ଆଦି ରହିବ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ ରାଜ୍ୟରେ ୧୫ରୁ ୨୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ଅଛନ୍ତି। ରାଜ୍ୟ ଅର୍ଥନୀତିରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ତେଣୁ ସେମାନଙ୍କ ସୁବିଧା ଅସୁବିଧା ଆମେ ବୁଝିବା ଆବଶ୍ୟକ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ସେମାନଙ୍କ ପାଇଁ ରାଜ୍ୟସ୍ତରରେ ଗୋଟିଏ ଟ୍ରେଡ୍ ବୋର୍ଡ ଗଠନ ହେବ। ଜିଏସ୍ଟି ସଂକ୍ରାନ୍ତ ସମସ୍ୟା ସହିତ ଅନ୍ୟାନ୍ୟ ଟିକସ ଓ ବ୍ୟବସାୟୀଙ୍କ ଆପତ୍ତି ଅଭିଯୋଗ ଏହି ବୋର୍ଡ ଜରିଆରେ ସମାଧାନ କରାଯାଇପାରିବ। ଏହି ସ୍ମାର୍ଟ ମାର୍କେଟରୁ ଯେଉଁ ବର୍ଜ୍ୟବସ୍ତୁ ବାହାର ହେବ ତାହାକୁ ଅତ୍ୟାଧୁନିକ ଜ୍ଞାନକୌଶଳରେ କିପରି ପରିଚାଳନା କରାଯାଇପାରିବ ସେନେଇ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଛି। ଏଥିପାଇଁ ବ୍ଲୁ-ପ୍ରିଣ୍ଟରେ ଶିଳ୍ପ ଭିତ୍ତିକ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଗୁଗୁତ୍ୱାରୋପ କରାଯାଇଛି। ଏହାଦ୍ୱାରା ବର୍ଜ୍ୟବସ୍ତୁର ପରିଚାଳନା ସହ ପୁନଃଚକ୍ରଣ ଜରିଆରେ ଏହାକୁ ମଧ୍ୟ ବ୍ୟବହାରଯୋଗ୍ୟ କରାଯାଇପାରିବ।
Share your comments